Unknown

 

 

 

 

 

 

 

 

 

 

 

ମାୟା ଜାଲରେ ଜାୟା

ଗିରିଧାରୀ ମହାରଣା

 

ମୋଟର ବାଇକଟି ଉଭୟ ଶତ୍ରୁଜିତ ଆଉ ତନ୍ମୟଙ୍କୁ ନେଇ ନିସ୍ତବ୍‌ଧ ସହରବୁକୁରେ ଆଗେଇ ଚାଲିଥିଲା । କେତେକ ମୁହୂର୍ତ୍ତ ଗତି କରିବା ପରେ ଏକ ତ୍ରିତଳ ପ୍ରାସାଦର ଗେଟ୍‌ ନିକଟରେ ତନ୍ମୟ ବାଇକଟିକୁ ବନ୍ଦ କଲେ ।

 

ଗେଟ୍‌ର ଭିତର ପାଖରୁ ତାଲା ପଡ଼ିଥିଲା । କିନ୍ତୁ ତଳ ମହଲାର ଗୋଟିଏ କକ୍ଷରେ ଆଲୋକ ଜଳୁଥିବାର ସେମାନେ ଦେଖିଲେ । ପାଟିକରି ଡାକିବାକୁ ପଡ଼ିଲା ନାହିଁ । କାରଣ ବାମ ପାର୍ଶ୍ୱରେ ଗେଟ୍‌ର ପିଲର ଉପରେ ଏକ ପୁସ୍‌ ବଟମ ରହିଥିଲା । ବଟମଟି ଦବାଇ ଧରିବାମାତ୍ରେ ଭିତରେ ବେଲ୍‌ର ଶବ୍ଦ ଶୁଣାଗଲା ।’

 

କେତେକ ମୁହୂର୍ତ୍ତ ଶବ୍ଦାୟିତ ହେଲା ପରେ ସମ୍ମୁଖ ଦ୍ୱାର ଖୋଲା ହେବାର ଶବ୍ଦ ଶୁଣାଯିବା ସଙ୍ଗେ ସଙ୍ଗେ କାହାର ଏକ ଗମ୍ଭୀର କଣ୍ଠସ୍ୱର ଶୁଣାଗଲା ।

 

‘ଅମ୍ବରୀଶବାବୁ ଅଛନ୍ତି ?’ ତନ୍ମୟ ଉଚ୍ଚକଣ୍ଠରେ ପଚାରି ଉଠିଲେ ।

 

ଏକ ସ୍ଥୂଳକାୟ ଲୋକ ଗେଟ୍‌ଆଡ଼କୁ ମାଡ଼ିଆସୁଥିଲା । ତା’ର ଅବୟବ ଆଉ ପରିଧାନରୁ ସହଜରେ ଅନୁମାନ କରି ହେଉଥିଲା ଯେ ସେ କୌଣସି ଏକ ପରିଚାରକ ।

 

ଗେଟ୍‌ ନ ଖୋଲି ସେ କହିବାରେ ଲାଗିଲା, ‘ବାବୁ ଏବେ ଖାଇବାକୁ ଯାଇଛନ୍ତି । ଆପଣମାନେ କାଲି ସକାଳୁ ଆସନ୍ତୁ ।’

 

‘କିନ୍ତୁ ଆମର ଖୁବ୍‌ ଜରୁରୀ କାମ ଅଛି । ଏଇ କାର୍ଡ଼ଟି ନେଇ ବାବୁଙ୍କୁ ଦେଖାଅ ।’

 

ଶତ୍ରୁଜିତଙ୍କ ହାତରୁ କାର୍ଡ଼ଟି ନେଇ ସେ ଭିତରକୁ ଚାଲିଗଲା । କେତେକ ମୁହୂର୍ତ୍ତ ପରେ ସେ ଫେରିଆସି ଗେଟ୍‌ ଖୋଲୁ ଖୋଲୁ କହିଲା, ‘ଆପଣମାନେ ଆସନ୍ତୁ । ପନ୍ଦର କୋଡ଼ିଏ ମିନିଟ୍‌ପରେ ବାବୁ ଆସିବେ ।’

 

ତା ପଛେ ପଛେ ଉଭୟ ଯାଇ ଏକ ସୁସଜ୍ଜିତ କୋଠରି ଭିତରେ ପ୍ରବେଶ କଲେ । କୋଠରିର ଚତୁଃପାର୍ଶ୍ୱରେ ବଡ଼ ବଡ଼ କାଚ ଆଲମିରାଗୁଡ଼ିକ ରହିଥିଲା । ଆଉ ତାହା ଭିତରେ ଆଇନ ବହିର ସଂଖ୍ୟା ପରିସ୍ଫୁଟ ହୋଇପଡ଼ୁଥିଲା ।

 

କେତେକ ମୁହୂର୍ତ୍ତ ପରେ ଦ୍ୱାର ଖୋଲିଯିବାର ଶବ୍ଦ ଶୁଣାଯିବା ସଙ୍ଗେ ସଙ୍ଗେ ଶୁଣାଗଲା, ‘କ୍ଷମା କରିବେ ଆଜ୍ଞା, ମୋ ପାଇଁ ଆପଣମାନେ ବହୁତ ସମୟ ଅପେକ୍ଷା କଲେ ।’

 

ନମସ୍କାର ଜଣାଉ ଜଣାଉ ଶତ୍ରୁଜିତ କହିଲେ, ନାହିଁ ଆଜ୍ଞା, ଆମେ ବରଂ ଆପଣଙ୍କୁ ଆସି ବିରକ୍ତ କଲୁଁ ।

 

ପ୍ରାକ୍‌ଟିସ କରିବାର ତିରିଶ ବର୍ଷ ହେଇଗଲା, ଆଜ୍ଞା ! ଖାଇବା ପରେ ପରେ ଇମିତି ଅନେକବାର ମୁଁ ମୋର କ୍ଲାଏଣ୍ଟମାନଙ୍କ ସହିତ ଚର୍ଚ୍ଚା କରିଆସିଛି । ତେଣୁ ଏଥିରେ ବିରକ୍ତ ହେବାର କିଛି କଥା ନାହିଁ । କିନ୍ତୁ ଆପଣମାନେ ଏତେ ରାତିରେ କାହିଁକି ଏ ପରିଶ୍ରମ କଲେ ? ଟେବୁଲର ବିପରୀତ ପାର୍ଶ୍ୱରେ ଏକ କୁସନ ଚେୟାର ଉପରେ ବସୁ ବସୁ ଅମ୍ବରୀଶବାବୁ କହିଲେ ।

 

ତନ୍ମୟଙ୍କର ଦୃଷ୍ଟି ଶତ୍ରୁଜିତଙ୍କ ଉପରେ ପଡ଼ିଲା । ସେ କିନ୍ତୁ ଖୁବ୍‌ ସରଳ ଭାବରେ କହିଲେ, ‘ଅନନ୍ତ ଦାସଙ୍କର ଉଇଲ୍‌ ବିଷୟରେ କିଛି ଜାଣିବାକୁ ଆମେ ଚାହୁଁ ।’

 

‘ତାହା ତ ଆପଣଙ୍କର କାର୍ଡ଼ ଦେଖିବା ସଙ୍ଗେ ସଙ୍ଗେ ମୁଁ ଜାଣିପାରିଛି, ଶତ୍ରୁଜିତବାବୁ ! କିନ୍ତୁ ଆପଣ କ’ଣ ଏ ବିଷୟରେ ନିଶ୍ଚିତ ଯେ, ତାଙ୍କର ମୃତ୍ୟୁ ସ୍ୱାଭାବିକ ନୁହେଁ ?’

 

‘ଅବସ୍ଥାଚକ୍ରରେ ମୋର ଧାରଣା ଆପାତତଃ ଠିକ୍‌ ସେଇଆ, ଅମ୍ବରୀଶବାବୁ ! କିନ୍ତୁ ମୁଁ ଯେ ଠିକ୍‌ ସେଇଥିପାଇଁ ଆସିଲି, ଏ ଧାରଣା ଆପଣଙ୍କର ଆସିଲା କେମିତି ?’

 

ଦନ୍ତବିହୀନ ମୁଖମଣ୍ଡଳରେ ହସର ଏ ଅପୂର୍ବ ସମନ୍ୱୟ ସୃଷ୍ଟିକରି ସେ କହିଲେ, ‘ଜୟନ୍ତୀ ମହାପାତ୍ରକୁ ଆପଣ ଜାଣିଥିବେ ନିଶ୍ଚୟ । ତାହାରି ପାଖରୁ ମୁଁ ଘଟଣାଟି ଶୁଣିଲି ।’

 

‘ଜୟନ୍ତୀ ମହାପାତ୍ର ଆପଣଙ୍କର ଏଇଠିକି ଆସିଥିଲା ?’

 

କେବଳ ସେ ଏକାକୀ ନୁହେଁ, ତା’ପରେ ପରେ ସ୍ନେହଲତା ବି ଏଠିକି ଆସିଥିଲା ।’

 

‘ମାନେ, ମିସେସ୍‌,

 

‘ସ୍ନେହଲତା ପାତ୍ର ।’ ଶତ୍ରୁଜିତଙ୍କ ନିକଟରୁ କଥା ଛଡ଼ାଇ ଅମ୍ବରୀଶବାବୁ କହିଲେ, ‘ସେ ଠିକ୍‌ ଦଶଟା ପରେ ପରେ ଆସିଥିଲା ।’

 

‘ଆଉ ଜୟନ୍ତୀ ?’

 

‘ଦିନ ବାରଟାରେ’

 

‘ଏକାକୀ. ?

 

‘ହଁ.’

 

‘ଆଉ ତା’ ସଙ୍ଗରେ କେହି ନ ଥିଲେ ?’ ବିସ୍ମିତ ଭାବରେ ଶତ୍ରୁଜିତ କହିଉଠିଲେ ।

 

‘ଆଉ କିଏ ଆସିଥିଲା କି ନାହିଁ ମୁ ଜାଣେ ନାହିଁ । ସେ କିନ୍ତୁ ଏକୁଟିଆ ଆମର ଏଇଠିକି ଆସିଥିଲା ।’

 

‘କେତେବେଳେ ଗଲା ?’

 

‘ସଂଧ୍ୟା ଛ’ଟା ପରେ ପରେ’

 

‘ମାନେ, ସେ ବାରଟାରୁ ଛ’ଟା ଆପଣଙ୍କର ଏଇଠି ଥିଲା ?’

 

‘ଆପାତତଃ ସେ ଏତେ ସମୟ ଏଠାରେ ଅଟକି ରହିବାକୁ ବାଧ୍ୟ ହୋଇଥିଲା ।’

 

‘ମୁଁ ଆପଣଙ୍କର କଥା ଠିକ୍‌ ଭାବରେ ବୁଝିପାରିଲି ନାହିଁ, ଅମ୍ବରୀଶବାବୁ !’

 

‘ତା’ର ସ୍ନାୟୁ ବଡ଼ ଦୁର୍ବଳ । ମୋ ସଙ୍ଗରେ ସେ ଆଲୋଚନା କରୁଁ କରୁଁ ଚେତାଶୂନ୍ୟ ହେଇଯାଇଥିଲା । ଆଉ ତା’ର ଚେତନା ଫେରାଇ ଆଣିବାକୁ ପ୍ରାୟ ଚାରିଘଣ୍ଟା ଲାଗିଯାଇଥିଲା । ଗଲାବେଳେ ସେ କିନ୍ତୁ ସୁସ୍ଥ ଥିଲା ।’

 

‘ପୂର୍ବରୁ ଜୟନ୍ତୀ ଏଠାକୁ ଅନେକଥର ଆସିଛି ନିଶ୍ଚୟ !’

 

‘ନା, ପ୍ରଥମ ଥର ପାଇଁ କେବଳ ଆମ ଘରକୁ ଆଜି ସେ ଆସିଲା । କିନ୍ତୁ ତା’ ପୂର୍ବରୁ ଅନେକଥର ଅନନ୍ତବାବୁଙ୍କ ଘରେ ତା’ ସହିତ ମୋର ସାକ୍ଷାତ ହେଇଛି ।’

 

‘ଅମ୍ବରୀଶବାବୁଙ୍କୁ ଲକ୍ଷ୍ୟ କରୁ କରୁ କିଛି ସମୟ ନୀରବ ରହିଗଲେ ଶତ୍ରୁଜିତ । ତା’ପରେ କହିଲେ, ‘ଆପଣଙ୍କ ପାଖକୁ ସେ ନିଶ୍ଚୟ ଉଇଲ୍‌ ବିଷୟରେ କିଛି ପଚାରିବାକୁ ଆସିଥିଲା-?’

 

‘ନା’

 

‘ମାନେ. ?’

 

‘ଉଇଲୁ ବିଷୟର କୌଣସି କଥା ସେ ଉଠାଇ ନ ଥିଲା । କେବଳ ପ୍ରମୋଦ ଯେମିତି ଏ ଘଟଣାରୁ ରକ୍ଷା ପାଆନ୍ତି, ସେଇ ବିଷୟରେ ସେ ପରାମର୍ଶ ଚାହୁଁଥିଲା ।’

 

‘ଅନ ଅର୍ଥରେ କହିବାକୁ ଗଲେ, ଯଦି ଏଇ କେସ୍‌ଟି ରନିଙ୍ଗ କରେ, ଆପଣ ତାକୁ ରିପ୍ରେଜେଣ୍ଟ କରିବାପାଇଁ କହୁଥିଲା ?’

 

ତାକୁ ନୁହେଁ, ମି: ଶତ୍ରୁଜିତ ! ସେ ତ ମୋ ଆଗରେ ସ୍ୱୀକାର କରିଥିଲା ଯେ ସେ ତାଙ୍କୁ ବିଷ ଦେଇଛି । କିନ୍ତୁ ପ୍ରମୋଦ ଏ ଘଟଣାର ବିନ୍ଦୁବିସର୍ଗ କିଛି ଜାଣିନାହାନ୍ତି । ତାଙ୍କୁ ଯେମିତି ଅଯଥାରେ ଏ କେସ୍‌କୁ ଟଣା ନ ଯାଏ, ଅଥବା ତାଙ୍କର ଲାବୋରେଟାରୀରୁ ପଟାସିଅମ ସାଇନାଏଡ୍‌ଯେ ସେ ଆଣିଥିଲା, ତାହା ଯେମିତି ପ୍ରକାଶ ନ ପାଏ । ମୋଟାମୋଟି ଭାବରେ ପ୍ରମୋଦ କାନରେ ଏ କଥା ପର୍ଯ୍ୟନ୍ତ ଯେମିତି ନ ପହଞ୍ଚେ, ତା’ର କୌଣସି ରାସ୍ତା ବାହାର କରିବାକୁ ସେ ମୋତେ ଅନୁରୋଧ କରିଥିଲା ।’

 

‘ଆଉ କଛି ?’

 

‘ନା.’

 

‘ଆଉ କିଛି ନୁହେଁ ?’ ବିସ୍ମିତ ଭାବରେ ଶତ୍ରୁଜିତ କହି ଉଠିଲେ ।

 

‘ଆଉ କିଛି କହିବାଭଳି ତା’ର ଶକ୍ତି ନ ଥିଲା ।’

 

କିନ୍ତୁ ତା ନିକଟରୁ ଏଇ କଥା ଶୁଣି ଆପଣଙ୍କ ମନରେ କୌତୁହଳୀ ସୃଷ୍ଟି ହେଲା ନାହିଁ-?’

 

‘ଆପଣଙ୍କ ଅନୁମାନ ମିଥ୍ୟା ନୁହେଁ । ମୁଁ ଯେ ତା କଥା ଶୁଣି ଆଶ୍ଚର୍ଯ୍ୟ ହେଇ ନ ଥିଲି, ତାହା ନୁହେଁ । କିନ୍ତୁ ତା ନିକଟରୁ କଥା ଶୁଣିବାର ଆଶା ରଖି ମୁଁ ଯେତେବେଳେ ବସିଥିଲି, ସେତେବେଳେ ସୁବ୍ରତ ବାବୁ ଆସି ପହଞ୍ଚିଲେ । ସେ ଯେ ଜଣେ ସୌଖୀନ ଗୋଏନ୍ଦା ସେ କଥା ମଧ୍ୟ ସେ କହିଥିଲେ । ଆଉ ତାଙ୍କ ନିକଟରୁ ମୁଁ ଘଟଣାଟି ଶୁଣିଲି ।’

 

‘ହୁଁ’ ଗମ୍ଭୀର ହୋଇଉଠି ଶତ୍ରୁଜିତ କହିଲେ, ‘ତା’ହେଲେ ସେ ବହୁ ପୂର୍ବରୁ ଏଠାକୁ ଆସିଥିଲେ, ନା ?’

 

‘ପ୍ରାୟ ପାଞ୍ଚଟା ସାଢ଼େ ପାଞ୍ଚଟା ସମୟରେ ।’

 

‘ଆପଣଙ୍କୁ କ’ଣ ପଚାରିଥିଲେ ?’

 

‘ଜୟନ୍ତୀ ବିଷୟରେ ମୁଁ କିଛି ଜାଣିଛି କି ନାହିଁ ଅଥବା ତା’ ନାମରେ ଅନନ୍ତ ଦାସ କିଛି ଉଇଲ ପତ୍ର କରିଛନ୍ତି କି ନାହିଁ ?’

 

‘ଏହା ବ୍ୟତୀତ ଆଉ କିଛି ନୁହେଁ ?’

 

‘ତାଙ୍କ କଥାର ମୋଟାମୋଟି ଅର୍ଥ ଥିଲା କେବଳ ଜୟନ୍ତୀର ପରିଚୟ ଜାଣିବା ।’

 

‘ଆପଣ ନିଶ୍ଚୟ ତା’ର ପରିଚୟ ଦେଇଥିବେ ?’

 

ଶତ୍ରୁଜିତିଙ୍କ ପ୍ରଶ୍ନରେ ହସିଉଠିଲେ ଅମ୍ବରୀଶବାବୁ । ‘ଆପଣ ତଥାପି ମୋତେ ଠିକ୍‌ଭାବରେ ବୁଝିପାରିଲେ ନାହିଁ, ମି: ଶତ୍ରୁଜିତ !’

 

ଶତ୍ରୁଜିତ ସତକୁ ସତ ଯେମିତି ବୁଦ୍ଧିଶୂନ୍ୟ ହୋଇପଡ଼ିଥିଲେ । ତାଙ୍କର ଦୃଷ୍ଟି ତୀକ୍ଷ୍‌ଣ ଭାବରେ ଅମ୍ବରୀଶବାବୁଙ୍କ ଉପରେ ସ୍ଥିର ହେଲା ।

 

‘ମୋର କଥା ଆପଣ ବୋଧହୁଏ ଠିକ୍‌ଭାବରେ ବୁଝିପାରିଲେ ନାହିଁ, ମି:ଶତ୍ରୁଜିତ ! ମୁଁ ଜଣେ ଆଡ୍‌ଭୋକେଟ । ସେ ଆସିବେ ପୂର୍ବରୁ ମୁଁ ଜୟନ୍ତୀକୁ ନିଜର କ୍ଲାଏଣ୍ଟ ଭାବରେ ନେଇ ସାରିଥିଲି ।’

 

ଏଥର ଶତ୍ରୁଜିତଙ୍କ ମୁଖମଣ୍ଡଳରେ ହସର ରେଖା ଫଟି ଉଠିଲା ।

 

ଟେବୁଲ ଡ୍ରୟାରରୁ ସିଗାରେଟ କେସ୍‌ଆଉ ଲାଇଟର ବାହାର କରି ଶତ୍ରୁଜିତଙ୍କୁ ବଢ଼ାଇ ଦେଉ ଦେଉ ଅମ୍ବରୀଶବାବୁ କହିଲେ, ‘ଆପଣଙ୍କ ସହିତ ଯଦିଓ ମୋର ଚାକ୍ଷୁଷ ପରିଚୟ ନଥିଲା, ତଥାପି ଆପଣଙ୍କର କାର୍ଯ୍ୟକଳାପ ଆଉ ଅନୁସନ୍ଧାନର ଧାରା ମୋ ନିକଟରେ ଅବିଦିତ ନ ଥିଲା । ମୁଁ ଜାଣିଥିଲି, ଆପଣ ନ୍ୟାୟର ପକ୍ଷପାତୀ । ପୁଣି ଜୟନ୍ତୀ ନିକଟରୁ ଯେତେବେଳେ ଆପଣଙ୍କର ନାମ ଶୁଣିଲି, ମୋର ଧାରଣା ହେଲା ଆପଣ ମୋ ପାଖକୁ ଖୁବ୍‌ ଶୀଘ୍ର ଆସିଯିବେ ।’

 

ସିଗାରେଟରେ ଅଗ୍ନିସଂଯୋଗ କରୁ କରୁ ଶତ୍ରୁଜିତ କହିଲେ, ‘ଆପଣଙ୍କୁ ଧନ୍ୟବାଦ ନ ଜଣାଇ ମୁଁ ରହିପାରୁନାହିଁ, ଅମ୍ବରୀଶବାବୁ ।

 

ଏଥର କିନ୍ତୁ ଅମ୍ବରୀଶବାବୁ ପୂର୍ବଠାରୁ ଆହୁରି ଗମ୍ଭୀର ହୋଇଉଠି କହିଲେ ‘ଜୟନ୍ତୀ ଯେ ପ୍ରକୃତରେ ହତ୍ୟାକାରୀ ଏହା ଆପଣ ବିଶ୍ୱାସ କରନ୍ତି, ମି: ଶତ୍ରୁଜିତ ?’

 

‘ସତ କହିବାକୁ ଗଲେ ମୁଁ ଏପର୍ଯ୍ୟନ୍ତ କୌଣସି ଏକ ସିଦ୍ଧାନ୍ତରେ ପହଞ୍ଚିପାରିନାହିଁ । ତେବେ ମୋ ବିଶ୍ୱାସ ଉପରେ କିଛି ଯାଏ ଆସେ ନା, ଅମ୍ବରୀଶବାବୁ ! ଆପଣ ଅନନ୍ତ ଦାସଙ୍କର ବନ୍ଧୁ । ଜୟନ୍ତୀ ରହସ୍ୟର ଯେଉଁ ଘନ ଆବରଣ ଭିତରେ ଆତ୍ମଗୋପନ କରି ରହିଛି, ସେଇ ରହସ୍ୟର ଉଦ୍‌ଘାଟନ ଉପରେ ଏ ସମସ୍ୟାର ସମାଧାନ ନିର୍ଭର କରେ ।’

 

ଆସଟ୍ରେ ଭିତରେ ଶେଷ ହେଇଆସିଥିବା ସିଗାରେଟକୁ ପକାଇ ପୁଣି ଖଣ୍ଡିକରେ ଅଗ୍ନି ସଂଯୋଗ କଲେ ଅମ୍ବରୀଶବାବୁ । ତା’ପରେ ଧୀର ଭାବରେ କହିଲେ, ‘ପ୍ରକୃତରେ ଯେ କ’ଣ ଘଟିଛି ମୁଁ ଜାଣିପାରୁନାହିଁ, ମି: ଶତ୍ରୁଜିତ !’

 

‘ଜୟନ୍ତୀର ପୂର୍ବ ଇତିହାସର ପ୍ରୟୋଜନ ଏବେ ଯଥେଷ୍ଟ ଅଧିକ । ଆପଣ ଯେତେବେଳେ ତାକୁ କ୍ଲାଏଣ୍ଟ ଭାବରେ ଗ୍ରହଣ କରିଦେଇଛନ୍ତି, ତେଣୁ ତା’ର ସୁରକ୍ଷା ଆପଣଙ୍କର ପ୍ରୟୋଜନ ।’

 

‘ତା’ହେଲେ ଆପଣ କ’ଣ ବିଶ୍ୱାସ କରନ୍ତି ଜୟନ୍ତୀ ନିର୍ଦ୍ଦୋଷ ?’

 

‘ସେ ବିଷୟରେ ମୁଁ ନିଶ୍ଚିତ ନୁହେଁ । ତଥାପି ଏପର୍ଯ୍ୟନ୍ତ ଯୋଉ କେତେକ ସମ୍ବାଦ ମୁଁ ପାଇଛି ସେଥିରୁ ମୋର ଦୃଢ ବିଶ୍ୱାସ ଯେ ଜୟନ୍ତୀ ବ୍ୟତୀତ ଆଉ ଜଣେ କିଏ ସ୍ପଟ୍‌ ଉପରକୁ ଆସିଛି ।’

 

‘କିନ୍ତୁ ଡାକ୍ତର ଯେ ସ୍ୱାଭାବିକ ମୃତ୍ୟୁ ବୋଲି ରିପୋର୍ଟ ଦେଇଛନ୍ତି !’

 

‘ସେ ମଧ୍ୟ ସନ୍ଦେହରେ ପଡ଼ିଥାଇପାରନ୍ତି । କାରଣ ହାଇବ୍ଲଡ୍‌ପ୍ରେସରରେ ଆକସ୍ମିକ ମୃତ୍ୟୁକୁ କେହି ଅସ୍ୱୀକାର କରିବେ ନାହିଁ । ତା’ ବ୍ୟତୀତ ଡାକ୍ତର ତାଙ୍କ ମୃତ୍ୟୁର ଏକ ଦୀର୍ଘ ବ୍ୟବଧାନ ପରେ ଆସିଛନ୍ତି ।’

 

ପୋଖତ ଆଇନଜୀବୀ ଅମ୍ବରୀଶବାବୁଙ୍କ ଚକ୍ଷୁ ମୁହୂର୍ତ୍ତକ ଭିତରେ ଉଜ୍ଜ୍ୱଳ ହୋଇଉଠିଲା-। ସେ କହିଲେ, ‘ଆପଣଙ୍କ ସନ୍ଦେହର ସାର୍ଥକତା ରହିଛି, ମି: ଶତ୍ରୁଜିତ !’

 

‘ମୁଁ କିନ୍ତୁ କେତେଗୁଡ଼ିଏ ଉତ୍ତର ଆପଣଙ୍କ ପାଖରୁ ସଂଗ୍ରହ କରିବାକୁ ଆସିଥିଲି, ଆଜ୍ଞା !’ ଅଯଥା ସମୟ ଅପଚୟ ନ କରିବାକୁ ଭାବ ଶତ୍ରୁଜିତ କହିଲେ ।

 

‘ମୁଁ ଜାଣେ ଆପଣଙ୍କର ସମୟ ଏବେ ଖୁବ୍‌ ମୂଲ୍ୟବାନ ହୋଇପଡ଼ିଚି, ମି: ଶତ୍ରୁଜିତ ! ତେବେ ଏ ବିଷୟରେ ମୋର ଯାହା ଜାଣିବାର କଥା, ତାହା ମୁଁ ଆପଣଙ୍କ ଘରୁ କେତେବେଳେ ନିଶ୍ଚୟ ଜାଣିନେବି ।’

 

ଶତ୍ରୁଜିତ ହସିଲେ, ସେଇ ବିଶ୍ୱାସ ଆପଣଙ୍କ ଉପରେ ଥିବାଯୋଗୁଁ ରାତିଅଧରେ ବିରକ୍ତ କରିବାକୁ ସାହସ କଲି, ଆଜ୍ଞା ! ତେବେ ସ୍ନେହଲତା ପାତ୍ରଙ୍କ ନିକଟରୁ ମୁଁ ଜାଣିବାକୁ ପାଇଲି, ଆପଣଙ୍କ ମଧ୍ୟସ୍ଥତାରେ ଅନନ୍ତ ଦାସ ତାଙ୍କର ସମ୍ପତ୍ତି ବଣ୍ଟନ କରିଥିଲେ ।’

 

‘ଆପଣ ଯାହା ଶୁଣିଛନ୍ତି, ତାହା ଠିକ୍‌ ।’

 

‘ଆଉ ଏକଥା କ’ଣ ସତ୍ୟ ଯେ ଅନନ୍ତ ଦାସ ତାଙ୍କର ସମଗ୍ର ସମ୍ପତ୍ତିର ଅର୍ଦ୍ଧାଧିକ ଭାଗ ନିଜ ନାମରେ ରଖିଥିଲେ ?’

 

‘ହଁ ।’

 

‘ଆଉ ସେଇ ଅର୍ଦ୍ଧାଧିକ ଭାଗ ଜୟନ୍ତୀ ମହାପାତ୍ରକୁ ଦେବାର କିଛି କଳ୍ପନା ସେ କରିଥିଲେ ନିଶ୍ଚୟ ।’

 

‘ନା, ସେକଥା ଯଦିଓ ଠିକ୍‌ ନୁହେଁ, ତଥାପି ସେଇ ସମ୍ପତ୍ତିରେ କେତେକାଂଶ ଜୟନ୍ତୀ ପାଇଥାଆନ୍ତା ନିଶ୍ଚୟ ।’

 

‘ଏକଥା ତାଙ୍କର ଝିଅ ଆଉ ଝିଆରୀ ଜାଣିଥିଲେ ?’

 

‘ତେବେ ଏଭଳି ସନ୍ଦେହ ସେମାନେ କରିଥିବା ସ୍ୱାଭାବିକ । କିନ୍ତୁ ମୋର ଯେତେଦୂର ବିଶ୍ୱାସ, ଏକଥା ସେମାନେ ଜାଣି ନ ଥିଲେ ।’

 

‘ସେମିତି କିଛି ଉଇଲ୍‌ ସେ କରିଯାଇଥିଲେ ?’

 

ଅମ୍ବରୀଶବାବୁ କ’ଣ ଭାବିଲା ପରି କହିଲେ, ‘ଅବଶ୍ୟ ‘ଏ ଘଟଣା ନେଇ ନିତାନ୍ତ ଏକ ଗୋପନୀୟ ତଥ୍ୟ ମୁଁ ପ୍ରକାଶ କରିବାକୁ ବାଧ୍ୟ ହେଉଛି, ମି: ଶତ୍ରୁଜିତ ! କିନ୍ତୁ ତା’ ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଯେପରି ଏହି ତଥ୍ୟ ଆପଣ ମାନଙ୍କ ବ୍ୟତୀତ ଆଉ କେହି ଜାଣି ନ ପାରନ୍ତି । ଏପରିକି ଜୟନ୍ତୀ ତଥା ପ୍ରମୋଦ ମଧ୍ୟ ।’

 

ଏଥର ସଂଶୟର ରେଖା ଦେଖାଦେଲା ଶତ୍ରୁଜିତଙ୍କ ମୁଖମଣ୍ଡଳରେ । କାରଣ ଠିକ୍‌ ଏହିପରି ଏକ ଉକ୍ତି ସେ ବନମାଳୀ ନିକଟରୁ ଶୁଣିବାକୁ ପାଇଥିଲେ । କିନ୍ତୁ ସେଇ ଉକ୍ତିର ଯଥାର୍ଥତା ସେ ଦେଇପାରି ନ ଥିଲା ।

 

ଦୀର୍ଘନିଶ୍ୱାସ ନେଇ ଅମ୍ବରୀଶବାବୁ କହିଲେ, ‘ଜୟନ୍ତୀର ମା’ ନାମ ରୀନା ମହାପାତ୍ର । ତା’ର ବାସସ୍ଥାନ ଅଥବା ପିତା ମାତାଙ୍କର ନାମ ମୋ ନିକଟରେ ଏବେ ବି ଅଜଣାରେ ରହିଛି ।’

 

‘ମୁଁ ଏ ବିଷୟରେ ନିଶ୍ଚିତ ହୋଇପାରେ ଯେ ଆପଣ ରୀନା ମହାପାତ୍ର, ଅନନ୍ତ ଦାସ ତଥା ବିକ୍ରମ ଦାସଙ୍କୁ ଭଲ ଭାବରେ ଜାଣିଛନ୍ତି ?’

 

‘ଆପଣଙ୍କର ଅନୁମାନ ସତ୍ୟ । ସେମାନଙ୍କ ସହିତ ମୋର ତିରିଶବର୍ଷ ତଳୁ ଜଣାଶୁଣା ରହିଛି । ଏକଦା ସେମାନଙ୍କ କମ୍ପାନୀର ଲିଗାଲ ଆଡ୍‌ଭାଇଜରରୂପେ ସେମାନଙ୍କ ସହିତ ମୋର ପରିଚିତ ହୁଏ । ସେଇ ପରିଚିତ କ୍ରମଶଃ ବନ୍ଧୁତ୍ୱକୁ ପରିବର୍ତ୍ତନ ହୁଏ, ଯେଉଁ ବନ୍ଧୁତ୍ୱ କି ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମୋ ସହିତ ଅକ୍ଷୁଣ୍ଣ ରହିଥିଲା ।’ ତା’ପରେ ଟିକିଏ ନୀରବ ରହି ସେ କହିଲେ, ‘ମୋର ବିଶ୍ୱାସ, ଆପଣ ମୋ ପାଖକୁ ଆସିବା ପୂର୍ବରୁ ବନମାଳୀ ସହିତ କଥାବାର୍ତ୍ତା କରିଛନ୍ତି । ଆଉ ମୋର ଯଦି ଧାରଣା ମିଥ୍ୟା ନ ହୁଏ, ତାହେଲେ ତା’ ପରିସର ଭିତରେ ଥାଇ ସେ ଯେତିକି ଜାଣିବାର କଥା, ତାହା ଆପଣଙ୍କୁ କହିଛି । କାରଣ ବର୍ତ୍ତମାନ ଏ ସବୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଭିତରୁ ଆମେ ଦୁଇଜଣ କେବଳ ରହିଛୁଁ । ତେଣୁ ମୋର ଅନୁମାନର ଯଥାର୍ଥତା ଆପଣଙ୍କୁ ସଂଶୟ ଭିତରକୁ ନେବ ନାହିଁ ।’

 

ଶତ୍ରୁଜିତଙ୍କ ନିକଟରୁ ନୀରବ ସମ୍ମତି ପାଇ ସେ କହିଲେ, ‘ଏଇ ରୀନା ମହାପାତ୍ର ପାଇଁ ବ୍ୟବସାୟରେ ସେମାନେ ପ୍ରତିଷ୍ଠିତ ହୋଇଥିଲେ । ଆଉ ସେ ମଧ୍ୟ ସେଇ ବିଜିନେସ୍‌ରେ ଏକ ଅଂଶୀଦାର ଥିଲା । ତେବେ ରୀନା ମହାପାତ୍ର ବିକ୍ରମଙ୍କ ଆଡ଼କୁ ଟିକିଏ ବେଶୀ ପରିମାଣରେ ଢଳିପଡ଼ିଥିଲା । ଏହା କିନ୍ତୁ ଅନନ୍ତ ଦାସ ସହ୍ୟ କରିପାରୁ ନ ଥିଲେ । ଆଉ ମଧ୍ୟ ବିକ୍ରମ ଦାସ ସେତେବେଳକୁ ବିବାହ କରିସାରିଥିଲେ । ପ୍ରଥମ ସନ୍ତାନ ପ୍ରମୋଦ ମଧ୍ୟ ଜନ୍ମ ନେଇ ସାରିଥିଲା । ଅନନ୍ତ ଦାସ କିନ୍ତୁ ଜବରଦସ୍ତ ଭାବରେ ଏ ଦୁହିଁଙ୍କ ଭିତରେ ବିଚ୍ଛେଦର କାମନା କରୁଥିଲେ । ଆଉ ଏହା ମଧ୍ୟ ବିକ୍ରମ ବାବୁଙ୍କ ସ୍ତ୍ରୀଙ୍କ ନିକଟରେ ଅଜଣା ନ ଥିଲା । ଆଉ ଏକଥା ମଧ୍ୟ ନିଶ୍ଚିତ ଯେ, ବିକ୍ରମବାବୁଙ୍କ ସ୍ତ୍ରୀ ଅନନ୍ତବାବୁଙ୍କୁ ନିଜର ଛୋଟ ଭାଇଟି ଭଳି ସ୍ନେହ କରୁଥିଲେ ।’

 

‘ତା’ହେଲେ ବିକ୍ରମବାବୁଙ୍କ ସ୍ତ୍ରୀ ଆଉ ଅନନ୍ତବାବୁ ରୀନା ମହାପାତ୍ରକୁ ବିକ୍ରମଙ୍କ ପାଖରୁ ଦୂରେଇଦେବାକୁ ଚେଷ୍ଟା କରୁଥିଲେ ?’ ଶତ୍ରୁଜିତ୍‌ ଅକସ୍ମାତ ପ୍ରଶ୍ନ କରି ବସିଲେ ।

 

‘ଆପଣଙ୍କ ଅନୁମାନ ହୁଏତ ସତ୍ୟ । କାରଣ ତାଙ୍କରି ସାହସ ପାଇ ଅନନ୍ତବାବୁ ରୀନା ମହାପାତ୍ରକୁ କୌଶଳରେ ଅପହରଣ କରିଥିଲେ, ଆଉ ପାଶବିକ ସଂପର୍କ ମଧ୍ୟ ସ୍ଥାପନ କରିଥିଲେ-। ହୁଏତ ଏହିଭଳି ଭାବରେ ରୀନା ତା’ର ମତ ପରିବର୍ତ୍ତନ କରିପାରେ, ଏହା ସେ ଧାରଣା କରିଥିଲେ । କିନ୍ତୁ ବିକ୍ରମବାବୁଙ୍କ ମନରେ ସନ୍ଦେହ ଆସିଥିଲା । ସେ ରୀନାଙ୍କୁ ଉଦ୍ଧାର କରିଥିଲେ-। କିନ୍ତୁ ପରେ ପରେ ସାପକାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଥିଲା ।’

 

‘ଏହି ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ନିହିତ ଥିଲା ନିଶ୍ଚୟ ?’

 

‘ମୋର ଯେତେଦୂର ଅନୁମାନ, ସେମିତି କିଛି ନ ଥିଲା । କାରଣ ଅନନ୍ତ ଦାସ ବିକ୍ରମଙ୍କୁ ଖୁବ୍‌ ଭଲ ପାଉଥିଲେ ଆଉ ଭକ୍ତି ମଧ୍ୟ କରୁଥିଲେ । ଆଉ ଏ ବିଷୟରେ ମୁଁ ନିଃସନ୍ଦେହ ଯେ ବିକ୍ରମ ଦାସ ବିବାହିତ ହୋଇ ନ ଥିଲେ ସେ କେବେ ରୀନା ମହାପାତ୍ର ସହିତ ତାଙ୍କର ସମ୍ପର୍କକୁ ବିରୋଧ କରି ନ ଥାନ୍ତେ ।

 

‘ଏକଥା ବି ସତ୍ୟ ଯେ, ବିକ୍ରମ ଦାସଙ୍କ ମୃତ୍ୟୁ ପରେ ତାଙ୍କର ସେୟାର ଅଂଶ ତାଙ୍କ ସ୍ତ୍ରୀ ଅନନ୍ତ ଦାସଙ୍କୁ ବିକ୍ରୟ କରି ଦେଇଥିଲେ ?’

 

‘ହଁ ।’

 

ଶତ୍ରୁଜିତ କେତେକ ମୁହୂର୍ତ୍ତ କ’ଣ ଚିନ୍ତା କରି କହିଲେ, ‘ଆଉ ରୀନା ମହାପାତ୍ରର ସେୟାର ?’

 

‘ମାତ୍ର ଦୁଇଅଣା । ସେ ନିରୁଦ୍ଦେଶ୍ୟ ହେବାର ୧୦ ।୧୨ ଦିନ ପରେ ମୋ ପାଖକୁ ଖଣ୍ଡିଏ ଚିଠି ଲେଖି ଜଣାଇଥିଲା ଯେ, ସେ କିମ୍ବା ତାଙ୍କର କୌଣସି ଉତ୍ତରାଧିକାରୀ ଯଦି ୨୫ବର୍ଷ ଭିତରେ ସେଇ ସମ୍ପତ୍ତି ଦାବୀ ନ କରନ୍ତି, ତା’ହେଲେ ବିକ୍ରମ ଦାସଙ୍କର ସନ୍ତାନସନ୍ତତିଙ୍କର ସେଇ ସେୟାର ଉପରେ ଦାବୀ ଗ୍ରହଣଯୋଗ୍ୟ ହେବ ।’

 

‘ଆଉ କିଛି ?’

 

‘ନା ?’

 

‘ତା’ ପରେ ?’

 

‘ଯେହେତୁ ବିକ୍ରମ ଦାସଙ୍କର ସମସ୍ତ ସେୟାର ତାଙ୍କର ସ୍ତ୍ରୀ ଅନନ୍ତ ଦାସଙ୍କୁ ବିକ୍ରୟ କରିଦେଇଥିଲେ, ସେଇଥିପାଇଁ ଏ ଦୁଇଅଣା ସେୟାର ମଧ୍ୟ ତାଙ୍କୁ ହୋଇଯାଇଥିଲା । କିନ୍ତୁ ରୀନା ମହାପାତ୍ରର ଯେଉଁ ଦୁଇଅଣାର ସେୟାର ରହିଥିଲା, ସେଇ ସେୟାର ସମଗ୍ର ଅଂଶ ଉପରେ ନ ରହି କେତେକ ନିର୍ଦ୍ଦିଷ୍ଟ ସୀମା ଭିତରେ ଥିଲା ।’

 

‘ମାନେ. ?’

 

‘ରୀନା ମହାପାତ୍ର ଅସମ୍ଭବ ଭାବରେ ଯେ ଚତୁର ଥିଲା, ଏହା ଆଜି ମୁଁ ମୁକ୍ତକଣ୍ଠରେ କହିପାରିବି । କାରଣ ପୂର୍ବରୁ ସେ ହଡ୍‌ସନ ସାହେବ ନାମକ ଜଣେ ବିଖ୍ୟାତ ମାଇନିଙ୍ଗ ଇଂଜିନିୟରଙ୍କର ସେକ୍ରେଟେରୀ ଥିଲା । ଏମାନେ ଯେଉଁ ଏରିଆଗୁଡ଼ିକ ହଡସନ ସାହେବଙ୍କ କୃପାରୁ ରୀନା ମହାପାତ୍ରର ସହାୟତାରେ ପାଇଥିଲେ, ସେଇ ଏରିଆ ବିଷୟରେ ଏମାନଙ୍କ ଅପେକ୍ଷା ରୀନା ବିଶେଷ ଭାବରେ ଜାଣିଥିଲା । ତେଣୁ ଏମାନଙ୍କ ଭିତରେ ତା’ର ପରିଶ୍ରମ ପାଇଁ ଯେଉଁ ଦୁଇଅଣାର ଅଂଶ ଦେବାକୁ ରାଜି ହୋଇଥିଲେ, ସେ ଦୁଇଅଣାର ଅଂଶ ପାଇଁ ସେ ମାତ୍ର ଚାରି ଏକର ମାଇନିଂ ଏରିଆ ନିଜ ନାମରେ କରିନେବାକୁ ଚାହିଁଥିଲା । ଏମାନଙ୍କର ଅବଶ୍ୟ ସେତେବେଳେ ସେଇ ନିର୍ଦ୍ଦିଷ୍ଟ ସ୍ଥାନ ବିଷୟରେ କିଛି ଧାରଣା ନ ଥିଲା । ଆଉ ଅକ୍ଲେଶରେ ତା’ ପ୍ରସ୍ତାବରେ ଏମାନେ ଏକମତ ହୋଇଯାଇଥିଲେ ।’

 

ଶତ୍ରୁଜିତଙ୍କ ଚକ୍ଷୁ ସମ୍ମୁଖରୁ ଯେପରି ପୁଣି ଏକ ଅନ୍ଧକାର ପର୍ଦ୍ଦା ଦୂର ହୋଇଗଲା । ସେ ଉତ୍ସାହିତ ହୋଇ କହିଲେ, ‘ସେଇ ନିର୍ଦ୍ଦିଷ୍ଟ ଚାରି ଏକର ପରିମିତ ଜମି ଭିତରେ’

 

‘ଆପଣଙ୍କର ଅନୁମାନ ଠିକ୍‌ । ସେତେବେଳେ ଯାହାର ଗୋଟିଏ ଏକର ବାର ତେର ଟଙ୍କାର ବେଶୀ ହେବାର ନ ଥିଲା, ଏବେ ତାହା ବହୁମୂଲ୍ୟ ସମ୍ପତ୍ତିରେ ପରିଣତ ହେବାକୁ ଯାଉଛି । ଅର୍ଥାତ ଭୂତତ୍ତ୍ୱବିତ୍‌ମାନେ ପରୀକ୍ଷା କରି ସେଇ ନିର୍ଦ୍ଦଷ୍ଟ ପରିମାଣ ଜମି ଭିତରେ ସୁନା ଥିବା ଜାଣିପାରିଛନ୍ତି । ଆଉ ହୁଏତ ବହୁତ ବର୍ଷ ତଳେ ହଡ୍‌ସନ ସାହେବ ମଧ୍ୟ ଏକଥା ଜାଣିପାରିଥିଲେ । ତାଙ୍କର କନ୍‌ଫିଡେନସିଆଲ ସେକ୍ରେଟେରୀ ଭାବରେ ରୀନା ଜାଣିପାରିଥିବା ବିଚିତ୍ର ନୁହେଁ ।’

 

‘ତା’ ହେଲେ ସେଇ ସମ୍ପତ୍ତିର ଏବେ ଉତ୍ତରାଧିକାରୀ ଅନନ୍ତ ଦାସଙ୍କର ସନ୍ତାନମାନେ ?’

 

‘ନ୍ୟାୟତଃ ତାହା ନୁହେଁ । କିନ୍ତୁ ଅନନ୍ତ ଦାସ ଏଭଳି ଭାବରେ ସେଇ ସମ୍ପତ୍ତିତକ ନିଜ ଅଧିକାରକୁ ନେଇଥିଲେ, ଯାହା ଉଦ୍ଧାର କରିବାକୁ ହେଲେ ଜୟନ୍ତୀ ମହାପାତ୍ରକୁ କୋର୍ଟ କଚେରୀ ପର୍ଯ୍ୟନ୍ତ ଯିବାକୁ ପଡ଼ିବ । ଆଉ ସେ ଯେ ତା’ର ଅଧିକାର ଫେରିପାଇବ ଏ ବିଷୟରେ ମୁଁ ନିଃସନ୍ଦେହ । କିନ୍ତୁ ସେଥିପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ, ସେତକ ତାନିକଟରେ ନାହିଁ ।’

 

‘କିନ୍ତୁ ସେ ଜୀବିତ ଥିବା ପର୍ଯ୍ୟନ୍ତ ଅନ୍ୟ କେହି ନିଃସଙ୍କୋଚ ଭାବରେ ତାହା ନିଜର ବୋଲି ପ୍ରମାଣ କରିପାରିବ ନାହିଁ । ଅର୍ଥାତ୍‌ ସରକାରଙ୍କଠାରୁ ଉପଯୁକ୍ତ କ୍ଷତିପୂରଣ ପାଇବାପାଇଁ ସେ ହକ୍‌ଦାର ହୋଇପାରିବ ନାହିଁ ?’ ଶତ୍ରୁଜିତ ଏତକ ଶେଷ କରି ଅମ୍ବରୀଶ ବାବୁଙ୍କୁ ଏକ ପ୍ରଶ୍ନଭରା ଦୃଷ୍ଟିରେ ଅନାଇ ରହିଲେ ।

 

‘ଆପଣଙ୍କର ଦୂରଦୃଷ୍ଟି ପାଇଁ ଆପଣ ଯେ କେବଳ ସୁନାମର ଅଧିକାର, ତାହା ମୁଁ ଏବେ ଜାଣିଲି, ମି: ଶତ୍ରୁଜତି ! କିନ୍ତୁ ଏହା ସହିତ ଅନନ୍ତ ଦାସଙ୍କର ମୃତ୍ୟୁର ସମ୍ପର୍କ ଯେ କ’ଣ ମୁଁ ଭାବିପାରୁନାହିଁ ।’

 

ଶତ୍ରୁଜିତ ନିଜର ସିଗାରେଟ କେସ୍‌ ବାହାର କରି ଅମ୍ବରୀଶ ବାବୁଙ୍କୁ ଦେଲେ । ଆଉ ଗୋଟିକରେ ନିଜେ ଅଗ୍ନିସଂଯୋଗ କରୁ କରୁ କହିଲେ, ‘ସେ ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କୁ ଯଥାସମୟରେ ଦେଇପାରିବି, ଆଜ୍ଞା ! ତେବେ ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି, ଅନନ୍ତ ଦାସ କ’ଣ ସେଇ ନିର୍ଦ୍ଦିଷ୍ଟ ସମ୍ପତ୍ତିକୁ ଜୟନ୍ତୀକୁ ଫେରାଇ ଦେବାପାଇଁ ଆପଣଙ୍କ ସହ ପରାମର୍ଶ କରିଥିଲେ-?’

 

‘ନା । ମୁଁ କିନ୍ତୁ ସେଇ ସମ୍ପତ୍ତି ଜୟନ୍ତୀକୁ ଫେରାଇ ଦେବାକୁ କହିଥିଲି । ସେ ମଧ୍ୟ ମୋ କଥାରୁ ବାହାରିଯାଇ ନ ଥିଲେ । ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ସେ ତାଙ୍କ ନାମରେ ରଖିଥିବା ଅର୍ଦ୍ଧେକ ସମ୍ପତ୍ତି ମଧ୍ୟ ତା’ ନାମରେ କରିଦେବାକୁ ସ୍ୱତଃପ୍ରବୃତ୍ତ ଭାବରେ କହିଥିଲେ ।’

 

ଶତ୍ରୁଜିତ ଯେମିତି ଅମ୍ବରୀଶବାବୁଙ୍କର ଏଇ କଥାକୁ ବିଶ୍ୱାସ କରିପାରୁ ନ ଥିଲେ । ତେଣୁ ଅବିଶ୍ୱାସ୍ୟ ଦୃଷ୍ଟିରେ ତାଙ୍କୁ ଅନାଇ ରହିଥିବା ଦେଖି ସେ କହିଲେ, ‘ମୁଁ ମଧ୍ୟ ତାଙ୍କ ନିକଟରୁ ଏଇ କଥା ଶୁଣି ସେତେବେଳେ କମ୍‌ ଆଶ୍ଚର୍ଯ୍ୟ ହେଇ ନ ଥିଲି । ହୁଏତ ଏହାରି ଭିତରେ ଆଉ କୌଣସି ରହସ୍ୟ ରହିଯାଇଛି ବୋଲି ମୁଁ ଜାଣିବାକୁ ବହୁ ଚେଷ୍ଟା କରି ମଧ୍ୟ ଜାଣିପାରିଲି ନାହିଁ । ମୋର ସେତେବେଳେ ମନେହେଉଥିଲା, ସେ ଯେମିତି ଜୟନ୍ତୀକୁ ଭୟ କରିବାରେ ଲାଗିଥିଲେ ।’

 

‘ଜୟନ୍ତୀ ଆପଣଙ୍କ ସହିତ କେବେ ଏ ବିଷୟରେ ଆଲୋଚନା କରିଥିଲା ?’

 

‘ନା । ମୁଁ ବରଂ ଅନନ୍ତ ଦାସଙ୍କ ନିକଟରୁ ତା’ କଥା ଶୁଣି ତାକୁ ଦେଖିବାକୁ ଯାଇଥିଲି ।’

 

‘ଅନନ୍ତ ଦାସ କେମିତି ଜାଣିଲେ ଏଇ ଜୟନ୍ତୀ ମହାପାତ୍ର ହିଁ ହେଉଛି ରୀନା ମହାପାତ୍ରର ଝିଅ ?’

 

ଅମ୍ବରୀଶବାବୁ କହିଲେ, ‘ରୀନା ମହାପାତ୍ରର ଗୋଟିଏ ଚିଠି ସେ କୁଆଡ଼େ ତାକୁ ଦେଖାଇଥିଲା, ଯେଉଁଥିରେ ଜୟନ୍ତୀର ପୂର୍ଣ୍ଣ ବିବରଣୀ ରହିଥିଲା ।’

 

‘କ’ଣ ସେଇ ଚିଠିରେ ଲେଖାଥିଲା, ଆପଣ ଜାଣିଛନ୍ତି ?’

 

‘ନା । ଅନନ୍ତ ଦାସ ସେ ବିଷୟରେ ମଧ୍ୟ ନୀରବ ରହିଥିଲେ । କେବଳ ସରଳ ଭାବରେ ଜଣାଇଥିଲେ, ଜୟନ୍ତୀର ଭବିଷ୍ୟତ ପାଇଁ ବ୍ୟବସ୍ଥା କରିବାକୁ ସେଥିରେ କୁଆଡ଼େ ଲେଖାଯାଇଥିଲା-।’

 

ଶତ୍ରୁଜିତ ମୁହୂର୍ତ୍ତକ ପାଇଁ ଚିନ୍ତାମଗ୍ନ ହୋଇପଡ଼ିଲେ । ତା’ପରେ କହିଲେ, ‘ତା’ହେଲେ ସେମାନଙ୍କ ଅତୀତ ବିଷୟରେ ଆପଣ ଆଉ ବିଶେଷ କିଛି ଜାଣିନାହାନ୍ତି ?’

 

‘ନା ।’

 

‘ଆପଣ କିନ୍ତୁ ପ୍ରଥମରୁ ମୋତେ କହିଥିଲେ, ଆପଣ ଯେଉଁ ବିଷୟ ମୋତେ କହିବାକୁ ଯାଉଛନ୍ତି, ସେ ବିଷୟ ମୁଁ ଯେମିତି ସର୍ବଦା ଗୋପନୀୟ ରଖେ’

 

‘କିନ୍ତୁ ସେ ବିଷୟ ସହିତ ଏ ଘଟଣାର କୌଣସି ସମ୍ପର୍କ ନାହିଁ ।’

 

‘ମାନେ ?’

 

‘ପ୍ରଥମରୁ ଅନନ୍ତ ଦାସ ଜୟନ୍ତୀ ମହାପାତ୍ରକୁ ତାଙ୍କର ଅର୍ଦ୍ଧାଧିକ ସମ୍ପତ୍ତି ଦେବାକୁ କୁଣ୍ଠା ବୋଧ କରୁ ନ ଥିଲେ । କିନ୍ତୁ ତାଙ୍କ ମୃତ୍ୟୁର ପ୍ରାୟ ସାତ ଆଠଦିନ ପୂର୍ବରୁ ମୋତେ ଆସି ସେଇ ପ୍ରସ୍ତାବ ଅନୁସାରେ ଉଇଲ୍‌ ପ୍ରସ୍ତୁତ ନ କରିବାକୁ ବାରଣ କରିଥିଲେ ।’

 

‘ତା’ର କାରଣ ସଂପର୍କରେ ଆପଣଙ୍କୁ କିଛି କହିଥିଲେ ?’

 

‘ଅବଶ୍ୟ ସେଇ କାରଣଟି ତାଙ୍କ ନିକଟରୁ ବହୁ କଷ୍ଟରେ ମୁଁ ଜାଣିପାରିଥିଲି ।’

 

‘ମାନେ ?’

 

‘ଏହା ପୂର୍ବରୁ ମୁଁ ଆପଣଙ୍କୁ ରୀନା ମହାପାତ୍ରର ସମସ୍ତ ତଥ୍ୟ କହିସାରିଛି । କିନ୍ତୁ ଅନନ୍ତ ଦାସ ପ୍ରମୋଦ ଆଉ ଜୟନ୍ତୀର ବିଭାଘର ଠିକ୍‌ ଏହି କାରଣରୁ ଚାହୁଁ ନଥିଲେ । କାରଣ ସେ ସନ୍ଦେହ କରୁଥିଲେ, ଜୟନ୍ତୀ ଆଉ ପ୍ରମୋଦ ଯଦି ଦୁଇଟି ମାଆ ପାଖରୁ ଭାଇ ଭଉଣୀ ହୋଇଥାଆନ୍ତି, ତା’ହେଲେ ଘଟଣାଟି ଅସୁନ୍ଦର ହେବ । ଆଉ ଜାଣୁ ଜାଣୁ ଏହା ସେ କେବେହେଲେ କରାଇଦେବେ ନାହିଁ ।’

 

ଏଇ ଉତ୍ତରରେ ଶତ୍ରୁଜିତିଙ୍କର ନିଦ୍ରା ଯେମିତି ଅପସରି ଗଲା । ଏପରି ଏକ ଅପ୍ରିୟ ସତ୍ୟ ସେ ସହଜ ଭାବରେ ଆବିଷ୍କାର କରିପାରି ନ ଥିବାରୁ ମନେ ମନେ ହୁଏତ ଅସୁସ୍ଥତା ଅନୁଭବ କରୁଥିଲେ । କିନ୍ତୁ ତା’ ସଙ୍ଗେ ସଙ୍ଗେ ଅନନ୍ତ ଦାସ ଯେ କାହିଁକି ଏ ବିବାହକୁ ଅନମୋଦନ କରୁ ନଥିଲେ ସେ ବିଷୟରେ ଏକ ମୋଟା ମୋଟି ଧାରଣା ଆସିଗଲା ।

 

ତାଙ୍କ ମୁଖମଣ୍ଡଳ ଉପରୁ ଦୃଷ୍ଟି ଫେରାଇ ଅମ୍ବରୀଶବାବୁ କହିଲେ, ‘ଜୟନ୍ତୀ ଆଉ ପ୍ରମୋଦ ଯେ ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ, ଏହା ସେ ଅନ୍ତର ସହିତ ଉପଲବ୍‌ଧି କରିପାରୁଥିଲେ । ଯେକୌଣସି ଝଡ଼ଝଞ୍ଜା ତାଙ୍କୁ ସେଥିରୁ ଯେ ବିଚ୍ୟୁତ କରାଇ ପାରିବ ଏହା ସେ ଭାବି ପାରୁ ନଥିଲେ । ତେଣୁ ସେମାନଙ୍କୁ କିପରି ଏଥିରୁ ନିବୃତ୍ତ କରାଇପାରିବେ–ଏଇ ସମସ୍ୟାର ସମାଧାନ ମୋ ପାଖରୁ ଆଶା କରୁଥିଲେ ।’

 

‘ସେ ତ ପ୍ରମୋଦ ଆଉ ଜୟନ୍ତୀକୁ ତାଙ୍କର ଜନ୍ମ ରହସ୍ୟ ବିଷୟରେ ସୂଚନା ଦେଇପାରିଥାଆନ୍ତେ ?’

 

‘ମୁଁ ଅବଶ୍ୟ ଠିକ୍‌ ଏଇ ଉପଦେଶ ତାଙ୍କୁ ଦେଇଥିଲି । ସେ କିନ୍ତୁ ଏହା କରିବାକୁ କୁଣ୍ଠିତ ହୋଇଥିଲେ । କାରଣ ଜୟନ୍ତୀର ଜନ୍ମ ରହସ୍ୟ ଉନ୍ମୋଚନ କଲେ ଅତୀତର ଏକ କଳଙ୍କମୟ ଅଧ୍ୟାୟ ଏ ବୃଦ୍ଧ ବୟସରେ ତାଙ୍କୁ ଅସ୍ଥିର କରିବ । ଆଉ ତାହା ମଧ୍ୟ ଦୁଇ ପରିବାର ଭିତରେ ଅଶାନ୍ତିର ଏକ ପ୍ରଧାନ କାରଣ ହୋଇଉଠିବ । ତାଙ୍କର ଏଇ ଉକ୍ତି ମୋତେ ସନ୍ତୋଷ ଦେଇ ପାରି ନ ଥିଲା । ମୁଁ କିନ୍ତୁ ଭାବିଥିଲି ଏହା ଭିତରେ ହୁଏତ ଆଉ କୌଣସି କାରଣ ଅଛି ଯାହା ସେ ପ୍ରକାଶ କରିବାକୁ ଅନିଚ୍ଛୁକ ।

‘ମୁଁ ମଧ୍ୟ ଆଉ ବିଶେଷ କିଛି ଜାଣିବାପାଇଁ ଉତ୍ସାହ ଦେଖାଇଲି ନାହିଁ । ସେ ମୋତେ କହିଲେ, ସେ କୁଆଡ଼େ ପନ୍ଦର ହଜାର ଟଙ୍କା ନେଇ ଏ ସ୍ଥାନ ଛାଡ଼ି ଦୂରକୁ ଚାଲିଯିବାକୁ ପ୍ରସ୍ତୁତ ଅଛି-। ବେଶ୍‌, ଏଇ ହେଲା ଜୟନ୍ତୀ ଆଉ ଅନନ୍ତବାବୁଙ୍କର’

‘ବୁଝଲି । ତେବେ ଏଇ ସମ୍ବନ୍ଧ ନେଇ ତାଙ୍କର ଝିଅ କିମ୍ବା ଜୋଇଁ ଆପଣଙ୍କ ପାଖକୁ କେବେ ଆସିଥିଲେ ?’ ଶତ୍ରୁଜିତ କଥା ଛଡ଼ାଇ ନେଇ କହିଲେ ।

‘ନା, ତାଙ୍କର ଝିଅ କିମ୍ବା ଜୋଇଁ ଆସିନାହାନ୍ତି ।’ ତା’ପରେ ହଠାତ୍‌ କ’ଣ ଭାବି କହିଲେ, ‘ହଁ ହଁ ଏବେ ମୋର ମନେପଡ଼ୁଛି, ତାଙ୍କର ଝିଆରୀ ସ୍ନେହ ଅନେକ ଦିନ ତଳେ ଥରେ ମୋ ପାଖକୁ ଆସିଥିଲା ।’

ଶତ୍ରୁଜିତଙ୍କ ଚକ୍ଷୁ ପୁନର୍ବାର ଉଜ୍ଜ୍ୱଳ ହୋଇଉଠିଲା । ସେ ଉତ୍ସାହିତ ହୋଇ କହିଲେ, ‘ଏଇ ପ୍ରପଟି ସେଟଲମେଣ୍ଟ ବିଷୟରେ ନିଶ୍ଚୟ ।’

‘ନା, ଠିକ୍‌ ତାହା ନୁହେଁ । ତଥାପି ସେଇଭଳି । ସେ ମୋତେ କହୁଥିଲା, ମାଳିନୀ ଅର୍ଥାତ୍‌ ଅନନ୍ତବାବୁଙ୍କ ନିଜ ଝିଅ ପାଖରୁ ସେ ଆସିଛି । ସେ କୁଆଡ଼େ ସମ୍ମତ ହେଇଛି, ଭବିଷ୍ୟତରେ ଯଦି କେବେ ଅନନ୍ତ ଦାସ ତାଙ୍କର ଅପର ଅର୍ଦ୍ଧେକ ସମ୍ପତ୍ତି ସେମାନଙ୍କୁ ଦତ୍ତପତ୍ର କରିଦିଅନ୍ତି ତା’ହେଲେ ସେଇ ନିର୍ଦ୍ଦିଷ୍ଟ ଚାରି ଏକର ଜମି ସ୍ନେହ ପାଇବ ।’

‘ଅର୍ଥାତ୍‌ ଯୋଉ ଚାରି ଏକର ଜମି ଭିତରେ ସୁନା ଥିବାର ସନ୍ଧାନ ମିଳିଛି ?’ ଶତ୍ରୁଜିତ ପୁଣି ଯେମିତି ଏକ ବିସ୍ମୟର ପାହାଚ ଅତିକ୍ରମ କରୁଥିଲେ ।

‘ଆପଣଙ୍କର ଅନୁମାନ ସତ୍ୟ । ଏତକ କହି ସେ ମୋତେ ଅନୁରୋଧ କରିଥିଲା, ଅନନ୍ତ ଦାସ ପୁଣି ଯେତେବେଳେ ସେଇ ସମ୍ପତ୍ତି ବଣ୍ଟନ କରିବାପାଇଁ ପରାମର୍ଶ କରିବେ, ସେତେବେଳେ ତାକୁ ଏଇ ସମ୍ବାଦ ଜଣାଇଦେବାକୁ ।’

‘ବେଶ୍‌, ଏତିକି ?’

‘ହଁ, ସେ କିନ୍ତୁ ମୋତେ କହିଥିଲା, ଏଇ ସମ୍ବାଦ କେବଳ ସେ ଯେମିତି ଏକାକୀ ପାଏ ।’

‘ମାନେ ?’

‘ତା’ର ସ୍ୱାମୀ ଯେମିତି ଜାଣି ନ ପାରନ୍ତି ଯେ ସ୍ନେହ ମୋ ନିକଟକୁ ଆସି ଏଭଳି ପରାମର୍ଶ କରୁଥିଲା । ଅଥବା ମୁଁ ଯେ ତାକୁ ଅନନ୍ତ ଦାସଙ୍କର ସମ୍ପତ୍ତି ବଣ୍ଟନ ସମୟରେ ସମ୍ବାଦ ଦେଇ ତାଙ୍କୁ ପ୍ରଭାବିତ କରିବାକୁ ଡାକି ଆଣିଛି ଏହା ମଧ୍ୟ ଯେମିତି ସେ ଜାଣିବାକୁ ନ ପାଆନ୍ତି ।’

‘ମୁଁ ଆପଣଙ୍କ କଥା ପରିଷ୍କାର ଭାବରେ ବୁଝିପାରିଲି ନାହିଁ ।’

‘ମୋର ଯେତେ ଦୂର ଧାରଣା, ତା’ର ସ୍ୱାମୀ ଯଥେଷ୍ଟ ସମ୍ଭ୍ରାନ୍ତ ଆଉ ଭଦ୍ର । ଅର୍ଥର ଅଭାବ ମଧ୍ୟ ନାହିଁ । ସେ ମଧ୍ୟ ଚାହାନ୍ତି ନାହିଁ ଯେ ସେଇ କେତେକ ଜମି ପାଇଁ ତାଙ୍କର ସ୍ତ୍ରୀ ଭିକ୍ଷୁକ ସାଜୁ ।’

‘ଅର୍ଥାତ ?’

 

‘ମୋଟ ଉପରେ ସେ ସ୍ତ୍ରୀ ପାଖରେ କିଣିହେବାକୁ ଚାହାନ୍ତି ନାହିଁ । ମାନେ, ତା’ର ବାପଘରର ସମ୍ପତ୍ତି ନେଇ ସେ ଯେ ତାଙ୍କୁ ଧନାତ୍ୟ କରିଛି ଏହା ଯେମିତି ସେ ଶୁଣିବାକୁ ନ ପାଆନ୍ତି-।’

 

‘ବୁଝିଲି ।’

 

‘ସେଇଥିପାଇଁ ସ୍ନେହର ଏଭଳି ପଦକ୍ଷେପରେ ସେ ଯେ ନିଶ୍ଚିତ ଭାବରେ ବିରକ୍ତ ହେବେ ଏଥିରେ ସନ୍ଦେହ ନ ଥିଲା । ମୋର ମନେହୁଏ, ତାଙ୍କୁ ଏଇଥିପାଇଁ ସ୍ନେହ ଅତିରିକ୍ତ ଭୟ କରୁଥିଲା । ଆଉ ତାଙ୍କ କାନରେ ଏକଥା ଯେମିତି ନ ପହଞ୍ଚେ ସେଥିପାଇଁ ଅନୁରୋଧ କରିଥିଲା ।’

 

‘ଜୟନ୍ତୀ ଏ ବିଷୟରେ ଆଜି ଆପଣଙ୍କୁ ଆଉ କିଛି କହି ନ ଥିଲା ?’

 

‘ନା ।’

 

‘ସେ କାହା ସାଥିରେ ଏଠାକୁ ଆସିଥିଲା ତା ମଧ୍ୟ ଆପଣ ଜାଣନ୍ତି ନାହିଁ ?’

 

‘ନା ।’

 

‘କିନ୍ତୁ ସେ ଗଲା କୋଉଠିକି ?’

 

‘ସେ କଥା ବି ମୁଁ ଜାଣେ ନାହିଁ । ମୋର ଯେତେ ଦୂର ବିଶ୍ୱାସ, ସେ ନିଶ୍ଚୟ ପ୍ରମୋଦ ସହିତ ସାକ୍ଷାତ କରିବାପାଇଁ ଯାଇଥାଇପାରେ, ଅଥବା ବନମାଳୀ ସହିତ ।’

 

ଶତ୍ରୁଜିତ ଛିଡ଼ା ହେଲେ । ତନ୍ମୟ ମଧ୍ୟ ତାଙ୍କର ନୋଟ ସମାପ୍ତ କରି ଉଠୁଥିଲେ । ଅମ୍ବରୀଶବାବୁ କିନ୍ତୁ ସେଇଭଳି ଭାବରେ ବସି ରହି କହିଲେ, ‘ସ୍ନେହ ଆପଣଙ୍କୁ ଜୟନ୍ତୀ ବିରୁଦ୍ଧରେ କିଛି କହି ନ ଥିଲା ?’

 

‘ଅନେକ କିଛି । କିନ୍ତୁ ଅନନ୍ତ ଦାସଙ୍କର ମୃତ୍ୟୁକୁ ସେ ହତ୍ୟାକାଣ୍ଡ ବୋଲି ସ୍ୱୀକାର କରି ନ ଥିଲା । ଜୟନ୍ତୀ ଯେ ନିଜ ମୁଖରେ ତାଙ୍କୁ ହତ୍ୟା କରିଛି ବୋଲି କହିଥିଲା, ତାହା ଉଦ୍ଦେଶ୍ୟ ମୂଳକ ବୋଲି ସ୍ନେହ ମୋତେ ଗ୍ରହଣ କରିବାକୁ ଅନୁରୋଧ କରିଥିଲା ।’

 

କାନ୍ଥ ଘଣ୍ଟା ରାତ୍ର ଦୁଇଟାର ସୂଚନା ଦେବା ମାତ୍ରେ ଅମ୍ବରୀଶବାବୁ ଚିନ୍ତାନ୍ୱିତଭାବରେ କହିଲେ, ଜୟନ୍ତୀ ଯେ ନିର୍ଦ୍ଦୋଷ, ଏଥର ମୋର ହୃଦ୍‌ବୋଧ ହେଲା, ମି: ଶତ୍ରୁଜିତ ! ଆପଣ ବିଚାରୀକୁ ସାହାଯ୍ୟ କରନ୍ତୁ । ଜୀବନରେ ଅର୍ଥଲୋଭରେ ମୁଁ ତ କାହାରି ଗୋଟାଏ ଉପକାର କରିପାରିଲି ନାହିଁ । ଜୟନ୍ତୀ ପାଇଁ ଆପଣ ଯେତେବେଳେ ଯେତେ ପରିମାଣରେ ଅର୍ଥ ଚାହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି । ମୋର ବିଶ୍ୱାସ, ଆପଣହିଁ ସ୍ନେହ ନିକଟରୁ ଅନନ୍ତ ଦାସଙ୍କ ମୃତ୍ୟୁ ରହସ୍ୟ ବିଷୟରେ ନିଶ୍ଚୟ କିଛି ସୂତ୍ର ପାଇବେ ।’

 

ଶୁଭରାତ୍ରି ଜଣାଇ ବାହାରକୁ ଆସୁ ଆସୁ ଶତ୍ରୁଜିତ କହିଲେ, ‘ଆମେମାନେ ପୁଣି ଆପଣଙ୍କ ସାହାଯ୍ୟ ଲୋଡ଼ିବାକୁ କାଲି ଆସିବୁଁ ଅମ୍ବରୀଶବାବୁ, ଜୟନ୍ତୀକୁ ପୋଲିସ ଗିରଫ କରିବା ପୂର୍ବରୁ ମୁଁ ତାକୁ ସାକ୍ଷାତ୍‌ କରିବାକୁ ଚାହେଁ ।’

 

ଚିନ୍ତାନ୍ୱିତ ଭାବରେ ଅମ୍ବରୀଶବାବୁଙ୍କ ଗେଟ୍‌ଅତିକ୍ରମ କରୁକରୁ ତନ୍ମୟ କହିଲେ, ‘ଆଜି ଏଇ ରାତି ଭିତରେ ମିସେସ୍‌ ପାତ୍ରଙ୍କୁ ସାକ୍ଷାତ କରିବାଟା କ’ଣ ଅନୁଚିତ ହେବ, ଆଜ୍ଞା ?’

 

‘ନା । କିନ୍ତୁ ତା’ ପୂର୍ବରୁ ଆମକୁ ଜୟନ୍ତୀକୁ ସାକ୍ଷାତ କରିବାକୁ ପଡ଼ିବ ।’ ଏତକ କହିବା ସଙ୍ଗେ ସଙ୍ଗେ ଶତ୍ରୁଜିତଙ୍କର ବାଇକ୍‌ଟି ଷ୍ଟାର୍ଟ ହୋଇଗଲା । ତନ୍ମୟଙ୍କୁ ବସିବାକୁ କହି ଶତ୍ରୁଜିତ କହିଲେ, ‘ପ୍ରମୋଦ ଦାସଙ୍କର ପ୍ରାସାଦ ତମେ ଦେଖିଚ । ବରଂ ସେଇଠାକୁ ଏଇ ମୁହୂର୍ତ୍ତରେ ଯିବା ଆମ ପକ୍ଷରେ ଉଚିତ ହେବ ।’

 

ତନ୍ମୟ କେବଳ ନୀରବରେ ବସିରହି ଦ୍ରୁତ ବେଗରେ ପଛକୁ ହଟିଯାଉଥିବା ବିପଣୀଗୁଡ଼ିକୁ ଲକ୍ଷ୍ୟ କରୁଥିଲେ । ବାଇକ୍‌ଟି କ୍ଷିପ୍ର ବେଗରେ ନିସ୍ତବ୍‌ଧ ମହାନଗରୀ ବକ୍ଷରେ ଆଗେଇ ଚାଲିଥିଲା । ପ୍ରମୋଦ ଦାସଙ୍କ ଘର ଆହୁରି ଅନେକ ଦୂର ଥିଲା । ବାଇକ୍‌ର ଗତି ଅପେକ୍ଷାକୃତ ଅଳ୍ପ ହେଇଆସିବାରୁ ତନ୍ମୟ ସନ୍ଦିଗ୍‌ଧ ଭାବରେ ଯେତେବେଳେ ସମ୍ମୁଖକୁ ଅନାଇଲେ, ସେତେବେଳେ ସମ୍ମୁଖରୁ ଉଲ କା ବେଗରେ ଛୁଟିଆସୁଥିବା ଏକ ଜିପ୍‌କୁ ଦେଖି ସେ ବିସ୍ମିତ ହେଲେ ।

 

ସେଇ ଜିପ୍‌ଟି ଥିଲା ପୋଲିସର । ଶତ୍ରୁଜିତଙ୍କ ବାଇକ୍‌ ବନ୍ଦ ହେବା ପୂର୍ବରୁ ଏକ ବିକଟ ଶବ୍ଦ କରି ଜିପ୍‌ଟି ଛିଡ଼ା ହୋଇଗଲା । ଆଉ ସେଥିରୁ ସ୍ୱୟଂ ଏସ୍‌.ପି ସାହେବ ଆଉ ତାଙ୍କ ପଛେ ପଛେ ସୁବ୍ରତ ଓହ୍ଲାଇପଡ଼ିଲେ ।

 

‘ମି: ଶତ୍ରୁଜିତ !’ ଚିତ୍କାର କରିଉଠିଲେ ଏସ୍‌. ପି. । ତାଙ୍କ ଚକ୍ଷୁରେ ଯେମିତି ଅଗ୍ନି ଝଲକର ପ୍ରାରମ୍ଭିକ ସୂଚନା ଫୁଟି ଉଠୁଥିଲା ।

 

ତାଙ୍କର ଏଇ ଚିତ୍କାର ଶତ୍ରୁଜିତଙ୍କ ଉପରେ କୌଣସି ପ୍ରଭାବ ପକାଉ ନ ଥିଲା । ଜିପ୍‌ଭିତରେ ବସିଥିବା ଆଉ ୨।୩ ଜଣ ପୋଲିସ କର୍ମଚାରୀଙ୍କ ଉପରୁ ଦୃଷ୍ଟି ଫେରାଇ ସେ କହିଲେ, ‘ମୋତେ କିଛି କହିବାକୁ ଚାହୁଁଛନ୍ତି ?’

 

ଶତ୍ରୁଜିତଙ୍କର ଏଇ ଉତ୍ତରରେ ତାଙ୍କର କ୍ରୋଧ ଯେମିତି ଆହୁରି ବଢ଼ିଗଲା । ସେ ଉତ୍ତେଜିତ ହୋଇ କହିଲେ, ‘ଜୟନ୍ତୀ ମହାପାତ୍ରକୁ ରକ୍ଷା କରିବା ଉଦ୍ଦେଶ୍ୟରେ, ତାଦ୍ୱାରା ଯେମିତି ହତ୍ୟା ପରେ ହତ୍ୟା ସଂଗଠିତ କରି ଚାଲିଛନ୍ତି ମୁଁ ବାଧ୍ୟ ହୋଇ ଆପଣଙ୍କୁ ।’

 

‘ମୁଁ କିନ୍ତୁ ଆପଣଙ୍କ କଥା ବୁଝପାରିଲି ନାହିଁ, ଆଜ୍ଞା !’ ଶତ୍ରୁଜିତ ଜିଜ୍ଞାସାପୂର୍ଣ୍ଣ ଦୃଷ୍ଟିରେ ତାଙ୍କୁ ଚାହିଁ କହିଲେ ।

 

‘ଜୟନ୍ତୀ ମହାପାତ୍ର ବିପକ୍ଷରେ ପୋଲିସ ସଂଗ୍ରହ କରିଥିବା ଏକମାତ୍ର ସାକ୍ଷୀ ସ୍ନେହଲତା ପାତ୍ର ମର୍ଡ଼ର ହେଇଛି ।’

 

‘ଏସ୍‌.ପି. ସାହେବ !’ ଶତ୍ରୁଜିତ ଅସମ୍ଭବ ଭାବରେ ଚମକି ଉଠିଲେ ।

 

‘ଏଇ ମାତ୍ର ଘଣ୍ଟାଏ ପୂର୍ବରୁ । ମୋର ଯେତେ ଦୂର ବିଶ୍ୱାସ, ଆପଣ ମି: ପାତ୍ରଙ୍କ ଘରୁ. ।’

 

ଶତ୍ରୁଜିଙ୍କ ଚକ୍ଷୁରେ ପୁଞ୍ଜିଭୂତ ବିସ୍ମୟ ଯେମିତି ଜମାଟ ବାନ୍ଧିଆସୁଥିଲା । ଏସ୍‌. ପି. ସାହେବଙ୍କ କଥା ସେ ଅବିଶ୍ୱାସ କରି ପାରୁ ନ ଥିଲେ ।

 

‘ତଥାପି ବି ମୁଁ ଆପଣଙ୍କୁ ସହାନୁଭୂତି ଜଣାଉଛି, ମି: ଶତ୍ରୁଜିତ ! କୁହନ୍ତୁ, ଆପଣ ଜୟନ୍ତୀ ମହାପାତ୍ରକୁ କୋଉଠି ଲୁଚାଇ ରଖିଛନ୍ତି ? ମୁଁ ଚାହେଁନା ତା’ପରି ଜଣେ ବ୍ଲାକମେଲର ଗାର୍ଲ ଆପଣଙ୍କ ସହାୟତାରେ ପୋଲିସ ଆଖିରେ ଧୂତି ଦେଇ ଗୋଟାଏ ପରେ ଗୋଟିଏ ହତ୍ୟାକାଣ୍ଡ ସୃଷ୍ଟି କରି ଚାଲୁ । ତଥାପି ଯଦି ଆପଣ ଆପଣଙ୍କ ନିଷ୍କତ୍ତିରେ ଅଟଳ ରହନ୍ତି ଗୋଟାଏ ହତ୍ୟାକାରୀଣୀର ସହାୟକ ଭାବେ ମୁଁ ଆପଣଙ୍କୁ ଏଇ ମୁହୂର୍ତ୍ତରେ ଆରେଷ୍ଟ କରିବି ।’

 

ଗଭୀର ଭାବରେ ମ୍ରିୟମାଣ ହେଇପଡ଼ିଥିଲେ ଶତ୍ରୁଜିତ । ଏସ୍‌.ପି.ଙ୍କର ଧମକ ତାଙ୍କୁ ଯେତେ ଭୀତତ୍ରସ୍ତ କରି ନ ଥିଲା, ଅପ୍ରତ୍ୟାଶିତଭାବେ ସ୍ନେହଲତାର ହତ୍ୟା ତାଙ୍କୁ ସେତିକି ପରିମାଣରେ ବ୍ୟସ୍ତ ଚକିତ କରିଥିଲା ।

 

‘ମି: ଶତ୍ରୁଜିତ ! ମୋର ବିଶ୍ୱାସ, ମୋ କଥାର ଗୁରୁତ୍ୱ ଆପଣ ନିଶ୍ଚୟ ଉପଲବ୍‌ଧି କରିପାରୁଥିବେ । ତେଣୁ ଆଉ ଅଯଥା ବିଳମ୍ବ ନ କରି ଆମ ଜିପ୍‌ରେ ଉଠିଆସନ୍ତୁ । ଜୟନ୍ତୀ ମହାପାତ୍ରକୁ ସମର୍ପଣ କରିସାରିବା ପରେ ଆପଣ ନିଶ୍ଚିନ୍ତ ।’

 

‘ସ୍ନେହଲତାର ମୃତ୍ୟୁ ସମ୍ବାଦ ଆପଣ ପାଇଲେ କେତେବେଳେ ?’

 

‘ସେ କୈଫିୟତ ମୁଁ ଆପଣଙ୍କୁ ଦେବାକୁ ବାଧ୍ୟ ନୁହେଁ । ଆପଣ ଗାଡ଼ି ଉପରକୁ ଉଠୁଛନ୍ତି କି ନାହିଁ ?’

 

ଏସ୍‌. ପି. ଙ୍କର ଏଭଳି ବ୍ୟବହାରରେ ଶତ୍ରୁଜିତ କିନ୍ତୁ ଉତ୍ତେଜିତ ନ ହୋଇ କହିଲେ, ‘ତଥାପି ବି ଆପଣ ଭ୍ରମ ଭିତରେ ରହିଛନ୍ତି, ଆଜ୍ଞା ! ଜୟନ୍ତୀ ମହାପାତ୍ରକୁ ମୁଁ ଗୋପନ କରି ରଖିନାହିଁ ।’

 

‘ମିଷ୍ଟର ଶତ୍ରୁଜିତ !’

 

‘ଆତ୍ମରକ୍ଷା କରିବା ଭଳି ସତ୍‌ସାହସ ମୋର ଅଛି । ଆଉ ଶେଷ ସୁଦ୍ଧା ଜୟନ୍ତୀ ମହାପାତ୍ରକୁ ମୁଁ ଯେ ରକ୍ଷା କରିପାରିବି, ଏ ବିଷୟରେ ଆପଣ ନିଶ୍ଚିତ ରହିପାରନ୍ତି ।’ ଏତକ ଶେଷ କରି ଶତ୍ରୁଜିତ ବାଇକ୍‌ରେ ଷ୍ଟାର୍ଟ ଦେବାକୁ ଲାଗିଲେ ।

 

‘ମିଷ୍ଟର ଶତ୍ରୁଜିତ !’

 

‘ମୁଁ ଆପଣଙ୍କ ସହିତ ମିସେସ୍‌ ପାତ୍ରଙ୍କ ହତ୍ୟାର ଅନୁସନ୍ଧାନ କରିଯିବାକୁ ପ୍ରସ୍ତୁତ ଅଛ ।’ ଶତ୍ରୁଜିତ ଇମିତି ଭାବରେ କଥାଟି ଆରମ୍ଭ କଲେ ଯାହା ଫଳରେ ଏସ୍‌. ପି. ସାହେବ ହଠାତ୍‌ କିଛି କହି ନ ପାରି ନୀରବ ହେଇଗଲେ ।

 

ଶତ୍ରୁଜିତ କିନ୍ତୁ ଅପେକ୍ଷା ନ କରି ବାଇକ୍‌ଟି ଷ୍ଟାଟ କରିସାରିଥିଲେ । ଏସ୍‌.ପି, ସାହେବଙ୍କ ନିର୍ଦ୍ଦେଶରେ ଜିପ୍‌ଟି ମଧ୍ୟ ଆଗେଇ ଚାଲିଲା ।

 

ଦୀର୍ଘ ପଥ ଅତିକ୍ରମ କରିବା ରପେ ସେମାନେ ଯାଇ ଏକ ଦ୍ୱିତଳ ପ୍ରାସାଦ ସମ୍ମୁଖରେ ଉପସ୍ଥିତ ହେଲେ । ପ୍ରାସାଦଟିର ପାରିପାର୍ଶ୍ୱିକ ପରିସ୍ଥିତ ବେଶ୍ ନିର୍ଜ୍ଜନ ଥିଲା । ସହରଠାରୁ କିଞ୍ଚିତ୍‌ ଦୂର ଦୀର୍ଘ ବାଉଣ୍ଡରୀ ଭିତରେ ଅବସ୍ଥିତ ଏଇ ପ୍ରାସାଦଟି ଯେ ଖବ୍‌ ଅଳ୍ପଦିନ ତଳେ ସମ୍ପର୍ଣ୍ଣ ହୋଇଛି ତାହା ଜଣାପଡ଼ି ଥିଲା ।

 

ଉନ୍ମୁକ୍ତ ଗେଟ୍‌ ନିକଟରେ ବାଇକ୍‌ଟି ବନ୍ଦ କରି ବିସ୍ମିତ ହେଲେ ଶତ୍ରୁଜିତ । କାରଣ ଦୀର୍ଘପଥରୁ ପୋଲିସ ନିକଟରେ ଏ ସମ୍ବାଦ ପହଞ୍ଚିଯାଇଥିଲେ ବି ଦୁର୍ଘଟଣା ସ୍ଥାନରେ ଜଣେ ହେଲେ ଲୋକ ଦେଖାଯାଉ ନ ଥିଲେ । ଏସ୍‌. ପି. ସାହେବଙ୍କ ଜିପ୍‌ଟି ସିଧା ଯାଇ ପ୍ରାସାଦ ସମ୍ମୁଖସ୍ଥ ପୋର୍ଟିକୋ ଭିତରେ ଛିଡ଼ା ହୋଇଯାଇଥିଲା । ଶତ୍ରୁଜିତଙ୍କୁ ଅପେକ୍ଷା ନ କରି ସେ ଭିତରେ ପ୍ରବେଶ କରିସାରିଥିଲେ ।

 

ବାଇକ୍‌ଟିକୁ ଷ୍ଟାଣ୍ଡ କରୁ କରୁ ନିମ୍ନ କଣ୍ଠରେ ତନ୍ମୟ କହିଲେ, ମିସେସ୍‌ପାତ୍ରଙ୍କ ମୃତ୍ୟୁ ଆମ ନିକଟରେ ଖୁବ୍‌ ଦୁଃଖଦାୟକ, ଶତ୍ରୁଜିତ ବାବୁ ! ମୋର ମନେ ହୁଏ ଜୟନ୍ତୀ ଏପରି ରହସ୍ୟମୟ ଭାବରେ ଅନ୍ତର୍ଦ୍ଧାନ ହେଇଯିବା ସହିତ ଏ ଘଟଣାର ନିବିଡ଼ ସମ୍ପର୍କ ରହିଛି ।’

 

ଶତ୍ରୁଜିତ ନୀରବରେ ତାଙ୍କୁ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେଇ ଅନୁସରଣ କରିବାକୁ ଇଙ୍ଗିତ ଦେଲେ । ବିନା ପ୍ରତିବାଦରେ ସେ ମଧ୍ୟ ତାଙ୍କୁ ଅନୁସରଣ କଲେ ।

 

ପ୍ରାସାଦ ଭିତରଟି ଆଲୋକିତ ହୋଇଥିଲା । କିନ୍ତୁ ତଳ ମହାଲାରେ ଜଣେ ହେଲେ ବି ଲୋକ ଥିବାର ସୂଚନା ମିଳୁ ନ ଥିଲା । ଚତୁର୍ଦ୍ଦିଗରେ ସତର୍କ ଦୃଷ୍ଟି ଖେଳାଇ ଉପର ମହଲାକୁ ଯିବାପାଇଁ ପାହୁଚର ଆଶ୍ରୟ ନେଲେ ଶତ୍ରୁଜିତ । କିନ୍ତୁ ଯେଉଁ ମୁହୂର୍ତ୍ତରେ ପାହୁଚର ସୀମା ଡେଇଁ ସେ ଉପର ମହଲା ବାରଣ୍ଡାରେ ପହଞ୍ଚିଲେ ସେଇ ମୁହୂର୍ତ୍ତରେ ତାଙ୍କର ଚକ୍ଷୁ ଯୋଡ଼ିକ ଅପ୍ରତ୍ୟାଶିତ ଭାବରେ ସ୍ଥିର ହୋଇଗଲା କିଞ୍ଚିତ୍‌ ଦୂରରେ ପଡ଼ିଥିବା ମିସେସ୍ ପାତ୍ରଙ୍କର ରକ୍ତାକ୍ତ କଳେବର ଉପରେ । ସେ ମୁହଁ ମାଡ଼ି ପଡ଼ିଯାଇଥିଲେ ଆଉ ପୃଷ୍ଟଦେଶରେ ଏକ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ତାଙ୍କଠାରୁ କିଛି ଦୂରରେ ଗୋଟିଏ କୋଠରିର ଦ୍ୱାର । ସମ୍ଭବତଃ ତାଙ୍କର ବେଡ୍‌ରୁମ୍‌-

 

ଏଇ ବୀଭତ୍ସ ଦୃଶ୍ୟ ଦେଖି ଏସ୍‌. ପି. ସାହେବଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀଗଣ ଯେମିତି ନିଜର କର୍ତ୍ତବ୍ୟ ଭୁଲିଯାଇଥିଲେ । ସମସ୍ତଙ୍କର ବିସ୍ମିତ ଦୃଷ୍ଟି ମୃତା ମିସେସ୍‌ ପାତ୍ରଙ୍କ ଉପରେ ସ୍ଥିର ରହିଥିଲା ।

 

ଅଶ୍ରୁପ୍ଲୁତ ନୟନରେ କୋଠରିର ଦ୍ୱାରପାଖକୁ ଯେଉଁ ମଧ୍ୟବୟସ୍କ ଲୋକଟି ବସିଥିଲା ସେ ନିଶ୍ଚୟ ପରିଚାରକଶ୍ରେଣୀୟ । ତା’ର ପରିଚ୍ଛଦରୁ ତା ବିଷୟରେ ଏଇ ମୋଟାମୋଟି ଧାରଣାରେ ଉପନୀତ ହୋଇଥିଲେ ଶତ୍ରୁଜିତ ।

 

ଏସ୍‌. ପି. ସାହେବ ମୃତା ସ୍ନେହଲତାଙ୍କ ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ-। ତା ପରେ ତାଙ୍କର ଦୃଷ୍ଟି ଫେରିଗଲା ସେଇ ପରିଚାରକ ଉପରକୁ । ସେ ଗମ୍ଭୀର କଣ୍ଠରେ କହିଲେ, ‘ତୋର ନାମ ରତନ ?’

 

ରତନ କୌଣସି ଉତ୍ତର ଦେଲା ନାହିଁ । ଅଥବା ତାର ଅବୟବରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ବୋଧହୁଏ ସେ ଏସ୍‌.ପି. ସାହେବଙ୍କର କଥା ଶୁଣିପାରି ନ ଥିଲା ।

 

‘ରତନ !’

 

‘ଆଜ୍ଞା !’ ଚମକିଉଠି ଛିଡ଼ା ହୋଇଗଲା ରତନ । କ୍ଲେଶଭରା କଣ୍ଠରେ କହିଲା, ‘ମୋତେ ଡାକିଲେ, ସାହାବ !’

 

‘ହଁ ତା’ହେଲେ ଏ ହତ୍ୟା ଖବର ତୁଇ ମୋତେ ଟେଲିଫୋନ୍‌ରେ ଜଣାଇଥିଲୁ ?’

 

‘ଆଜ୍ଞା !’

 

‘ଘରେ କ’ଣ ଆଉ କେହି ନାହାନ୍ତି ?’

 

‘ନା, ଆଉ ଦୁଇଜଣ ଚାକର ସକାଳରୁ ତାଙ୍କ ଘରକୁ ଯାଇଛନ୍ତି । ସଞ୍ଜବେଳେ ଫେରିଆସିବାର କଥା; କିନ୍ତୁ ସେମାନେ.......

 

‘ଆଉ ବାବୁ ?’

 

‘ସେ ତ ଚାରି ପାଞ୍ଚଦିନରେ ଥରେ ଲେଖାଏଁ ଆସନ୍ତି ।’

 

‘ଆଉ ତମେ ଚାରିଜଣ କେବଳ ଏଠାରେ ଥାଅ ?’

 

‘ହଁ’

 

‘ଏ ଦୁର୍ଘଟଣା ବେଳେ ତମେ ଏଠାରେ ଥିଲ ?’ ହଠାତ ସୁବ୍ରତ ପଚାରିବସିଲେ ।

 

‘ମୁଁ ଯଦି ଥାଆନ୍ତି, ବାବୁ, ମୋ ଜୀବନ ଦେଇ ମାଆଙ୍କୁ ମାର ଠିକ୍‌ ବଞ୍ଚେଇ ନେଇଥାଆନ୍ତି ।’

 

‘ଏତେ ରାତିରେ କୁଆଡ଼େ ଯାଇଥିଲ ?’

 

‘ମା’ ମୋତେ ସିନେମା ଦେଖିବାକୁ ପଠାଇଥିଲେ ।’

 

‘ରତନ ! ଘରେ ଏକୁଟିଆ ସେ ଥାଉ ଥାଉ ତୋତେ ସିନେମା ଦେଖିବାକୁ ପଠାଇଥିଲେ-?’ ବ୍ୟଙ୍ଗଭରା କଣ୍ଠରେ ଅପ୍ରତ୍ୟାଶିତ ଭାବରେ କହିଉଠିଲେ ସୁବ୍ରତ ।

 

‘ମୁଁ ମିଛ କହୁ ନାହିଁ, ଆଜ୍ଞା ! ମାଆ ଆମମାନଙ୍କୁ ବେଳେ ବେଳେ ଇମିତି ସିନେମା ଦେଖିବାକୁ ପଠାନ୍ତି ।’

 

‘ସେ ଏକୁଟିଆ ଥିଲା ସମୟରେ ବି ?’

 

‘ହଁ, ତାଙ୍କ ପାଖରୁ ପାଞ୍ଚଟଙ୍କା ନେଇ ମୁଁ ସିନେମା ଯାଇଥିଲି । ଆଉ ଆସି ଦେଖିଲାବେଳକୁ’ ରତନ ଆଉ କହିପାରିଲା ନାହିଁ । ତାର କଣ୍ଠ ରୁଦ୍ଧ ହେଇଆସିଲା ।

 

‘ସିନେମା ଦେଖି ତୁ କେତେବେଳେ ଫେରିଲୁ ?’

 

‘ବାରଟା ପରେ ହବ, ଆଜ୍ଞା, କି ଆହୁରି ବେଶୀ ହବ । ମୁଁ ରେକ୍‌ସାରେ ଆସିଥିଲି ।’

 

‘ତା’ ହେଲେ ତୁ ସେକେଣ୍ଡ ସୋ ସିନେମା ଦେଖି ଫେରିଥିଲୁ ?’

 

‘ହଁ ଆଜ୍ଞା, ମାଆ କୁଆଡ଼ୁ ଫେରୁ ଫେରୁ ରାତି ଆଠଟା ହେଇଯାଇଥିଲା । ସେ ଆସିବା ପରେ ମୋତେ ସିନେମା ଯିବାକୁ କହିଥିଲେ ।’

 

‘ସେ କୁଆଡ଼କୁ ଯାଇଥିଲେ, ତୁ ଜାଣୁ ?’

 

‘ନା ଆଜ୍ଞା ! ଦିନ ଏଗାରଟାଠାରୁ ଯାଇ ସେତେବେଳେ ଆସିଲେ ।’

 

‘ଆସିବାବେଳେ ସାଙ୍ଗରେ କିଏ ଆସିଥିଲା ?’

 

‘ମୁଁ ଜାଣେ ନାହିଁ । ସେ କେବଳ ଏକୁଟିଆ ରେକ୍‌ସାରେ ଆସିଥିଲେ ।’

 

ତନ୍ମୟ ଏଇ କଥା ଉପରେ କ’ଣ କହିଆସୁଥିଲେ; କିନ୍ତୁ ଶତ୍ରୁଜିତଙ୍କଠାରୁ ଇଙ୍ଗିତ ପାଇ ନୀରବ ହେଇଗଲେ ।

 

‘ସେ ବାହାରକୁ ଯିବାବେଳେ ବି ଏକୁଟିଆ ଯାଇଥିଲେ ନା ସାଙ୍ଗରେ ଅନ୍ୟ କେହି ଥିଲେ-?’ ପୁଣି ସୁବ୍ରତ ପ୍ରଶ୍ନ କଲେ ।

 

‘ସେତେବେଳେ ସେ ଟେଲିଫୋନ୍‌ରେ କାହା ସହିତ କଥାବାର୍ତ୍ତା ହେଉଥିଲେ । ତା ପରେ ପରେ ସେ ବାହାରକୁ ଚାଲିଗଲେ ।’

 

ଏସ୍‌. ପି. ସାହେବ ଗଭୀର ମନଯୋଗ ସହକାରେ ସେମାନଙ୍କର କଥାବାର୍ତ୍ତା ଶୁଣୁ ଶୁଣୁ କହିଲେ, ‘ତୁ ଫେରିବା ସଙ୍ଗେ ସଙ୍ଗେ ଏ ଘଟଣା ଦେଖି ଥାନାକୁ ଫୋନ୍‌କରିଥିଲୁ ?’

 

‘ଆଜ୍ଞା !’

 

‘ଆଉ ତୋ ବାବୁଙ୍କ ପାଖକୁ ?’

 

‘ତାଙ୍କ ନମ୍ବର ମୁଁ ମାଗିଥିଲି । କିନ୍ତୁ ସେ ଲାଇନ ଖରାପ ଅଛି ବୋଲି ନମ୍ବର ମିଳିଲା ନାହିଁ ।’

 

‘ତା’ହେଲେ ତାଙ୍କ ଅଫିସ୍‌କୁ ଟେଲିଫୋନ୍‌ ଅଛି ?’

 

‘ଅଛି, ଆଜ୍ଞା !’

 

‘ତୁ ଆଗରୁ ଆଉ କେବେ ସେଠାକୁ ଟେଲିଫୋନ୍‌ କରିଥିଲୁ ?’

 

‘ବହୁତ ଥର । ମାଆ ପ୍ରାୟ ଅଧିକ ସମୟ ସେଠାରେ ରୁହନ୍ତି । ଆଉ ଦରକାର ପଡ଼ିଲେ ମୁଁ ସେଠାକୁ ଫୋନ କରେଁ ।’

 

‘ବେଶ୍‌ ଏଥର ସୁବ୍ରତ ତମେ ରତନକୁ ନେଇ ତଳ ମହଲାକୁ ଯାଅ । ଦେଖ ଯଦି କୌଣସି ସୂତ୍ର ମିଳେ । ଏଇ ସମୟ ଭିତରେ ଆମେ ଏଠାକାର କାମ ଶେଷ କରିଦେଉଛୁଁ ।’

 

ବିନା ପ୍ରତିବାଦରେ ରତନକୁ ନେଇ ସୁବ୍ରତ ସେ ସ୍ଥାନ ପରିତ୍ୟାଗ କଲେ । ତାଙ୍କ ଉପରୁ ଦୃଷ୍ଟି ଫେରାଇ ସେପର୍ଯ୍ୟନ୍ତ ନୀରବ ରହିଥିବା ଶତ୍ରୁଜିତଙ୍କୁ ଲକ୍ଷ୍ୟ କରି ଏସ୍. ପି. ସାହେବ କହିଲେ, ‘ଏଇ ତ ଦେଖୁଛନ୍ତି, ମି: ଶତ୍ରୁଜିତ ! ଏଥର କୁହନ୍ତୁ ଜୟନ୍ତୀ କଣ ସ୍ନେହଲତାର ଏଇ ହତ୍ୟାକାଣ୍ଡ ପାଇଁ ଦାୟୀ ନୁହେଁ ?’

 

ତଥାପି ଶତ୍ରୁଜିତ କିଛି କହିଲେ ନାହିଁ । ତାଙ୍କ ଉପରୁ ଦୃଷ୍ଟ ଫେରାଇଆଣି ଅନ୍ୟମାନଙ୍କୁ ବିଭିନ୍ନ ନିର୍ଦ୍ଦେଶକ୍ରମେ ଅନ୍ୟତ୍ର ପଠାଇଦେଇ ଏସ୍‌. ପି. ସାହେବ ପୁଣି ସ୍ଥିରଦୃଷ୍ଟିରେ ଶତ୍ରୁଜିତଙ୍କୁ ଅନାଇ ରହିଲେ ।

 

‘ମି: ଶତ୍ରୁଜିତ !’

 

‘ମୋତେ କିଛି ପଚାରୁଛନ୍ତି ?’ ଭାବଗମ୍ଭୀର ଭାବରେ ଶତ୍ରୁଜିତ କହିଲେ ।

 

‘ହଁ, ଆପଣଙ୍କୁ । ମୋର ଅନୁରୋଧ, ଆପଣ ଏଇ ସ୍ପଟ୍‌ଇନ୍‌କୁଆରୀ କରନ୍ତୁ ।’

 

ଯୁଗ ଯୁଗର ବିସ୍ମୟ ଯେମିତି ଜମାଟ ବାନ୍ଧିଗଲା ଶତ୍ରୁଜିତଙ୍କ ଚକ୍ଷୁ ସମ୍ମୁଖରେ । ପ୍ରଥମରୁ ଯିଏ ତାଙ୍କୁ ପ୍ରତିନ୍ଦ୍ୱନ୍ଦୀମୂଳକ ମନୋବୃତ୍ତି ନେଇ ପ୍ରତ୍ୟେକ କ୍ଷେତ୍ରରେ ବାଧା ସୃଷ୍ଟି କରି ଚାଲୁଥିଲେ, ସେଇ ଏବେ ତାଙ୍କୁ ସ୍ୱାଧୀନ ଭାବରେ ସ୍ପଟ୍‌ଇନ୍‌କୁଆରୀ କରିବାର ସୁଯୋଗ ଦେଉଛନ୍ତି କେମିତି, ତାହା ସେ ଭାବି ପାରୁ ନ ଥିଲେ ।

 

ଏସ୍‌. ପି ସାହେବ ତାଙ୍କ ପାଖକୁ ଆହୁରି ଲାଗିଆସି ତାଙ୍କର କାନ୍ଧରେ ନିଜର ହାତ ରଖି କହିଲେ, ‘ଆପଣଙ୍କୁ ଯୋଉ ବ୍ୟବହାର ମୁଁ ଦେଖାଇଥିଲି ତାହା କେବଳ ଗୋଟିଏ ଉଦ୍ଦେଶ୍ୟ ନେଇ-।’ ତା’ପରେ ଚାରିଆଡ଼ୁ ନିଜର ଦୃଷ୍ଟି ଫେରାଇଆଣି କହିଲେ, ‘ସୁବ୍ରତର ଏ ଘଟଣାରେ ପ୍ରବେଶ ବଡ଼ ରହସ୍ୟଜନକ । ତାକୁ ମୁଁ ମୋ ସନ୍ଦେହରୁ ବାଦ ଦେଇପାରୁନାହିଁ । ତେଣୁ ମୋ ଅଜ୍ଞାତରେ ତାକୁ ଆପଣ ଫଲୋ କରିପାରନ୍ତି । ଇମିତି କେତେଗୁଡ଼ିଏ କାରଣ ରହିଛି, ଯୋଉଥିପାଇଁ ମୁଁ ତାକୁ ପାଖରୁ ଦୂରେଇଦେଇ ପାରୁନାହିଁ ।

 

ଏଥର ଶତ୍ରୁଜିତଙ୍କ ମୁଖମଣ୍ଡଳରେ ହସର ରେଖା ଦେଖା ଦେଲା । ସେ କିନ୍ତୁ କିଛି କହିବା ପୂର୍ବରୁ ଏସ୍‌. ପି. ସାହେବ କହିଲେ, ‘ଆପଣ ଯେ ଏ ଘଟଣା ତଦନ୍ତ କରିବାପାଇଁ ଆଇ: ଜି: ଙ୍କ ପାଖରୁ ପରମିଶନ ଆଣିଛନ୍ତି ତାହା, ମୁଁ ଜାଣେ । ବେଶ୍‌, ଏଠାରେ ଆପଣ ଆପଣଙ୍କ ଦାୟିତ୍ୱ ନିଅନ୍ତୁ । ଏ କ୍ଷେତ୍ରରେ ଯେ କୌଣସି ସାହାଯ୍ୟ ଆପଣ ଆଶା କରନ୍ତି ତାହା ଅଲକ୍ଷ୍ୟରେ ପାଇପାରିବେ ।

 

ଏସ୍‌. ପି. ସାହେବଙ୍କ କଥାର ଗୁରୁତ୍ୱ ଶତ୍ରୁଜିତ ବେଶ୍ ହୃଦୟଙ୍ଗମ କରିପାରୁଥିଲେ । ତେଣୁ ଯଥାସମ୍ଭବ ନିମ୍ନ ସ୍ୱରରେ କହିଲେ, ‘ମୁଁ ଆପଣଙ୍କର ଉଦ୍ଦେଶ୍ୟ ବୁଝିପାରିଲି ।’

 

‘ବେଶ୍‌, ଆପଣ ଏଠାକାର ଦାୟିତ୍ୱ ନିଅନ୍ତୁ । ମି: ମହାନ୍ତି ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆସିବେ । ମୁଁ ସୁବ୍ରତର ଦାୟତ୍ୱ ନେଉଛି । କିନ୍ତୁ ସବୁଥିରେ ମନେ ରଖିଥିବେ ଏ ଘଟଣାର ଚେର ଖୁବ୍‌ ଗଭୀରରେ । ଆଚ୍ଛା, ମୁଁ ଆସୁଛି ।’ ଏସ୍‌. ପି ସାହେବ ଚାଲିଗଲେ । ତାଙ୍କ ଉପରୁ ଦୃଷ୍ଟି ଫେରାଇଆଣି ଶତ୍ରୁଜିତ ଏପର୍ଯ୍ୟନ୍ତ ଉଭୟଙ୍କର କଥୋପକଥନକୁ ଗଭୀର ରହସ୍ୟର ଦୃଷ୍ଟି ଦେଇ ଶୁଣୁଥିବା ତନ୍ମୟଙ୍କୁ କହିଲେ, ‘ଏହା ବି ଗୋଟିଏ ଚାଲ ହୋଇପାରେ, ତନ୍ମୟ ! ତଥାପି ଏହା ଆମ ପକ୍ଷରେ ସୁବର୍ଣ୍ଣସୁଯୋଗ ।’

 

ମିସେସ୍‌ ପାତ୍ରଙ୍କର ଶବ ଉପରୁ ଦୃଷ୍ଟି ଫେରାଇଆଣି ତନ୍ମୟ କହିଲେ, ‘ଅସମ୍ଭବ ନୁହେଁ । କିନ୍ତୁ ସୁବ୍ରତର ଏ ଘଟଣାରେ କିଛି ସ୍ୱାର୍ଥ ଥିଲା ଭଳି ମୋର ମନେ ହୁଏ ନାହିଁ । ତଥାପି ଆଜିକାର ଉପସ୍ଥିତ ମୋତେ କେମିତି ସନ୍ଦେହଜନକ ମନେହୁଏ ।’

 

ଶତ୍ରୁଜିତ କିନ୍ତୁ ଏଥର ସିଧାସଳଖ ଭାବରେ ମିସେସ୍‌ ପାତ୍ରଙ୍କର ପୃଷ୍ଠଦେଶର କ୍ଷତ ଚିହ୍ନ ଉପରେ ଦୃଷ୍ଟି ନିବଦ୍ଧ କରିଥିଲେ । ସେଆଡ଼େ ତନ୍ମୟଙ୍କର ଦୃଷ୍ଟି ଆକର୍ଷଣ କରି ତାଙ୍କୁ କହିଲେ, ‘ଏଇ ପରିବେଶରେ ଏଭଳି କ୍ଷତରୁ ତମେ କିଛି ଅନୁମାନ କରିପାରୁଛ ?’

 

ତନ୍ମୟଙ୍କର ଦୃଷ୍ଟି ଏଥର ଗମ୍ଭୀର ହୋଇଆସିଲା । ସେ ଚିନ୍ତିତ ଭାବରେ କହିଲେ, ‘ଏ ସବୁ ଭାବିଲେ ମୋ ମନରେ ଖୁବ୍‌ ସନ୍ଦେହ ଆସେ ଏଇ ସୁବ୍ରତ ଉପରକୁ । ରତନ ବାହାରିଯିବା ପରେ ସେ ନିଶ୍ଚୟ ଏଠାକୁ ଆସିଥିଲା । ମିସେସ୍‌ ପାତ୍ରଙ୍କ ସହିତ ସେ ହୁଏତ ଏପରି ନିରୋଳାରେ ଏକ ସାକ୍ଷାତ ପୂର୍ବରୁ ଠିକ୍‌ କରିଥିଲା । ସେଇ ଅବସର ନେଇ ତାଙ୍କୁ ହତ୍ୟା କରି ଚାଲିଯାଇଛି । ଏଇ ସ୍ପଟରୁ ମୋର ଧାରଣା, ବୁଲେଟ୍‌ ସାହାଯ୍ୟରେ ହତ୍ୟା କଲେ ସେ ସହଜରେ ଆବିଷ୍କୃତ ହେଇପାରିବ ବୋଲି କୌଣସି ତୀକ୍ଷ୍‌ଣ ଅସ୍ତ୍ର ସେ ନିଜ ସାଙ୍ଗରେ ନେଇଆସିଛି । ହୁଏତ ସେମାନେ କୌଣସି ବିଷୟରେ ଆଲୋଚନା କରିଛନ୍ତି । ଆଉ ଏକଥାବି ସମ୍ଭବ ଯେ ସେଇ ଆଲୋଚନା ଶେଷ ପରେ ସୁବ୍ରତ ବିଦାୟ ନେଇଯିବାର ଛଳନା କରିଛି । ପରେ ପୁଣି ମିସେସ୍‌ ପାତ୍ରଙ୍କ ଅଜ୍ଞାତରେ ତାଙ୍କୁ ଫଲୋ କରି ସେ ନିଜର ବେଡ୍‌ ରୁମ୍‌ରେ ପ୍ରବେଶ କରିବା ପୂର୍ବରୁ ପୃଷ୍ଟଦେଶରେ ଛୁରୀ ବିଦ୍ଧ କରିଛି ।’

 

ଶତ୍ରୁଜିତ ତନ୍ମୟଙ୍କ କଥାରେ କୌଣସି ମନ୍ତବ୍ୟ ପ୍ରକାଶ ନକରି କହିଲେ, ‘ତମର କଥା ଯଦି ଠିକ୍‌ ହୁଏ, ତା’ହେଲେ ସେମାନେ ନିଶ୍ଚୟ ଏହା ପୂର୍ବରୁ କୋଉଠି ମିଳିତ ହୋଇଥିବେ । ସେମାନଙ୍କର କଥାବାର୍ତ୍ତା ହୁଏତ ଡ୍ରଇଂ ରୁମ୍‌ରେ ସମାପନ ହୋଇପାରିଥାଏ ।’

 

‘ମୁଁ ଦେଖୁଛି ଯଦି କୌଣସି କ୍ଲୁ ମିଳିପାରେ.........’ ତନ୍ମୟ ଏତକ କହି ସେ ସ୍ଥାନ ପରିତ୍ୟାଗ କଲେ ।

 

ତାଙ୍କ ଉପରୁ ଦୃଷ୍ଟି ଫେରାଇ ପୁଣି ଥରେ ଶତ୍ରୁଜିତ ମିସେସ୍‌ ପାତ୍ରଙ୍କର ନିଶ୍ଚଳ ଶରୀର ଉପରେ ଦୃଷ୍ଟି ନିକ୍ଷେପ କଲେ । ପୁଣି ଥରେ ସେଇ କ୍ଷତଚିହ୍ନ ଉପରକୁ, ତା’ପରେ ଚତୁଃପାର୍ଶ୍ୱରେ ଜମାଟ ହୋଇଆସିଥିବା ରକ୍ତବିନ୍ଦୁଗୁଡ଼ିକ ଉପରକୁ । ତାଙ୍କର ସେଇ ଦୃଷ୍ଟି କ୍ରମଶଃ ତୀକ୍ଷ୍‌ଣରୁ ତୀକ୍ଷ୍‌ଣତର ହେଇଆସୁଥିଲା । ଅବଶେଷରେ ସେ ଶବର ଖୁବ୍‌ ନିକଟକୁ ଚାଲିଆସି ବସିପଡ଼ିଲେ । କେତେକ ମୁହୂର୍ତ୍ତ ସେଇଭଳି ନିରୀକ୍ଷଣ କଲା ପରେ ସେ ଛିଡ଼ା ହୋଇ ବେଡ୍‌ରୁମ୍‌ ଉଦ୍ଦେଶ୍ୟରେ ଯିବାକୁ ଲାଗିଲେ । କିନ୍ତୁ ଭିତରେ ପ୍ରବେଶ କରିବା ପୂର୍ବରୁ ମି: ମହାନ୍ତି ସେଠାକୁ ଆସିଲେ ।

 

ହସହସ ମୁଖରେ ଶତ୍ରୁଜିତ କହିଲେ, ‘କିଛି ସନ୍ଧାନ ମିଳିଲା ?’

 

‘ନା, ତେବେ ଗୋଟିଏ ବିଷୟରେ ମୁଁ ନିଶ୍ଚିତ ଯେ ଏଇ ମୃତ୍ୟୁ ଦଶଟାରୁ ଏଗାରଟା ଭିତରେ ସଙ୍ଘଠିତ ହୋଇଛି ।’

 

‘କେମିତି ?’

 

‘କିଚେନ୍‌ ରୁମ୍‌ରେ ଦୁଇଜଣଙ୍କ ପାଇଁ ଖାଦ୍ୟସାମଗ୍ରୀ ବଢ଼ାଯାଇ ରହିଛି । ଦୁଇଟି ଗ୍ଲାସ୍‌ରେ ପାଣି ମଧ୍ୟ ରହିଚି ।’ ମି: ମହାନ୍ତି କହିଲେ ।

 

ଅମାବାସ୍ୟାର ଅନ୍ଧକାର ଭିତରୁ ଯେମିତି ସୂର୍ଯ୍ୟୋଦୟର ପୂର୍ବାଭାସ ଦେଖିପାରିଲେ ଶତ୍ରୁଜିତ । ସେ ଉତ୍ସାହିତ ହେଇ କହିଲେ, ‘ଏଇ ଉପର ମହଲାରେ କିଚେନ୍‌ ରୁମ୍‌ ?’

 

‘ହଁ’, ମି: ମହାନ୍ତି ଉତ୍ତର ଦେଲେ ।

 

‘ଏଇ ଉତ୍ତରରେ ଦ୍ରୁତବେଗରେ କ’ଣ ଯେମିତି ଭାବୁଥିଲେ ଶତ୍ରୁଜିତ । ହଠାତ୍‌ କହିଉଠିଲେ, ‘ଡ୍ରଇଂରୁମ୍‌ଟା ତଳମହଲାରେ ନିଶ୍ଚୟ ?’

 

‘ହଁ’

 

ଏଥର ଶତ୍ରୁଜିତଙ୍କର ଦୃଷ୍ଟି ପୁଣି ଥରେ ତଳମହଲାକୁ ଯାଇଥିବା ସିଡ଼ି ଆଡ଼କୁ ଲମ୍ବିଗଲା-। ତା’ପରେ ପୁଣି ଫେରି ଆସି, ମି: ମହାନ୍ତିଙ୍କ ଉପରେ ସ୍ଥିର ହେଲା । କେତେକ ମୁହୂର୍ତ୍ତ ସେହିଭଳି ଦୃଷ୍ଟିଭଙ୍ଗୀ ନେଇ ଛିଡ଼ା ହେବା ପରେ, ସେ କହିଲେ, ‘ଗୋଟିଏ ମୂଲ୍ୟବାନ ତଥ୍ୟ ଆପଣ ଆବିଷ୍କାର କଲେ । ଏବେ ଆସନ୍ତୁ ମିସେସ୍‌ ପାତ୍ରଙ୍କ ବେଡ୍‌ରୁମ୍‌ ଉପରୁ ଦୃଷ୍ଟି ବୁଲାଇନେବା ।’

 

ଶତ୍ରୁଜିତଙ୍କ ପଛେ ପଛେ ମି: ମହାନ୍ତି ସେଇ କୋଠରି ଭିତରେ ପ୍ରବେଶ କଲେ । ତା’ପରେ କିନ୍ତୁ ଉଭୟେ ସ୍ତବ୍‌ଧ ଚକିତ ଭାବରେ କୋଠରି ଭିତରେ ଛିଡ଼ା ହୋଇଗଲେ । ଏକ ମନମୁଗ୍‌ଧକର ସୁଗନ୍ଧିରେ କୋଠରିଟି ପୂରି ରହିଥିଲା । ସର୍ବୋପରି କୋଠରିଟିର ସାଜସଜ୍ଜା ଯେକୌଣସି ଉନ୍ନତ ରୁଚିଶୀଳ ସୌଖୀନ ନାଗରିକଙ୍କଠାରୁ ଯଥେଷ୍ଟ ଉନ୍ନତ ଥିଲା । ଦେଓ୍ୟାଲ ଗୁଡ଼ିକ ବିଭିନ୍ନ ଗ୍ଲାସ୍‌ରେ ଚିତ୍ରିତ ହୋଇଥିଲା । କୋଠରିର ଦକ୍ଷିଣ ପାର୍ଶ୍ୱରେ ବମ୍ବେ ପେଟର୍ଣ୍ଣର ଏକ ସ୍ୟାଣ୍ଡେଲଉଡ୍ର ପଲଙ୍କ । ବେଶ୍‌ ପ୍ରଶସ୍ତ । ଉପର ବେଡ୍‌ସିଟ୍‌ଟି ବିକ୍ଷିପ୍ତ ।

 

ବେଡ୍‌ଉପରୁ ଚିନ୍ତାନ୍ୱିତ ଭାବରେ ଦୃଷ୍ଟି ଫେରାଇଲେ ଶତ୍ରୁଜିତ । ପଲଙ୍କର ପୃଷ୍ଠଦେଶରେ ଷ୍ଟିଲର ଏକ ର‍୍ୟାକ୍‍ ତା’ଉପରେ ତିନୋଟି ଲେଦର୍‌ ସୁଟ୍‌କେସ୍‌ । ତଳ ର‍୍ୟାକରେ ଷ୍ଟିଲର୍‌ ଏକ ଟ୍ରଙ୍କ୍‌ । ଏ ସବୁ ବାଦ୍‌ଦେଲେ କୋଠରି ଭିତରଟି ଶୂନ୍ୟ ।

 

ମି: ମହାନ୍ତି ପଲଙ୍କର ବେଡ଼୍‌ସିଟ୍‌ଇତ୍ୟାଦି ଉଠାଇ କ’ଣ ଦେଖିବାରେ ଲାଗିଥିଲେ । ତାଙ୍କୁ ଅନ୍ୟମନସ୍କ ନ କରି ଶତ୍ରୁଜିତ ପକେଟରୁ ନେନ୍ଥାଏ ଚାବିକାଠି ବାହାର କରି ସୁଟ୍‌କେଶ୍ ଗୁଡ଼ିକ ଖୋଲିବାରେ ଲାଗିଲେ । ଉପର ତିନୋଟି ସୁଟ୍‌କେସ୍‌ରେ ଶାଢ଼ି, ବ୍ଲାଉସ୍‌, ଅର୍ଣ୍ଣାମେଣ୍ଟସ୍‌ ଇତ୍ୟାଦି ରହିଥିଲା । ଆଉ କେତେଗୁଡ଼ିଏ ଦଲିଲ୍‌ । ସେ ଡିକ ଜମିବାଡ଼ି ଓ ମାଇନିଙ୍ଗ୍‌ ଲିଜ୍‌ ସମ୍ପର୍କୀୟ ପ୍ରମାଣପତ୍ର । ଉପସ୍ଥିତ କ୍ଷେତ୍ରରେ ସେସବୁ ଜିନିଷର ଗୁରୁତ୍ୱ ନଥିଲା । ତେଣୁ ସେଗୁଡ଼ିକ ପୂର୍ବପରି ବନ୍ଦ କରି ଶତ୍ରୁଜିତ ଷ୍ଟିଲର୍‌ଟ୍ରଙ୍କ୍‌ଟି ଖୋଲିବାରେ ଲାଗିଲେ । ମି: ମହାନ୍ତି ମଧ୍ୟ ସେତେବେଳକୁ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ।

 

ତା ଭିତରେ କେତେଖଣ୍ଡ ପୁରୁଣା ଶାଢ଼ି ଇତ୍ୟାଦି ରହିଥିଲା । ସେଗୁଡ଼ିକ ବାହାର କରିବା ପରେ ଚିଠିର ଏକ ବଣ୍ଡଲ ଖଣ୍ଡିଏ ପୁରୁଣା ଲୁଗା ଭିତରେ ଗୁଡ଼ାହୋଇ ରହିଥିବାର ମି: ମହାନ୍ତି ଶତ୍ରୁଜିତଙ୍କର ଦୃଷ୍ଟି ଆକର୍ଷଣ କଲେ ।

 

ପ୍ରତ୍ୟେକ ଚିଠିକୁ ଗଭୀର ଧ୍ୟାନର ସହକାରେ ଶତ୍ରୁଜିତ ତଥା ମି: ମହାନ୍ତି ପଢ଼ିବାରେ ଲାଗିଲେ । କିନ୍ତୁ ଶେଷ ସୁଦ୍ଧା ସେମାନଙ୍କୁ ହତାଶ ହେବାକୁ ପଡ଼ିଲା । କାରଣ ଚିଠିଗୁଡ଼ିକ କାହା ପାଖକୁ ଆଉ କିଏ ଲେଖିଥିଲା, ଜଣା ପଡ଼ୁ ନ ଥିଲା । କିନ୍ତୁ ପ୍ରତ୍ୟେକ ଚିଠିରୁ ପ୍ରେମର ଗଭୀର ଆବେଗ ପରିସ୍ଫୁଟ ହେଉଥିଲା । ପ୍ରେରକ ଜଣେ ପୁରୁଷ । ତାହା ହସ୍ତାକ୍ଷର ଆଉ ତଳେ ‘ପ୍ରିୟତମ’ ସମ୍ବୋଧନରୁ ଜଣାପଡ଼ୁଥିଲା । ଆଉ ସବୁ ଚିଠିଗୁଡ଼ିକ ଏୟାର ମେଲ ରାଇଟିଂପେଡ୍‌ର ପେପରରେ ଲେଖାଯାଇଥିଲା । ଚିଠିଗୁଡ଼ିକ ପ୍ରାୟ ଚାରିବର୍ଷ ତଳର । ସେଗୁଡ଼ିକ ପକେଟସ୍ଥ କରି ଶତ୍ରୁଜିତ ପୁଣି ଟ୍ରଙ୍କ ଭିତରେ ମନୋନିବେଶ କଲେ । ଏଥର ତାଙ୍କର ଦୃଷ୍ଟିପଥକୁ ଖଣ୍ଡିଏ ବାଇଣ୍ଡିଂ ରେଜିଷ୍ଟାର ଆସିଲା । ତାହାରର ପ୍ରତ୍ୟେକ ପୃଷ୍ଠା କବିତାରେ ପୂର୍ଣ୍ଣ । ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ଯାଉଁ ଯାଉଁ କଣ ଗୋଟିଏ ପଡ଼ିଯିବା ଶବ୍ଦରେ ସେ ତଳକୁ ଲକ୍ଷ୍ୟ କଲେ । ଗୋଟିଏ ଏନ୍‌ଭେଲପ । ଏନ୍‌ଭେଲପଟି ଖୋଲିବାରେ ମିଳିଲା ଖଣ୍ଡିଏ ଫଟୋଗ୍ରାଫ୍‌ । ତା’ ଉପରେ ତାଙ୍କର ଦୃଷ୍ଟି ନିବଦ୍ଧ ହେବା ମାତ୍ରେ ସେ ଚମକିଉଠିଲେ । ମି: ମହାନ୍ତି ଫଟୋଟିକୁ ଦେଖି ବିସ୍ମିତ ଭାବରେ କହିଲେ, ‘ଏ ଯେ ମି. ସୁବ୍ରତ. !’

 

ଶତ୍ରୁଜିତଙ୍କ ଚକ୍ଷୁରେ ଏଇ ଯୁଗଳ ଫଟୋଗ୍ରାଫ୍‌ ଚମକ ଆଣି ଦେଇଥିଲେ ବି ସେ ଯେମିତି ତାହା ବିଶ୍ୱାସ କରି ପାରୁ ନ ଥିଲେ । ତେଣୁ ସେଇ ଫଟୋଗ୍ରାଫ୍‌ରେ କିଛି କାରସାଦି ଅଛି କି ନାହିଁ ତାହା ଗଭୀର ଭାବରେ ସେ ଦେଖିବାରେ ଲାଗିଲେ ।

 

ତାଙ୍କୁ କିନ୍ତୁ ଆହୁରି ବିସ୍ମିତ କରିଦେଲେ ମି. ମହାନ୍ତି । ଟ୍ରଙ୍କର ଗୋଟିଏ ପାର୍ଶ୍ଚରେ ପଡ଼ିଥିବା ଏକ ଛୋଟ ଶିଶି ହାତରେ ଧରି ସେ କହୁଥିଲେ, ‘ଦେଖନ୍ତୁ ମି: ଶତ୍ରୁଜିତ, ହଁ.....ଏଇଭଳି, ଠିକ ଏଇଭଳି ଗୁଡ଼ିଏ ଟ୍ୟାବଲେଟ୍‌ ଆମେ ଦ୍ୱିତୀୟଥର ଅନନ୍ତ ଦାସଙ୍କ ପୋଖରୀରୁ ଉଦ୍ଧାର କରିଥିଲୁଁ । କେମିକାଲ ଏକ୍‌ଜାମିନେସନ୍‌ପରେ ଜଣାପଡ଼ିଥିଲା । ତାହା ସାୟାନାଇଡ୍‌ ବୋଲି ।’

 

ଫଟୋଗ୍ରାଫ୍‌ଟି ଶତ୍ରୁଜିତଙ୍କ ହାତରେ ସ୍ଥିର ହୋଇଯାଇଥିଲା । ତାଙ୍କର ଦୃଷ୍ଟି ଲାଗିରହିଥିଲା ସେଇ ଛୋଟ ଶିଶି ଭିତରେ ଥିବା ଏକମାତ୍ର ହ୍ୱାଇଟ୍‌ ଟ୍ୟାବଲେଟ୍‌ଉପରେ, ଯାହାକୁ ପୋଟାସିଅମ୍‌ ସାୟାନାଇଡ୍‌ ବୋଲି ମି: ମହାନ୍ତି ଅଭିହିତ କରୁଥିଲେ ।

 

ଶତ୍ରୁଜିତଙ୍କୁ ବିସ୍ମୟ ଭିତରେ ବୁଡ଼ିରହିଥିବା ଦେଖି ମି: ମହାନ୍ତି କହିଲେ, ‘ମିସେସ୍‌ ପାତ୍ରଙ୍କର ଷ୍ଟେଟ୍‌ମେଣ୍ଟ ଅନୁଯାୟୀ ମୋର ଧାରଣା ହେଉଥିଲା ଯେ ମିସେସ୍‌ ପାତ୍ର ଯେମିତି ଅନେକ ଗୁଡ଼ିଏ ରହସ୍ୟର ଅଧିକାରିଣୀ । ଆଉ ଏବେ ମୋର ସେଇ ସନ୍ଦେହ ପରିଷ୍କାର ହେଇଯାଇଛି ।’

 

ଶତ୍ରୁଜିତ କେତେବେଳେ ସେଇ ଫଟୋଗ୍ରାଫ୍‌ ଅଥବା କେତେବେଳେ ଛୋଟ ଶିଶି ଭିତରେ ଥିବା ସେଇ ସାୟାନାଇଡ୍‌ର ଟେବ୍‌ଲେଟ୍‌ଉପରେ ଦୃଷ୍ଟିପାତ କରୁଥିଲେ । ଅବଶେଷରେ ସେ କହିଲେ, ‘କିନ୍ତୁ ମି: ପାତ୍ରଙ୍କର ଏ ସ୍ଥାନରେ ଉପସ୍ଥିତ ଏକାନ୍ତ ବାଞ୍ଛନୀୟ ।’

 

ବାହାରେ ଶୁଭ୍ର ସକାଳର ସୂଚନା ପରିସ୍ଫୁଟ ହେଉଥିଲା । ସେଆଡ଼ୁ ନିଜର ଭାବଗମ୍ଭୀର ଦୃଷ୍ଟି ଫେରାଇ ଶତ୍ରୁଜିତ କହିଲେ, ‘ଏଠାରେ ଆଉ ବେଶୀ ସମୟ ଉପସ୍ଥିତ ରହିବା ମୋ ପକ୍ଷରେ ଉଚିତ ହେବ ନାହିଁ । ଯାହା କିଛି ମୋର ଧାରଣାର ବାହାରେ ରହିଥିଲା ସେତକ ଆବିଷ୍କୃତ ହୋଇସାରିଛି । ଆପଣ କିନ୍ତୁ ପୁଣି ଥରେ ଏଗୁଡ଼ିକ ଦେଖନ୍ତୁ। ଆବଶ୍ୟକ ମନେ କଲେ ମୋତେ ୩ଟା ପରେ ପରେ ମୋର ଘରେ ସାକ୍ଷାତ କରିବେ ।’

 

ମି: ମହାନ୍ତି ଶତ୍ରୁଜିତିଙ୍କ କଥାର ଗୁରୁତ୍ୱ ବୁଝଥିଲେ । ତେଣୁ ସହାସ୍ୟ ବଦନରେ କହିଲେ, ‘ଆପଣ ଯାଆନ୍ତୁ । ଆଉ ଯଦି କିଛି କ୍ଲୁ ମିଳେ ମୁଁ ଆପଣଙ୍କୁ ଜଣେଇବି ।’

 

ସେଇ ଫଟୋଗ୍ରାଫ୍‌ ଆଉ ଚିଠିଗୁଡ଼ିକ ମି: ମହାନ୍ତିଙ୍କୁ ଦେଇ ଶତ୍ରୁଜିତ ସେ କୋଠରି ଛାଡ଼ିଲେ । ଉପର ମହଲା ଛାଡ଼ିବା ପୂର୍ବରୁ ସିଡ଼ିରେ ଉପରକୁ ଉଠ ଥିବା ସୁବ୍ରତଙ୍କ ସହିତ ସାକ୍ଷାତ ହେଇଗଲା ।

 

‘କ’ଣ କିଛି କ୍ଲୁ ମିଳିଲା ମି: ଶତ୍ରୁଜିତ !’

 

‘ଆପଣମାନଙ୍କ ପରି ଏ ଘଟଣାରେ ମୋର ହାତଗୋଡ଼ ମୁକ୍ତ ନୁହେଁ, ସୁବ୍ରତବାବୁ ! ସେଇ ପରିସର ଭିତରେ ଯେତିକି କିଛି ଜାଣିବାର କଥା ମୁଁ ସଂଗ୍ରହ କରିନେଇଛି ।’ ଗମ୍ଭୀର ଭାବରେ ଶତ୍ରୁଜିତ ଉତ୍ତର ଦେଲେ ।

 

‘ଜୟନ୍ତୀ ମହାପାତ୍ରକୁ ବିଶ୍ୱାସ କରିବା ଆପଣଙ୍କ ପକ୍ଷରେ ଉଚିତ ହେଲା ନାହିଁ, ଆଜ୍ଞା !’

 

‘ଉଚିତ କି ଅନୁଚିତ ତାହା ମୁଁ ଦେଖିସାରିଛି ।’ ଏତକ କହି ଶତ୍ରୁଜିତ ଦ୍ରୁତବେଗରେ ତଳକୁ ଓହ୍ଲାଇଗଲେ । ତାଙ୍କର ଏଇ ଆଗମନକୁ ଯେମିତି ଅପେକ୍ଷା କରି ରହିଥିଲେ ତନ୍ମୟ ।

 

‘ଏଇଟା ସେମାନଙ୍କର ଡ୍ରଇଂ ରୁମ୍‌ ।’ ବାମପାର୍ଶ୍ୱରେ ଥିବା ଏକ କୋଠରି ଭିତରେ ପ୍ରବେଶ କରିବା ମାତ୍ରେ ଖଣ୍ଡିଏ କାଗଜ ଦେହରେ ଗୁଡ଼ା ହୋଇ ରହିଥିବା ତିନିଖଣ୍ଡ ଚୁରଟର ଅର୍ଦ୍ଧାଂଶ ଦେଖାଇ ତନ୍ମୟ କହିଲେ, ‘ଏଇ ଟ୍ରେ ଭିତରୁ ମୁଁ ଏଇ ତିନୋଟି ଆବିଷ୍କାର କରିଛି । ଆଉ ରତନକୁ ପଚାରି ମୁଁ ବୁଝିଚି ଯେ ସେ ସନ୍ଧ୍ୟା ପୂର୍ବରୁ ଆସଟ୍ରେ ସଫା କରି ପାଣି ଦେଇଥିଲା । ସନ୍ଧ୍ୟାଠାରୁ ସେ ସିନେମା ଦେଖିଯିବା ପର୍ଯ୍ୟନ୍ତ କୌଣସି ପୁରୁଷ ଲୋକ ଏଠାକୁ ଆସି ନ ଥିଲେ । ମିସେସ୍‌ ପାତ୍ର କିମ୍ବା ସେ ନିଜେ ଚୁରଟ୍‌ ଖାଆନ୍ତି ନାହିଁ ।

 

‘କିନ୍ତୁ ଗୋଟେ କଥା ଲକ୍ଷ୍ୟ କରିଛନ୍ତି ଶତ୍ରୁଜିତ ବାବୁ’, ତନ୍ମୟ ନିଜର ସତର୍କ ଦୃଷ୍ଟି ଚାରିଆଡ଼ୁ ଫେରାଇ ଆରି ଅନୁଚ୍ଚ କଣ୍ଠରେ କହି ଉଠିଲେ ।

 

ଶତ୍ରୁଜିତଙ୍କ ଦୃଷ୍ଟିରେ ପ୍ରଶଂସାର ଲକ୍ଷଣ ଫୁଟି ଉଠିଳା ।

 

‘ସୁବ୍ରତ ବାବୁ ଚୁରଟ ଖାଆନ୍ତି । ରତନକୁ ଜେରା କରିବା ଭିତରେ ସେ ଦୁଇଟି ଶେଷ କରିଦେଇଛନ୍ତି । ଆପଣ ଶୁଣିଲେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ଏଇ ଆସଟ୍ରେ ଭିତରେ ଥିବା ଚୁରଟ୍‌ ଆଉ ସେ ଖାଉଥିବା ଚୁରଟ୍‌ ଗୋଟାଏ ବ୍ରାଣ୍ଡର’

 

ତନ୍ମୟଙ୍କର ମନ୍ତବ୍ୟ ତାଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଉଥିଲା । ଚୁରଟଗୁଡ଼ିକ ସତର୍କ ଭାବରେ ରଖିବାପାଇଁ ନିର୍ଦ୍ଦେଶ ଦେଇ ଶତ୍ରୁଜିତ କହିଲେ, ‘ମୋର ମନେହୁଏ ତମର ଦାୟିତ୍ୱ ତୁମେ ନିର୍ଭୁଲ ଭାବରେ ମେଣ୍ଟାଇଦେଇଛ । ଏଥର ଆମର ମି: ପାତ୍ରଙ୍କ ସହିତ ସାକ୍ଷାତ ଦରକାର ।’

 

‘ମୋର ମନେ ହୁଏ ରତନ ଗତ କାଲିର ଘଟଣା ବିଷୟରେ ଯଥେଷ୍ଟ କିଛି ଜାଣେ । ଆଉ ମଧ୍ୟ ଏ କଥା ଖୁବ୍‌ସମ୍ଭବ ଯେ ମିସେସ୍‌ ପାତ୍ରଙ୍କ ଅଗୋଚରରେ ସେ ସିନେମା ଦେଖି ଯାଇଛି-।’

 

‘ସେ କଥା ମଧ୍ୟ ଅସମ୍ଭବ ହେଇ ନ ପାରେ । କିନ୍ତୁ ରତନ ନିକଟରୁ କିଛି ଶୁଣିବାପାଇଁ ଆମକୁ ଗୋଟିଏ ଦିନ ଆହୁରି ଦରକାର ।’ ତା’ପରେ କ’ଣ ଭାବି କହିଲେ, ‘ତମେ ଯେ କୋଠରି ଭିତରକୁ ଆସିଥିଲ ଏକଥା ସୁବ୍ରତ ଜାଣେ ?’

 

‘ମୁଁ କିନ୍ତୁ ଏଭଳି ଚତୁରତା ସହିତ ଏ କାମ କରିଥିଲି ଯେ ମୁଁ କ’ଣ କରୁଛି ନ କରୁଛି ସେ ଦିଗରେ ତା’ର ଧ୍ୟାନ ନ ଥିଲା । ଆଉ ମୁଁ ମଧ୍ୟ ଲକ୍ଷ୍ୟ କରିଥିଲି ପୂର୍ବ ଅପେକ୍ଷା ସେ ଯେମିତି ଅଧିକ ପରିମାଣରେ ଚିନ୍ତାଗ୍ରସ୍ତ ହେଇପଡ଼ିଥିଲା ।’ ତନ୍ମୟ ଏତକ କହି ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ ।

 

‘ତାହା ଆମ ଲକ୍ଷ୍ୟପଥରେ ଏକ ଶୁଭ ଲକ୍ଷଣ ।’

 

‘ତା’ହେଲେ ଏବେ ମି: ପାତ୍ରଙ୍କ ପାଖକୁ ଆମକୁ ଯିବାକୁ ପଡ଼ିବ ?’

 

‘ଏବେ ତମେ ଆଉ ମୁଁ ଉଭୟେ କ୍ଲାନ୍ତ । ତାଙ୍କୁ ସାକ୍ଷାତ କରିବା ପୂର୍ବରୁ ଆମକୁ ଅନ୍ତତଃ ଟିକିଏ ପ୍ରସ୍ତୁତ ହେବାକୁ ପଡ଼ିବ । ତା ବ୍ୟତୀତ ଆଜି ଇମିତି କେତେ ଗୁଡ଼ାଏ ତଥ୍ୟ ମୋର ହସ୍ତଗତ ହୋଇଛି, ଯୋଉଁଗୁଡ଼ିକୁ ବିଶ୍ଳେଷଣ କରିବା ସବୁଠାରୁ ଜରୁରୀ । ବେଶ, ଏବେ ତମେ ଆସ ?

 

ଶତ୍ରୁଜିତଙ୍କ ପଛେ ପଛେ ତନ୍ମୟ ବାହାରକୁ ଆସିଲେ ।

 

ଅମ୍ବରୀଶବାବୁ ଚାଲିଯାଇଥିଲେ । ଜୟନ୍ତୀ ମହାପାତ୍ର ତାଙ୍କ ନିକଟକୁ ଆଉ ଫେରି ନ ଥିଲା । ବନମାଳୀ ନିକଟରୁ ନିରାଶରେ ଛାୟା ଫେରିଆସିଥିଲା ।

 

ପ୍ରମୋଦ ଦାସ ଟେଲିଫୋନରେ ମିଳୁ ନ ଥିଲେ । ଲାବୋରେଟରୀରୁ ସମ୍ବାଦ ମିଳିଥିଲା, ସେ ଗୋଟାଏ ସପ୍ତାହ ଛୁଟି ଅପ୍ରତ୍ୟାଶିତ ଭାବରେ ନେଇଛନ୍ତି । ତାଙ୍କ ଘରେ ମଧ୍ୟ ସେ କୁଆଡ଼େ ଯାଇଛନ୍ତି କିଛି ସମ୍ବାଦ ଦେଇଯାଇନାହାନ୍ତି ।

 

ଏଇ ଜୟନ୍ତୀ ମହାପାତ୍ର ପାଇଁ ସେ ବିଶେଷ ଚିନ୍ତିତ ହୋଇପଡ଼ିଥିଲେ । ଅନେକଗୁଡ଼ିଏ ପ୍ରଶ୍ନ ତାଙ୍କ ନିକଟରେ ଅମୀମାଂସିତ ହୋଇ ରହିଯାଇଥିଲା, ଯୋଉ ପ୍ରଶ୍ନଗୁଡ଼ିକର ସମାଧାନ କେବଳ ହିଁ ଜୟନ୍ତୀ ମହାପାତ୍ର ଉପରେ ନିର୍ଭର କରୁଥିଲା ।

 

ସୁଇଂ ଡୋର ଖୋଲି ତନ୍ମୟ ଆସିଲେ । ଗଭୀର କ୍ଲାନ୍ତିର ଛାପ ତାଙ୍କ ମୁଖମଣ୍ଡଳରେ ପରିସ୍ଫୁଟ ହୋଇ ଉଠୁଥିଲା । ବସୁ ବସୁ ସେ କହିଲେ, ‘ଗତ କାଲିର ହତ୍ୟା ବିଷୟରେ କୌଣସି କ୍ଲୁ ପାଇଲେ ?’

 

‘ନା । ସୁବ୍ରତ ସହିତ ସ୍ନେହଲତାର ମିଳିତ ଫଟୋଗ୍ରାଫ୍‌ ମୋ ସିଦ୍ଧାନ୍ତକୁ ଯଥେଷ୍ଟ ପରିମାଣରେ ଇତସ୍ତତଃ କରିଦେଇଛି, ଯାହା ଫଳରେ ଗୋଟିଏ ରହସ୍ୟରୁ ଏକାଧିକ ରହସ୍ୟ ଭିତରେ ଆମେ ଛନ୍ଦି ହୋଇ ଯାଇଛୁଁ ।’

‘ମୁଁ କିନ୍ତୁ ସେମାନଙ୍କ ବିଷୟରେ ଏକ ପରିଷ୍କାର ଚିତ୍ର ସଂଗ୍ରହ କରିସାରିଛି ।’

‘ମାନେ. ?’

‘ସୁବ୍ରତ ଆଉ ସ୍ନେହଲତାର ଯୁଗ୍ନ ଫଟୋ କଥା ଶୁଣି, ସେମାନଙ୍କ ବିଷୟରେ କିଛି ତଥ୍ୟ ସଂଗ୍ରହ କରିବାପାଇଁ ମୁଁ ବନମାଳୀ ନିକଟକୁ ଯାଇଥିଲି ।’

‘ଆଉ ଏବେ ସେଇଠାରୁ ଫେରୁଛ ?’

‘ହଁ ।’

‘ଦ୍ୟାଟ୍‌ସ ଫାଇନ୍ !’ ଶତ୍ରୁଜିତ ଉତ୍ସାହିତ ହେଇ କହିଲେ ।

‘ମୋର ବହୁ ଅନୁରୋଧ ପରେ ସେ କହିଲା, ସୁବ୍ରତ ଆଉ ସ୍ନେହ ଦୁହେଁ କ୍ଲାସମେଟ୍‌ । ସେ ଭଲ ଭାବରେ ନ ଜାଣିଲେ ବି ଏ ବିଷୟରେ ନିଃସନ୍ଦେହ ଥିଲା ଯେ ସୁବ୍ରତ ଆଉ ସ୍ନେହ ଭିତରେ ନିଶ୍ଚୟ କୌଣସି ଅବୈଧ ସଂପର୍କ ରହିଥିଲା । ଆଉ ସେଇଥିପାଇଁ ତାର ବିଳମ୍ବରେ ଫେରିବାକୁ ଅନନ୍ତବାବୁ ଆଦୌ ପସନ୍ଦ କରୁ ନ ଥିଲେ । ଅନେକ ସମୟରେ ସ୍ନେହକୁ ସେ ବିଷୟରେ ଅନନ୍ତ ଦାସ ଭର୍ତ୍ସନା କରିଥିବା କଥା ସେ ଜାଣେ ।’

‘ତାପରେ ?’

‘ସୁବ୍ରତ କୁଆଡ଼େ ସ୍ନେହ ସହିତ ବିବାହ ପ୍ରସ୍ତାବ ଉପସ୍ଥାପିତ କରିବାକୁ ଆସିଥିଲା । କିନ୍ତୁ ଅନନ୍ତ ଦାସଙ୍କ ସହିତ ତାର ଦେଖା ହେବା ଆଗରୁ ସ୍ନେହ ହିଁ ସେହି ପ୍ରସ୍ତାବରେ ପୂର୍ଣ୍ଣଛେଦ ଟାଣିଥିଲା ।’

‘ମାନେ ମୁଁ ତମ କଥା ବୁଝିପାରିଲି ନାହିଁ ।’

‘ବନମାଳୀର କଥାରୁ ଜଣାପଡ଼େ, ସ୍ନେହ ସୁବ୍ରତର ପ୍ରେମିକା ହେବାଟାକୁ ସ୍ୱୀକାର କରୁଥିଲେ ବି ତାର ପତ୍ନୀ ହେବାକୁ ଅସ୍ୱୀକାର କରିଥିଲା । ତାର ଗୋଟିଏ ମାତ୍ର କାରଣ ଥିଲା, ସୁବ୍ରତ ଉଚ୍ଚବଂଶଜ ସମ୍ଭ୍ରାନ୍ତ ହେଲେ ବି ସେତେ ଧନାଢ଼୍ୟ ନ ଥିଲା । ଆଉ ତା ପୂର୍ବରୁ ମି: ପାତ୍ର, ମାଇନିଙ୍ଗ ଇଂଜିନିୟରଙ୍କ ସହିତ ସ୍ନେହଲତାର ପରିଚୟ ହେଇସାରିଥିଲା ।’

‘ତା’ପରେ. ?’

‘ସେମାନଙ୍କର ସେଦିନର କଥାବାର୍ତ୍ତା ବନମାଳୀ ଭଲଭାବରେ ଶୁଣିପାରିଥିଲା । ସୁବ୍ରତର ବାରମ୍ବାର ଅନୁରୋଧ ସ୍ନେହ ନିଷ୍ଠୁରତା ସହିତ ପ୍ରତ୍ୟାଖ୍ୟାନ କରିବା ପରେ, ବିନା ଉତ୍ତରରେ ସୁବ୍ରତ ସେ ସ୍ଥାନ ଛାଡ଼ିଥିଲା ।’

‘ଆଉ ତା ପରେ ସୁବ୍ରତ କେବେ ସେଠାକୁ ଆସି ନ ଥିଲା ?’

‘ନା, ବନମାଳୀ ଆଉ କେବେ ତାକୁ ଦେଖି ନ ଥିଲା । କିନ୍ତୁ ସେ ଖବର ପାଇଥିଲା ଯେ ସ୍ନେହର ବିବାହ ଦିନ ହିଁ ସେ ଭାରତ ଛାଡ଼ି ଥିଲା ।’

ଶତ୍ରୁଜିତ ଚିନ୍ତିତ ଭାବରେ ଖଣ୍ଡିଏ ସିଗାରେଟରେ ଅଗ୍ନ ସଂଯୋଗ କରୁ କରୁ ଅପର ଖଣ୍ଡିକ ତନ୍ମୟଙ୍କୁ ଦେଇ କହିଲେ, ‘ତା’ହେଲେ ଆମର ଅନୁମାନ ସତ୍ୟରେ ପରିଣତ ହେଲା ?’

‘ଆଉ ନିଜ ଭିତରେ ପ୍ରତିଶୋଧର ବହ୍ନି ନିର୍ବାପିତ କରିବାକୁ ଯାଇ ସେ ଯେ ମିସେସ ପାତ୍ରଙ୍କୁ ହତ୍ୟା କରିଥାଇ ପାରନ୍ତି ଏ ବିଷୟରେ ମୁଁ ନିଃସନ୍ଦେହ ।’ ଦୃଢ଼ କଣ୍ଠରେ ତନ୍ମୟ କହିଲେ ।

ସେ କଥା ଅସ୍ୱୀକାର କରିହେବାର ନୁହେଁ, ତଥାପି ଜୟନ୍ତୀ ମହାପାତ୍ରକୁ ଆମେ ଏଥିରୁ ବାଦ ଦେଇ ନ ପାରୁଁ ।’

‘ଶତ୍ରୁଜିତବାବୁ !’ ଗଭୀର ବିସ୍ମୟ ସହକାରେ ତନ୍ମୟ କହିଉଠିଲେ ।

‘ଜୟନ୍ତୀ ମହାପାତ୍ର ରହସ୍ୟଜନକଭାବେ ଅନ୍ତର୍ଦ୍ଧାନ ହୋଇଛି, ଏହା ଆମେ ପୋଲିସ ନିକଟରୁ ଲୁଚାଇ ରଖିପାରିବା ନାହିଁ । ଆଉ ସେ ଅନ୍ତର୍ଦ୍ଧାନ ହେବାର ବାର ଘଣ୍ଟା ଭିତରେ ସ୍ନେହଲତା ଖୁଣ୍‍ ହୋଇଛି । ସ୍ନେହଲତା ଅନନ୍ତ ଦାସଙ୍କ ମୃତ୍ୟୁରେ ଜୟନ୍ତୀକୁ ଜଡ଼ିତ କରି ନ ଥିଲା ବି ତା’ ବିରୁଦ୍ଧରେ ଅନେକ ଗୁଡ଼ିଏ ଅଭିଯୋଗ ସେ ନିଶ୍ଚୟ ଦାଖଲ କରିଛି, ଯେଉଁଥିପାଇଁ ଏ ଘଟଣାର ଏକମାତ୍ର ସାକ୍ଷୀ ଭାବରେ ପୋଲିସ୍‌ବିଭାଗ ତାକୁ ଗ୍ରହଣ କରିଥିଲେ । ତେଣୁ ଏଭଳି ଏକ ସାକ୍ଷୀକୁ ଦୂରେଇଦେବାପାଇଁ ଜୟନ୍ତୀ ଯେ ଚେଷ୍ଟା କରି ନଥିବ, ଏହା ସେମାନେ ଅବିଶ୍ୱାସ କରିପାରିବେ ନାହିଁ ।’

ଶତ୍ରୁଜିତଙ୍କର ଏଇ ସିଦ୍ଧାନ୍ତରେ ହଠାତ୍‌ କିଛି କହିପାରିଲେ ନାହିଁ ତନ୍ମୟ । ତାଙ୍କ ଉପରୁ ଦୃଷ୍ଟି ଫେରାଇନେଇ ଶତ୍ରୁଜିତ କହିଲେ, ‘ତଥାପି ଆମେ ଖୁବ୍‌ ଶୀଘ୍ର ନିଶ୍ଚୟ ସମାଧାନରେ ପହଞ୍ଚିପାରିବା । କିନ୍ତୁ ଆମ ସନ୍ଦେହ ଅନୁସାରେ ଯଦି ସୁବ୍ରତ ସ୍ନେହଲତାର ହତ୍ୟାକାରୀ ହୋଇଥାଏ ତା’ହେଲେ ଅନନ୍ତ ଦାସଙ୍କ ହତ୍ୟା ରହସ୍ୟ ସମାଧାନ କରିବାପାଇଁ ଆହୁରି ଅନେକ ଦିନ ଆମକୁ ପରିଶ୍ରମ କରିବାକୁ ପଡ଼ିବ ।’

ତନ୍ମୟ କ’ଣ କହିଆସୁଥିଲେ । କିନ୍ତୁ ଟେଲିଫୋନରେ ରିଂ ହେବାରୁ ସେ ରିସିଭର ଉଠାଇନେଇ, ଶତ୍ରୁଜିତିଙ୍କ ହାତକୁ ବଢ଼ାଇ ଦେଉ ଦେଉ କହିଲେ, ‘ମି: ମହାନ୍ତି’

‘ହ୍ୟାଲୋ ମି: ମହାନ୍ତି, କଣ କହିଲେ ଜୟନ୍ତୀ ମହାପାତ୍ରକୁ ହୋଟେଲ ପେଲେସରୁ ଗିରଫ କରାଯାଇଛି ? ଏଇ ଏବେ, ପ୍ରମୋଦ ଦାସ ବି ତା’ସହିତ ସେଠାରେ ରହିଥିଲା କଣ କହିଲେ ତାକୁ ଆପଣ ପାଇଲେ ନାହିଁ । ଆଚ୍ଛା....ଆପଣ ଆସୁଛନ୍ତି ବହୁତ ଧନ୍ୟବାଦ ।’ ରିସିଭର ରଖି ଏକ ଦୀର୍ଘ ଶ୍ୱାସ ନେଲେ ଶତ୍ରୁଜିତ ।

ଉଦ୍‌ବିଗ୍ନ ଭାବରେ ତନ୍ମୟ କହିଲେ, ‘ଜୟନ୍ତୀ ମହାପାତ୍ରକୁ ପୋଲିସ ଗିରଫ କରିଛି ?

‘ହଁ’

‘ତା’ହେଲେ ତ ଆମେ ଅସୁବିଧାରେ ପଡ଼ିଗଲେ’

‘ଏବେ ଆଉ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ମୋର ବିଶ୍ୱାସ । ତଥାପି ଆସନ୍ତା କାଲି ସୁଦ୍ଧା ତା’ସହିତ ମୁଁ ଯେ ଦେଖା କରିପାରିବି ନାହିଁ ଏହା ମଧ୍ୟ ମି: ମହାନ୍ତି ସୂଚାଇ ସାରିଛନ୍ତି ।’

 

‘କିନ୍ତୁ ଏସ. ପି. ସାହେବ’

 

‘ତାଙ୍କ କରୁଣା ଉପରେ ନିର୍ଭର କରିବା ମୁଁ ପସନ୍ଦ କରୁନାହିଁ । ଆଇନତଃ ଯାହା ହେଇପାରିବ, ସେଥିପାଇଁ ଆମକୁ ବ୍ୟବସ୍ଥା କରିବାକୁ ପଡ଼ିବ ।’ ତା’ପରେ ହାତଘଣ୍ଟା ଉପରୁ ଦୃଷ୍ଟି ଫେରାଇ ସେ କହିଲେ, ‘ଅମ୍ୱରୀଶବାବୁ ନିଶ୍ଚୟ କୋର୍ଟରୁ ଫେରିଆସିଥିବେ । ଟେଲିଫୋନରେ ତାଙ୍କ ସହ କଣ୍ଟାକ୍ଟ କର । ଯଦି ସେ ମିଳିଯାଆନ୍ତି ଏ ବିଷୟରେ କିଛି ଗୋଟିଏ ପରାମର୍ଶ କରିବା ।’

 

ଶତ୍ରୁଜିତଙ୍କ କଥା ଶେଷ ହେବା ପୂର୍ବରୁ ତନ୍ମୟ ରିସିଭର ଉଠାଇ ସାରିଥିଲେ । କେତେ ସମୟ ଅପେକ୍ଷା କରିବା ପରେ କହିଉଠିଲେ, ‘ନମସ୍କାର ଅମ୍ୱରୀଶବାବୁ, ମୁଁ ଡ: ତନ୍ମୟ କହୁଛି । ହଁ....ବେଶ୍‌, ନିଅନ୍ତୁ ।’ ଶତ୍ରୁଜିତଙ୍କ ହାତକୁ ରିସିଭର ବଢ଼ାଇଦେଲେ ତନ୍ମୟ ।

 

‘ନମସ୍କାର ଆଜ୍ଞା, କଣ କହିଲେ ଆପଣ ବି ଜୟନ୍ତୀର ଆରେଷ୍ଟ ଖବର ପାଇଯାଇଛନ୍ତି-। ଏଇ ବର୍ତ୍ତମାନ ପ୍ରମୋଦ ସେହିଠାରେ ଅଛି କଣ କହିଲେ–ବେଶ୍‌, ଆପଣ ଚେଷ୍ଟାକରନ୍ତୁ-। ସ୍ନେହଲତାର ହତ୍ୟାକାଣ୍ତ ଶୁଣିଲେ, ନା–ମୁଁ ଆପଣଙ୍କ ଘରୁ ଫେରି ସେହିଠାକୁ ଯାଇଥିଲି । ହଁ, ସେଇଥିପାଇଁ ନିଶ୍ଚୟ ଅସୁବିଧାରେ ପଡ଼ିପାରନ୍ତି । ବେଶ୍‌, ଆପଣ ଆସନ୍ତୁ ।’ ଶତ୍ରୁଜିତ ରିସିଭର ରଖି ନିଜ ଚେୟାର ପାଖକୁ ଫେରିବାବେଳକୁ ମି: ମହାନ୍ତି ଭିତରକୁ ପ୍ରବେଶ କରୁଥିଲେ ।

 

‘ଆସନ୍ତୁ, ମି: ମହାନ୍ତି !’

 

ଶତ୍ରୁଜିତଙ୍କ ଅନୁରୋଧରେ ମି: ମହାନ୍ତି ଗୋଟିଏ ଚେୟାରରେ ବସିଲେ । ତାଙ୍କ ହାତକୁ ସିଗାରେଟ୍‌ ଖଣ୍ତିଏ ବଢାଇ ଦେଇ ଶତ୍ରୁଜିତ କହିଲେ, ‘ହୋଟେଲ ପେଲେସରେ ଜୟନ୍ତୀ ମହାପାତ୍ରର ସନ୍ଧାନ ଆପଣ କେମିତି ପାଇଲେ ?

 

‘ସତ କହିବାକୁ ଗଲେ ସୁବ୍ରତର ଜଣେ ଆସିଷ୍ଟାଣ୍ଟ କୁଆଡ଼େ ଜୟନ୍ତୀ ମହାପାତ୍ରକୁ ଫଲୋ କରୁଥିଲା ।’

 

‘କୋଉଠାରୁ ?’

 

‘ତା କଥାରୁ ଜଣାପଡ଼େ, ସଂଧ୍ୟା ଛ’ଟା ପରେ ପରେ ଆଡ଼୍‌ଭୋକେଟ ଅମ୍ବରୀଶବାବୁଙ୍କ ଘରୁ ସେ ବାହାରି ଗୋଟିଏ ଚିକ୍‌ସାରେ ସିଧା ଯାଇଥିଲା ମିସେସ ପାତ୍ରଙ୍କ ପ୍ରାସାଦ ନିକଟକୁ ।’

 

ମିଃ: ମହାନ୍ତି !’ ଶତ୍ରୁଜିତଙ୍କ କଣ୍ଠସ୍ୱର ଅସମ୍ଭବ ଭାବରେ ଥରିଉଠିଲା ।

 

‘ଅବଶ୍ୟ ତାଙ୍କର ଆସିଷ୍ଟାଣ୍ଟ ଯୋଉଭଳି ଭାବରେ ମୋ ପାଖରେ ଘଟଣାଟି ବର୍ଣ୍ଣନା କରିଛି ସେଥିରେ ସେ ସିଧାସଳଖ ଭାବରେ ମିସେସ୍‌ ପାତ୍ରଙ୍କ ପ୍ରାସାଦ ନିକଟରେ ତାକୁ ଦେଖିଥିବା କଥା କହିନାହିଁ’

 

‘ମାନେ ?’

 

‘ସେ କୁଆଡ଼େ ଗୋଟିଏ ସାଇକେଲରେ ତାକୁ ଫଲୋ କରୁଥିଲା । କିନ୍ତୁ ଜନଗହଳି ରାସ୍ତାରେ ଟ୍ରାଫିକ୍‌ର ଭିଡ଼ ଯୋଗୁଁ ସେ ଯାଉଥିବା ରିକ୍‌ସାଟି ଅଦୃଶ୍ୟ ହେଇଯାଇଥିଲା । ଆଉ ସେ ଅନିର୍ଦ୍ଦିଷ୍ଟ ଭାବରେ ସେଇ ଟ୍ରାଫିକ୍‌ ପୋଷ୍ଟରୁ ଯାଇଥିବା ଦୁଇଟି ରୋଡ଼ ଚେକ୍‌ କରୁ କରୁ ପୁଣି ଜୟନ୍ତୀ ମହାପାତ୍ରକୁ ମିସେସ୍‍ ପାତ୍ରଙ୍କ ଘରଆଡ଼ୁ ଫେରିଥିବାର ଦେଖିଥିଲା ।’

 

‘ତା’ ହେଲେ ପୂର୍ବରୁ ମିସେସ ପାତ୍ରଙ୍କ ପ୍ରାସାଦ ସହିତ ସୁବ୍ରତଙ୍କ ଆସିଷ୍ଟାଣ୍ଟର ପରିଚୟ ଥିଲା ?’

 

‘ମି: ମହାନ୍ତି ହଠାତ୍‌ କିଛି କହିପାରିଲେ ନାହିଁ । କେତେକ ମୁହୂର୍ତ୍ତପରେ ସେ କହିଲେ, ‘ସେତେବେଳେ ମାନସିକ ଅସ୍ଥିରତା ବଶତଃ ଏଇ ପଏଣ୍ଟ ଉପରେ ମୁଁ ଧ୍ୟାନ ଦେଇ ପାରି ନଥିଲି ।’

 

‘ବେଶ୍‌ ତା’ପରେ ?’

 

‘ସେ କୁଆଡ଼େ ତାକୁ ଫଲୋ କରି ହୋଟେଲ ପେଲେସ ଭିତରକୁ ଯାଉଥିବାର ଦେଖିଲା-। ଦୀର୍ଘ ସମୟ ପରେ ସେ ବାହାରକୁ ନ ବାହାରିବାକୁ ସେ କୁଆଡ଼େ କାଉଣ୍ଟରରୁ ଯାଇ ବୁଝିଥିଲା ଯେ ଜୟନ୍ତୀ ମହାପାତ୍ର ନିଜ ନାମରେ ତିନିଦିନ ପାଇଁ ଅପଷ୍ଟେୟାରରେ ଗୋଟିଏ ରୁମ୍‌ ନେଇଛି-। ଏତକ ବୁଝି ସେ କୁଆଡ଼େ ସୁବ୍ରତଙ୍କ ପାଖକୁ ଆସିଥିଲା । ତାଙ୍କୁ ତାଙ୍କ ଘରେ ନ ପାଇ ପୋଲିସ ଷ୍ଟେସନକୁ ଫୋନ କରିଥିଲା ।’

 

‘ତା’ ପରେ ?’

 

‘ସୁବ୍ରତ କିନ୍ତୁ ତାର ନିର୍ଦ୍ଦିଷ୍ଟ କେତେକ ସ୍ଥଳରେ ନଥିବାରୁ ସେ ବାଧ୍ୟ ହୋଇ ପୁଣି ହୋଟେଲ ପେଲେସ ଯାଇଥିଲା । ଆଉ ସେଠାରେ ଗୋଟିଏ ସୁଟ୍‌ ଭଡ଼ା ନେଇ ରହିଥିଲା ।’

 

‘ଉଦ୍ଦେଶ୍ୟ ?’

 

‘ଜୟନ୍ତୀ ମହାପାତ୍ର କୋଉଠିକୁ ଯାଉଛି, କାହା ସଙ୍ଗରେ ମିଶୁଛି, ଲକ୍ଷ୍ୟ କରିବା ।’

 

‘ତା’ ପରେ ?’

 

‘ଆସିଷ୍ଟାଣ୍ଟର କଥାରୁ ଜଣାପଡ଼େ, ସେ କୁଆଡ଼େ ଦ୍ୱିତୀୟ ଥର ଯେତେବେଳେ ହୋଟେଲ ପେଲେସ ଗଲା ସେତେବେଳେ ଜୟନ୍ତୀ ମହାପାତ୍ର ତାର ରୁମ୍‌ରେ ନ ଥିଲା । ଠିକ୍‌ ଗୋଟିଏ ବେଳେ ପ୍ରମୋଦ ଦାସଙ୍କ ସହିତ ଗୋଟିଏ କାର୍‌ରେ ସେ ସେଠାକୁ ଫେରିଯାଇଥିଲା । ଆଉ ଉଭୟ ହିଁ ସେହି କୋଠରି ଭିତରେ ରାତ୍ରି ଯାପନ କରିଥିଲେ ।’

 

ପୁଣି ଥରେ ଶତ୍ରୁଜିତଙ୍କ ମୁଖମଣ୍ତଳରେ ଗଭୀର ଚିନ୍ତାର ରେଖା ଦେଖା ଦେଲା । ଅପ୍ରତ୍ୟାଶିତ ଭାବରେ ସେ ଗମ୍ଭୀର ହେଇ ପଡ଼ିଥିଲେ ।

 

‘ସେମାନେ ଯେତେବେଳେ ହୋଟେଲକୁ ଫେରିଲେ, ସେତେବେଳେ ସେମାନଙ୍କର ମାନସିକ ଅବସ୍ଥା କେମିତି ଥିଲା ?’ ତନ୍ମୟ ପଚାରି ବସିଲେ ।

 

‘ମୁଁ ଅବଶ୍ୟ ତାକୁ ସେ ପ୍ରଶ୍ନ ପଚାରିଥିଲି । ସେ କିନ୍ତୁ ଏ ସବୁ ବିଶେଷ ଭାବରେ ଲକ୍ଷ୍ୟ କରିନାହିଁ ବୋଲି କହିଲା ।

 

‘ସେ ଏଇ ସମ୍ୱାଦ ଆପଣଙ୍କୁ କେତେବେଳେ ଦେଲା ?’

 

‘ପ୍ରାୟ ବାରଟା ବେଳେ ।’

 

‘ତା ମାନେ, ଆଜି ଦିନ ବାରଟାରେ ?’

 

‘ହଁ ।’

 

‘ଗତ କାଲି ରାତିଠାରୁ ଏପର୍ଯ୍ୟନ୍ତ ତା’ବିଷୟରେ ସୁବ୍ରତ ଅଥବା ଆପଣଙ୍କୁ ସେ ଏ ବିଷୟରେ କାହିଁକି ନ ଜଣାଇଥିଲା ତା’ର କାରଣ ପଚାରିଥିଲେ ?’

 

‘ହଁ, ସେ କୁଆଡ଼େ ସୁବ୍ରତଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଥିଲା । ଆଉ ସୁବ୍ରତ ନିଜେ ଆସି ମୋତେ ସେଠାକୁ ସଙ୍ଗରେ ନେଇ ଯାଇଥିଲେ ।’

 

‘ସେତେବେଳେ ପ୍ରମୋଦ ଦାସଙ୍କୁ ଆପଣ ପାଇ ନ ଥିଲେ ?

 

‘ନା, ସେ କୁଆଡ଼େ ଦଶଟା ପରଠାରୁ ବାହାରକୁ ଯାଇଥିଲେ ।’

 

‘ଜୟନ୍ତୀ ଏ ବିଷୟରେ କିଛି କହିଛି ?’

 

‘ନା, ତାକୁ ଏ ପର୍ଯ୍ୟନ୍ତ କୌଣସି ପ୍ରଶ୍ନ କରାଯାଇନାହିଁ । ଅବଶ୍ୟ ସୁବ୍ରତ ତା’ର ଷ୍ଟେଟମେଣ୍ଟ ନେବାପାଇଁ ଉଦ୍‌ବିଗ୍ନ ଥିଲେ । ମୁ କିନ୍ତୁ ତାଙ୍କୁ ସେଇ ସୁଯୋଗ ଦେଇନାହିଁ ।’

 

‘ଆପଣ ଯେ ମୋ ପାଖକୁ ଆସିଛନ୍ତି ଏ ଖବର ସେ ଜାଣେ ?

 

‘ନା । ସେଇ ଚିଠିଟି ଆଉ ଫଟୋଗ୍ରାଫ୍‌ ଦେଖିବା ପରେ ପରେ ମୋର ତାଙ୍କ ପ୍ରତି ଧାରଣା ବଦଳିଯାଇଥିଲା । ଆଉ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେଇ ଚିଠିଗୁଡ଼ିକ ସ୍ନେହ ପାଖକୁ ସ୍ୱୟଂ ସୁବ୍ରତ ଦେଇଥିଲେ ।’

 

‘ପରେ କଣ ଆଉ କିଛି ପାଇଥିଲେ ?’

 

‘ନା, ମୁଁ କିନ୍ତୁ କୌଶଳରେ ସୁବ୍ରତଙ୍କ ହ୍ୟାଣ୍ତରାଇଟିଂ ନେଇଥିଲି । ଆଉ ଉଭୟରେ ଯଥେଷ୍ଟ ସାମଞ୍ଜସ୍ୟ ମୁଁ ଲକ୍ଷ୍ୟ କରିପାରିଲି । ମୋଟ ଉପରେ ସେଇ ଅକ୍ଷର ଯେ ସୁବ୍ରତଙ୍କର–ଏ କଥା କେହି ଅସ୍ୱୀକାର କରିପାରିବ ନାହିଁ । ତଥାପି ମୁଁ ତାକୁ ଏକ୍‌ଜାମିନ କରିବା ପାଇଁ ପଠାଇଛି ।’

 

‘ଆଉ ପୋଷ୍ଟମଟମ୍‌ ରିପୋର୍ଟ ?’

 

‘ବୋଧହୁଏ ପାଞ୍ଚଟା ସୁଦ୍ଧା ମିଳିଯିବ ।’ ଏତକ କହି ମି ମହାନ୍ତି ଶେଷ ହୋଇଆସୁଥିବା ସିଗାରେଟ୍‌ଟିକୁ ଆସଟ୍ରେ ଭିତରେ ପକାଇ କହିଲେ, ମୁଁ କିନ୍ତୁ ଏବେ ଆପଣଙ୍କ ନିକଟକୁ ଗୋଟିଏ ଜରୁରୀ ବିଷୟରେ ଆସିଥିଲି ।’

 

‘ବେଶ୍‌, କୁହନ୍ତୁ ।’

 

ମି: ମହାନ୍ତି କହିଲେ, ‘ଆପଣ ଶବଟିକୁ କେବଳ ବାହାରୁ ଦେଖିଆସିଲେ ।’

 

‘ଅର୍ଥାତ୍‌ ?’

 

‘ଶବଟିକୁ ସେଠାରୁ ସ୍ଥାନାନ୍ତରିତ କରିବାବେଳେ ମୁଁ ଆଉ ଗୋଟିଏ ଜିନିଷ ପାଇଛି ।’

 

‘ମାନେ ?’

 

ମି: ମହାନ୍ତି ପକେଟରୁ ଖଣ୍ତିଏ ଚରଟ ବାହାର କରି ଟେବୁଲ ଉପରେ ରଖିଲେ । ତା ପରେ କହିଲେ, ‘ଏଇ ଚୁରଟକୁ ଲକ୍ଷ୍ୟ କଲେ ଆପଣ ଜାଣିପାରିବେ ଯେ କେବଳ ଥରେ କିମ୍ୱା ଦୁଇ ଥର ଏହା ଟଣାଯାଇଛି । ଏଇଥିରୁ ମୋର ଧରଣା, ହୁଏତ ଆତତାୟୀ ନିଜର ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ମିସେସ ପାତ୍ରଙ୍କୁ କରିବାଦ୍ୱାରା ଚରଟ ପ୍ରତି ଲକ୍ଷ୍ୟ କରିପାରିନାହିଁ । ଆଉ ତାହା ତଳେ ପଡ଼ିଯିବା ସଙ୍ଗେ ସଙ୍ଗେ ମିସେସ ପାତ୍ର ପଡ଼ିଯାଇଛନ୍ତି ଯାହା ଫଳରେ ତାଙ୍କ ପେଟତଳେ ଚୁରଟଟି ରହିଯାଇଛି । ମୁଁ ଏ ବିଷୟରେ ଆଉ ଗୋଟିଏ ବିଷୟ ଆପଣଙ୍କୁ ଜଣାଇଦେବାକୁ ଚାହେଁ, ସୁବ୍ରତବାବୁ ଏଇ ବ୍ରେଣ୍ତ ଚୁରଟରେ ବିଶେଷ ଅଭ୍ୟସ୍ତ । ମୁଁ ମଧ୍ୟ ଅନେକ ସମୟରେ ତାଙ୍କ ପାଖରୁ ଏଇ ଚୁରଟ ଉପହାର ପାଇଛି । ସ୍ୱୟଂ ଏସ. ପି. ସାହେବ ମଧ୍ୟ ଏଥିରୁ ବାଦ୍‌ଯାଇନାହାନ୍ତି । ତେଣୁ ଏ ସବୁ ଲକ୍ଷ୍ୟ କଲେ ମୋର ଦୃଢ଼ ଧାରଣା, ମିସେସ ପାତ୍ରଙ୍କର ହତ୍ୟାକାରୀ ସ୍ୱୟଂ ନିଜେ ସୁବ୍ରତ ।’

 

ଶତ୍ରୁ ଜିତଙ୍କର ମୁଖମଣ୍ତଳରେ ସ୍ମିତହାସ୍ୟର ରେଖା ଦେଖାଦେଲେ । ସେ କହିଲେ, ‘ଆଉ ଅନନ୍ତ ଦାସଙ୍କର ହତ୍ୟାକାରୀ ?’

 

ମି: ମହାନ୍ତି ଟିକିଏ ଚିନ୍ତିତ ହୋଇଉଠିଲେ । ତା’ପରେ ନିମ୍ନ ସ୍ୱରରେ କହିଲେ, ‘ଅବଶ୍ୟ ଗତକାଲି ଯୋଉ ପର୍ଯ୍ୟନ୍ତ ମୁ ସେଇ ସାୟାନାଇଡ଼୍‌ର ଟେବୁଲେଟଟି ଆବିଷ୍କାର କରି ପାରି ନଥିଲେ ସେ ପର୍ଯ୍ୟନ୍ତ ମୋର ଦୃଢ଼ ଧାରଣା ଥିଲା, ଜୟନ୍ତୀ ମାହାପାତ୍ର ବ୍ୟତୀତ ଅନ୍ୟ କେହି ତାଙ୍କର ଶତ୍ରୁ ନାହିଁ । କିନ୍ତୁ ସେଇ ଟ୍ୟାବଲେଟଟି ସ୍ନେହଲତାର ବାକସ୍‌ଭିତରୁ ଆବିଷ୍କାର କରିବା ପରେ ମୋର ସେ ଧାରଣା ବଦଳିଛି ।’

 

‘ତା ମାନେ ?’

 

‘କିନ୍ତୁ ସ୍ନେହଲତାର ହତ୍ୟାକାଣ୍ତ ମୋର ସବୁ ନିଶ୍ଚିତ ତାକୁ ଓଲଟାପାଲଟା କରିଦେଇଛି । ବର୍ତ୍ତମାନ ପରିସ୍ଥିତି ଇମିତି ହୋଇଛି ଯାହା ଫଳରେ ପ୍ରକୃତ ହତ୍ୟାକାରୀକୁ ଖୋଜି ବାହାର କରିବା ଏକ ସାଧ୍ୟାତୀତ ବ୍ୟାପାରରେ ପରିଣତ ହୋଇଛି । ତେଣୁ ମୁଁ ଆପଣଙ୍କୁ ଗୋଟିଏ ବିଷୟରେ ଅନୁରୋଧ କରିବାକୁ ଆସିଛି ।’

 

‘ଅନୁରୋଧ ? ଏସବୁ କଣ କହୁଛନ୍ତି, ଆଜ୍ଞା !’

 

‘ଜୟନ୍ତୀ ମହାପାତ୍ର ଆପଣଙ୍କର କ୍ଳାଏଣ୍ଟ । ମୁଁ ମଧ୍ୟ ନିର୍ଭରଯୋଗ୍ୟ ସୂତ୍ରରୁ ସମ୍ୱାଦ ପାଇଛି, ଏଥିପୂର୍ବରୁ ସେ ଅମ୍ୱରୀଶବାବୁଙ୍କ ସହିତ ପରାମର୍ଶ କରି ଆସିଛି । ତେଣୁ ଆମମାନଙ୍କର କୌଣସି ପ୍ରଶ୍ନର ଉତ୍ତର ସେ ସହଜରେ ଦେବ ନାହିଁ । ତେଣୁ ଆପଣ ଆଜି ରାତି ଭିତରେ ଯେକୌଣସି ସମୟରେ ଯାଇ ତାକୁ ସାକ୍ଷାତ କରି ଗତ କାଲି ତାର ପରିବେଶ ବିଷୟରେ ଟିକିଏ ସମ୍ୱାଦ ନିଅନ୍ତୁ । ମୋର ଦୃଢ଼ ବିଶ୍ୱାସ ଅଛି, ସେ ଆପଣଙ୍କର କ୍ଳାଏଣ୍ତ ହେଲେ ବି କୌଣସି ବେଆଇନ କାମ ପାଇଁ ଆପଣ ତାକୁ କ୍ଷମା ଦେବେ ନାହିଁ । ତା’ସହିତ ସାକ୍ଷାତ କରିବାପାଇଁ ମୁଁ ସମସ୍ତେ ବନ୍ଦୋବସ୍ତ କରିଦେବେ ।’

 

‘ସେଥିପାଇଁ ଆପଣଙ୍କୁ କିଭଳି କୃତଜ୍ଞତା ଜଣାଇବି ମୁଁ ବୁଝିପାରୁନାହିଁ, ମି: ମହାନ୍ତି ।’

 

‘ଆପଣ ମୋତେ ଲଜ୍ଜିତ କରୁଛନ୍ତି, ଆଜ୍ଞା ! ଏଥିରେ ସୌଜନ୍ୟ ଅପେକ୍ଷା କର୍ତ୍ତବ୍ୟକୁ ମୁଁ ଅଧିକ ଗ୍ରହଣ କରିଛି ।’

 

ଶତ୍ରୁଜିତ କେବଳ ହସିଲେ । ପୁଣି ସିଗେରେଟ୍‌ ଉଭୟଙ୍କୁ ଦେଇ ନିଜେ ଖଣ୍ତିକରେ ଅଗ୍ନି ସଂଯୋଗ କଲେ । ତା’ପରେ କହିଲେ, ମି: ପାତ୍ରଙ୍କର ଖବର କଣ ?

 

ଜଣେ ସ୍ପେଶିୟାଲ ମେସେଞ୍ଜର ତାଙ୍କ ପାଖକୁ ଯାଇଛି । ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି, ମି: ଶତ୍ରୁଜିତ, ମେସେଞ୍ଜର ସକାଳ ଆଠଟାରୁ ଯାଇଥିଲେ ବି ଏପର୍ଯ୍ୟନ୍ତ ମି: ପାତ୍ର ଅଥବା ସେ ଫେରିନାହାନ୍ତି ।’’

 

ଶତ୍ରୁଜିତ ହାତଘଣ୍ଟାକୁ ଅନାଇ ବିସ୍ମିତ ହେଲେ–‘ଏବେ ପାଞ୍ଚଟା ବାଜିବାକୁ ଯାଉଛି । ସକାଳ ଆଠଟାରୁ ସଂଧ୍ୟା ପାଞ୍ଚଟା, ତା’ମାନେ, ଏହା ଭିତରେ ଦୀର୍ଘ ନଅ ଘଣ୍ଟା ଅତିବାହିତ ହୋଇଯାଇଛି । ଏଠାରୁ ମାଇନିଙ୍ଗ୍‌ ଏରିଆ ମାତ୍ର ନଅ ମାଇଲ ।

 

ତାପରେ ହଠାତ୍‌ କ’ଣ ଭାବି କହିଲେ, ‘ଆପଣ ଗୋଟିଏ କାମ କରିପାରିବେ, ମି: ମହାନ୍ତି ? ମାନେ, ମୋର ମନେହୁଏ ସେଠାରେ ନିଶ୍ଚୟ କୌଣସି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଯଦି ମୋ ସହିତ ସେଠାକୁ ଯାଇପାରନ୍ତେ’

 

‘ନିଶ୍ଚୟ’ ମି: ମହାନ୍ତି ଛିଡ଼ା ହୋଇପଡ଼ିଲେ ।

 

ଶତ୍ରୁଜିତ ଚେୟାର ଛାଡ଼ୁ ଛାଡ଼ୁ ତନ୍ମୟଙ୍କୁ କହିଲେ, ‘ମୁଁ ଏଠାରେ ନ ପହଞ୍ଚିବା ପର୍ଯ୍ୟନ୍ତ ତମେ ଏଇଠାରେ ରହିଥିବ । ଯଦି ଆବଶ୍ୟକ ପଡ଼େ ମୁଁ ଯେକୌଣସି ସ୍ଥାନରୁ ତମକୁ କନ୍‌ଟାକ୍ଟ କରିପାରେ ।’

 

ଡ: ତନ୍ମୟ ସମ୍ମତି ପ୍ରକାଶ କଲେ । ଶତ୍ରୁଜିତ ଆଉ ଅପେକ୍ଷା ନ କରି ବାହାରକୁ ଆସିଲେ । ମି: ମହାନ୍ତିଙ୍କ ନିର୍ଦ୍ଦେଶରେ ଡ୍ରାଇଭର ଜିପ୍‌ ଷ୍ଟାର୍ଟ କରିସାରିଥିଲି । ଶତ୍ରୁଜିତ ପହଞ୍ଚିବା ମାତ୍ରେ ଜିପ୍‌ଟି ରେସ ଉପରକୁ ଆସି ମେନ୍‌ରୋଡ଼ ସ୍ପର୍ଶ କଲା ।

 

‘ସୁବ୍ରତ ଏବେ କୋଉଠି ?’ ଜନଗହଳି ରାସ୍ତାରୁ ଦୃଷ୍ଟି ଫେରାଇ ଶତ୍ରୁଜିତ କହିଲେ ।

 

‘ମୁଁ ଆପଣଙ୍କ ନିକଟକୁ ଆସିବାର କେଇ ମୁହୂର୍ତ୍ତ ପୂର୍ବରୁ ସେ ଥାନା ଛାଡ଼ିଥିଲେ । ମୋର ଯେତେଦୂର ମନେହୁଏ ସେ ଅନନ୍ତ ଦାସଙ୍କର ବଡ଼ ଝିଅ ମାଲିନୀ ଦେବୀଙ୍କ ନିକଟକୁ ଯାଇଥିବେ ।

 

‘ମି: ପାତ୍ରଙ୍କ ସହ ତାଙ୍କର ସାକ୍ଷାତ ହୋଇନାହିଁ ?’

 

‘ବୋଧହୁଏ ନା, କାରଣ ସେ ମଧ୍ୟ ମୋତେ ପଚାରୁଥିଲେ ଯେ ମେସେଞ୍ଜର ଅଥବା ମି: ପାତ୍ର ଆସିଲେ କି ନାହିଁ ?’

 

‘ଅଥଚ ସେ ମି: ପାତ୍ରଙ୍କ ନିକଟକୁ ନ ଯାଇ ମାଳିନୀ ଦେବୀଙ୍କ ନିକଟକୁ ଯିବାକୁ ସ୍ଥିର କଲେ’ ବ୍ୟଙ୍ଗଭରା ସ୍ୱରରେ ଶତ୍ରୁଜିତ କହିଲେ ।

 

‘ଘଟଣାର ପ୍ରବାହ ଯୋଉଭଳି ଗତି କରୁଛି, ସେଥିରେ କିଏ ଯେ ଦୋଷୀ ତାହା ଠିକ କରିହେଉ ନାହିଁ । ଜୟନ୍ତୀ ମହାପାତ୍ର, ପ୍ରମୋଦ ଦାସ, ମିସେସ ପାତ୍ର, ସୁବ୍ରତ ଯେମିତି ପ୍ରତ୍ୟେକେ ଜଣେ ଜଣେ ସନ୍ଦେହଯୁକ୍ତ ଆସାମୀ ଭାବରେ ଛିଡ଼ା ହେଉଛନ୍ତି ।’

 

ଚିନ୍ତିତ ଭାବରେ ଶତ୍ରୁଜିତ କହିଲେ, ‘ଏମାନଙ୍କ ଭିତରୁ ମିସେସ ପାତ୍ର ମୃତ । ତାଙ୍କୁ ବାଦ୍‌ଦେଲେ ଆଉ ମାତ୍ର ତିନିଜଣ । କିନ୍ତୁ ଏମାନଙ୍କ ଭିତରୁ ପ୍ରମୋଦ ଦାସଙ୍କ ଉପରେ ସନ୍ଦେହର ପରସେନ୍‌ଟେଜ ବହୁତ କମ୍‌ ।’

 

‘ଆଉ ଜୟନ୍ତୀ ମହାପାତ୍ର–ତା’ର ବ୍ୟାକଗ୍ରାଉଣ୍ତ ରହସ୍ୟଜନକ । ରହସ୍ୟମୟ ଭାବେ ତାର ଆବିର୍ଭାବ.....ଏ ପର୍ଯ୍ୟନ୍ତ ତା’ର ପରିଚୟ ମଧ୍ୟ ଆମ ନିକଟରେ ଅଜ୍ଞାତ ।’

 

‘ମୁଁ କିନ୍ତୁ ତା’ର ପରିଚୟ ସଂଗ୍ରହ କରିସାରିଛି, ମି: ମହାନ୍ତି ! ଆବଶ୍ୟ ଜୟନ୍ତୀ ମହାପାତ୍ର ସହିତ କେବଳ ଗୋଟିଏ ଥର ମୋର ସାକ୍ଷାତ ହୋଇଥିଲା । ସେଇ ସାକ୍ଷାତବେଳେ ତା’ର ପରିଚୟ ସେ ମୋ ନିକଟରେ ବି କ୍ଲିଅର କରି ନ ଥିଲା । ମୁଁ କିନ୍ତୁ ଅନ୍ୟଦିଗରୁ ତା’ର ସଠିକ ପରିଚୟ ନେଇସାରିଛି । ଆଉ ଏଇ ଘଟଣା ସଂପର୍କରେ ମୋର ଇନ୍‌ଭେଷ୍ଟିଗେସନ ଅନନ୍ତ ଦାସଙ୍କର ହତ୍ୟାକାରିଣୀ ଭାବରେ ମିସେସ ପାତ୍ରଙ୍କୁ ନିର୍ଦ୍ଦିଷ୍ଟ କରୁଥିଲେ । କିନ୍ତୁ ଦୁର୍ଭାଗ୍ୟ, ତାଙ୍କ ବିରୁଦ୍ଧରେ ଏଇ ତଥ୍ୟ ସଂଗ୍ରହ କରି ଫେରିବା ମୁହୂର୍ତ୍ତରେ ହିଁ ଆପଣମାଙ୍କର ତାଙ୍କର ମୃତ୍ୟୁ ସମ୍ୱାଦ ଜଣାଇଲେ ।’

 

‘ମି: ଶତ୍ରୁଜିତ !’

 

‘ଆପଣ ବି ସ୍ନେହଲତା ଉପରେ ଏଇ ସନ୍ଦେହ ଆଣିଥିଲେ । ସେହି ସନ୍ଦେହ କିପରି ଦୃଢ଼ ଆଉ ଯୁକ୍ତିଯୁକ୍ତ ତାହା ଆପରଙ୍କୁ ମୁଁ ଜଣାଇବି ।’

 

‘ସ୍ନେହଲତା ଯଦି ଅନନ୍ତ ଦାସଙ୍କର ହତ୍ୟାକାରୀଣୀ ତା ହେଲେ ସୁବ୍ରତ ?’

 

ଶତ୍ରୁଜିତ ଚିନ୍ତିତ ହୋଇଉଠି କହିଲେ, ‘ସ୍ନେହଲତା ଜୟନ୍ତୀ ବିଷୟରେ ଗଭୀର ଅନିସନ୍ଧିତ୍ସୁ ହୋଇଉଠିଥିଲା । ବିଶେଷ କରି ତାର କେତେକ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜୟନ୍ତୀ ଏକମାତ୍ର ପ୍ରତିବନ୍ଧକ ଥିଲା । ତେଣୁ ଜୟନ୍ତୀ କିଏ ଆଉ କାହିଁକି ସେଠାରେ ତା’ର ଆସ୍ଥାନ ଜମାଇ ବସିଛି ଏହା ଜାଣିବାପାଇଁ ସୁବ୍ରତଙ୍କ ଅନୁରୋଧ କରିଥିବା ବିଚିତ୍ର ନୁହେଁ । ହୁଏତ ଏଇ କାରଣ ପାଇଁ ସୁବ୍ରତ ଜୟନ୍ତୀର ଗତିବିଧି ଜାଣିବାପାଇଁ ତାକୁ ଫଲୋ କରି ଡକ୍ଟର ମିଶ୍ରଙ୍କର କ୍ଲିନିକରେ ପହଞ୍ଚିଛନ୍ତି । ତାପରେ ଘଟଣା ଆପଣ ଜାଣିଛନ୍ତି । ଏଇ ସବୁ ବିଷୟ ଧାରଣ କଲେ ସୁବ୍ରତଙ୍କୁ ସନ୍ଦେହ କରିବା ଅମୂଳକ । କିନ୍ତୁ ତାଙ୍କ ବିରୁଦ୍ଧରେ ଆମେ ଅନେକଗୁଡ଼ିଏ ତଥ୍ୟ ପାଇଛୁଁ । ଏପରିକି ସେ ମିସେସ ପାତ୍ରଙ୍କୁ ଗତକାଲି ସାକ୍ଷାତ କରିଥିଲେ । ତାକୁ ପ୍ରମାଣ ତାଙ୍କର ଡ୍ରଇଂ ରୁମ୍‌ରୁ ଆଉ ସ୍ନେହ ଲତାର ଶବତଳୁ ମିଳିଥିଲା ।’

 

‘ମାନେ, ଆପଣ କହୁଛନ୍ତି, ସେଇ ଅନୁରୂପ ଚୁରଟ ଆପଣ ମିସେସ ପାତ୍ରଙ୍କ ଡ୍ରଇଂ ରୁମ୍‌ରୁ ପାଇଥିଲେ ?’

 

‘ହଁ, ଗୋଟିଏ ନୁହେଁ, ଦୁଇଟା । ଠିକ୍‌ ଏକା ବ୍ରେଣ୍ତର ।’

 

ମି: ମହାନ୍ତି ଯେମିତି ଗଭୀର ଚିନ୍ତା ଭିତରେ ପଡ଼ିଗଲେ । କେତେକ ମୁହୂର୍ତ୍ତପରେ କହିଲେ, ‘ତା’ ହେଲେ ସୁବ୍ରତବାବୁଙ୍କୁ

 

‘ତାଙ୍କ ନିକଟରୁ ସହଜରେ କଥା ଆଦାୟ କରାଯିବାପାଇଁ ମୁଁ ଗୋଟିଏ ଉପାୟ ସ୍ଥିର କରିଛି । ମିଷ୍ଟର ପାତ୍ରଙ୍କ ନିକଟରୁ ଫେରିବା ପରେ ସେ ବିଷୟରେ ମୁଁ ଆପଣଙ୍କୁ ଜଣାଇବି । ଆଉ ଆପଣମାନେ ଯଦି ମୋର ସେଇ ମତ ଗ୍ରହଣ କରନ୍ତି, ମୁଁ ଚେଷ୍ଟା କରି ଦେଖିବ କିଏ ଅପରାଧୀ ଆଉ କାହିଁକି ?

 

ମି: ମହାନ୍ତି ଯେମିତି କୃତକୃତ୍ୟ ହୋଇଗଲେ–‘ଆପଣଙ୍କର ଆଗାମୀ ଚକ୍ରବ୍ୟୂହକୁ ମୁଁ ସ୍ୱାଗତ ଜଣାଇ ରହିପାରୁନାହିଁ, ଅଜ୍ଞା !

 

ଶତ୍ରୁଜିତ ଆଉ କିଛି କହିବା ପୂର୍ବରୁ ଜିପ୍‌ଟି ଯାଇ ଏକ କ୍ଷୁଦ୍ର ଏକ ମହିଳା କୋଠା ନିକଟରେ ଛିଡ଼ା ହେଲା । ସେଇଠାରୁ ପାର୍ବତ୍ୟ ରାସ୍ତାର ଆରମ୍ଭ । ‘‘ମିଷ୍ଟର ଆଣ୍ତ ମିସେସ ପାତ୍ର ଏଣ୍ତ୍‌କୋ’’ର ଅଫିସ କମ୍‌ ରେସିଡ଼େନ୍‌ସ ଏଇ ପ୍ରାସାଦଟି । ବେଶ୍‌ ମନୋରମ ଅନୁରୂପରେ ଏହା ନିର୍ମାଣ କରାଯାଇଥିଲା ।

 

ଗେଟ ଖୋଲି ଭିତରକୁ ପ୍ରବେଶ କଲେ ମି: ମହାନ୍ତି, ତାଙ୍କ ପଛେ ପଛେ ଶତ୍ରୁଜିତ । ଠିକ୍‌ ପ୍ରାସାଦସ୍ଥ ସମ୍ମୁଖଦ୍ୱାରରେ ଡିଉଟିରତ ଦରଓ୍ୟାନ ପୋଲିସ ଇନ୍‌ସ୍‌ପେକ୍ଟରଙ୍କ ସହିତ ଶତ୍ରୁଜିତଙ୍କ ଦେଖି ଭୟ ପାଇଗଲେ ଯେମିତି ।

 

‘ପାତ୍ରବାବୁ ଭିତରେ ଅଛନ୍ତି ?’

 

‘କେହି ନାହାନ୍ତି, ସାହେବ ! କିରାଣୀବାବୁ ମାନେ ଅଫିସ ବନ୍ଦ କରି ଘରକୁ ଚାଲିଗଲେଣି ?’

 

‘ପାତ୍ରବାବୁ କାହାନ୍ତି ?’

 

‘କାଲି ସନ୍ଧ୍ୟାରୁ ଆଉ ଗୋଟେ କୋଉ ନୂଆ ମାଇନିଂ ଦେଖିବାକୁ ଯାଇଛନ୍ତି ।’

 

‘ସେ ଯାଗା କୋଉଠି ?’

 

‘ଏଠାରେ ଆହୁରି ଆଠ ନଅ ମାଇଲ ହେବ ବୋଲି ସୁପରଭାଇଜରବାବୁ କହୁଥିଲେ । ରହନ୍ତୁ ଆଜ୍ଞା, ହେଇ ସୁପରଭାଇଜର, ବାବୁ ଆସୁଛନ୍ତି, ସେ କହି ପାରିବେ ।’

 

ଶତ୍ରୁଜିତ ଲକ୍ଷ୍ୟ କଲେ, ଠିକ୍‌ ସେତିକିବେଳେ ଗେଟ୍‌ପାଖରେ ସାଇକେଲରୁ ଜଣେ ଯୁବକ ଓହ୍ଲାଇ ଭିତରକୁ ଆସିଥିଲା । ଦରଓ୍ୱ୍ୟାନଟି ଯେ ତାକୁଇ ଲକ୍ଷ୍ୟ କରି ସୁପରଭାଇଜାର ବୋଲି କହୁଥିଲେ, ଏଥିରେ ସନ୍ଦେହ ନ ଥିଲା ।

 

ଏମାନେ କିଛି କହିବା ପୂର୍ବରୁ ସେ ନମସ୍କାର ଜଣାଇଲା । ଖୁବ୍‌ ଦୂରରୁ ଆସିଥିବାରୁ ସେ ଖୁବ୍‌ କ୍ଳାନ୍ତ ହେଇପଡ଼ିଥିଲାଭଳି ଜଣାଯାଉଥିଲା । ବୋଧହୁଏ ଟିକିଏ ରେଷ୍ଟ୍‌ନେଇ ସେ କହିଲା, ‘ଆପଣ ବୋଧହୁଏ ପୋଲିସ ଷ୍ଟେସନରୁ ଆସିଛନ୍ତି । ସକାଳେ ଖବର ନେଇ ଯୋଉ ମେସେଞ୍ଜର ଜଣକ ଆସିଥିଲେ ତାଙ୍କୁ ନେଇ ମୁଁ ରତ୍ନଗିରି ଅଞ୍ଚଳର ନୂଆହୋଇ ନିଆଯାଇଥିବା ମାଇନିଂସକୁ ଯାଇଥିଲି ।’

 

‘ମୁଁ ଆପଣଙ୍କ କଥା ବୁଝିପାରିଲେ ନାହିଁ !’ ଏକ ଦୀର୍ଘ ପ୍ରଶ୍ଚବାତୀ ନେଇ ମି: ମହାନ୍ତି କହିଉଠିଲେ ।

 

‘ଗତ କାଲି ସନ୍ଧ୍ୟାରେ ମାଇନିଂ ଅଫିସରଙ୍କ ସହିତ ବାବୁ ସେଇଠାକୁ ଯାଇଥିଲେ । ମେସେଞ୍ଜରକୁ ନେଇ ମୁଁ ସେଠାରେ ପହଞ୍ଚିବା ଆଗରୁ ସେମାନେ ସେଠାରୁ ଆହୁରି । ୩୦ ମାଇଲ ଦୂର ବ୍ରହ୍ମଗିରି ମାଇନିଂସକୁ ଯାଇସାରିଥିଲେ ।’

 

‘ତା’ ମାନେ, ମି: ପାତ୍ରଙ୍କ ସହିତ ଆପଣଙ୍କର ସାକ୍ଷାତ ହେଇନାହିଁ ?’

 

‘ନା, ଆଜ୍ଞା ! ରତ୍ନଗିରିରୁ ବ୍ରହ୍ମଗିରି ପୂରାପୁରି ପାହାଡ଼ିଆ ରାସ୍ତା । ବହୁତ କଷ୍ଟରେ ଜିପ୍‌ରେ ସେଠାକୁ ଯାଇହେବ । ପାଦରେ କିମ୍ୱା ସାଇକେଲରେ ଯିବା ସମ୍ଭବ ନୁହେଁ । ଦିନରେ ବି ସେହି ରାସ୍ତାରେ ହିଂସ୍ରଜନ୍ତୁମାନେ ବାହାରନ୍ତି । ତେଣୁ ମୁଁ ନିରୁପାୟ ହୋଇ ଫରିଆସିଲି । ଆମର ଜିପ୍‌ଟା ବି ସେମାନେ ନେଇଯାଇଛନ୍ତି ।’

 

‘ଆଉ ମେସେଞ୍ଜର ?’

 

‘ସେ ସେଇଠାକୁ ଅପେକ୍ଷା କରି ରହିଛନ୍ତି । ମୁଁ ଏଆଡ଼ୁ କୌଣସି ଜିପ୍‌ ବନ୍ଦୋବସ୍ତ କରି ଗଲେ ସେଠାକୁ ଯିବୁଁ ।’

 

ମି: ମହାନ୍ତି ଚିନ୍ତିତ ହୋଇଉଠି କହିଲେ, ‘ସେମାନେ କଣ ଆଜି ରାତିରେ ଫେରିବାର ସମ୍ଭାବନା ନାହିଁ ?’

 

‘ନା ।’ ରତ୍ନଗିରିରେ ଆମ କର୍ମଚାରୀମାନଙ୍କଠାରୁ ଖବର ପାଇଲି ଯେ ସେମାନେ ବ୍ରହ୍ମଗିରି ମାଇନ୍‌ସରେ ତିନି ଦିନ ରହିବେ । ତେଣୁ’

 

ମି: ମହାନ୍ତି ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ । ସେ ଯେ ପରିବର୍ତ୍ତୀ କାର୍ଯ୍ୟକ୍ରମ ବିଷୟରେ ତାଙ୍କଠାରୁ ପରାର୍ମଶ ଚାହୁଁଛନ୍ତି ଏହା ସେ ଭଲ ଭାବରେ ହୃଦୟଙ୍ଗମ କରି କହିଲେ, ‘ଆମକୁ ଏଇଠାରୁ ଫେରିବାକୁ ପଡ଼ିବ, ମି: ମହାନ୍ତି ! ସୁପରଭାଇଜାରବାବୁ ସେଇ ମେସେଞ୍ଜରଟିକୁ ନେଇ ତାଙ୍କ ପାଖକୁ ଯାଆନ୍ତୁ, ଆଉ ଯେତେ ଶୀଘ୍ର ପାରନ୍ତି ସେତେ ଶୀଘ୍ର ତାଙ୍କୁ ନେଇ ଏଠାକୁ ଫେରି ଆସନ୍ତୁ ।’

 

‘ହଁ ଆଜ୍ଞା, ମୁଁ ଏବେ ଫରେଷ୍ଟରଙ୍କ ପାଖକୁ ଯାଉଛି । ସେ ବାବୁଙ୍କର ବିଶେଷ ପରିଣତ-। ତାଙ୍କର ଗାଡ଼ି ନେଇ ଆମେ ଚାଲିଯିବୁଁ ।’ ସୁପରଭାଇଜାର ଜଣକ କହିଲେ ।

 

‘ଏଠାରେ କ’ଣ ଆଉ ତାଙ୍କର କେହି ନାହାନ୍ତି ?’

 

‘ନା–ଆଜ୍ଞା ! ଜଣେ ପୁଝାରୀ, ଆଉଜଣେ ଦରଓ୍ୟାନ ଆଉ ଜଣେ ମେଡ଼୍‌ ସାର୍ଭେଣ୍ଟ । ଏଇମାନେ ସଦାବେଳେ ଏଠାରେ ଥାଆନ୍ତି । ତା’ଛଡ଼ା ଆଉ ପାଞ୍ଚଜଣ ଅଫିସ ଷ୍ଟାଫ୍‌ । ପାଞ୍ଚଟାରେ ସେମାନେ ଘରକୁ ଫେରିଯାଆନ୍ତି ।’

 

‘ମିସେସ ପାତ୍ର ଏଠାକୁ ଆସନ୍ତି ?’

 

‘ଆସନ୍ତି, ଆଜ୍ଞା ! ସେ ପ୍ରାୟ ପ୍ରତିଦିନ ଦଶଟାରେ ଆସନ୍ତି । ବେଳେବେଳେ ବାବୁଙ୍କ ସାଙ୍ଗରେ ମାଇନିଂସରୁ ଫେରି ଘରକୁ ଯାଆନ୍ତି ।’

 

‘ମିଷ୍ଟର ପାତ୍ର କଣ ଏଇଠାରେ ସଦାବେଳେ ରହନ୍ତୁ ?’

 

‘ନା, ତେବେ ମାଇନିଂସରେ ଟିକିଏ ଜୋରରେ କାମ ଥିଲେ ସେ ରହନ୍ତି ।’

 

‘ଗତ କାଲି ସେ ଏଠାକୁ ଆସିଥିଲେ ?’

 

‘ନା । ତାପରେ କ’ଣ ଭାବି ସେ କହିଲା, ‘ସକାଳ ଆଠଟରେ ସେ ଏଠାକୁ ଟେଲିଫୋନ୍‌ କରିଥିଲେ । ବାବୁ ସେତେବେଳକୁ ମାଇନିଂ ଯାଇସାରିଥିଲେ ।’

 

‘ସେ ଟେଲିଫୋନ ଆପଣ ରିସିଭ୍‌ କରିଥିଲେ ?’

 

‘ହିଁ, କୌଣସି ଏକ ଜରୁରୀ କାମ ପାଇଁ ସେ ବାବୁଙ୍କୁ ସେଠାକୁ ଯିବାକୁ କହୁଥିଲେ । ସେ ନାହାନ୍ତି ବୋଲି ମୁଁ କହିବାରୁ ଆଉ ବାବୁଙ୍କୁ ପଛେ ଜଣାଇବା ଦରକାର ନାହିଁ ବୋଲି କହି ଟେଲିଫୋନ ଛାଡ଼ିଦେଇଥିଲେ ।’

 

‘ତା’ପରେ ସେ ଆଉ ଟେଲିଫୋନ କରି ନ ଥିଲେ କିମ୍ୱା ନିଜେ ଆସି ନ ଥିଲେ ?’

 

‘ମୁଁ ଜାଣେ ନାହିଁ । ବାବୁ ବାରଟା ବେଳେ ଏଠାକୁ ଆସିଥିଲେ ।’

 

ସୁପରଭାଇଜାରଙ୍କୁ କିଛି ସମୟ ନିରୀକ୍ଷଣ କରି ସେ କହିଲେ, ‘ବେଶ୍‌ ଆପଣ ଆସନ୍ତୁ । ଯେତେ ଶୀଘ୍ର ତାଙ୍କୁ ନେଇ ଫେରିପାରିବେ ସେତେ ମଙ୍ଗଳ ।’

 

ସୁପରଭାଇଜର ନମସ୍କାର ଜଣାଇ ସେଠାରୁ ଚାଲିଗଲା ପରେ ମି: ମହାନ୍ତି କହିଲେ, ‘ହତଭାଗ୍ୟ ବିଚରା, ଏଆଡ଼େ ନୂଆ ମାଇନିଙ୍ଗର ପରିକଳ୍ପନା କରୁ କରୁ ନିଜ ସ୍ତ୍ରୀର ମୃତ୍ୟୁ ସମ୍ୱାଦ ବି ପାଇପାରିଲେ ନାହିଁ ।

 

ମି: ମହାନ୍ତିଙ୍କ କଥାରେ ସମ୍ମତି ଜଣାଇଲେ ଶତ୍ରୁଜିତ । ହଠାତ୍‌ କ’ଣ ଭାବି କହିଲେ, ‘ତାଙ୍କର ଚାକର ରତନ କହୁଥିଲା, ଗତ କାଲି ରାତ୍ରିରେ ଏଇ ଟେଲିଫୋନ କୁଆଡ଼େ ଖରାପ ଥିଲା-।’

 

‘ବୋଧହୁଏ ଏପର୍ଯ୍ୟନ୍ତ ତାର ମେନ୍‍ ଟେନେନସ ହେଇନାହିଁ । କାରଣ ମୁଁ ଦୁଇଥର ଏଇ ନମ୍ୱରକୁ ରିଂ କରି ବିଫଳ ହେଇଛି ।’ ମି: ମହାନ୍ତି କଥା ଶେଷ କଲେ ।

 

ଶତ୍ରୁଜିତ ଦ୍ରୁତ ବେଗରେ କ’ଣ ଯେମିତି ଚିନ୍ତା କରୁଥିଲେ । ମି: ମହାନ୍ତି କଥା ଶେଷ କରିବା ସଙ୍ଗେ ସଙ୍ଗେ କହିଲେ, ‘ଫେରିବା ପୂର୍ବରୁ ଅନ୍ତତଃ ଥରେ ଟେଲିଫୋନ୍‌ ଚେକ୍‌ କରାଯିବା ଉଚିତ । ସ୍ୱାଭବିକ ଭାବରେ ଲାଇନ୍‌ ଖରାପ ହୋଇଛି ଅଥବା ବାଧ୍ୟତାମୂଳକ ଭାବେ ଖରାପ କରିଦିଆଯାଇଛି, ତାହା ଜଣା ପଡ଼ିଯିବ ।’

 

ଦୂରରେ ଛିଡ଼ା ହୋଇଥିବା ଦରଓ୍ୟାନକୁ ନିକଟକୁ ଡାକି ମି: ମହାନ୍ତି କହିଲେ, ‘କୋଉ ଘରେ ଟେଲିଫୋନ ରହିଛି ?’

 

‘ଟେଲିଫୋନ ?’

 

‘ହଁ, ଟେଲିଫୋନ ।’

 

ଦରଓ୍ୟାନ କୌଣସି ଉତ୍ତର ନ ଦେଇ କ୍ଷିପ୍ର ଭାବରେ ବାମପାର୍ଶ୍ୱକୁ ଲମ୍ୱିଯାଇଥିବା ଶ୍ରେଣୀବଦ୍ଧ କୋଠରି ଦିଗରେ ଅଗ୍ରସର ହେଲା । ଗୋଟିଏ ଦ୍ୱାର ପାଖରେ ଛିଡ଼ା ହୋଇ ଭିତରକୁ ଲକ୍ଷ୍ୟ କଲା । ତା’ପରେ ଫେରିଆସି କହିଲା, ‘ଟେଲିଫୋନ ବାବୁଙ୍କ ଶୋଇବାଘରେ ରହିଛି । ଆସନ୍ତୁ ଆଜ୍ଞା’

 

ଦରଓ୍ୟାନ ପଛେ ପଛେ ଉଭୟେ ପ୍ରାସାଦ ଭିତରେ କେତୋଟି କୋଠରି ଅତିକ୍ରମ କରି ଏକ ମଧ୍ୟମ ଧରଣର କୋଠରି ନିକଟରେ ଛିଡ଼ା ହେଲେ ।

 

ଦରଓ୍ୟାନର ଡାକରାରେ ଏକ ଉପବୀତଧାରୀ ବୃଦ୍ଧି ସେଠାକୁ ଆସୁ ଆସୁ ଏମାନଙ୍କୁ ଦେଖି ଚମକି ଛିଡ଼ା ହୋଥଗଲା ।

 

‘ସାହେବ ଫୋନ କରିବେ ।’ ତା’ପରେ ସେ ତା’ର ଡିଉଟି ସ୍ଥାନକୁ ଚାଲିଗଲା ।

 

‘ଫୋନ ଖରାପ ହେଇଯାଇଚି, ଆଜ୍ଞା ! ଦୁଇଥର ଖବର ଦେଲେ ବି କେହି ଆସିନାହାନ୍ତି-! ଭୀତଚକିତ ଗଳାରେ ଲୋକଟି ଉତ୍ତର ଦେଲା ।

 

ଠିକ୍‍ ହେଲାଣି କି ନାହିଁ ଏବେ ତମେ ଦେଖିଥିଲ ? ଶତ୍ରୁ ଜିତି ଟିକିଏ ଗମ୍ଭୀର ଭାବରେ କହିଲେ ।

 

ଶତ୍ରୁଜିତଙ୍କର ଏଇ ପ୍ରଶ୍ନରେ ସେ ଆହୁରି ଯେମିତି ଶଙ୍କିତ ହୋଇଉଠିଲା । ଇତସ୍ତତଃ କଣ୍ଠରେ କହିଲା, ‘ନାହିଁ ଆଜ୍ଞା, ଠିକ୍ ହେଇଥିଲେ ସେମାନେ ଜଣାଇଦେଇ ଥାଆନ୍ତେ.....ସେଥିପାଇଁ.....’

 

‘ମୁଁ କିନ୍ତୁ ଟେଲିଫୋନ୍ ଦେଖିବାକୁ ଚାହେଁ’

 

‘ଆଜ୍ଞା, ସେଇ ଭିତରେ ଟେବୁଲ ଉପରେ ଅଛି ।’

 

ସେ କଥା ଶେଷ କରିବା ପୂର୍ବରୁ ଶତ୍ରୁଜିତ ସେଇ କୋଠରି ଭିତରେ ପ୍ରବେଶ କଲେ । କୋଠରିଟି ଠିକ୍‍ ମିସେସ ପାତ୍ରଙ୍କର ବେଡ଼୍‌ରୁମ ଭଳି । ଏକାଭଳି ଚନ୍ଦନକାଠର ବମ୍ବେ ପେଟର୍ଣ୍ଣର ପଲଙ୍କ । ପଲଙ୍କର ଡାହାଣ ପାର୍ଶ୍ୱରେ ଟିକ୍‌ଉଡ଼୍‌ରେ ଟେବୁଲ ଉପରେ ଟେଲିଫୋନ । ଶତ୍ରୁଜିତି ଥରେ କୋଠରିର ଚତୁଃପାର୍ଶ୍ୱରୁ ଦୃଷ୍ଟି ଫେରାଇ ଟେଲିଫୋନ୍ ନିକଟକୁ ଯାଇଥିଲେ, କିନ୍ତୁ ବାହାରୁ କାହାର କ୍ଷିପ୍ର ପଦଶବ୍ଦ ଶୁଣି ସେ ଯେତେବେଳେ ପଛକୁ ଅନାଇଲେ ସେତେବେଳେ ଟେଲିଫୋନ ଲାଇନମ୍ୟାନକୁ ସେଇ କୋଠରି ଭିତରକୁ ଆସୁଥିବାର ଦେଖି ମନେ ମନେ ଆନନ୍ଦିତ ହେଇ ଉଠିଲେ ।

 

‘ଆରେ, ରଘୁ ! ଏ ଲାଇନକୁ ତମେ କ’ଣ ଟ୍ରାନ୍‌ସଫର ହେଇ ଆସିଲଣି ?’

 

ଶତ୍ରୁଜିତଙ୍କୁ ଦେଖିବା ସଙ୍ଗେ ସଙ୍ଗେ ନତମସ୍ତକରେ ନମସ୍କାର ଜଣାଇ ସେ କହିଲା, ‘ନାହିଁ ସାର୍ ଏଡିଆଡ଼ର ଲାଇନମ୍ୟାନ ନ ଥିବାରୁ ମୋତେ ବାଧ୍ୟ ହୋଇ ଏଠାକୁ ଆସିବାକୁ ପଡ଼ିଲା-। କିନ୍ତୁ ଆପଣ ସାର୍ ଏଠି.....

 

ରଘୁର କଥା ଶେଷ ହେବା ପୂର୍ବରୁ ଶତ୍ରୁଜିତଙ୍କର ତୀକ୍ଷ୍‌ଣ ଦୃଷ୍ଟି ବାହରୁ ଘୂରିଆସିଲା । ନା, ତାଙ୍କର ଅନୁମାନ ଠିକ୍ । ମି: ମହାନ୍ତି ସେଇ ଲୋକଟିକୁ ନେଇ ସେଠାରୁ ଚାଲିଯାଇଥିଲା । ସେଆଡ଼ୁ ଦୃଷ୍ଟି ଫେରାଇ ନିମ୍ନ କଣ୍ଠରେ ସେ କହିଲେ, ‘ଏବେ କ’ଣ ଏ ଟେଲିଫୋନ କାମ କରୁଛି ?’

 

‘ନା । ବୋଧହୁଏ ଏଇ ଭିତରେ କିମ୍ବା ଟେଲିଫୋନରେ କୋଉଠି କ’ଣ ଗୋଳମାଳ ହେଇଯାଇଛି । ଏକସଚେଞ୍ଜଠାରୁ ଏପର୍ଯ୍ୟନ୍ତ ମୁଁ ଲାଇନ ଚେକ କରି କରି ଆସୁଛି, କୋଉଠାରେ ବ୍ରେକ ନାହିଁ କିମ୍ବା ଆରଥିଙ୍ଗ୍ ଫଲ୍‌ଟ ବି ନାହିଁ । କିନ୍ତୁ ସାର୍ ଆପଣ....’

 

ତା ପିଠିରେ ହାତ ଥାପଡ଼ାଇ ଶତ୍ରୁଜିତି କହିଲେ, ‘ଭଲ ଭାବରେ ଟେଲିଫୋନ୍ ଚେକ୍ କର, ରଘୁ ! ମୁଁ ତମ ପାଖରୁ ଏତିକି ଜାଣିଲେ ସନ୍ତୁଷ୍ଟ ହେବି ଯେ ଇଚ୍ଛା କରି ଫଲ୍‌ଟ ସୃଷ୍ଟି କରାଯାଇଛି ଅଥବା....’

 

ଏଥର ରଘୁ ହସିଲା–‘ଏବେ ବୁଝିଲି, ସାର୍, ଆପଣ କାହିଁକି ଏଠିକି ଆସିଛନ୍ତି । ବେଶ୍, ଆପଣ ଦେଖନ୍ତୁ—‘ଏହା କହି ରଘୁ ବାହାରୁ ଭିତରକୁ ଆସିଥିବା ଟେଲିଫୋନ କନେକସନ ଚେକ କରି ପୁଣି ଟେବୁଲ ନିକଟକୁ ଚାଲିଗଲା । ଶତ୍ରୁଜିତଙ୍କ ଦୃଷ୍ଟି ମଧ୍ୟ ସେଇ ଦିଗରେ ଆକର୍ଷିତ ହୋଇଗଲା । ଆଉ ସେ ମଧ୍ୟ ଧୀର ପଦକ୍ଷେପରେ ସେଠାରୁ ଚାଲିଗଲେ । ଟେବୁଲ ଉପରେ କେତେଖଣ୍ତ ଇଂଲିଶ ମ୍ୟାଗାଜିନ । ତା ପାଖକୁ ଆସ୍‌ଟ୍ରେ । ଆସେଟ୍ରେ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ଅସମ୍ଭବ ଭାବରେ ଚମକି ଉଠିଲେ ଶତ୍ରୁଜିତ । ଟ୍ରେ ଭିତରେ ଦୁଇଖଣ୍ତ ଅର୍ଦ୍ଧଦଗ୍‌ଧ ଚୁରଟ । ସେହି ଦୁଇଟି ଭିତରୁ ବାହାର କରି ଆଣିବା ପରେ ପରେ ତାଙ୍କ ମୁଖମଣ୍ତଳରେ ଏକ ସୂକ୍ଷ୍ମ ହସ ଖେଳିଉଠିଲା ।

 

‘ସାର୍‍ !’ ଶତ୍ରୁଜିତଙ୍କୁ ଆହୁରି ବିସ୍ମିତ କରି କହିଲା ରଘୁର କଣ୍ଠସ୍ୱର । ଚୁରଟ ଉପରୁ ତାଙ୍କର ଦୃଷ୍ଟି ଯେତେବେଳେ ରଘୁ ଉପରେ ନିବଦ୍ଧ ହେଲା, ସେତେବେଳେ ସେ ଦେଖିଲେ, ରଘୁ ଟେଲିଫୋନ କ୍ରେଡ଼୍‌ଲଟିକୁ ଲେଉଟାଇ ଧରି ସେଥିପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରୁଛି ।

 

‘କଣ ହେଲା, ରଘୁ !’

 

Unknown

‘ଏଇ ଦେଖନ୍ତୁ ସାର୍ ! ଏହା ତଳେ ଚାରୋଟି ବୋଲଟ ରହିଛି । ସାଧାରଣତଃ ଯଦି ଏହା ଭିତରେ କୌଣସି ରିପେୟାରିଂ ଦରକାର ପଡ଼େ ତା’ହେଲେ ଏହା ଖୋଲିବାକୁ ହୁଏ । ଏଇ ଦେଖନ୍ତୁ ସାର୍, ଏଇ ବୋଲଟଗୁଡ଼ିକ କେମିତି ଢିଲା ରହିଛି ।’

 

ଶତ୍ରୁଜିତଙ୍କ ଚକ୍ଷୁ ଉଜ୍ଜ୍ୱଳ ହେଇଉଠିଲା । କଣ ଭାବି ସେ କହି ଉଠିଲେ, ‘ବେଶ୍, ଠିକ୍ ସେହିପରି ଭାବରେ ରଖିଦିଅ ରଘୁ, ନା....ନା.....ଠିକ ଯେମିତି ଓଲଟା ବାଗରେ ରହିଛି । ବେଶ୍ ଆଉ ତା ଦେହରେ ହାତ ଲଗାଅ ନାହିଁ । ବେଶ୍, ଟିକିଏ ଅପେକ୍ଷା କର, ମୁଁ ବାହାରୁ ଆସିଛି ।’ ରଘୁ ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ କ୍ଷିପ୍ର ବେଗରେ ବାହାରକୁ ଚାଲିଗଲେ । ଆଉ ଖୁବ୍ ଶୀଘ୍ର ନିଜର ବ୍ୟାଗ୍‌ଟି ଗାଡ଼ି ଭିତରୁ ନେଇ ଫେରି ଆସିଲେ ।

 

‘ବ୍ୟାଗ ଭିତରୁ କିଞ୍ଚିତ ପାଉଡ଼ର ନେଇ ଟେଲିଫୋନ କ୍ରେଡ଼୍‌ଲର ତଳ ପ୍ଲେଟ୍‍ ଉପରେ ବିଞ୍ଚିଦେଲେ । କେତେକ ମୁହୂର୍ତ୍ତ ତୀକ୍ଷ୍‌ଣ ଦୃଷ୍ଟିରେ ପ୍ଲେଟଟିକୁ ନିରୀକ୍ଷଣ କରି ସେ ପୁଣି ବ୍ୟାଗ ଭିତରୁ କେମେରାଟି ନେଇ କେତୋଟି ସଟ୍ ନେବାପରେ କହିଲେ, ‘ବେଶ୍, ତମେ ଏଥର ନିଃସଙ୍କୋଚରେ ଭିତରଟା ଦେଖ, ରଘୁ ! କ୍ଷିପ୍ର ବେଗରେ ତଳ ପ୍ଲେଟ୍‍ଟା ଖୋଲି ତା ଉପରୁ କଭରଟା ବାହାର କରିଦେଲା ରଘୁ । ଗଭୀର ଭାବରେ ଭିତରେ ନିରୀକ୍ଷଣ କରୁ କରୁ ଉତ୍ସାହିତ ହୋଇ କହିଲା, କେହି ଜଣେ ୟାକୁ ଖୋଲିଛି । ଆଉ ପଜେଟିଭ କନେକସନଟାକୁ ବାହାର କରିଦେଇଛି । ମୋର ମନେହୁଏ, ସେ ଏ ବିଷୟରେ କିଛି ଜାଣେ ନାହିଁ ।’

 

‘ମାନେ ?’

 

‘ଏଇ ଦେଖନ୍ତୁ, ନେଗେଟିଭରେ ଯେମିତି ନଟ୍ ଗୋଟିଏ ଲାଗିଛି ପଜେଟିଭରେ ଠିକ୍ ସେମିତି ଗୋଟାଏ ନଟ୍ ଲାଗିବାର କଥା, କିନ୍ତୁ ତାହା ନାହିଁ । ମୋର ମନେହୁଏ, କେହି ହୁଏତ ଖୁବ୍ ଚଞ୍ଚଳ ଭାବରେ ପଜେଟିଭ କନେକସନ ଡିସକନେକ୍‍ଟ କରୁ କରୁ ନଟ୍‌ଟି ଖସିପଡ଼ିଛି । ସେ କିନ୍ତୁ ସେଥିପ୍ରତି ନଜର ନ ଦେଇ ପୁନର୍ବାର ବନ୍ଦ କରିଦେଇଛି । ଏଥିପାଇଁ ଲାଇନ ରେସପଣ୍ତ କରୁନାହିଁ । ହେ ଭଗବାନ ! ଏ ନଅ ମାଇଲ ବାଟ ଟେଲିଫୋନ ତାରର ଜଏଣ୍ଟ ଚେକ କରି କରି ମୋର ଦଫା ଶେଷ ହୋଇଯାଇଛି । ମୁଁ ନିଶ୍ଚୟ ଏ ବିଷୟ ଉପରକୁ ରିପୋର୍ଟ କରିବି, ଆଜ୍ଞା !

 

ରଘୁର ଶେଷ କଥା ଯେମିତି ଶୁଣି ପାରି ନ ଥିଲେ ଶତ୍ରୁଜିତ । ଗଭୀର ଏକ ଚିନ୍ତା ତାଙ୍କୁ ଯେମିତି ଆଚ୍ଛନ୍ନ କରିଯାଇଥିଲା । କେତେକ ମୁହୂର୍ତ୍ତ ସେଇଭଳି ଭାବରେ ରହିବା ପରେ ସେ ହଠାତ୍ ଯେମିତି ସଚେତନ ହୋଇଉଠିଲେ । ତା’ପରେ ଅନୁଚ୍ଚ କଣ୍ଠରେ କହିଲେ, ‘ଦେଖ ରଘୁ, ଏକଥା ଯେମିତି ବର୍ତ୍ତମାନ ପାଇଁ ତମ ବ୍ୟତୀତ ଆଉ କେହି ଜାଣି ନ ପାରେ ।’

 

ବିସ୍ମିତ ଭାବରେ ତାଙ୍କୁ ରଘୁ ଅନାଇ ରହିଥିବାର ଦେଖି ସେ ପୁଣି କହିଲେ, ‘ମୋ କଥାର ଗୁରୁତ୍ୱ ତମେ ନିଶ୍ଚୟ ବୁଝିପାରୁଥିବ, ରଘୁ ! ତେଣୁ ମୋର ବିଶ୍ୱାସ, ମୋ କଥାରେ ତମେ ଅବାଧ୍ୟ ହେବ ନାହିଁ ।’

 

‘ମୋ ଉପରେ ବିଶ୍ୱାସ ରଖନ୍ତୁ, ଆଜ୍ଞା ! ଆପଣଙ୍କ ଭଳି ଲୋକର କଥା.....’ ସେଇ କୋଠରି ଭିତରକୁ ମି; ମହାନ୍ତିଙ୍କୁ ଆସୁଥିବାର ଦେଖି ନୀରବ ହୋଇଗଲା ରଘୁ ।

 

ମି; ମହାନ୍ତିଙ୍କୁ ଦେଖି ଉତ୍ସାହିତ ହୋଇପଡ଼ିଲେ ଶତ୍ରୁଜିତ । ତା’ପରେ ରଘୁ ଉପରେ ଦୃଷ୍ଟି ନିକ୍ଷେପ କରି କହିଲେ, ‘ସେଇ ନଟ୍‌ଟି ଖୋଜ, ରଘୁ ! ମୁଁ ଏଇ ସାଙ୍ଗେ ସାଙ୍ଗେ ପୁଣି ଆସୁଛି ।’ କଥା ଶେଷ କରିବା ମାତ୍ରେ କେମେରାଟି ବ୍ୟାଗ୍ ଭିତରେ ବନ୍ଦ କରି ବାହାରକୁ ଆସିଲେ ଶତ୍ରୁଜିତ ।

 

ସେଇ କୋଠରୀ ପାର ହେବା ମାତ୍ରେ ମି. ମହାନ୍ତି କହିଲେ, ତା’ହେଲେ ଏଠାରେ ବି ଆପଣ ବାଜି ମାତ କଲେ !

 

ଶତ୍ରୁଜିତ କିଛି କହିବା ପୂର୍ବରୁ ସେଇ ଲୋକଟି ସେ ଆଡ଼କୁ ଆସୁଥିବାର ଦେଖି ଇଙ୍ଗିତରେ ଶତ୍ରୁଜିତ ତାକୁ ପାଖକୁ ଡାକିଲେ ।

 

‘ତମର ନାମ କ’ଣ ?’

 

‘ଯୋଗୀ, ଆଜ୍ଞାଯୋଗୀ ମହାପାତ୍ର

 

‘ତୁମେ ଏଠାରେ କେତେଦିନ ହେବ ଅଛ ?’

 

‘୪।୫ ବର୍ଷ ହେଲାଣି, ହଜୁର !’

 

‘ତମ ବାବୁ କେବେ ଏଠାରୁ ଗଲେ ?’

 

‘କାଲି ସନ୍ଧ୍ୟା ପରଠାରୁ ।’

 

‘ଆଜି ଆଉ ସେ ଫେରିନାହାନ୍ତି ?’

 

‘ନା ଆଜ୍ଞା !’

 

‘ଆଜି ସକାଳଠାରୁ କିମ୍ବା ତମ ବାବୁ କାଲି ଏ ସ୍ଥାନ ଛାଡ଼ିବା ପରଠାରୁ କେହି ଏ ଘର ଭିତରକୁ ଆସିଥିଲେ ?’

 

‘ଆଜ୍ଞା ।’ ଇତସ୍ତତଃ ହୋଇଉଠିଲା ଯୋଗୀ ।

 

‘ଯୋଗୀ ! ମୁଁ ଯାହା ପଚାରିଛି, ତାର ଉତ୍ତର ଦିଅ !’

 

‘ଆଜ୍ଞା’ଯୋଗୀ ଯେମିତି ଏଇ ପ୍ରଶ୍ନର ଉତ୍ତର ଦେବାକୁ କୁଣ୍ଠିତ ହେଉଥିଲା ।

 

‘ଯୋଗୀ ! ଯଦି ଜେଲଖାନା ଦେଖିବାକୁ ଇଚ୍ଛା ନ ଥାଏ, ତା’ହେଲେ ବାବୁ ଯାହା ପଚାରୁଛନ୍ତି ତା’ର ଉତ୍ତର ଦେ ।’ ମି: ମହାନ୍ତି କହିଲେ ।

 

ଏଥର ଯୋଗୀର ମୁଖମଣ୍ତଳ ଯେମିତି ନିଷ୍ପ୍ରଭ ହୋଇ ଆସିଲା ।

 

‘ଯୋଗୀ !’ ଚଢ଼ାଗଳାରେ କହିଉଠିଲେ ଶତ୍ରୁଜିତ ।

 

‘କହୁଚି ଆଜ୍ଞା, କହୁଚି….ସୁବ୍ରତ ବାବୁ ଆସିଥିଲେ, ଆଜ୍ଞ !’

 

‘ସୁବ୍ରତ ?

 

‘ହିଁ ହଜୁର, ସୁବ୍ରତ । ସକାଳ ନଅଟା କି ଦଶଟାବେଳେ ସେ ଏଠାକୁ ଆସିଥିଲେ, ଆଉ ବାବୁଙ୍କୁ ଖୋଜିଥିଲେ ।’

 

‘ସେ କ’ଣ ଏଇ ଘର ଭିତରକୁ ଆସିଥିଲେ ?’

 

ଇତସ୍ତତଃ ହୋଇଉଠି ଯୋଗୀ କହିଲା, ‘ହିଁ ବାବୁ ! ସେ ଯାଇ ବାବୁଙ୍କ ଚେୟାରରେ ବସି କ’ଣ ସବୁ ଦେଖାଦେଖି କରୁଥିଲେ ।’

 

‘ମାନେ.....ଏଇ ଘର ଭିତରେ ଟେବୁଲ ପାଖରେ ଯୋଉ ଚେୟାର ପଡ଼ିଛି ?’

 

‘ହଁ’

 

‘ଯେକୌଣସି ଲୋକ ଏଇ ଘର ଭିତରକୁ ଆସିପାରନ୍ତି ?’

 

ଏଥର ଯୋଗୀର ମୁଖମଣ୍ତଳ ପୂର୍ବଠାରୁ ଆହୁରି ଶୁଭ୍ର ହୋଇଆସିଲା । କମ୍ପିତ କଣ୍ଠରେ ସେ କହିଲା, ‘ମୋର କିଛି ଦୋଷ ନାହିଁ, ବାବୁ ! ସେ ପୋଲିସର ଲୋକ ବୋଲି ମୋତେ କହିଥିଲା-। ଆଗରୁ ବି ମାଆ ଥିଲାବେଳେ ସେ ଦୁଇ ଥର ଏଇ ଘର ଭିତରକୁ ଆସିଥିଲେ ।’

 

ମି: ମହାନ୍ତିଙ୍କ ଚକ୍ଷୁ ଉଜ୍ଜ୍ୱଳ ହୋଇଆସିଲା । ସେ କହିଲେ, ‘ପୂର୍ବରୁ ତା’ହେଲେ ସେ ଦୁଇ ଥର ଆସିଥିଲେ ?’

 

‘ହିଁ.....’ ତା’ପରେ କ’ଣ ଭାବି କହିଲା ‘ହଁ, କାଲି ସନ୍ଧ୍ୟାରେ ବି ସେ ଏଠାକୁ ଆସି ମାଆଙ୍କୁ ଖୋଜୁଥିଲେ ।’

 

ପ୍ରଶଂସାସୂଚକ ଦୃଷ୍ଟିରେ ତାକୁ ଅନାଇ ଶତ୍ରୁଜିତ କହିଲେ, ‘ତମେ ବହୁତ ଉପକାର କଲା-।’ ତା’ପରେ ପକେଟରୁ ଦଶଟଙ୍କିଆ ନୋଟଟିଏ ବାହାର କରି ତାକୁ ଦେଉ ଦେଉ କହିଲେ, ‘ସେଇ ସୁବ୍ରତବାବୁ ଯଦି ପୁଣି ଏଠାକୁ ଆସନ୍ତି, ତାଙ୍କ ବିଷୟରେ ଆମେ ଏଇ କଥା ପଚାରିଥିଲୁ ବୋଲି କହିବ ନାହିଁ ।’

 

ଦଶଟଙ୍କିଆ ନୋଟ ଯେମିତି ତା ଉପରେ ଯେଥେଷ୍ଟ ପ୍ରଭାବ ବିସ୍ତାର କରିଥିଲା । ସେ କୃତକୃତ୍ୟ ହୋଇ କହିଲା, ‘ମୁଁ ଆପଣମାନଙ୍କ କଥା ଅନ୍ୟଥା କରିବି ନାହିଁ, ଆଜ୍ଞା !’

 

‘ପ୍ରଥମ ଦେଖାରୁ ଆମେ ଭାବିଥିଲୁଁ ତମେ ଖୁବ୍ ଭଲ ଲୋକ ।’ ତା’ପରେ ଟିକିଏ ରହିଯାଇ କହିଲେ, ‘ଘରେ ତମର ଆଉ ସବୁ କିଏ ଅଛନ୍ତି ?’

 

ସେ ଟିକିଏ ଲଜ୍ଜିତ ହୋଇ କହିଲା, ‘ଘରେ ଦି’ଟା ଛୋଟ ପୁଅ ଆଉ ଝିଅ । ବଡ଼ପୁଅ ଥିଲେ ଏ ବୟସରେ ମୁଁ ଏ ଗୋଲାମୀ କରି ନ ଥାନ୍ତି, ଆଜ୍ଞା !

 

‘ଜମିବାଡ଼ି କିଛି ଅଛି ?’

 

‘ଚାରିମାଣ ଥିଲା, ହଜୁର ! ହେଲେ ସେଇ ଜମିରେ କେସ୍ ଚାରିବର୍ଷ ହେଲା ତାରିଖ ଚାଲିଛି । କଚେରୀକୁ ଦୌଡ଼ି ଦୌଡ଼ି ମୁଁ ହୀନସ୍ତା ହେଇଗଲିଣି । କାଲି ପୁଣି ଗୋଟିଏ ତାରିଖ........ ଆପଣ ବଡ଼ ଉପକାର କଲେ, ବାବୁ !’

 

ଶତ୍ରୁଜିତ ପୁଣି ଖଣ୍ତିଏ ଦଶଟଙ୍କିଆ ନୋଟ ଦେଇ କହିଲେ, ‘ଏଇଥରେ କାଲିକାର କଚେରୀଖର୍ଚ୍ଚ ଚଳାଅ–ଆଉ ଯଦି ଦରକାର ପଡ଼େ ଏଇ ବାବୁଙ୍କୁ କହିବ ।’

 

ମି; ମହାନ୍ତି ହସିଲେ, ‘ମୋତେ ଭୟ କରିବାର ଦରକାର ନାହିଁ । ଆଚ୍ଛା, ଆମକୁ ଦୁଇକପ୍ ଚା’ ଦେଇପାରିବି ?’

 

‘ଆଣୁଚି, ବାବୁ !’ କଥା ଶେଷ ହେବା ପୂର୍ବରୁ ସେ ସେଠାରୁ ତଡ଼ିତ୍ ବେଗରେ ଚାଲିଗଲା-। ତା’ ଉପରୁ ଦୃଷ୍ଟି ଫେରାଇ ଆଣି ମି; ମହାନ୍ତି କହିଲେ, ‘ଲୋକଟା ଆପଣଙ୍କର ଭକ୍ତ ହୋଇଗଲାଣି-।’

 

ହାତଘଣ୍ଟା ଉପରୁ ଦୃଷ୍ଟି ଫେରାଇଆଣି ଶତ୍ରୁଜିତ କହିଲେ, ‘ମିସେସ୍ ପାତ୍ରଙ୍କର ହତ୍ୟାକାରୀ ଏଇଠାକୁ ଆସିଥିଲା ।’

 

‘ତା’ ହେଲେ ଏଇଠାରୁ ଟେଲିଫୋନ ଡିସ୍‍କନେକସନ କରାଯାଇଥିଲା ?’ ମି: ମହାନ୍ତି ପଚାରିଲେ ।

 

ହଠାତ୍ ରଘୁ ଆସି କହିଲା, ‘ହଁ ଆଜ୍ଞା ! ଏଥିରେ ମୋର ଆଉ ସନ୍ଦେହ ନାହିଁ । ପଜେଟିଭ କନେକସନ୍‍ର ବୋଲ୍ ଟାଇଟି ଓ୍ୱେଷ୍ଟ ପେପର ବାସକେଟ ଭିତରୁ ମୁଁ ପାଇଲି ।’

 

‘ରଘୁ !’ ଶତ୍ରୁଜିତ ଉତ୍ସାହର ସହିତ କହିଲେ ।

 

‘ହଁ, ଆଜ୍ଞା ! ସେ ତାହା ଖୋଲୁ ଖୋଲୁ ତା’ ଭିତରେ ବୋଧହୁଏ ପଡ଼ିଯାଇଛି, ଆଉ ଖୋଜି ଖୋଜି ଯେତେବେଳେ ପାଇନାହିଁ ସେତେବେଳେ ସେହିପରି ଭାବରେ ବନ୍ଦ କରି ଚାଲିଯାଇଛି ।’

 

‘ବହୁତ ଧନ୍ୟବାଦ, ରଘୁ ! ଏବେ ଲାଇନ କେମିତି ଅଛି ?

 

‘ଠିକ୍ ଅଛି, ଆଜ୍ଞା !’

 

‘ବେଶ୍ ତମେ ଯାଅ । ଯୋଉ ଘଟଣା ତମେ ଦେଖିଲ ତାହା ଯେମିତି ଭୁଲି ନ ଯାଅ । ହିଁ, କାଲି ସକାଳେ ମୋ ଘରକୁ ଟିକିଏ ଆସିବ ।’

 

‘ଆସିବି, ଆଜ୍ଞା !’ ରଘୁ ନମସ୍କାର ଜଣାଇ ଚାଲିଗଲା ।

 

‘ଏ ଘରକୁ ଆସନ୍ତୁ, ବାବୁ ! ମୁଁ ଟେବୁଲ ଉପରେ କଫି ରଖୁଚି ।’ ଟ୍ରେ ଭିତରେ ଦୁଇଟି କପ୍ ଧରି ସେଇ କୋଠରି ଭିତରକୁ ଯୋଗୀ ପ୍ରବେଶ କଲା ।’

 

‘ତା’ ପଛେ ଶତ୍ରୁଜିତ ଆଉ ମି: ମହାନ୍ତି ମଧ୍ୟ ଭିତରକୁ ଗଲେ । କଫି କପ୍‌ରେ ଓଷ୍ଠ ସଂଯୋଗ କରୁ କରୁ ଶତ୍ରୁଜିତ କହିଲେ, ‘ଏଠାରୁ ତମେ କେତେ ପଇସା ପାଅ ?’

 

‘ଖାଇ ପିଇ କୋଡ଼ିଏ ଟଙ୍କା, ଆଜ୍ଞା !’

 

‘ଆଉ କିଛି ?’

 

‘ବାବୁ ଥିଲେ ଅଧିକ ଆଉ ପାଞ୍ଚ ଦଶ ଟଙ୍କା ଦିଅନ୍ତି । ହେଲେ ମା ଗୋଟିଏ ନୂଆ ପଇସା ବି ଦିଅନ୍ତି ନାହିଁ ।’

 

ଶତ୍ରୁଜିତ ଖଣ୍ତିଏ ସିଗାରେଟରେ ନିଆଁ ଧରାଇ ଅପର ଖଣ୍ତକ ମି: ମହାନ୍ତିଙ୍କୁ ଦେଲେ । ତା’ପରେ କହିଲେ, ‘ତା’ହେଲେ ସୁବ୍ରତବାବୁ ଆଗରୁ ଦୁଇ ଥର ଏଠାକୁ ଆସିଥିଲେ ?’

 

‘ହଁ, ଆଜ୍ଞା !’

 

‘ସେଇ ଦୁଇଥରଯାକ ତମର ମାଆ ଏଇଠାରେ ଥିଲେ ?’

 

‘ହଁ ।’

 

‘କାଲି ଯେତେବେଳେ ଆସିଥିଲେ ସେତେବେଳେ ତମକୁ କିଛି କହୁଥିଲେ ?’

 

‘ନା ।’

 

‘ଆଉ ଆଜି ?’

 

‘ଏଠାକୁ କେହି ପୋଲିସବାଲା ଆସିଥିଲେ କି ନାହିଁ ପଚାରିଥିଲେ । ତା’ପରେ..... ହଁ.... ସେଇ ଲୋକର ନାମ କଣ ମନେ ପଡ଼ୁନାହିଁ ସେ କୁଆଡ଼େ ବଡ଼ ବଦମାସ । ଯାଦୁବିଦ୍ୟା କୁଆଡ଼େ ଜାଣିଛି ଇମିତି ପୋଲିସର ଲୋକଙ୍କୁ ବି ସେ ବୋକା ବନାଇ ଛାଡ଼ିଦିଏ....’

 

ମି: ମହାନ୍ତି ତଥା ଶତ୍ରୁଜିତ ତା’କଥାର ଅର୍ଥ ବୁଝି ନ ପାରି କହିଲେ, କ’ଣ ହେଲା ସେ ଲୋକ ?’

 

‘ସେ କହୁଥିଲେ, ସେ ଲୋକ ଏଠାକୁ ଆସି ନ ଥିଲେ ବି ନିଶ୍ଚୟ ଆସିବ । ଆଉ ମୁଁ ଯେମିତି ସେ ଯାହା ପଚାରିବ ଠିକ୍ ଠିକ୍ ନ କହେଁ’

 

‘କାହିଁକି ?’

 

‘ସେ କୁଆଡ଼େ ସବୁ ଜାଣିଶୁଣି ନିଜର ନାମ ନେବାପାଇଁ ମୋତେ ପୋଲିସରେ ଧରାଇଦେବ ।’

 

ତା କଥା ଶୁଣି ଶତ୍ରୁଜିତ ଜୋରରେ ହସିଉଠିଲେ, ‘ସେଇ ଲୋକଟିର ନାମ ଶତ୍ରୁଜିତ ନୁହେଁ ତ ?’

 

‘ଆଜ୍ଞା... ଆଜ୍ଞ...ସେ କହୁଥିଲେ, ସେଇ ନାମ ସମସ୍ତେ ଜାଣିଛନ୍ତି ।’

 

‘ତା’ହେଲେ ମୁଁ ଦେଖୁଛି ଏ ଘଟଣାରେ ତମେ ବହୁତ କିଛି ଜାଣିଛ ?’

 

‘ନା, ଆଜ୍ଞା !’

 

ଶତ୍ରୁଜିତ ତାକୁ କିଛିକ୍ଷଣ ଅନାଇ ରହିଲେ । ତ’ପରେ କହିଲେ, ‘ସୁବ୍ରତବାବୁ ତା’ହେଲେ ଆସି ଏଇ ଚେୟାରରେ ବସିଥିଲେ ?’

 

‘ହଁ, ଆଜ୍ଞା ! ମୋତେ ଟେଲିଫୋନ କଥା ପଚାରୁଥିଲେ । ଆଉ ସେଇଟା ଲେଉଟାଇ କଣ ଦେଖୁଥିଲେ ।’

 

‘ଟେଲିଫୋନ ଖୋଲିଥିଲେ ?’

 

‘ନା ।’ ତା’ପରେ କ’ଣ ଭାବି କହିଲା, ‘କେଜାଣି ହୁଏତ ଖୋଲିଥିବେ । ମୁଁ ଦିଆସିଲି ଆଣିବାକୁ ଯାଇଥିଲି । ଯଦି ସେତେବେଳେ ଖୋଲିଥାଆନ୍ତି ।’

 

‘ତା’ହେଲେ ଏଇ ଚରଟଗୁଡ଼ିକ ସେ ଟାଣିଥିଲେ ?’

 

‘ହଁ ।’

 

‘ତମ ବାବୁ ଆଉ ମାଆଙ୍କ ଭିତରେ କେବେ କେମିତି ପାଟିତୁଣ୍ତ ହୁଏ ?’

 

‘ନାହିଁ ଆଜ୍ଞା, ବାବୁ ମାଆଙ୍କୁ ଖୁବ୍ ଭଲ ପାଆନ୍ତି । ସେମାନଙ୍କ ଭିତରେ କେବେ କଳିଗୋଳ କି ମନ ଫଟାଫଟି ହେବାର ମୁଁ ଦେଖିନାହିଁ ।’

 

‘ତା’ହେଲେ କାଲି ସକାଳେ ତମ ବାବୁଙ୍କୁ ତାଙ୍କ ଆର ଘରକୁ ଯିବାପାଇଁ ମା ଟେଲିଫୋନ କରିଥିଲେ ?’

 

‘ସୁପରଭାଇଜରବାବୁ ସେଇକଥା କହୁଥିଲେ ।’

 

‘ସେତେବେଳକୁ ତମ ବାବୁ ବାହାରକୁ ଚାଲିଗଲେଣି ?’

 

‘ହଁ, ଆଜ୍ଞା ! ସେ ହୁଏତ ଡେରିରେ ଯାଇଥାଆନ୍ତେ; କିନ୍ତୁ କୋଉଠୁ ଗୋଟିଏ ଫୋନ୍ ପାଇ ସେ ଚାଲିଯାଇଥିଲେ ।’

 

‘ବହୁତ ଧନ୍ୟବାଦ । ତମ ଆମ ଭିତରେ ଏଇ କଥାବାର୍ତ୍ତା ଯେମିତି ଅନ୍ୟ କେହି ନ ଜାଣିନ୍ତି । ଏପରିକି ତମ ବାବୁ ମଧ୍ୟ ।’

 

‘ହଁ, ଆଜ୍ଞା !’

 

ଶତ୍ରୁଜିତ ଉଠିଲେ, ‘ଆସନ୍ତୁ ମି: ମହାନ୍ତି ! ଆଚ୍ଛା, ଆମେ ପୁଣି କେତେବେଳେ ଆସିବୁ । ଆମ କଥା ଯେମିତି ମନେ ରହେ ।’ ତା’ପରେ ନିଜର ଲେଦର ବ୍ୟାଗ୍‌ଟା ଉଠାଇ ସେ ବାହାରକୁ ବାହାରିଆସୁଥିଲେ । ପୁଣି କ’ଣ ଭାବି ସିଧା ଟେଲିଫୋନ ନିକଟକୁ ଯାଇ ରିସଭର ଉଠାଇଲେ । ତା’ପରେ ତାଙ୍କର ନିର୍ଦ୍ଦିଷ୍ଟ ନମ୍ବର ଜଣାଇ କିଛିକ୍ଷଣ ଛିଡ଼ା ହେଲେ ।

 

‘ହ୍ୟାଲୋ, ତନ୍ମୟ ! ମୁଁ ମି: ପାତ୍ରଙ୍କ ଘରୁ କହୁଛି । କ’ଣ କହିଲ, ଅମ୍ବରୀଶବାବୁ ଅପେକ୍ଷା କରି ରହିଛନ୍ତି ? ହଁ, ଆମେ ଏବେ ସେଇଠିକି ଯାଉଛୁଁ । ଛାୟା ଫେରିଲାଣି ? ଆଚ୍ଛା....ତେବେ ଅଧଘଣ୍ଟାଏ ପଇଁଚାଳଶି ମିନଟ ଭିତରେ । ଓ: କେ:’ ରିସିଭର ରଖି ଶତ୍ରୁଜିତ ମି: ମହାନ୍ତିଙ୍କ ସହିତ ବାହାରକୁ ଆସିଲେ ।

 

‘ଜୟନ୍ତୀ ତମେ ଶିକ୍ଷିତା, ବୁଦ୍ଧିମତୀ । ମୁଁ କହିବା ଅପେକ୍ଷା ତମେ ନିଶ୍ଚୟ ଜାଣିପାରୁଥିବେ ଯେ ଛାୟାର ଘରୁ ରହସ୍ୟଜନକ ଭାବରେ ଅନ୍ତର୍ଦ୍ଧାନ ହେଇଯିବା ପରେ ପରେ ସ୍ନେହଲତାର ମୃତ୍ୟୁ ସଂଘଟିତ ହେଇଚି । ଆଉ ତାଙ୍କର ପ୍ରାସାଦ ନିକଟରେ ସନ୍ଧ୍ୟା ସମୟରେ ତମେ ଘୂରିବୁଲୁଥିବାର ପୋଲିସ ନିର୍ଭର ଯୋଗ୍ୟ ସମ୍ବାଦ ପାଇଛି । ମନେ ତମକୁ ଫଲୋ କରି କରି ଯୋଉ ବ୍ୟକ୍ତିଜଣକ ହୋଟେଲ ପେଲେସରେ ପହଞ୍ଚିଥିଲା ସେ ରିପୋର୍ଟ ଦେଇଛି ଯେ ତମେ ନଅଟାଠାରୁ ସାଢ଼େ ଏଗାରଟା ପର୍ଯ୍ୟନ୍ତ ବାହାରେ ରହିଥିଲେ । ଆଉ ସ୍ନେହଲତାର ଭିତରେ ହିଁ ହେଇଛି ।’

 

‘ଶତ୍ରୁଜିତିବାବୁ !’ ଯୁଗଯୁଗର ପୁଞ୍ଜୀଭୂତ ଭୟ ଆଉ ଆଶଙ୍କାର ଛାୟା ଜୟନ୍ତୀର ଚକ୍ଷୁରେ ଏକାଥରେ ଯେମିତି ଫୁଟିଉଠୁଥିଲା ।

 

‘ବେଶ୍, ଏଇ ଯୋଉ ସମ୍ବାଦ ସେଇ ଗୁପ୍ତଚର ଜଣକ ଜଣାଇଛି ଏଥିରୁ ସହଜରେ ତମେ ବୁଝିପାରୁଥିବ ଯେ ତମେ ପୁଣି ଗୋଟିଏ ହତ୍ୟାକାଣ୍ତ ସହିତ ସଂପୃକ୍ତ ହେଇପଡ଼ିଚ ।’

 

‘ନା, ନା, ମି: ଶତ୍ରୁଜିତ ! ମୋତେମୋତେ ବିଶ୍ୱାସ କରନ୍ତୁ ।’

 

‘ମୁଁ ବିଶ୍ୱାସ କରୁଛି, ତମେ ସ୍ନେହକୁ ହତ୍ୟା କରିନାହିଁ । କିନ୍ତୁ ମୋ ବିଶ୍ୱାସ ଉପରେ ନିର୍ଭର କରି ପୋଲିସ ତମକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରିବ ନାହିଁ । କେବଳ ତମକୁ ନୁହେଁ ଜୟନ୍ତୀ, ପ୍ରମୋଦବାବୁଙ୍କୁ ବି ହତ୍ୟାକାରି ବୋଲି ଗିରଫ କରିବାପାଇଁ ପୋଲିସ ଖୋଜି ବୁଲୁଚି ।’

 

‘ଶତ୍ରୁଜିତ ବାବୁ ! ନାନା, ମୁଁ କିମ୍ବା ପ୍ରମୋଦ କେହି ତାଙ୍କୁ ଖୁଣ କରିନାହୁଁ । ମୁଁ ବରଂ ଫାଶୀଖୁଣ୍ଟରେ ଝୁଲିପାରେ, କିନ୍ତୁ ପ୍ରମୋଦଙ୍କୁ ବଞ୍ଚାନ୍ତୁ, ଶତ୍ରୁଜିତ ବାବୁ ! ତାଙ୍କର ମାନ ସମ୍ମାନ ମୋ ପାଇଁ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ ।’

 

ଶତ୍ରୁଜିତ ଗମ୍ଭୀରଭାବରେ ସିଗାରେଟର ଧୂଆଁ ଛାଡ଼ୁ ଛାଡ଼ୁ କହିଲେ, ‘ତମ ପ୍ରତି ପ୍ରମୋଦଙ୍କ ପ୍ରତି ମୋର ଯଥେଷ୍ଟ ସ୍ନେହ ଅଛି । ଆଉ ମୋର ହୃଦ୍‌ବୋଧ ହେଇଛି, ଅନନ୍ତ ଦାସ ଅଥବା ସ୍ନେହଲତାର ଅପମୃତ୍ୟୁ ତମମାନଙ୍କ ଦ୍ୱାରା ହେଇନାହିଁ । ଆଉ ତମେ ଯଦି ସେତେବଳେ ଛାୟାଘରୁ ପଳାଇ ଯାଇ ନ ଥାନ୍ତ ଏଇ ହତ୍ୟାକଣ୍ତ ସଂପର୍କରେ ସେ ତମମାନଙ୍କୁ କୌଣସି ମତେ ଅଭିଯୁକ୍ତ କରିପାରି ନ ଥାନ୍ତେ ।’

 

‘କିନ୍ତୁ ମୁଁ ନାଚର ହେଇପଡ଼ିଥିଲି ଶତ୍ରୁଜିତ ବାବୁ ! ଏଇ ଘଟଣାରୁ ପ୍ରମୋଦଙ୍କୁ ବଞ୍ଚାଇବାକୁ ମୁଁ

 

‘ଜାଣେ, ତମେ ଅମ୍ବରୀଶବାବୁଙ୍କ ପାଖକୁ ଯାଇଥିଳ । କିନ୍ତୁ ଜୟନ୍ତୀ, ଛାୟାର ଘରୁ ତମେ ପ୍ରମୋଦ ଅଥବା ଅମ୍ବରୀଶବାବୁଙ୍କୁ ଫୋନ କରି ନଥିଲ । ଯୋଉ ଭଦ୍ରବ୍ୟକ୍ତିଙ୍କ ଗାଡ଼ି ଯାଇ ଛାୟା ଘରୁ ତମକୁ ନେଇଆସିଥିଲା ସେଇ ଗାଡ଼ି କାହାର ?’

 

‘ଶତ୍ରୁଜିତବାବୁ ! ମୁଁ ମୁଁ

 

ତମେ ଯଦି ଏଇ କଥା ଗୋପନ ରଖ, ପ୍ରମୋଦ ଯେ କାହିଁକି ଏ ହତ୍ୟାକାଣ୍ଡ ସହିତ ସମ୍ପୃକ୍ତ ନୁହନ୍ତି, ମୁଁ କୋଉଭଳି ଭାବରେ ଦର୍ଶାଇପାରିବି ?

 

ଜୟନ୍ତୀର କଣ୍ଠ ଥରିଉଠିଲା । ସେ ଅନୁଚ୍ଚ କଣ୍ଠରେ କହିଲା, ‘ଯେତେବେଳେ ସେଇ ସାୟାନାଇଡ଼୍‍ର ବୋତଲ ପୋଲିସ ଲେବୋରେଟରୀରୁ ସିଜ କରିନେବା କଥା ମୁଁ ଶୁଣିଲି.....ମୋତେ ବିଶ୍ୱାସ କରନ୍ତୁ ଶତ୍ରୁଜିତ ବାବୁ....ମୋର ମୁଣ୍ତ ଯେ କ’ଣ ହୋଇଗଲା ମୁଁ ଜାଣିପାରିଲି ନାହିଁ । କେବଳ ନିର୍ଦ୍ଦୋଷ ପ୍ରମୋଦ ଯେ ଏ ଘଟଣା ଭିତରକୁ କେମିତି ନ ଆସିବେ, ଅଥବା ତାଙ୍କୁ କେମିତି ଉଦ୍ଧାର କରାଯାଇପାରିବ ଏ ବିଷୟରେ ଜଣେ ପୋଖତ ଆଇନଜୀବୀର ସାହାଯ୍ୟ ନେବା ଉଚିତ ବୋଲି ମୁଁ ଭାବିଲି । ଅମ୍ବରୀଶବାବୁଙ୍କୁ ମୁଁ ଦେଖିଥିଲି । ଆଉ ଶୁଣିଥିଲି, ଆଡ଼୍‌ଭୋକେଟ ଭାବରେ ତାଙ୍କର ଖୁବ୍ ସୁନାମ ରହିଛି । କିନ୍ତୁ ସେ ଯେ ଖୁବ୍ ଟଙ୍କା ଡିମାଣ୍ତ କରନ୍ତି ମୁଁ ତାହା ଜାଣିଥିଲି । ଏତେ ହଠାତ୍ ଯେ ମୁଁ କେମିତି ଟଙ୍କା ପାଇ ତାଙ୍କୁ ଏଥିରେ ନିଯୁକ୍ତ କରିପାରିବ ଭାବିପାରିଲି ନାହିଁ । ଏଠାରେ ମୋର କେହି ବନ୍ଧୁ ବାନ୍ଧବ ସାହସ ମୁଁ ହରାଇ ସାରିଥିଲି ।’

 

‘ତେଣୁ’

 

‘ମି: ପାତ୍ରଙ୍କୁ ମୁଁ ଜାଣିଥିଲି । ଆହୁରି ଜାଣିଥିଲି, ଅନ୍ୟମାନଙ୍କ ଭଳି ସେ ମୋତେ ଘୃଣା କରନ୍ତି ନାହିଁ । ବେଶ୍ ଶାନ୍ତ ଆଉ ଭଦ୍ର । ମୋର ହଠାତ୍ କାହିଁକି ମନେ ହେଲା, ତାଙ୍କୁ ଯଦି ମୁଁ କିଛି ଆର୍ଥିକ ସାହାଯ୍ୟ ମାଗେ, ବିଫଳ ହେବି ନାହିଁ । କିନ୍ତୁ ସେ ଯେ କୋଉଠି ଥିବେ ମୁଁ ସନ୍ଦେହରେ ପଡ଼ୁଥିଲି । ଯାହାହେଉ ଛାୟା ଘରେ ଥିବା ଟେଲିଫୋନ ଡାଇରେକ୍ଟରିରୁ ତାଙ୍କର ଫୋନ୍ ନମ୍ବର ସଂଗ୍ରହ କରିଥିଲି ।’

 

‘ତା ପରେ ?’

 

‘ପ୍ରଥମେ ତାଙ୍କ ଘରକୁ ମୁଁ ଫୋନ୍ କରିଥିଲି । କିନ୍ତୁ ସ୍ନେହ ଫୋନ୍ ଧରିବାକୁ ମୁଁ ଡିସକନେକ୍ଟ କରିଦେଲି । ଯାହାହେଉ ତାଙ୍କର ଅଫିସ ଟେଲିଫୋନ ସେ ରିସିଭ୍‍ କଲେ । ମୋର ଅନୁରୋଧ ରକ୍ଷା କରି ସେ ଗାଡ଼ି ନେଇ ସେଠାକୁ ଯାଇଥିଲେ ।’

 

‘ଓ ! ତା’ହେଲେ ତମେ ମି: ପାତ୍ରଙ୍କ ଗାଡ଼ିରେ ଯାଇଥିଲ ?’

 

‘ହଁ । ମୁଁ ତାଙ୍କୁ ଅପ୍ରତ୍ୟାଶିତ ଭାବରେ ପାଞ୍ଚହଜାର ଟଙ୍କା ମାଗୁଥିବାର ଦେଖି ସେ ବିସ୍ମିତ ହୋଇ କାରଣ ପଚାରିଲେ । ମୁଁ ଅଗତ୍ୟା ମିଥ୍ୟା ଦରକାରଟିଏ ଜଣାଇଲି । ସେ କିନ୍ତୁ କୌଣସି ପ୍ରତିବାଦ ନ କରି ମୋତେ ତାଙ୍କର ଅଫିସ ପାଖକୁ ଯିବାକୁ କହିଲେ ।’

 

‘ତାଙ୍କ ମାଇନିଙ୍ଗ ଅଫିସକୁ ତମେ ଯାଇଥିଲ ?’

 

‘ହଁ । ମୋତେ କାର ଭିତରେ ଛାଡ଼ି ସେ ଘରକୁ ସେ ଯାଇଥିଲେ; ଆଉ ପାଞ୍ଚହଜାର ଟଙ୍କା ନେଇଆସି ଦେଇଥିଲେ ।’

 

‘ସେଇଠୁ ପୁଣି ତାଙ୍କ ଗାଡ଼ିରେ ତମେ ଅମ୍ବରୀଶବାବୁଙ୍କ ଘରକୁ ଆସିଥିଲ ?’

 

‘ନା । ମୁଁ ଜାଣିଥିଲି, ପୋଲିସ ମୋତେ ନିଶ୍ଚୟ ଗିରଫ କରିବ । ତାଙ୍କ ସାଥିରେ ଯାଇ ତାଙ୍କ ଭଳି ଲୋକକୁ ଅପଦସ୍ତ କରିବା ଉଚିତ୍ ହେବ ନାହିଁ ବୋଲି ମୁଁ ଠିକ୍ ମେନ୍‌ରୋଡ଼ ଛକରେ ଓହ୍ଲାଇ ରିକ୍‌ସାରେ ସେଠାକୁ ଯାଇଥିଲି ।’

 

‘ଆଉ ସଂଧ୍ୟାବେଳେ ତମେ ମିସେସ ପାତ୍ରଙ୍କ ଘରକୁ ଯାଇଥିଲ ?’

 

‘ହଁ । କିନ୍ତୁ ସାଙ୍ଗେ ସାଙ୍ଗେ ଫେରିଆସିଥିଲି ।’

 

‘କାହିଁକି ?’

 

ଜୟନ୍ତୀ ହଠାତ୍ କିଛି କହି ନ ପାରି ନୀରବ ରହିଲା । ତା’ପରେ କହିଲା, ‘ମିଷ୍ଟର ପାତ୍ରଙ୍କ ପାଖରୁ ମୁଁ ପାଞ୍ଚହଜାର ଟଙ୍କା ନେଈଥିଲି । ଆଉ ସେହି ଟଙ୍କା ପାଇଁ ସବୁଦିନେ ତାଙ୍କ ନିକଟରେ ନତମସ୍ତକ ହେବା ମୁଁ ଠିକ୍‍ ବୋଲି ଭାବି ପାରୁ ନ ଥିଲି । ତେଣୁ ମୋର ମାଆଙ୍କ ନାମରେ ଥିବା ଏଠାରେ ଏକ ଜମି ସ୍ନେହଲତା ପାତ୍ରଙ୍କ ନାମରେ କରିଦେବି ବୋଲି ସ୍ଥିର କରିଥିଲି-।’

 

‘ସେ କଥା ତ ତମେ ମି: ପାତ୍ରଙ୍କୁ କହିପାରିଥାଆନ୍ତ ?’

 

‘ସେ କଥା ତାଙ୍କୁ କହିଥିଲେ ସେ ମୋ ଉପରେ ଗୋଟାଏ ଖରାପ ଧାରଣା ଆଣିଥାଆନ୍ତେ । କାରଣ ମୁଁ ଶୁଣିଥିଲି, ନିଜର ପ୍ରଗାଢ଼ ପରିଶ୍ରମ ଫଳରେ ସେ ବଡ଼ ହେବାକୁ ଚେଷ୍ଟା କରି ସଫଳ ହୋଇଥିଲେ । ନିଜର କର୍ମ ଉପରେ ତାଙ୍କର ଯଥେଷ୍ଟ ବିଶ୍ୱାସ । ସେଥିପାଇଁ ଅନ୍ୟାୟ ଭାବରେ ଅର୍ଥ ଉପାଜ୍ଜନ କରିବା ତାଙ୍କ ଚିନ୍ତାର ବାହାରେ । ଅଥବା ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ସେ କାହାରି କରୁଣ ଭିକ୍ଷା ଚାହାନ୍ତି ନାହିଁ । ଏଇ କାରଣ ପାଇଁ ମୁଁ ତାଙ୍କୁ କହି ନ ଥିଲି ।’

 

‘ମିସେସ ପାତ୍ର ଯେ ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ ତମଠାରୁ ସେଇ ଜମି ଏହା ତମେ ବିଶ୍ୱାସ କଲ କେମିତି ?’

 

ଜୟନ୍ତୀ ବୋଧହୁଏ ପ୍ରକୃତସ୍ଥ ହେବାକୁ ଚେଷ୍ଟା କରୁଥିଲା । ତା’ପରେ କହିଲା, ‘ସେଇ ଜମିଖଣ୍ତକ ଉପରେ ତାଙ୍କର ଲୋଭ ମୁଁ ଜାଣିଥିଲି । କାରଣ ଅନେକ ସମୟରେ ସେଇ ଜମିଖଣ୍ତକ ତାଙ୍କୁ ଦେବା ପାଇଁ ସେ କକାଙ୍କୁ ଅନୁରୋଧ କରୁଥିଲେ । ବାରମ୍ବାର କକା ତାଙ୍କୁ ନିରାଶ କରିଥିବା ମୁଁ ଜାଣିଥିଲି । ସେଇ ବିଶ୍ୱାସ ନେଇ ମୁଁ ତାଙ୍କ ପାଖକୁ ଯାଇଥିଲି । କିନ୍ତୁ ସେ ଘରେ ନ ଥିବାର ଜାଣି ମୁଁ ଫେରିଆସିଥିଲି ।’

 

‘ତା’ପରେ ତମେ ଆଉ ତାଙ୍କ ଘରକୁ ଯାଇନାହଁ ?’

 

‘ନା, ସମସ୍ତ ଘଟଣା ପ୍ରମୋଦଙ୍କୁ ଜଣାଇ ମୋର କୃତ କର୍ମ ପାଇଁ ତାଙ୍କ ପାଖରୁ କ୍ଷମା ମାଗିବାକୁ ସ୍ଥିର କରିଥିଲି । ସେଇଥିପାଇଁ ହୋଟେଲ ପେଲେସକୁ ମୁଁ ଯାଇ ଗୋଟିଏ ରୁମ ରିଜର୍ଭ କରି ଆସିଥିଲି । ମିସେସ ପାତ୍ରଙ୍କ ଘରୁ ଫେରିବା ପରେ ପ୍ରମୋଦଙ୍କ ପାଖକୁ ଯାଇଥିଲି । ମୋତେ ଦେଖି ବିସ୍ମିତ ହେଇଥିଲେ । କିନ୍ତୁ ମୋର ଅନୁରୋଧ ସେ ଉପେକ୍ଷା କଲେ ନାହିଁ । କିଛି ଦିନ ଛୁଟି ନେଇ ମୋ ସହିତ ହୋଟେଲ ପେଲେସକୁ ଆସିଲେ ।’

 

‘ପ୍ରମୋଦଙ୍କୁ ତମେ କୋଉଠି ଭେଟିଲ ?’

 

‘ତାଙ୍କ ଲେବୋରଟେରୀରେ । ସଂଧ୍ୟା ସାତଟାରୁ ସାଢ଼େ ଦଶଟା ପର୍ଯନ୍ତ ମୁଁ ତାଙ୍କ କମନରୁମରେ ବସିଥିଲି । ସେଇଠାରୁ ତାଙ୍କ ଗାଡ଼ିରେ ସିଧା ହୋଟେଲ ପେଲେସକୁ ଆସିଥିଲୁଁ ।’

 

ଜୟନ୍ତୀର କଥାରେ ଦୀର୍ଘ ନିଶ୍ୱାସ ଛାଡ଼ିଲେ ଶତ୍ରୁଜିତ । ତା’ପରେ ଗମ୍ଭୀର ଭାବରେ କହିଲେ, ‘ମୁଁ ତମ କଥା ବିଶ୍ୱାସ କରୁଛି, ଜୟନ୍ତୀ; ତମେ ଯଦି ମୋ ପାଖରେ ପୂରାପୂରି ଫ୍ରି ହେଇପାରନ୍ତି, ଅର୍ଥାତ କୌଣସି କଥା ଗୋପନ ନ ରଖି ସମସ୍ତ ତଥ୍ୟ ପ୍ରକାଶ କରନ୍ତି, ତା’ହେଲେ ମୁଁ ତମକୁ ତଥା ପ୍ରମୋଦଙ୍କୁ ମୁଁ କଳଙ୍କ ମୁକ୍ତ କରିପାରନ୍ତି ଯେ ଏଇ ଉଭୟ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରନ୍ତି ।’

 

‘ମୁଁ ଆପଣଙ୍କ ନିକଟରେ କୌଣସି ତଥ୍ୟ ଗୋପନ ରଖିନାହିଁ, ଶତ୍ରୁଜିତବାବୁ ।’

 

ଶତ୍ରୁଜିତ ହସିଲେ, ‘ମୁଁ ତମ ସହିତ ସାକ୍ଷାତ କରିବା ପାଇଁ ବହୁତ କଷ୍ଟରେ ଅନୁମତି ପାଇଛି, ଜୟନ୍ତୀ ! ଆଉ ଆମ କଥାବର୍ତ୍ତାର ନିଦ୍ଧାର୍ଯ୍ୟ ସମୟ ଖୁବ୍ ଅଳ୍ପ । ତେଣୁ ମୁଁ ଶେଷଥର ପାଇଁ ଗୋଟିଏ ଅନୁରୋଧ କରିବି’

 

‘ଅନୁରୋଧ ?’ ଜୟନ୍ତୀର ଚକ୍ଷୁରେ ଲୋତକ ଦେଖା ଦେଇଥିଲା ।

 

‘ହଁ, ଜୟନ୍ତୀ ! ମୁଁ ଜାଣିବାକୁ ଚାହେଁ ତମ ମାଆ ତମ ପାଖକୁ ଯୋଉ ଚିଠି ଲେଖିଥିଲେ ସେଥିରେ କଅଣ ଥିଲା ?’

 

‘ଶତ୍ରୁଜିତ ବାବୁ !’

 

ଜୟନ୍ତୀ, ସ୍ନେହଲତା ତମ ବିରୁଦ୍ଧରେ ଅନେକ ତଥ୍ୟ ପୋଲିସକୁ ଦେଇଛି । ଆହୁରି ମଧ୍ୟ ସେ ଜଣାଇଛି ଯେ ଅନନ୍ତ ଦାସଙ୍କ ସହିତ ତମର କୌଣସି ସଂପର୍କ ନାହିଁ । କେବଳ ତାଙ୍କର ଅତୀତର ଏକ ଦୃଷ୍କୃତିକୁ ସୂତ୍ରଧରି ତମେ ତାଙ୍କୁ ବ୍ଲାକ୍‌ମେଲ୍ କରିବାକୁ ଆସିଥିଲ ଆଉ କୁଆଡ଼େ ତମର ଅସଲ ତଥ୍ୟ ପ୍ରକାଶିତ ହେଇଯିବ, ସେଥିପାଇଁ ତମେ ତାଙ୍କୁ ହତ୍ୟା କରି

 

‘ନା.....ନା.....ମି ! ଶତ୍ରୁଜିତ...ଓଃ....

 

‘କେବଳ ତାଙ୍କୁ ନୁହେଁ । ତା’ପରେ ପରେ ତମେ ପ୍ରମୋଦଙ୍କୁ ଗ୍ରାସ କରିବାକୁ ବସିଛ । ସେ ହେଉଛିନ୍ତି ତମ ବ୍ଲାକମେଲ ଅଭିଯାନର ଦ୍ୱିତୀୟ ନମ୍ବର ବ୍ୟକ୍ତି

 

‘ଓଃ.....ବନ୍ଦ କରନ୍ତୁ....ମି: ଶତ୍ରୁଜିତ, ବନ୍ଦ କରନ୍ତୁ ! ମୁଁ କାହାରିକୁ ବ୍ଲାକମେଲ କରିବାକୁ ଆସିନାହିଁ କିମ୍ବା ମୋର ସେମିତି କୌଣସି ଉଦ୍ଦେଶ୍ୟ ନ ଥିଲା । ମୋ ମାଆଙ୍କୁ ଯେଉଁପରି ଭାବରେ ସେମାନେ ପ୍ରତାରିତ କରିଥିଲେ, ତାଙ୍କର ଜୀବନ ନେଇ ଯୋଉ ଭୟଙ୍କର ଷଡ଼ଯନ୍ତ୍ର ସେମାନେ ରଚନା କରିଥିଲେ ତା’ର ପ୍ରତିଶୋଧ ଯଦି ମୋର ନେବାର ଥାଆନ୍ତା ତା ହେଲେ ମୁଁ ବହୁତ ଦିନ ଆଗରୁ ନେଇସାରି ଥାଆନ୍ତି । କିନ୍ତୁ.....କିନ୍ତୁ....’

 

‘ନିଃସଙ୍କୋଚ ଭାବରେ ତମେ କହିପାର, ଜୟନ୍ତୀ ! ମୁଁ ତମର ବନ୍ଧୁ ଭାବରେ ତମକୁ ସାହାଯ୍ୟ କରି ଚାଲିଛି । କେବଳ ମୁଁ ନୁହେଁ, ଡ: ମିଶ୍ର ଆଡ଼୍‌ଭୋକେଟ ଅଶ୍ୱରୀଶବାବୁ, ସହକାରୀ ଡ:ତନ୍ମୟ ଆଉ ଛାୟା–ଏମାନେ କେବଳ ତମକୁ ଏଇ ଦୁର୍ନାମରୁ ବଞ୍ଚାଇବାପାଇଁ ଅକ୍ଲାନ୍ତ ପରିଶ୍ରମ କରି ଚାଲିଛନ୍ତି ।’

 

‘କିନ୍ତୁ ମି: ଶତ୍ରୁଜିତ, ମୁଁ ଯେ ଅନନ୍ତ ଦାସଙ୍କକୁ ହତ୍ୟା କରିଛି ଏଥିରେ ତ ସନ୍ଦେହ ନାହିଁ..... ।

 

‘ନିଶ୍ଚୟ, ଅନନ୍ତ ଦାସଙ୍କୁ ତମେ ହତ୍ୟା କରିନାହଁ’ ।

 

‘ମି: ଶତ୍ରୁଜିତ !’

 

‘ସ୍ନେହ ତମ ବେଡ଼୍‌ରୁମ୍‌ରୁ ସେଇ ଟାବଲେଟ୍ ଆବିଷ୍କାର କରିନେଇଥିଲା । ସେଇଥିପାଇଁ ଏତେ ଚଞ୍ଚଳ ତମେ ସେଇ ବୋତଲ ପାଇ ପାରି ନ ଥିଲ । ଅବଶ୍ୟ ତାର ଉଦ୍ଦେଶ୍ୟ ନ ଥିଲା ତାଙ୍କୁ ହତ୍ୟା କରି ସେଇ ଦୋଷ ତମ ମୁଣ୍ତ ଉପରେ ଦେବ ବୋଲି । ତେଣୁ ତମର ଅଲକ୍ଷ୍ୟରେ ସେଇ ମିଶ୍ରିପାଣି ଦେହରେ ଟେବଲେଟ୍ ଗୋଟାଏ ପକାଇଦେଇ ମିଶ୍ରି ଥିବା ବୋତଲଟିକୁ ତମେ ପୂର୍ବରୁ ରଖିଥିବା ସାୟାନାଇଡ଼୍ ବୋତଲ ସ୍ଥାନରେ ରଖି ଦେଇଥିଲ । ଆଉ ସାୟାନାଇଡ଼୍ ବୋତଲ ପାଣିରେ ପକାଇ ଦେଇଥିଲା.....’

 

‘ଓଃ, ମି: ଶତ୍ରୁଜିତ !’ ଯେମିତି ଆନନ୍ଦର ଲକ୍ଷଣ ତାର ମୁଖମଣ୍ତଳରେ ଫୁଟିଉଠିଲା ।

 

‘କିନ୍ତୁ ଏଇ ଗୋଟିଏ ସଦ୍ଧାନ୍ତ ନେଇ ସ୍ନେହଲତାର ହତ୍ୟା ଅପରାଧୀକୁ ମୁଁ ଆବିଷ୍କାର କରିପାରୁନାହିଁ ଅଥବା ତମକୁ ସେଥିରୁ କୌଣସିମତେ ମୁକ୍ତ କରିପାରୁନାହିଁ ।’

 

ପୁଣି ଥରେ ଅମବାସ୍ୟାର କଳା ଅନ୍ଧାର ଯେମିତି ଜୟନ୍ତୀର ମୁଖମଣ୍ତଳକୁ ଗ୍ରାସ କରିଗଲା ।’

 

‘ତାର ଏକମାତ୍ର କାରଣ, ତମେ ଯେ ଜଣେ ବ୍ଲାକମେଲର ନୁହଁ ଏହା ପ୍ରମାର କରିବାପାଇଁ ମୋ ନିକଟରେ କୌଣସି ତଥ୍ୟ ନାହିଁ ।’ ଶତ୍ରୁଜିତ ଏତକ କହି ପୁଣି ଖଣ୍ତିଏ ସିଗାରେଟରେ ଅଗ୍ନି ସଂଯୋଗ କଲେ ।

 

ଜୟନ୍ତୀ ଯେମିତି ଗଭୀର ଦ୍ୱନ୍ଦ୍ୱ ଭିତରେ ଘୂରିବୁଲୁଥିଲା ।

 

ତାକୁ ବେଶି ଭାବିବାକୁ ଅବସର ନ ଦେଇ ଶତ୍ରୁଜିତ କହିଲା, ‘ମୁଁ ଜାଣିପାରିଛି ତମ ମାଆ ତମ ପାଖକୁ ଗୋଟିଏ ସିଲଡ଼୍ କଭର ସେଇ ଆଶ୍ରମର ପରିଚାଳିକାଙ୍କ ମାର୍ଫତରେ ଛାଡ଼ିଯାଇଥିଲେ । ମୁଁ ଜାଣିବାକୁ ଚାହେଁ ସେଇ ଚିଠିରେ କଣ ଲେଖା ଥିଲା ?’

 

‘ମି: ଶତ୍ରୁଜିତ ! ସଂପୂର୍ଣ୍ଣ ଅପରିଚିତ ହୋଇ ମୋତେ ଆପଣ ଯୋଉ ସାହାଯ୍ୟ ସହାନୁଭୁତି ଦେଖାଉଛନ୍ତି, ତାର ଋଣ ମୁଁ ଜୀବନରେ କେବେ ଶୁଝିପାରିବି ନାହିଁ । କିନ୍ତୁ.....କିନ୍ତୁ ମି: ଶତ୍ରୁଜିତ ସେଇ ଚିଠିରେ ମାଆ ମୋତେ ଅତି ବିନୀତ ଭାବରେ ଅନୁରୋଧ କରିଯାଇଛନ୍ତି, ଯେକୌଣସି ପରିସ୍ଥିତି ଆଉ ପରିବେଶରେ ପଡ଼ିଲେ ବି ମୁଁ ଯେମିତି ସେଇ ଅପ୍ରିୟ ସତ୍ୟ ପ୍ରକାଶ ନ କରେ । ଆଉ ଏଇ ବିଷୟ ଜାଣି ଯେମିତି କାହାରି ପ୍ରତି ପ୍ରତିଶୋଧପରାୟଣ ହୋଇ ନ ପଡ଼େ ।’

 

ଶତ୍ରୁଜିତ କ୍ଷଣେକାଳ ଜୟନ୍ତୀର ଅସହାୟ ମୁଖମଣ୍ଡଳ ଉପରେ ଦୃଷ୍ଟିପାତ କଲେ । ତା’ପରେ କହିଲେ, ‘ଅବଶ୍ୟ ତମ କଥାର ଗୁରୁତ୍ୱ ମୁଁ ବୁଝୁଛି । କିନ୍ତୁ ଏଇ ଯୋଉ ପରିସ୍ଥିତିରେ ତମେ ପ୍ରମୋଦଙ୍କୁ ପକାଇଦେଇଛ, ତାଙ୍କ ପ୍ରତିତ ତମର କର୍ତ୍ତବ୍ୟ ରହିଚି । ସେ ପାଖରେ ମାଆ ଆଉ ଏ ପାଖରେ ତମର ପ୍ରିୟତମ....’

 

‘ଶତ୍ରୁଜିତ ବାବୁ !’

 

‘ମୁଁ ତମକୁ କଥା ଦେଉଛି ଜୟନ୍ତୀ, ଯଦି ବିଶେଷ ଦରକାର ନ ପଡ଼େ ତା’ହେଲେ ତମର ଏଇ କଥା ମୁଁ ବାହାରେ କେବେ ପ୍ରକାଶ କରିବି ନାହିଁ ।’

 

ଜୟନ୍ତୀ ବିଶେଷ ଭାବରେ ଗମ୍ଭୀର ହୋଇଉଠିଲା । ବୋଧହୁଏ ସେ ତାହା ପ୍ରକାଶ କରିବ କି ନାହିଁ ଏଇ ବିଷୟରେ ଚିନ୍ତା କରୁଥିଲା ।

 

ଶତ୍ରୁଜିତ ତାକୁ ଭାବିବାକୁ ଛାଡ଼ିଦେଇ ନୀରବରେ ସିଗାରେଟ ଟାଣିବାରେ ଲାଗିଲେ । ଅବଶେଷରେ ଜୟନ୍ତୀ କହିଲା, ‘ମୁଁ ଆଜି ଜୀବନରେ ପ୍ରଥମଥର ପାଇଁ ମୋର ମାଆଙ୍କର ଅନୁରୋଧ ଭାଙ୍ଗିବାକୁ ଯାଉଛି, ମି: ଶତ୍ରୁଜିତ !’

 

ଶତ୍ରୁଜିତ ଲକ୍ଷ୍ୟ କଲେ, ଏଇକଥା କହିବା ମାତ୍ରେ ଜୟନ୍ତୀ ଯେମିତି ଗଭୀର ଯନ୍ତ୍ରଣା ଅନୁଭବ କରୁଥିଲା । ଚକ୍ଷୁ ଦୁଇଟି ତା’ର ମୁଦ୍ରିତ ହୋଇଆସିଲା । କେତେକ ସମୟ ପରେ ସେ କହିଲା, ଏଇ କଥାଟି ମୋ ଜୀବନରେ ଏକାନ୍ତ ଗୋପନୀୟ ।’

 

‘ଜୟନ୍ତୀ !’ ତାକୁ ଉତ୍ସାହିତ କରିବାପାଇଁ ମଧୁର କଣ୍ଠରେ ସେ କହିଉଠିଲେ

 

ଜୟନ୍ତୀ ନିଜର ମୁଖ ଅବନତ କରି କହିଲା, ‘ଆପଣ ନିଶ୍ଚୟ ଏହା ପୂର୍ବରୁ ଅମ୍ୱରୀଶବାବୁ ଅଥବା ବନମାଳୀକୁ ଦେଖା କରିଛନ୍ତି । ମୋର ମାଆଙ୍କ ବିଷୟରେ କେତେକ ତଥ୍ୟ ସଂଗ୍ରହ କରିସାରିଛନ୍ତି । ତାହା ନ ହେଲେ ମୋ ପାଖରେ ଥିବା ସେଇ ଚିଠିଖଣ୍ଡିକ ବିଷୟରେ ଆପଣ କେବେ ଜାଣି ପାରି ନ ଥାନ୍ତେ ।’ କିନ୍ତୁ ସେମାନେ ଯୋଉ କଥା ଭୁଲରେ ସୁଦ୍ଧା ଜାଣିପାରି ନ ଥିଲେ ସେଇ କଥା ମୁଁ ଆପଣଙ୍କୁ କହୁଛି, ଅର୍ଥାତ୍‌ ମୋର ଜନ୍ମଦାତା ବିଷୟରେ ।

 

ଏତକ କହି ବେଶ୍‌ କିଛି ସମୟ ନୀରବ ହେଇଗଲା ଜୟନ୍ତୀ । ତାପରେ ଭଗ୍ନକଣ୍ଠରେ କହିଲା, ‘ଏଭଳି ଷଡ଼ଯନ୍ତ୍ରକାରୀ ପାପାତ୍ମାକୁ ମୁଁ ପିତା ବୋଲି ପରିଚୟ ଦେବାକୁ ମଧ୍ୟ ଘୃଣା କରେ

 

ମି: ଶତ୍ରୁଜିତ ! ଏପରିକି ଏଇ କଥା ତାଙ୍କ ଜୀବିତାବସ୍ଥାରେ ମଧ୍ୟ ତାଙ୍କୁ ଜାଣିବାର ସୁଯୋଗ ମୁଁ ଦେଇ ନ ଥିଲି ।’

 

‘ମାନେ, ଅନନ୍ତ ଦାସ ତମର ପିତା ?’

 

‘ହଁ । କିନ୍ତୁ ତା ଭଳି ଏକ କାମୁକ ପିଶାଚକୁ ବାପା ବୋଲି ଗ୍ରହଣ ନ କରିବାକୁ ମାଆ ମୋତେ ନିର୍ଦ୍ଦେଶ ଦେଇଯାଇଥିଲେ ।’

 

‘ମାନେ ?’

 

‘ଆପଣ ମାଆଙ୍କ ଜୀବନର ସେଇ ଦାରୁଣ ବିପର୍ଯ୍ୟୟର କାହାଣୀ ଶୁଣିନାହାନ୍ତି । ଅବଶ୍ୟ ମୋ ଜୀବନରେ ତାଙ୍କର ଜୀବନକାହାଣୀ ଏକ ଶିକ୍ଷାର ପ୍ରଦୀପ ହେବ ବୋଲି ସେ ନିଃସଙ୍କୋଚ ଭାବରେ ବର୍ଣ୍ଣନା କରିଯାଇଛନ୍ତି । ମାଆ ବିକ୍ରମ ଦାସ ଅର୍ଥାତ୍‌ ପ୍ରମୋଦଙ୍କର ବାପାଙ୍କୁ ଖୁବ୍‌ ଭଲ ପାଉଥିଲେ । କିନ୍ତୁ ତାଙ୍କୁ ବଳାତ୍କର କରି ଏକ ପାର୍ବତ୍ୟ ଗୁହାରେ ଲୁଚାଇ ରଖି ଅନନ୍ତ ଦାସ ପାଶବିକ ଅତ୍ୟାଚାର କରିଥିଲେ । ସେହି ଅବସ୍ଥାରେ ତାଙ୍କୁ ଅନନ୍ତ ଦାସ କହୁଥିଲେ ଯେ ସେ ଯଦି ତାଙ୍କୁ ଅର୍ଥାତ୍‌ ଅନନ୍ତ ଦାସଙ୍କୁ ବିବାହ କରିବାକୁ ରାଜି ହୁଅନ୍ତୁ, ତା’ହେଲେ ବିକ୍ରମଙ୍କର ସମସ୍ତ ସମ୍ପତ୍ତି ନେଇ ଆସିବାକୁ ତାଙ୍କୁ ବେଶୀ ସମୟ ଲାଗିବ ନାହିଁ । ଆଉ ଉଭୟେ ଏଇ ମାଇନିଂ ଏରିଆର ସ୍ୱତ୍ୱ ପାଇପାରିବେ । ମାଆ କିନ୍ତୁ ଶେଷ ସୁଦ୍ଧା ରାଜି ହୋଇ ନଥିଲେ । ଇତ୍ୟବସରରେ ବିକ୍ରମ ଦାସଙ୍କ ଲୋକମାନେ ମାଆଙ୍କୁ ଉଦ୍ଧାର କରିନେଇଥିଲେ । ମାଆ କିନ୍ତୁ ନିଜର କଳଙ୍କିତ ମୁଖ ଆଉ ତାଙ୍କୁ ଦେଖାଇବାକୁ ଇଚ୍ଛା କରି ନ ଥିଲେ । ଏପରି କି ନିଜର କଳଙ୍କିତ ଜୀବନ ବିସର୍ଜ୍ଜନ କରିଦେବାକୁ ସେ ସ୍ଥିର କରିସାରିଥିଲେ । ଏଇ ଅବସରରେ ବିକ୍ରମ ଦାସଙ୍କର ଆକସ୍ମିକ ମୃତ୍ୟୁ ହେଲା । ଆଉ ତାହା ଯେ ଅନନ୍ତଦାସଙ୍କର ଷଡ଼ଯନ୍ତ୍ର ଫଳରେ, ଏକଥା ମଧ୍ୟ ସେ ସ୍ୱୀକାର କରିଯାଇଛନ୍ତି ।’

 

‘ତା’ହେଲେ ଅନନ୍ତ ଦାସ ବିକ୍ରମ ଦାସଙ୍କୁ ହତ୍ୟା କରିଥିଲେ ?’

 

‘ହଁ, ଆପଣ ମଧ୍ୟ ମାଆଙ୍କର ଚିଠି ପଢ଼ିଲେ ଏହା ପରିଷ୍କାର ଭାବରେ ବୁଝିପାରିବେ । ମାଆ କିନ୍ତୁ ଏକଥା ଜାଣିବି କୌଣସି ପ୍ରତିକାର କରିପାରି ନଥିଲେ । ଠିକ୍‌ ଏହି ସମୟରେ ଅନନ୍ତ ଦାସ ମାଆଙ୍କ ପାଖକୁ ଗୋଟାଏ ଚିଠି ଦେଇଥିଲେ, ଯୋଉଥିରେ ମଧ୍ୟ ସେ ଲେଖିଥିଲେ ସେଇ ଚିଠି ପାଇବାର ଦୁଇଦିନ ଭିତରେ ସେ ଯଦି ତାଙ୍କୁ ବିବାହ କରିବାକୁ ସମ୍ମତି ନ ଦିଅନ୍ତି ତା’ ହେଲେ ଶେଷ ଫଳ ଭଲ ହେବ ନାହିଁ । ଅର୍ଥାତ୍‌ ବିକ୍ରମ ଦାସଙ୍କ ପରି ତାଙ୍କୁ ମଧ୍ୟ ଏ ଦୁନିଆରୁ ଦୂରେଇଯିବାକୁ ପଡ଼ିବ । ସେଇ ଚିଠି ପାଇବା ମାତ୍ରେ ମାଆ ସେ ସ୍ଥାନ ଛାଡ଼ି ଗଭୀର ରାତ୍ରିରେ ଏକ ନଦୀରେ ଲମ୍ଫ ପ୍ରଦାନ କରିଥିଲେ । କିନ୍ତୁ ତାଙ୍କୁ ଆଶ୍ରମର ପରିଚାଳିକା ସଂଯୋଗକ୍ରମେ ଉଦ୍ଧାର କରିଥିଲେ, ଆଉ ମାଆଙ୍କୁ ଜଣାଇଥିଲେ ଯେ ସେ ଗର୍ଭବତୀ; ଏଭଳି ଦୁଇଟି ଜୀବନ ବିସର୍ଜନ କରିବାର ଅଧିକାର ତାଙ୍କର ନାହିଁ ।

 

‘ଯାହାହେଉ, ମୋତେ ଜନ୍ମ ଦେବା ପର୍ଯ୍ୟନ୍ତ ମାଆ ସେଠାରେ ରହିଥିଲେ । ମୁଁ କିନ୍ତୁ ତାଙ୍କୁ କେବେ ସ୍ୱଚକ୍ଷୁରେ ଦେଖିନାହିଁ । ତା ପରେ ସେ ମୋ ନାମରେ ଟଙ୍କା ଆଉ ଏଇ ଚିଠି ଡିପୋଜିଟ କରି ବୋଧହୁଏ ଆତ୍ମହତ୍ୟା କରିଥିଲେ ।’

 

ଏଇ କରୁଣ କାହାଣୀ ଶତ୍ରୁଜିତଙ୍କୁ ଭାବିବିହ୍ୱଳ କରିଦେଇଥିଲେ । ସେ ଇମିତି ମାନସିକ ଦ୍ୱନ୍ଦ୍ୱ ଭିତରେ ପଡ଼ିଯାଇଥିଲେ, ଯାହା ଫଳରେ ସହଜରେ ସେ ହଠାତ୍‌ କିଛ କହି ପାରିଲେ ନାହିଁ । ତା’ପରେ ନିଜକୁ ସଂଯତ କରିନେଇ ସେ କହିଲେ, ‘ଆଉ କିଛି ?’

 

‘ସେଇ ଚିଠିରୁ ଆପଣ ସସସ୍ତ କିଛି ବୁଝିପାରିବେ । କିନ୍ତୁ ମୋର ଅନୁରୋଧ’

 

‘ମୁଁ ରକ୍ଷା କରିବି, ଜୟନ୍ତୀ ! କିନ୍ତୁ ସେଇ ଚିଠିଟି କୋଉଠି ?’

 

‘ମୋର ବେଡ଼୍‌ରୁମରେ ଯୋଉ ପଲଙ୍କ ରହିଛି ଠିକ୍ ତାହାରି ତଳଭାଗରେ ଥିବା ଏକ ଖୋପ ଭିତରେ । ଖୋପର ଉପର ମଧ୍ୟ ପଟା ସାହାଯ୍ୟରେ ବନ୍ଦ କରାଯାଇଛି ।’

 

‘ବହୁତ ଧନ୍ୟବାଦ, ଜୟନ୍ତୀ ! କିନ୍ତୁ ତମ ମାଆ ତମ ପାଖକୁ ଦେଇଥିବା ଚିଠି ଅନନ୍ତ ଦାସ ଦେଖିଥିଲେ ?’

 

‘ନା ଅନନ୍ତ ଦାସଙ୍କ ପାଇଁ ମାଆ ଏକ ଚିଠି ଲେଖିଦେଇଥିଲେ । ସେଥିରେ ସେ ଲେଖିଥିଲେ, ତାଙ୍କ ନାମରେ ଥିବା ସେଇ ସେୟାରଟି ହେମିତି ସେ ମୋତେ ଦିଅନ୍ତି । ଯଦି ତାହା ନ କରନ୍ତି ମୋ ଜୀବନ ଯେମିତି ସେ ଶାନ୍ତିପୂର୍ଣ୍ଣ ଭାବରେ ଅତିବାହିତ ହେବ ସେଥିରେ ବ୍ୟବସ୍ଥା କରିବାକୁ ସେ ଯେମିତି ପଛଘୁଞ୍ଚା ନ ଦିଅନ୍ତି ।’

 

‘ତାଙ୍କର ସେଇ ଅନୁରୋଧ ଅନନ୍ତ ଦାସ ରକ୍ଷା କରିବେ ବୋଲି ସେ କେମିତି ଆଶା କରିଥିଲେ ?’

 

‘ସେଥିରେ ମଧ୍ୟ ସେ ଲେଖିଥିଲେ ଯେ ଯଦି ଏଇ ଉଭୟ ସର୍ତ୍ତରୁ କୌଣସି ଗୋଟିଏ ସେ ରକ୍ଷା ନ କରନ୍ତି, ତା ହେଲେ ବିକ୍ରମ ଦାସଙ୍କ ହତ୍ୟା ମାମଲା ନେଇ ତାଙ୍କୁ ଧମକ ଦେଇ ଲେଖିଥିବା ଚିଠିଟି ପର୍ଯ୍ୟନ୍ତ ମୁଁ ବାହାରେ ପ୍ରକାଶ କରିଦେବି ।’

 

‘ବୁଝିଲି । ଆଉ ତମ ପାଇଁ’

 

‘ସେ ଲେଖିଥିଲେ, ତାଙ୍କ ଚିଠି ପାଇବା ମାତ୍ରେ ଅନନ୍ତ ଦାସ ନିଶ୍ଚୟ ବ୍ୟବସ୍ଥା କରିବେ, ଆଉ ବା ଯଦି ସେ ବଞ୍ଚି ନ ଥାଆନ୍ତି ତା ହେଲେ ଆଡ଼ଭୋକେଟ ଅମ୍ବରୀଶବାବୁ ମୋର ରକ୍ଷଣାବେକ୍ଷଣର ବ୍ୟବସ୍ଥା କରିଦେବେ । କିନ୍ତୁ ମୁଁ ଯେମିତି ଉତ୍ତ୍ୟକ୍ତ ହୋଇ କୌଣସି ଦୁର୍ଘଟଣା ନ ଘଟାଏ, ସେଥିପାଇଁ ସେ ମଧ୍ୟ ଚେତାବନୀ ଦେଇଯାଇଥିଲେ ।’

 

‘ତା ହେଲେ ଏଇ ହେଲା ତମ ମାଆଙ୍କ ସହିତ ଅନନ୍ତ ଦାସଙ୍କର ସଂପର୍କ ? କିନ୍ତୁ ଜୟନ୍ତୀ, ଅନନ୍ତ ଦାସ କଣ ଏ ବିଷୟରେ ତମକୁ କିଛି ପଚାରି ନ ଥିଲେଏପରିକି ସେ ଚିଠି କଥା ପର୍ଯ୍ୟନ୍ତ ବି ?’

 

‘ନା । କିନ୍ତୁ ମୁଁ ଲକ୍ଷ୍ୟ କରିଥିଲେ, ମାଆଙ୍କର ଚିଠି ପଢ଼ି ତାଙ୍କର ମୁଖମଣ୍ଡଳ ଯେମିତି ଶୁଭ୍ର ହେଇଆସିଥିଲା । ପ୍ରାୟ ଏକ ଦୀର୍ଘ ସମୟ ଅତିବାହିତ ହେବା ପରେ ବନମାଳୀ ଦାଦାଙ୍କୁ ଡାକି ମୋ ପାଇଁ ବହିବାର ବନ୍ଦୋବସ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।’

 

‘ବାସ୍‌, ଏ ତ ଗଲା ତମ ମାଆଙ୍କର ଗୁପ୍ତ ଚିଠିର ବିଷୟ । କିନ୍ତୁ ସ୍ନେହଲତା ବିଷୟରେ ତମେ କିଛି ଜାଣ ?’

 

‘‘ନା, ସେ ମୋତେ ଦେଖିଲେ ମୁଖ ବିକୃତ କରି ଦୂରକୁ ଚାଲିଯାଏ ।’

 

‘ଆଉ ତାଙ୍କ ସ୍ୱାମୀ ?’

 

ଶତ୍ରୁଜିତଙ୍କର ଏଇ କଥାରେ ଜୟନ୍ତୀ ହଠାତ୍‌ ଚମକିଉଠି ଚୁପ ହେଇଗଲେ । କେତେକ ମୁହୂର୍ତ୍ତପରେ କହିଲା, ‘ସେ ଯେ ସ୍ନେହଲତାଙ୍କୁ ଖୁବ୍‌ ଭଲ ପାଆନ୍ତି ଏଥିରେ ସନ୍ଦେହ ନାହିଁ । ମୁଁ ଅନେକଥର ଲକ୍ଷ୍ୟ କରିଛି, ସ୍ନେହଲତାର ଏଇ ଗର୍ବ ଆଉ ଔଦ୍ଧତ୍ୟ, ସେ ସହ୍ୟ କରିପାରନ୍ତି ନାହିଁ । ତେଣୁ ଅନେକ ସମୟରେ ମୋ ପାଖକୁ ଆସି ତାଙ୍କ ସ୍ତ୍ରୀଙ୍କ ବ୍ୟବହାର ପାଇଁ ତାଙ୍କୁ କ୍ଷମା କରିବାକୁ ଅନୁରୋଧ କରନ୍ତି ।’

 

ଶତ୍ରୁଜିତଙ୍କ ଚକ୍ଷୁରେ ପୁଣି ଏକ ଚମକ ଖେଳିଉଠିଲା । ସେ କହିଲେ, ‘ସେ ଯେତେଥର ଆସୁଥିଲେ ସେତେଥର ନିଶ୍ଚୟ ତମକୁ ଦେଖା କରୁଥିଲେ ?’

 

‘ପ୍ରାୟ ତାଙ୍କ ସହିତ ମୋର ସାକ୍ଷାତ ହେଉଥିଲା ।’

 

ଶତ୍ରୁଜିତ ଆଉ ହୁଏତ କଣ ପଚାରିବାପାଇଁ ଭାବୁଥିଲେ । କିନ୍ତୁ ପୁଣି ତାଙ୍କ ମତ ବଦଳାଇ କହିଲେ, ‘ତାହେଲେ ମୁଁ ଆଜି ଆସୁଛି, ଜୟନ୍ତୀ ! ତମର ଏଇ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି ।’

 

‘କିନ୍ତୁ ପ୍ରମୋଦ ?’

 

‘ତମେ ବ୍ୟସ୍ତ ହୁଅନାହିଁ, ଜୟନ୍ତୀ ! ନିର୍ଦ୍ଦୋଷ ହିଁ ସବୁବେଳେ ନିର୍ଦ୍ଦୋଷ । ଅଭିଯୋଗର ଯେତେ ପରସ୍ତ ଆବରଣ ତା ଉପରେ ଘେରାଇ ଦିଆଗଲେ ବି ସେ ନିଶ୍ଚୟ ସେଥିରୁ ମୁକ୍ତି ଲାଭ କରିବ ।’ ତା ପରେ ନିଜର ସସ୍ନେହ ଦୃଷ୍ଟି ଜୟନ୍ତୀ ଉପରୁ ଫେରାଇଆଣି ଶତ୍ରୁଜିତ ବାହାରକୁ ଆସିଲେ ।

 

ଉତ୍କଣ୍ଠିତ ଭାବରେ ମି:ମହାନ୍ତି ତାଙ୍କୁ ଅପେକ୍ଷା କରିଥିଲେ । ତାଙ୍କ ସହିତ କରମର୍ଦ୍ଦନ କରୁ କରୁ ଶତ୍ରୁଜିତ କହିଲେ, ‘ମୋର ଅନୁମାନ ସତ୍ୟ ।’

 

‘ତା ହେଲେ’

 

‘ଏବେ ଆମକୁ ମିସେସ ପାତ୍ରଙ୍କ ଘରକୁ ଯିବାକୁ ହେବ । ଆଉ କେତେକ ଆବଶ୍ୟକୀୟ ତଥ୍ୟ ନିଶ୍ଚୟ ସେଠାରୁ ଆମେ ସଂଗ୍ରହ କରିପରିବା ।’

 

ଉଭୟେ ଚିନ୍ତାନ୍ୱିତ ଭାବରେ ଜିପ୍‌ରେ ବସିଲେ । ନିଶୂନ ରାଜପଥର ବୁକୁ ଉପରେ କ୍ଷିପ୍ର ବେଗରେ ଜିପ୍‌ଟି ମାଡ଼ି ଚାଲିଲା ।

 

‘ତା’ହେଲେ ସ୍ନେହଲତା ହତ୍ୟାକାଣ୍ଡ ସହିତ ଜୟନ୍ତୀ ଅଥବା ପ୍ରମୋଦ ସଂଶ୍ଳିଷ୍ଟ ନୁହନ୍ତି ?’

 

‘ନା, ପୋଷ୍ଟ ମର୍ଟମ ରିପୋର୍ଟ ପାଇସାରିବା ପରେ ମୁଁ ସନ୍ଦେହ କରିଥିଲି ଜୟନ୍ତୀ କେବେ କୌଣସି ତୀକ୍ଷ୍‌ଣ ଅସ୍ତ୍ର ସ୍ନେହ ଉପରେ ପ୍ରହାର କରିନାହିଁ । ମୋର ଯେତେଦୂର ବିଶ୍ୱାସ ସେଇ ଗଭୀର କ୍ଷତ ସ୍ଥାନ ତୀକ୍ଷ୍‌ଣ ବର୍ଚ୍ଛା ବ୍ୟତୀତ ଆଉ କୋଉଥିରେ ସୃଷ୍ଟି ହେବା ସମ୍ଭବ ନୁହେ । ଆଉ ସ୍ନେହ ଉପରେ ଯୋଉ ଲୋକଟି ବର୍ଚ୍ଛାିଦ୍ଧ କରିଛି ସେ ଲୋକର ଶକ୍ତି ଖୁବ୍‌ବେଶୀ, ଯୋଉ ଶକ୍ତି ସହି ପ୍ରମୋଦ ଅଥବା ଜୟନ୍ତୀର ଶକ୍ତି ତୁଳନା କରାଯାଇ ନ ପାରେ ।’

 

‘ମାନେ ?’

 

‘ବର୍ଚ୍ଛା ଏତେ ଜୋରରେ ସ୍ନେହର ପୃଷ୍ଟଦେଶରେ ବିଦ୍ଧ କରାଯାଇଛି ଯେ ତାହା ଫଳରେ ତା’ର ପଞ୍ଜରାହାଡ଼ ଛିନ୍ନ କରି ତା’ର ଅଗ୍ରଭାଗ ଭୂମିରେ ସ୍ପର୍ଶ କରାଯାଇଛି ।’

 

‘ଏଭଳି ଶକ୍ତି ସୁବ୍ରତଙ୍କ ଠାରେ ବି ଅଭାବ’, ମି: ମହାନ୍ତି ଚିନ୍ତାନ୍ୱିତ ଭାବରେ କହିଲେ ।

 

‘ସେଥିପାଇଁ ତ ମୁଁ ଏତେ ଉଦ୍‌ବିଗ୍ନ ହୋଇପଡ଼ିଛି, ମି: ମହାନ୍ତି ! ଆହୁରି ମଧ୍ୟ ମୁଁ ନିଶ୍ଚିତ ଯେ ଘଟଣାସ୍ଥଳରେ ଜଣେ ବ୍ୟତିତ ଦୁଇଜଣ ଉପସ୍ଥିତ ନ ଥିଲେ । ତାହାର ଏକମାତ୍ର କାରଣ, ସ୍ନେହଲତାର ଶବ ତଳୁ ଖଣ୍ଡିଏ ଚୁରଟ ଆପଣ ଆବିଷ୍କାର କରିଥିଲେ । ଆଉ ସେଇ ଚୁରଟର ଅଗ୍ନି ସ୍ନେହଲତା ପିନ୍ଧିଥିବା ଟେଲେଲିନ ଶାଢ଼ିର କିଛି ଅଂଶ ତରଳାଇ ଦେଇଥିଲେ ।’

 

‘ବୁଝିଲି । କିନ୍ତୁ ଆପଣ ଦୁଇଖଣ୍ଡ ଚୁରଟ ଡ୍ରଇଂରୁମରୁ ପାଇଥିଲେ । ତେଣୁ ଉଭୟ କ୍ଷେତ୍ରରେ ସେହି ଜଣେ ମାତ୍ର ଲୋକ ସଂଶ୍ଳିଷ୍ଟ ଥିବାର ପ୍ରମାଣ ମିଳୁଛି । ଆଉ ସେହି ଲୋକ ପୁଣି ସୁବ୍ରତ ବ୍ୟତୀତ ଆଉ କେହି ନୁହେଁ ।’

 

ପୁଣି ଶତ୍ରୁଜିତ ଗଭୀର ଭାବନା ଭିତରେ ଛନ୍ଦିହୋଇପଡ଼ିଲେ । ତାଙ୍କ ଉପରୁ ଦୃଷ୍ଟି ଫେରାଇ ମି: ମହାନ୍ତି କହିଲେ, ‘ପୂର୍ବ ଅପମାନର ପ୍ରତିଶୋଧ ନେବାପାଇଁ ସେ ଏହା କରିଥିବା ଯୁକ୍ତିସଙ୍ଗତ ।’

 

ଶତ୍ରୁଜିତ କୌଣସି ମନ୍ତବ୍ୟ ନ ଦେଇ ରାସ୍ତାର ସମ୍ମୁଖ ଭାଗକୁ ଅନାଇ ରହି କ’ଣ ଯେମିତି ଭାବୁଥିଲେ । ଗାଡ଼ି ବ୍ରେକ୍‌କରିବା ଶବ୍ଦରେ ସେ ସଚେତନ ହେଲେ । ତା’ ପରେ ଉଭୟେ ଗେଟ୍‌ଖୋଲି ଭିତରେ ପ୍ରବେଶ କଲେ ।

 

ଦୀର୍ଘ ସମୟ ଧରି କଲିଂବେଲ୍‌ ଶବ୍ଦାୟିତ ହେଲା ପରେ ଦ୍ୱାର ଖୋଲାଯିବାର ଶବ୍ଦ ଶୁଣାଗଲା । ନିଦମଳମଳ ଆଖିରେ ଏମାନଙ୍କ ଉପରେ ଲକ୍ଷ୍ୟ ପଡ଼ିବାମାତ୍ରେ ରତନ ଯେମିତି ଭୟଭୀତ ହୋଇଗଲା ।

 

‘ଭିତରକୁ ଚାଲ ରତନ !’ ଗମ୍ଭୀର ଭାବରେ ରତନକୁ ଭିତରକୁ ଯିବାପାଇଁ ନିର୍ଦ୍ଦେଶ ଦେଲେ ମି: ମହାନ୍ତି । ତା’ପରେ ଭିତରୁ ଦ୍ୱାର ବନ୍ଦ କରି ସେମାନେ ଆସି ଡ଼୍ରଇଂରୁମରେ ଛିଡ଼ା ହେଲେ ।

 

‘ବାବୁ ଏପର୍ଯ୍ୟନ୍ତ ଆସିନାହାନ୍ତି ?’ ଶତ୍ରୁଜିତ କୋମଳ କଣ୍ଠରେ କହିଲେ ।

 

‘ନାହିଁ, ଆଜ୍ଞା !’

 

‘ଆଉ ଅନ୍ୟ ଚାକରମାନେ ?’

 

‘କେହି ଏପର୍ଯ୍ୟନ୍ତ ପହଞ୍ଚିନାହାନ୍ତି ।’ ରତନ କହିଲା ।

 

‘ଗତ କାଲି ସନ୍ଧ୍ୟା ସମୟରେ କୌଣସି ଜଣେ ଝିଅ ମିସେସ୍‌ପାତ୍ରଙ୍କ ସହିତ ଦେଖା କରିବାକୁ ଏଠାକୁ ଆସିଥିଲା ?’

 

ରତନ ଭୀତିଜଡ଼ିତ କଣ୍ଠରେ କହିଲା, ‘ହଁ ଆଜ୍ଞା, ଆସିଥିଲେ ।’

 

‘କିଛି ପଚାରିଥିଲେ ?’

 

‘ହଁ, ସେତେବେଳେ ଗେଟ୍‌ପାଖ ଫୁଲଗଛରେ ମୁଁ ପାଣି ଦେଉଥିଲି । ସେ ରିକ୍‌ସା ବନ୍ଦ କରି ମାଆଙ୍କ ସହିତ ଦେଖା କରିବାକୁ କହିବାରୁ ମୁଁ ମାଆ ନାହାନ୍ତି ବୋଲି କହିଥିଲି ।‘

 

‘ତା’ ପରେ ?’

 

‘କେତେବେଳେ ଫେରିବେ ବୋଲି ପଚାରିବାରୁ ମୁଁ କହିଥିଲି, ସେ ବେଳେ ବେଳେ ରାତି ଗୋଟାଏ ଦେଢ଼ଟା ସମୟରେ ବି ଫେରନ୍ତି, ଆଉ ଆଜି ହୁଏତ ସେମିତି ଡେରିରେ ଫେରିପାରନ୍ତି ।’

 

‘ସେଉଠୁ ?’

 

‘ସେ ଟିକିଏ ଚିନ୍ତାକରି କହିଥିଲେ ଯେ ମାଆ ଯେମିତି କାଲି ସକାଳେ ତାଙ୍କୁ ଅପେକ୍ଷା କରନ୍ତି । ତାଙ୍କ ସହ ତାଙ୍କର କୁଆଡ଼େ ଜରୁରୀ କଥାବାର୍ତ୍ତା ରହିଛି । କିନ୍ତୁ ବାବୁ ନ ଥିଲା ବେଳେ ମାଆଙ୍କୁ ଏଇ କଥା ନିରୋଳାରେ କହିବାକୁ ସେ କହିଥିଲେ ।’

 

‘ତା’ର ନାମ ପଚାରିଥିଲୁ ?’

 

‘ହଁ ଆଜ୍ଞା ! ସେ କିନ୍ତୁ ତାଙ୍କର ନାମ କହିଲେ ନାହିଁ । କେବଳ ମାଆଙ୍କୁ ସକାଳେ ଅପେକ୍ଷା କରିବାକୁ କହି ରିକ୍‌ସାରେ ପୁଣି ଫେରିଗଲେ ।’

 

‘ରତନ, ତମ ମାଆ ତା’ହେଲେ ବେଳେବେଳେ ରାତି ଗୋଟାଏ ଦୁଇଟା ବେଳେ ଏକୁଟିଆ ଫେରନ୍ତି ?’

 

ଏଥର ଯେମିତି ଜୋରରେ ଚମକିଉଠିଲା ରତନ ।

 

‘ରତନ, ତମେ ସେଇ ଝିଅକୁ କହିଥିଲ ଯେ ତମର ମାଆ ରାତି ଗୋଟାଏ ଦୁଇଟା ବେଳେ ଫେରନ୍ତି ବୋଲି । ଏକଥା କ’ଣ ସତ୍ୟ ? ଦେଖ, ତମେ ଯଦି ମିଛ କହିବାକୁ ଚେଷ୍ଟା କର ତା’ହେଲେ ଏଇ ମୁହୂର୍ତ୍ତରେ ତମକୁ ଜେଲଖାନା ପଠାଇବାର ବନ୍ଦୋବସ୍ତ ମୁଁ କରିଦେବି ।’

 

‘ମୁଁ..... ମୁଁ.’

 

‘ମୁଁ ଯାହା ପଚାରୁଛି ତା’ର ଉତ୍ତର ଦିଅ । ମିସେସ୍‌ପାତ୍ର ଅଧିକାଶଂ ସମୟରେ ରାତି ଗୋଟାଏ ଦୁଇଟାରେ ଫେରନ୍ତି, ଏକଥା କ’ଣ ସତ୍ୟ ?’

 

‘ହଁ, ଯୋଉଦିନ ବାବୁ ଆସିବାର ନ ଥାଏ ସେଦିନ ସେ ଇମିତି ଡେରିରେ ଆସନ୍ତି ।’

 

‘ସୁବ୍ରତଙ୍କୁ ତମେ ଜାଣ ?’

 

‘ଆଜ୍ଞା ।’

 

‘ସେ ବରାବର ଏଠାକୁ ଆସନ୍ତି ?’

 

‘ମାଆ ଏଠାରେ ରହିଲେ ସେ ଆସନ୍ତି ।’

 

‘ଆଜି ଆଉ ଆସିଥିଲେ ?’

 

‘ହଁ, ଆଜ୍ଞା ! ମାଆଙ୍କର ଶୋଇବା ଘର ଭିତରେ ବାକ୍‌ସ ଇତ୍ୟାଦି ଖୋଲି କ’ଣ ସବୁ ଖୋଜୁଥିଲେ ।’

 

ମି: ମହାନ୍ତି ଉତ୍ସାହିତ ହୋଇ କହିଲେ, ‘କେବଳ ସେଇ ଘର ନା ଅନ୍ୟ କୋଉଠି ?’

 

‘ଆଉ ସବୁ ଘରେ ସେ ଖୋଜୁଥିଲେ ।’

 

‘ଦେଖ ରତନ, ତମର ମାଆଙ୍କୁ ହତ୍ୟା କରାଯାଇଛି; ଆଉ ତମେ ଜାଣୁ ଜାଣୁ ଯଦି କିଛି କଥା ଲୁଚାଇବାକୁ ଚେଷ୍ଟା କର; ଫଳ ଭଲ ହେବ ନାହିଁ ।’

 

‘ଆଜ୍ଞା, ଯାହା ପଚାରିବ କହିବି ଆଜ୍ଞା !’

 

‘ତମର ମାଆ ଅଧିକାଂଶ ସମୟରେ ଯେମିତି ବାହାରୁ ଫେରନ୍ତି, ସେ ବିଷୟରେ ତମର ବାବୁ ଜାଣନ୍ତି ?’

 

‘ହଁ ଆଜ୍ଞା, ଥରେ ସେଥିପାଇଁ ବାବୁ ଆଉ ମାଆଙ୍କ ଭିତରେ ଖୁବ୍‌ ପାଟିତୁଣ୍ଡ ହେଇଥିଲା-।’

 

‘ରତନ !’ ଉତ୍ସାହ ସହକାରେ ଶତ୍ରୁଜିତ କହିଲେ ।

 

‘ହଁ ଆଜ୍ଞା ! ସେଦିନଭଳି ଆଉ କେବେ ଉଭୟେ ରାଗିବାର ମୁଁ ଦେଖି ନ ଥିଲି ।’

 

‘ସେମାନଙ୍କର ସେଇ କଥାବାର୍ତ୍ତା ତମେ ଶୁଣିଥିଲ ?’

 

‘ବଡ଼ଲୋକଙ୍କ ଘରକଥା, ଆଜ୍ଞା ! ସେମାନଙ୍କର ରାଗତମ ବେଳେ ଆମେ ଏଠାରେ ରହିବା ଠିକ୍‌ ବୋଲି ଭାବି ନ ଥିଲୁଁ । କିନ୍ତୁ ହଁ ....ବାବୁ ! ମୁଁ ରୋଷେଇଘର ବନ୍ଦ କରିବାକୁ ଆସିଲାବେଳେ ମାଆ କାନ୍ଦ କାନ୍ଦ କହୁଥିଲେ ଯେ ତମେ ଯୋଉ ଡାହାଣୀ ପଛରେ ଗୋଡ଼ାଇ ମୋତେ ଅବିଶ୍ୱାସ କରୁଛ, ସେ ଡାହାଣୀ ତମକୁ ଟିକିଏ ହେଲେ ବି ଭଲ ପାଏ ନାହିଁ । ଆଉ କକା ଯଦି ଏକଥା ଜାଣନ୍ତି, ତାକୁ ଘରୁ ବାହାର କରିଦେବା ସଙ୍ଗେ ସଙ୍ଗେ ଆଉ ଗୋଟିଏ ନୂଆ ପଇସାର ଅଂଶ ବି ତମକୁ ଦେବେ ନାହିଁ ।’

 

‘ରତନ !’

 

‘ମୁଁ ସତ କହୁଚି, ଆଜ୍ଞା ! ଏଇ କଥା ଶୁଣିବା ମାତ୍ରେ ବାବୁଙ୍କର ରାଗ ଯେମିତି ଥଣ୍ଡା ହୋଇଆସିଲା । ସେ କିଛି ନ କହି ଘରୁ ଯେ ବାହାରିଗଲେ ଆଉ ମାସେ ପର୍ଯ୍ୟନ୍ତ ଆସିଲେ ନାହିଁ ।’

 

ଶତ୍ରୁଜିତ ଆଉ ମି: ମହାନ୍ତିଙ୍କ ଚକ୍ଷୁ ଆଗରୁ ଯେମିତି ଆଉ ଗୋଟିଏ ପର୍ଦ୍ଦା ଅପସରିଗଲା-। ରତନ ଉପରେ ତୀକ୍ଷ୍‌ଣ ଦୃଷ୍ଟି ନିକ୍ଷେପ କରି ଶତ୍ରୁଜିତ କହିଲେ, ‘ପରେ ଆଉ ସେମିତି କେବେ କିଛି ଘଟିଚି ?’

 

‘ନାହିଁ ଆଜ୍ଞା ! କିନ୍ତୁ ସେଇଦିନଠାରୁ ବାବୁ କେତେବେଳେ କେମିତି ଏଠାକୁ ଆସନ୍ତି, ନ ହେଲେ ନାହିଁ ।’

 

‘ଆଉ ମା ?’

 

‘ସେ ମଧ୍ୟ ୧୦/୧୫ ଦିନ ଏକଥାରେ ବାହାରକୁ ଯିବା ବନ୍ଦ କରିଦେଇଥିଲେ । ହେଲେ ପରେ ପୁଣି ଯିବାରେ ଲାଗିଲେ । ତା’ପରେ ପରେ ମୁଁ ଦେଖିଥିଲି, ବାବୁ ଆଉ ମା ଯେତେବେଳେ ଗଲେ, ଉଭୟେ ଏକାଠି ଯାଉଥିଲେ ଆଉ ରହୁଥିଲେ ବି ଗୋଟିଏ ଜାଗାରେ ।’

 

ମି: ମହାନ୍ତି ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ । ଶତ୍ରୁଜିତ ଦ୍ରୁତବେଗରେ ଏଇ ଘଟଣା ଚିନ୍ତା କରୁଥିଲେ ବି ନିଜର ହାତଘଣ୍ଟାକୁ ଅନାଇଲେ । ତା’ପରେ କଣ ଭାବି ରିସିଭର ଉଠାଇନେଇ ପୋଲିସ ଷ୍ଟେସନକୁ ସଂଯୋଗ କଲେ ।

 

‘ହ୍ୟାଲୋ......ପୋଲିସ ଷ୍ଟେସନ ! ମିଷ୍ଟର ପାତ୍ର ଅଥବା ତାଙ୍କ ପାଖକୁ ଯାଇଥିବା ମେସେଞ୍ଜର ଫେରିଲେଣି ?’

 

‘ଆଶ୍ଚର୍ଯ୍ୟ.....’! ରିସିଭର ରଖୁ ରଖୁ ସ୍ୱତଃପ୍ରବୃତ୍ତ ଭାବରେ କହିଉଠିଲେ ଶତ୍ରୁଜିତ ।

 

‘ମାନେ, ଏପର୍ଯ୍ୟନ୍ତ କେହି ଆସିନାହାନ୍ତି ?’

‘ନା’

 

ଶତ୍ରୁଜିତଙ୍କଠାରୁ ନିରାଶା ଜନକ ଉତ୍ତର ଶୁଣି ମି: ମହାନ୍ତି କହିଲେ, ‘ରାତି ଏଗାରଟା ହେଲାଣି ଆଜ୍ଞା, ଏପର୍ଯ୍ୟନ୍ତ ସେମାନେ ନ ଫେରିବାର କାରଣ ମୁଁ କିଛି ଜାଣିପାରୁନାହିଁ ।’

 

ଶତ୍ରୁଜିତଙ୍କ ଚକ୍ଷୁ ଦୁଇଟା ମୁଦ୍ରିତ ହୋଇଆସୁଥିଲା । ଅର୍ଦ୍ଧନିମୀଳିତ ଚକ୍ଷୁରେ ମି: ମହାନ୍ତିଙ୍କୁ ଅନାଇ ସେ କହିଲେ ଆମେ ସେତେବେଳେ ସେଠାକୁ ନ ଯାଇ ଖୁବ୍‌ ଭୁଲ କଲେ ଆଜ୍ଞା-! କିନ୍ତୁ ଆପଣଙ୍କର ଯଦି କୌଣସି ଅସୁବିଧା ନ ହୁଏ, ଆମକୁ ବର୍ତ୍ତମାନ ଏଇ ମୁହୂର୍ତ୍ତରେ ତିନିଜଣ ସଶସ୍ତ୍ର ଗାର୍ଡ଼ଙ୍କ ସହିତ ସେଠାକୁ ଯିବାକୁ ପଡ଼ିବ ।’

 

‘ମୁଁ ବି ତାହାହିଁ ଭାବୁଥିଲି । କିନ୍ତୁ ଅମ୍ବରୀଶବାବୁଙ୍କୁ ଆପଣ ଅଟକାଇ ଆସିଥିଲେ’

 

‘ଓ, ମୁଁ ପୂରାପୂରି ସେକଥା ଭୁଲିଯାଇଥିଲି, ଆଜ୍ଞା ! ଏ ଘଟଣାରେ ତାଙ୍କର ଦାନ କିଛି କମ୍‌ ନୁହେଁ ।’ ଏତିକି କହି ସେ ପୁଣି ଟେଲିଫୋନ ନିକଟକୁ ଫେରିଗଲେ । ତା’ପରେ ତାଙ୍କର ଟେଲିଫୋନ ନମ୍ବର ସହିତ ଯୋଗାଯୋଗ କଲେ ।

 

‘ହ୍ୟାଲୋ.......ତନ୍ମୟ......ହଁ......ହ.....ଏଆଡ଼େ ଘଟଣାଚକ୍ରରେ ପଡ଼ି ସେ ଏନଗେଜମେଣ୍ଟ ମୁଁ ଏକଥାରେ ଭୁଲିଯାଇଥିଲି । ହ୍ୟାଲୋ.....ଅମ୍ବରୀଶବାବୁ.... କ୍ଷମା କରିବେ ଆଜ୍ଞା....ଏପର୍ଯ୍ୟନ୍ତ ମିଁ: ପାତ୍ର ଫେରିଲେ ନାହିଁ, ଅଥବା ତାଙ୍କ ନିକଟରୁ କୌଣସି ସମ୍ବାଦ ମିଳିପାରିଲା ନାହିଁ । ବହୁତ ଧନ୍ୟ ବାଦ ଆଜ୍ଞ.....ଆମର ସେଠାରୁ ଫେରୁ ଫେରୁ ହୁଏତ ଅନେକ ବିଳମ୍ବ ହେଇପାରେ, ଅଥବା ଖୁବ୍‌ ଶୀଘ୍ର ବି ଫେରିଆସିପାରୁଁ ।

 

‘ହଁ.......ଘଟଣାଚକ୍ର ଏବେ ପୂରାପୂରି ଅନ୍ୟ ଏକ ଦିଗରେ ଗତି କରିଛି । ଦେଖନ୍ତୁ ଅମ୍ବରୀଶବାବୁ, ତନ୍ମୟଙ୍କୁ ନେଇ ଆପଣ ପ୍ରମୋଦର ମାଆଙ୍କ ପାଖକୁ ଯାଆନ୍ତୁ । ହଁ......ହଁ ସେ ବିଷୟରେ ଆପଣଙ୍କୁ ତନ୍ମୟ ସଚେତ କରାଇବା । ହଁ.......କାଲି ଦଶଟାରେ..........ଓ କେ ।’ ଶତ୍ରୁଜିତ ରିସିଭର ରଖି ଏକ ଦୀର୍ଘ ନିଶ୍ୱାସ ନେଲେ—ଆସନ୍ତୁ ମି: ମହାନ୍ତି ଆମ ଉପରୁ ଏ ବୋଝ ନ ଓହ୍ଲାଇବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ ।’

 

ପର ମୁହୂର୍ତ୍ତରେ ସେମାନଙ୍କୁ ନେଇ ନିୟନ୍ତ୍ରିତ ଗତିରେ ଜିପ୍‌ଟି ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିଲା ।

 

ଅଙ୍କା ବଙ୍କା ଦୀର୍ଘ ପଥ ଅତିକ୍ରମ କରି ସେମାନଙ୍କ ଜିପ୍‌ଟି ଆସି ଏକ ସମତଳ ସ୍ଥାନରେ ଅଟକିଲା । ଚତୁଃପାର୍ଶ୍ୱ ପାହାଡ଼ପରିବେଷ୍ଟିତ ଏଇ ସମତଳ ସ୍ଥାନଟି ବେଶ୍‌ ରମଣୀୟ ହୋଇଥିଲା ।

 

ଚତୁଃପାର୍ଶରେ ଶ୍ରେଣୀବଦ୍ଧ କୋଠରି । ମଝିରେ ଏଜବେଷ୍ଟସ ସେଡ଼୍‌ରେ ନିର୍ମିତ ଏକ ଅଫିସ । ଚାରିପାଖରେ ଫେନ୍‌ସିଂ । ଭିତରେ ବିଭିନ୍ନ ପ୍ରକାରର ଫୁଲଗଛର ସମାରୋହ । ଗେଟ୍‌ସମ୍ମୁଖରେ ଡିଉଟିରତ ଦରଓ୍ୟାନ । ଏମାନଙ୍କୁ ଦେଖି ଦରଓ୍ୟାନଟି । ସଲାମ ବଜାଇ କହିଲା, ‘କ୍ୟା ହୈ ସାହେବ ?’

 

‘ବାବୁସାହେବ ଅନ୍ଦରମେ ହୈ ?’ ମି: ମହାନ୍ତି କହିଲେ ।

 

ନେହିଁ ସାବ୍‌, ଓ ଅଭିତକ ନେହଁ ଆୟାହୈ । ସୁପରଭାଇଜର ସାହେବ ଓ୍ୟାପସ ନେହିଁ ଆୟା ।’

 

ମି: ମହାନ୍ତି ଶତ୍ରୁଜିତଙ୍କୁ ଅନାଇଲେ ।

 

‘ରାତି ଏଗାରଟା ବାଜୁଥିଲା । ଘଣ୍ଟା ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ କହିଲେ, ‘ଯିବା ପୂର୍ବରୁ ଥରେ ଏଇ ଅଫିସଟା ଦେଖିଯିବା ଉଚିତ ।’

 

ଦରଓ୍ୟାନ ବାଧା ଦେଲା ନାହିଁ । ଗେଟ୍ ଟପି ଶତ୍ରୁଜିତ ତଥା ମି: ମହାନ୍ତି ଭିତରେ ପ୍ରବେଶ କଲେ । ଶ୍ରେଣୀବଦ୍ଧ ଭାବରେ ଚାରିଗୋଟି କୋଠରି । ବାମ ପାର୍ଶ୍ୱରେ ଥିବା ଟିଣର ଏକ ଟେମ୍ପରାରୀ ସେଡ଼୍ ଭିତରେ କାରଟିଏ ଛିଡ଼ା ହୋଇଥିଲା । ଆଉ କିଛି ଦୂର ଛାଡ଼ି ତିନିଗୋଟି ଟ୍ରକ । ମି: ମହାନ୍ତିଙ୍କୁ ସେଇ ଆଡ଼େ ଯିବାକୁ ଇସାରା ଦେଇ ଶତ୍ରୁଜିତ ଅଗ୍ରସର ହେଲେ ।

 

ଟ୍ରକର ଉଜ୍ଜ୍ୱଳ ଆଲୋକ ଗ୍ୟାରେଜଟିକୁ ଆଲୋକିତ କରୁଥିଲା । ସେଇଥିରେ କାରଟିର ନମ୍ବର ଦେଖି ଶତ୍ରୁଜିତଙ୍କ ମୁଖମଣ୍ଡଳରେ ହସ ଖେଳିଉଠିଲା ।

 

ଅନୁଚ୍ଚ କଣ୍ଠରେ ଶତ୍ରୁଜିତ କହିଲେ, ‘ଏଇ କାରରେ ଜୟନ୍ତୀ ସେଦିନ ଆମ ଆଖିରେ ଧୂଳି ଦେଇ ଅନ୍ତର୍ଦ୍ଧାନ ହେଇଥିଲା ।’

 

‘ମାନେ, ମି: ଦାସ ତାକୁ ଲିଫ୍‌ଟ ଦେଇଥିଲେ ?’

 

‘ଅବଶ୍ୟ ଜୟନ୍ତୀ ଅଥବା ମି: ଦାସ କୌଣସି ଷଡ଼ଯନ୍ତ୍ର ରଚନା କରିଥିଲେ ।’ ଏତକ କହୁ କହୁ ଶତ୍ରୁଜିତ ଆସି ଗାଡ଼ି ନିକଟରେ ଛିଡ଼ା ହେଲେ ।’ ତା’ପରେ କାରର ଫ୍ରଣ୍ଟଡ଼ୋର ଖୋଲି ଭିତରେ ପ୍ରବେଶ କଲେ । ତାଙ୍କର ଦୃଷ୍ଟି ଚାରିଆଡ଼େ ଘୂରି ବୁଲୁଥିଲା । ତା’ପରେ ନିଃଶବ୍ଦରେ ଫ୍ରଣ୍ଟ ସିଟରୁ ବାହାରିଆସି ବ୍ୟାକ୍‌ଡୋର ଖୋଲି ଭିତରେ ପ୍ରବେଶ କଲେ । ପୂର୍ବପରି ତାଙ୍କର ଦୃଷ୍ଟି ଚାରିଆଡ଼େ ଘୂରି ବୁଲୁଥିଲା ।

 

ଅବଶେଷରେ ଡନଲପ୍‌ପିଲୋ ସିଟରେ ଗୋଟିଏ ସ୍ଥାନରେ ତାଙ୍କ ଟର୍ଚ୍ଚର ଆଲୋକ ସ୍ଥିର ହେଲା । ଉତ୍ସାହିତ କଣ୍ଠରେ ସେ କହିଲେ, ‘ମି: ମହାନ୍ତି, ଟିକିଏ ଭିତରକୁ ଆସିବେ !’

 

ଶତ୍ରୁଜିତଙ୍କ ଅନୁରୋଧ ସଙ୍ଗେ ସଙ୍ଗେ ମି: ମହାନ୍ତି ଭିତରକୁ ଆସିଲେ । ତାଙ୍କର ଦୃଷ୍ଟି ଆଲୋକ ସ୍ଥିର ହୋଇଥିବା ସ୍ଥାନକୁ ଆକର୍ଷିତ କରାଇ ଶତ୍ରୁଜିତ କହିଲେ, ‘ମୋର ମନେହୁଏ, ଏହାର କଭର ଖୁବ୍‌ ଅଳ୍ପଦିନ ତଳେ ଚେଞ୍ଜ ହୋଇଛି । କିନ୍ତୁ ଏଇ ସ୍ଥାନରେ କଭରଟି ଯୋଉପରି ଭାବରେ କଟିଯାଇଛି ସେଥିରୁ ଆପଣ କ’ଣ ଅନୁମାନ କରୁଛନ୍ତି ?’

 

ମି: ମହାନ୍ତି ଶତ୍ରୁଜିତଙ୍କ କଥା ବୋଧହୁଏ ବୁଝିପାରିଲେ ନାହିଁ । ତଥାପି ସେ କହିଲେ, ‘ହୁଏତ କୌଣସି ତୀକ୍ଷ୍‌ଣ ଜିନିଷ ସିଟ ଦେହରେ ଜୋରରେ ଆଘାତ ପାଇବା ଫଳରେ ସିଟ କଭରଟି ଛିଡ଼ିଯାଇଛି । କିନ୍ତୁ...ଡନଲପ୍‌ ପିଲୋସିଟ୍‌ କଭରଟି ଏପରି ଭାବରେ ଝିଡ଼ିଯାଇଥିବାର ଦେଖି ସେ ଯେ କାହିଁକି ସଂଶୟାକୁଳ ହେଇଉଠିଛନ୍ତି, ତାହା ସେ ବୁଝିପାରିଲେ ନାହିଁ ।

 

ଶତ୍ରୁଜିତ କିନ୍ତୁ ସେତେବେଳକୁ ଛିଡ଼ିଯାଇଥିବା କଭରକୁ ଦୁଇଟି ଆଙ୍ଗୁଳି ସାହାର୍ଯ୍ୟରେ ଟେକି ଧରି ଭିତରକୁ ଟର୍ଚ୍ଚ ପକାଇ କ’ଣ ଦେଖୁଥିଲେ । ତାଙ୍କ ଚକ୍ଷୁତାରକା ଦ୍ୱୟ ଉଜ୍ୱଳ ହେଇଉଠୁଥିଲା–ମି: ମହାନ୍ତି ଆଉ ଟିକିଏ ଆଗେଇ ଆସନ୍ତୁ । ବେଶ୍‌, ଠିକ୍ ମୋହରି ପୋଜିସନକୁ ଆସି ପିଲୋ ଭିତରକୁ ଲକ୍ଷ୍ୟ କରନ୍ତୁ ।’

ମି: ମହାନ୍ତି ଆଶ୍ଚର୍ଯ୍ୟର ବଶବର୍ତ୍ତୀ ହୋଇ ଶତ୍ରୁଜିତଙ୍କର ଆଦେଶ ଆଦର ସହକାରେ ପାଳନ କଲେ ।

 

‘ଦେଖି ପାରୁଛନ୍ତି ମି: ମହାନ୍ତି ! ବେଶ୍‌, ଏଥର ଭଲ ଭାବରେ ଅନାନ୍ତୁ । ତୀକ୍ଷ୍‌ଣ ଅଂଶଟି କ୍ରମଶଃ ସଂକୀର୍ଣ୍ଣ ହୋଇ ଭିତରକୁ ଯାଇଛି, ଆଉ ତାହା ଉଭୟ ପାର୍ଶ୍ୱରେ ।’

 

‘ଉଭୟ ପାର୍ଶ୍ୱ କୀଞ୍ଚିତ୍‌ଲାଲ ଦେଖାଯାଉଛି ।’ ମି: ମହାନ୍ତି କହିଲେ ।

 

‘ଏଇ ଲାଲ ଜିନିଷଟି କଣ ?’

 

‘ହୁଏତ.......ହୁଏତ.......’ କ’ଣ କହି ଆସୁ ଆସୁ ମି: ମହାନ୍ତି ନିଜେ ନିଜେ ଇମିତ ଭାବରେ ଚମକିଉଠିଲେ ଯେ ତାଙ୍କର ସମଗ୍ର ଅବୟବ ଥରିଉଠିବା ସଙ୍ଗେ ସଙ୍ଗେ ସିଟ୍‌ଦେହରୁ ହାତଟି ଖସିଗଲା । ଇତସ୍ତତଃ କଣ୍ଠରେ କହିଉଠିଲେ, ‘ମୋର ମନେହୁଏ ମିସେସ ପାତ୍ରଙ୍କୁ ଯୋଉ ଅସ୍ତ୍ରରେ ହତ୍ୟା କରାଯାଇଥିଲା ସେଇ ଅସ୍ତ୍ରଟି ଏପର୍ଯ୍ୟନ୍ତ ମୋର ସହକର୍ମୀମାନେ ଆବିଷ୍କାର କରିପାରିନାହାନ୍ତି । ତାଙ୍କର କ୍ଷତସ୍ଥଳ ପ୍ରଥମେ ଦୁଇଇଞ୍ଚ ଥିବା ସ୍ଥଳେ ଶେଷାର୍ଦ୍ଧକୁ୧\୪ ଇଞ୍ଚ ରହିଥିଲା । ଆଉ ଏଇ ଛିନ୍ନ ଅଶଂଟି’

 

ମୁଁ ଯଦିଓ ଏଇ ରଙ୍ଗଟା କ’ଣ ନିଶ୍ଚିତ ହୋଇପାରୁନାହିଁ, ତଥାପି ଏହି କ୍ଷତ ସୃଷ୍ଟି କରିଛି ଏକ ବର୍ଚ୍ଛା ।’

 

‘ଓଇଏସ୍, ମି:ଶତ୍ରୁଜିତ ! ହତ୍ୟାକାରୀ ଏଇ କାର ସାହାଯ୍ୟରେ ମିସେସ ପାତ୍ରଙ୍କ ଘରକୁ ଯାଇଥିଲା । ଆଉ ତାଙ୍କୁ ହତ୍ୟା କରିସାରିବା ପରେ ସେଇ ଅସ୍ତ୍ରଟି ଏଇ ଗାଡ଼ି ଭିତରେ ଅନ୍ୟମନସ୍କତାବଶତଃ ପକାଇଦେଲାବେଳେ, ତାହା ଏହା ଦେହରେ ଆଘାତ ପାଇ ଭିତରକୁ ପ୍ରବେଶ କରିଛି । ଆଉ କୌଣସି ଏକ ନିରାପଦ ସ୍ଥାନରେ ଅବତରଣ କରି ସେଇ ଅସ୍ତ୍ରଟିକୁ ସେ ବାହାରେ ଫୋପାଡ଼ିଦେଇଛି ।’ ମି: ମହାନ୍ତି ଏତକ କହି ଶତ୍ରୁଜିତଙ୍କୁ ଲକ୍ଷ୍ୟ କଲେ ।

 

‘ଏଭଳି ଏକ ଭିଡ଼େନସ ହାତଛଡ଼ା କରିବାର ନୁହେଁ, ମି:ମହାନ୍ତି ! ଗାଡ଼ିଟିକୁ ଆପଣ ସିଜ୍ କରିଦିଅନ୍ତୁ, ଆଉ ଏହା ସଙ୍ଗେ ଗାଡ଼ିର ମାଲିକ ଆଉ ଡ୍ରାଇଭର ଉପରେ’

 

ଦରଓ୍ୟାନକୁ ସେଇଆଡ଼କୁ ଆସୁଥିବାର ଦେଖି ମି: ମହାନ୍ତିଙ୍କ ସହିତ ଶତ୍ରୁଜିତ ଗାଡ଼ିରୁ ବାହାରି ଆସି ଡୋର ବନ୍ଦ କଲେ ।

 

‘ତୁମାରା ନାମ କ୍ୟା ହୈ ?’ ଉଚ୍ଚ କଣ୍ଠରେ ଶତ୍ରୁଜିତ ପଚାରିଉଠିଲେ ।

 

‘ଜୀ.....ମେରା....ମେରା ନାମ୍ ଜଙ୍ଗ୍ ବାହାଦୂର......’

 

‘ଓ ଗାଡ଼ି କବ୍‌ସେ ଏ ଗ୍ୟାରେଜମେ ହୈ ?’

 

‘ସବେରେସେ ସା’ବ ! ଡ୍ରାଇଭର ଲାକେ ଉଧର ରଖା ହୈ ।‘

 

‘ଡ୍ରାଇଭର ?’

 

‘ହାଁ ଜୀ....ସା’ବ୍ କାଲ୍ ସାମସେ ମାଇନିଂ ଅଫିସରକା ଗାଡ଼ିମେ ବାହାର ଗିୟାଥା । ଫିର୍‌ଭି ଦୋନା ଓ ମାଇନିଂ ଅଫିସରକା ଗାଡ଼ିମେ ରାତ୍‌କୋ ଓ୍ୟାପସ୍ ଆୟାଥା ।’

 

‘ଔର ଓ ଗାଡ଼ି ?’

 

‘ହାମକୁ ତ ଓ ବାତ୍ ମାଲୁମନେହିଁ । ଫିର୍‌ଭି ମେରେ ୟାଦ୍ ହୈ, ବାବୁ ସାହେବ ବାର ବଜେ ଓହାଁପର ଆୟେଥେ । ଗାଡ଼ିମେ କ୍ୟା ଗଡ଼ବଡ଼ ଥା । ଇସ୍‌ଲିଏ ହାମକୁ ବୁଲାଥା ଡ୍ରାଇଭର କୁ ବୋଲ୍‌କେ ଗେରେଜ ଭେଜ୍‌ଦେନେକେ ଲିଏ ।’

 

ଶତ୍ରୁଜିତଙ୍କ ସମ୍ମୁଖରେ ପୁଣି ଯେମିତି ଏକ ଦ୍ୱନ୍ଦ ଛିଡ଼ା ହେଉଥିଲା । କେତେକ ସମୟ ପର୍ଯ୍ୟନ୍ତ ସେ ଇମିତି ଗମ୍ଭୀର ହୋଇଯାଇଥିଲେ ଯେ ଦରଓ୍ୟାନକୁ ଆଉ କୌଣସି ପପ୍ରଶ୍ନ ପଚାରି ନ ଥିଲେ ।

 

ମି:ମହାନ୍ତି ଶତ୍ରୁଜିତଙ୍କ ଉପରୁ ଦୃଷ୍ଟି ଫେରାଇଆଣି ନୀରବତା ଭଙ୍ଗ କଲେ–‘ଜଙ୍ଗ ବାହାଦୂର, ସବେରେ ଡ୍ରାଇଭର ଓ ଗାଡ଼ି ଲାୟା ଥା ?’

 

‘ଜୀ ସାହେବ !’

 

‘ଆର କୋଇ ଓ ଗାଡ଼ି ବାହାର ଲିୟାଥା ?’

 

‘ନେହିଁ ସାବ୍ !’

 

ଶତ୍ରୁଜିତ ଲକ୍ଷ୍ୟ କଲେ, ମି: ମହାନ୍ତିଙ୍କର ଏଇ ପ୍ରଶ୍ନରେ ଜଙ୍ଗ ବାହାଦୂରର ମୁଖମଣ୍ଡଳରେ ଭବାନ୍ତର ସୃଷ୍ଟି ହେଉଥିଲା ।

 

ସେ ଉତ୍ସାହିତ ହୋଇ କହିଲେ, ‘କ୍ୟା ଶୋଚ୍ ରହେ ହୋ ?’

 

‘ସାବ୍, ଏକ୍ ଆଦ୍‌ମି ନ–ଦଶ ବଜେ ଉଧର ଆୟାଥା । ଓ ହାମ୍‌କୁ ବୁଲାଥା, ଓ ପୋଲିସକା ଆଦ୍‌ମୀ ହେ, ଔେର ଓ ସାହେବକା ଗାଡ଼ି ଦେଖନେକେ ଲିଏ ମାଗଁତା ଥା ।’

 

‘ତୋ ଫିର ?’

 

‘ହମାରା କୋଇ କସୁର ନେହିଁ, ସାବ୍ ! ହମାରା ତରଫ ଐସେ ସଫେଦବାଲା ଆଦମି ଶୁପିଆ ପୋଲିସକା କାମ କରତେ ହେ । ଓ ବି ହାମକୁ ଏକ ସିଲ ଦେଖାୟା ।’

 

‘ଫିର ?’

 

‘ହାମ ଗାଡ଼ି ଦେଖନେକେ ଲିଏ ଛୋଡ଼ ଦିୟାଥା ।’

 

‘ଓ ଆଦମି କୈସେ ହୈ ?’

 

‘ବହୁତ ଭୁଲାଭାଲା ଆଦମୀ ହୈ ସା’ବ ! ଏକ କାଲା ପ୍ୟାଣ୍ଟକା ସାଥ ସଫେଦବାଲା ଶର୍ଟ ପହନାଥା । ପାଞ୍ଚ ଫୁଟ କରିବ ଲମ୍ବା ହୋଗା । ଥୋଡ଼ା ବି ଫେସନବାଲା ମୃଚ୍ଛ ଥା ।’

 

ଶତ୍ରୁଜିତ ଆଉ ମି: ମହାନ୍ତି ପରସ୍ପର ଦୃଷ୍ଟି ବିନିମୟ କଲେ । ହୁଏତ ସେ ଲୋକଟିର ଯୋଉ ପରିଚୟ ଦେଲା, ତାହା ସେମାନଙ୍କ ନିକଟରେ ଅଜ୍ଞାତ ନ ଥିଲା ।

 

‘ଓ କେତନା ସମୟ ଉଧର୍ ଥା ?’

 

‘ଲଗ୍‌ଭଗ୍ ଏକଘଣ୍ଟା, ଗୀ ସା’ବ୍‌ !’

 

‘ଓ ଉଧର୍‌କ୍ୟା କିୟାଥା ?’

 

‘ହାମ୍ ଯବ ଉନକା ସାଥ୍ ଓ ଗାଡ଼ିକା ପାଶ୍ ପହୁଞ୍ଚା ଓ ହାମ୍‌କୋ ତେଡ଼ାମେ ବୁଲା ଉହାଁସେ ହଟ୍‌ଯାନେକେ ଲିଏ । ସଚ୍‍ ବତାତା ହୁଁ ସା’ବ୍‌ !ହାମ୍ ପୋଲିସ ଆଦ୍‌ମିକୁ ଦେଖ୍‌ନେସେ ଘବରା ଯାତା ହୈ । ଇସ୍‌ଲିଏ ଉଧରସେ ଫିର୍ ଗେଟ୍‌କୋ ଚଲାଗିୟା ଥା ।’

 

‘ତବ୍‌ ଓ ଏକ ଘଣ୍ଟା କା ବାଦ୍ ଉହାଁସେ ଚଲାଗିୟା ଥା ?’

 

‘ଜୀ, ସା’ବ ।’

 

ଶତ୍ରୁଜିତ ଆଉ କ’ଣ ପଚାରି ଆସୁଥିଲେ, କିନ୍ତୁ ଗୋଟାଏ ଜିପ୍ ଗେଟ୍ ପାଖରେ ଅଟକିଯିବାରୁ ସେ ନୀରବ ହୋଇଗଲେ । ଦରୱାନ୍‌ଟି ଇତସ୍ତତଃ ହୋଇ କହିଲା, ‘ଆ’ରହାହୁଁ ସା’ବ-!’

 

କ’ଣ ଭାବି ଦରଓ୍ୟାନ୍ ପଛେ ପଛେ ଶତ୍ରୁଜିତ ଆଉ ମି:ମହାନ୍ତି ମଧ୍ୟ ଅନୁସରଣ କରିବାରେ ଲାଗିଲେ ।

 

ଜିପ୍‌ରୁ ଓହ୍ଲାଇ ସୁପରଭାଇଜରଙ୍କ ସହିତ ମେସେଞ୍ଜର ପ୍ରତାପ ଛିଡ଼ା ହୋଇଥିଲା । ମି: ମହାନ୍ତିଙ୍କ ଉପରେ ଦୃଷ୍ଟି ପଡ଼ିବାକ୍ଷଣି ସେ ସେଲ୍ୟୁଟ ମାରି ଏଟେକ୍‌ସନ ଭାବରେ କହିଲା, ‘ମି:ପାତ୍ରଙ୍କ ସହିତ ଦେଖା ହୋଇପାରିଲା ନାହିଁ, ସାର୍ !’

 

‘ମାନେ ?’

 

‘ଆମେ ସେଠାରେ ଯାଇ ପହଞ୍ଚିବାର ଗୋଟାଏ ଘଣ୍ଟା ଆଗରୁ ସେ ସର୍ଭେ ପାର୍ଟି ସହିତ ଚାଇବସା ଚାଲିଯାଇଥିଲେ । ଗାଡ଼ିରେ ବି ସେମାନଙ୍କୁ ଫଲୋ କରିବାକୁ ବିଶେଷ ପରିମାଣରେ ପେଟ୍ରୋଲ ନ ଥିଲା ।’

 

‘ଓ’ ଏକ ଦୀର୍ଘ ନିଶ୍ୱାସ ନିର୍ଗତ ହେଲା ମି: ମହାନ୍ତିଙ୍କର । ସେ କ୍ଷଣେ କାଳ ହତବାକ ହୋଇ ଛିଡ଼ା ହୋଇଗଲେ ।

 

‘ଡି. ଏଫ୍. ଓ. ସାହେବଙ୍କ ଗାଡ଼ିଟା ନଅଟା ଭିତରେ ଫେରାଇଦେବାକୁ କଥା ଦେଇ ମୁଁ ନେଇ ଆସିଥିଲି, ଆଜ୍ଞା !’ ସୁପରଭାଇଜର ଜଣକ କହିଉଠିଲେ ।

 

‘ସେମାନେ କେତେବେଳେ ଫେରିବେ ସେ ବିଷୟରେ କିଛି ସମ୍ବାଦ ପାଇଲେ ?’ ଶତ୍ରୁଜିତ ପଚାରି ଉଠିଲେ ।

 

‘କାଲି ସକାଳେ ଚାଇବସାରୁ ସେମାନେ ମାଇନିଂ ଅଫିସକୁ ଫେରିବେ ବୋଲି ଜଣକ ପାଖରୁ ଖବର ମିଳିଲା ।’

 

ମି: ମହାନ୍ତି ଶତ୍ରୁଜିତଙ୍କୁ ଲକ୍ଷ୍ୟ କରି କ’ଣ ସଙ୍କେତ ପାଇ କହିଲେ, ‘ପ୍ରତାପ, ମି: ପାତ୍ରଙ୍କର ଗାଡ଼ି ସିଜ୍ ହୋଇଛି । ତମେ ଏଇଠାରେ ଆଉ କିଛି ସମୟ ଅପେକ୍ଷା କର । ମୁଁ ଆଉ ଦୁଇଜଣ ରିଲିଭର ପଠାଉଛି । ତା’ପରେ ତମେ ଫେରିଯିବ ।’

 

ମେସେଞ୍ଜର ପ୍ରତାପ ସମ୍ମତି ଜଣାଇଲା ।

 

ତା ଉପରୁ ଦୃଷ୍ଟି ଫେରାଇ ସୁପରଭାଇଜରକୁ ଲକ୍ଷ୍ୟ କରି କହିଲେ, ‘ଆପଣଙ୍କର କାର ଡ୍ରାଇଭର କୋଉଠି ରହେ ?’

 

‘ସେ ଜିପ୍ ନେଇ ସେମାନଙ୍କ ସହିତ ଯାଇଛି, ଆଜ୍ଞା !’ ସୁପରଭାଇଜର କିଞ୍ଚିତ୍ ଭୀତତ୍ରସ୍ତ କଣ୍ଠରେ କହିଲେ ।

 

‘ବେଶ୍, ପ୍ରତାପ, ମୋର ବିନା ଅନୁମତିରେ କାର କେହି ଯେମିତି ସ୍ପର୍ଶ ନ କରନ୍ତି ।’

 

‘ହଁ ସାର !’

 

‘ରିଲିଭର ଘଣ୍ଟାଏ ଭିତରେ ଆସିଯିବେ । ଆସନ୍ତୁ ଶତ୍ରୁଜିତବାବୁ !’

 

ଶତ୍ରୁଜିତ ପୁଣି ଥରେ ଉପସ୍ଥିତ ଲୋକମାନଙ୍କ ଉପରୁ ଦୃଷ୍ଟି ଫେରାଇ ମି: ମହାନ୍ତିଙ୍କ ସହିତ ଜିପ୍ ନିକଟକୁ ଫେରିଆସିଲେ ଉଭୟଙ୍କୁ ନେଇ ଜିପ୍‌ଟି ପୁଣି ବିପରୀତ ଦିଗରେ ଫେରିଗଲା-

 

ସିଗାରେଟରୁ ଧୂଆଁ ଛାଡ଼ି ବାହାର ଆକାଶରୁ ଦୃଷ୍ଟି ଫେରାଇ ଭିତରକୁ ଲକ୍ଷ୍ୟ କଲେ ଶତ୍ରୁଜିତ । ଭିତରେ ଧ୍ୟାନମଗ୍ନ ଋଷି ଭଳି ବସି ରହିଥିଲେ ସୁବ୍ରତ । ତାଙ୍କ ଚକ୍ଷୁରେ ଜ୍ୟୋତି ନିଷ୍ପ୍ରଭ ହୋଇଆସିଥିଲା । ଅସୀମ ଦୁର୍ଭାବନା ଭିତରେ ସେ ବୁଡ଼ି ରହିଥିଲେ ।

 

କୋଠରି ଭିତରେ ଅସୀମ ଗମ୍ଭୀରତା ଖେଳି ରହିଥିଲା । ସୁବ୍ରତଙ୍କ ଉପରୁ ଥରେ ନିଜର ଦୃଷ୍ଟି ଫେରାଇ ନେଇ ଶତ୍ରୁଜିତ କେତେକ ମୁହୂର୍ତ୍ତ କ’ଣ ଭାବିଲେ । ତା’ପରେ ଧୀରେ ଧୀରେ ଆଗେଇ ଆସି ସୁବ୍ରତଙ୍କ କାନ୍ଧ ଉପରେ ହାତ ରଖିଲେ ।

 

ସୁବ୍ରତଙ୍କ ଦେହରେ କିଞ୍ଚିତ୍ ଚଞ୍ଚଳତା ଦେଖାଦେଲା । କିନ୍ତୁ ସେ ଉପରକୁ ମୁହଁ ଟେକି ଚାହିଁବାର ଶକ୍ତି ଯେମିତି ବହୁ ପୂର୍ବରୁ ହରାଇ ସାରିଥିଲେ ।

 

‘ସୁବ୍ରତବାବୁ, ଆପଣଙ୍କର ପୂର୍ବ ତଥ୍ୟ ଜାଣିସାରିବା ପରେ ଆପଣ ଯଦି ଭାବୁଥାନ୍ତି ଯେ ମୁଁ ଆପଣଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏସ୍. ପି. ସାହେବଙ୍କୁ ଅନୁରୋଧ କରିବି, ତା’ହେଲେ ମୁଁ କହିବି, ଆପଣ ଏପର୍ଯ୍ୟନ୍ତ ବି ମୋ ଉପରେ ବିଶ୍ୱାସ ରଖିପାରିନାହାନ୍ତି ।’

 

ତଥାପି ସୁବ୍ରତ ନିରୁତ୍ତର ରହିଥିଲେ । ତାଙ୍କଠାରୁ କିଞ୍ଚିତ୍ ଦୂରରେ ପଡ଼ିଥିବା ଏକ ଚେୟାର ତାଙ୍କ ନିକଟକୁ ଟାଣି ଆଣି ଶତ୍ରୁଜିତ ବସୁ ବସୁ କହିଲେ, ‘ପ୍ରାୟ ପ୍ରତ୍ୟେକ ମଣିଷର କିଛି ନା କିଛି ଦୁର୍ବଳତା ରହିଛି । କିନ୍ତୁ ଏଇ ଯୋଉ ଦୁର୍ବଳତାର ଆପଣ ଶିକାର ହେଲେ, ତାହା ଆପଣଙ୍କର ଏଇ ଜୀବନ ଆରମ୍ଭ କରିବା ପୂର୍ବରୁ । ସ୍ନେହଲତାର ସ୍ୱଭାବ ଚରିତ୍ର ବିଷୟରେ ପ୍ରମାଣ ମୁଁ ସଂଗ୍ରହ କରିସାରିଛି । ତେଣୁ ମୁଁ ଏ ବିଷୟରେ ଦୃଢ଼ ନିଶ୍ଚିତ ଯେ ସେ ବିଳାସ ବ୍ୟସନର ଲୋଭରେ ଆକୃଷ୍ଟ ହୋଇ ମି: ପାତ୍ରଙ୍କୁ ବିବାହ କରିଥିଲେ ବି ଆପଣଙ୍କୁ ଭୁଲ ପାରି ନଥିଲା, ଯାହା ଫଳରେ ଆପଣଙ୍କ ସହ ପୁଣି ଥରେ ଗୋପନରେ ସେ ଅବୈଧ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲା ।’

 

ଏଥର ସୁବ୍ରତଙ୍କର ଦୃଷ୍ଟି କିଞ୍ଚିତ୍ ଉତ୍ତୋଳିତ ହେଲା । ହୁଏତ ସେ କ’ଣ କହିବାକୁ ଚେଷ୍ଟା କରି କହି ପାରିଲେ ନାହିଁ ।

 

‘ସେସବୁ ପଛକଥା ଆଲୋଚନା କରି ଆଉ ଲାଭ ନାହିଁ । ଆସନ୍ତା କାଲି ଦଶଟାରେ ହେବାକୁ ଥିବା କନ୍‌ଫରେନସ୍‌ରେ ଆପଣ ଯୋଗ ଦେବାଟା ଅନ୍ତତଃ ଆପଣଙ୍କ ସମ୍ମାନ ଦୃଷ୍ଟିରୁ ମୁଁ ଆଶା କରେ ନାହିଁ । କାରଣ ପୋଲିସ ବିଭାଗ ଯୋଉ କେତେକ ତଥ୍ୟ ଆପଣଙ୍କ ବିରୁଦ୍ଧରେ ପାଇଛି, ସେ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଯେ ସେମାନେ ଆପଣଙ୍କୁ ବ୍ୟସ୍ତ ଚକିତ କରିଦେବେ ଏ ବିଷୟ ଆପଣ ନିଶ୍ଚୟ ଭାବୁଥିବେ ।’

 

ଏଥର ସୁବ୍ରତଙ୍କ ଅସହାୟ ଦୃଷ୍ଟି ଶତ୍ରୁଜିତଙ୍କ ଉପରେ ସ୍ଥିର ହେଲା । ତାଙ୍କର ସେଇ ନୀରବ ଇଙ୍ଗିତରୁ ଶତ୍ରୁଜିତ କ’ଣ ବୁଝିଲେ କେଜାଣି କହିଲେ, ‘ଆପଣ ଯଦି ମୋ ଉପରେ ବିଶ୍ୱାସ କରନ୍ତି, ତା’ହେଲେ ଏ ବିଷୟରେ କେତେକ ତଥ୍ୟ ମୁଁ ଆପଣଙ୍କ ନିକଟରୁ ଆଶା କରିବି ।’

 

ସୁବ୍ରତଙ୍କର ଦୃଷ୍ଟି ଶତ୍ରୁଜିତଙ୍କ ମୁଖମଣ୍ଡଳରୁ ଅପସରି ନିମ୍ନଗାମୀ ହେଲା ।

 

‘ବର୍ତ୍ତମାନ ମୁଁ ଆପଣଙ୍କର ବନ୍ଧୁ । ଏ ବିଷୟରେ ମୋ ପାଖରେ ଆପଣଙ୍କର ସଂକୋଚ ମୁଁ ଆଶା କରେ ନାହିଁ । କେବଳ ଆପଣ ମୋତେ ବନ୍ଧୁ ବୋଲି ଭାବିବେ ନାହିଁ । ଆପଣ ଜଣେ ମୋର ସମଧର୍ମୀ ମଧ୍ୟ । ଜଣେ ସମଧର୍ମୀର ଅପବାଦ ମୋର ମଧ୍ୟ ଅପବାଦ ।’

 

‘ମି: ଶତ୍ରୁଜିତ !!’

 

ଶତ୍ରୁଜିତ ପ୍ୟାକେଟରୁ ସିଗାରେଟ ବାହାର କରି ସୁବ୍ରତଙ୍କୁ ଦେଲେ । ନିଜେ ଅନ୍ୟ ଖଣ୍ଡିକରେ ଅଗ୍ନି ସଂଯୋଗ କରି କହିଲେ, ‘ଅନନ୍ତ ଦାସଙ୍କର ମୃତ୍ୟୁ ସ୍ୱାଭାବିକ ବୋଲି ତାଙ୍କର ଘରୋଇ ଡାକ୍ତର ମନ୍ତବ୍ୟ ଦେଇଥିଲେ ମଧ୍ୟ ସେଥିରେ କାହାର ସନ୍ଦେହ ହୋଇଥିଲା ? ଦେଖନ୍ତୁ ସୁବ୍ରତବାବୁ ବର୍ତ୍ତମାନ ଏଇ କଥାବାର୍ତ୍ତା ମୁକ୍ତ ହୃଦୟରେ ହେବା ଉଚିତ । କାରଣ ପ୍ରକୃତ ତଥ୍ୟ ଯେତେ ଅପ୍ରିୟ ହେଲେ ବି ବିଶେଷତଃ ଆପଣଙ୍କ ପାଇଁ ବିପଦର ଆଶଙ୍କା ନାହିଁ ।’

 

ସୁବ୍ରତ କଣ ଚିନ୍ତା କଲେ । ତା’ପରେ କହିଲେ, ସ୍ନେହଲତା ସହିତ ମୋର ପୂର୍ବରୁ ଯୋଉ ସଂପର୍କ କଥା ଆପଣ କହିଛନ୍ତି ସେଥିରେ ତିଳେ ହେଲେ ମିଥ୍ୟା ନାହିଁ । ମୁଁ ଯେ ସ୍ନେହଲତାକୁ ଭଲ ପାଉଥିଲି ଆଉ ଦିନେ ତାକୁ ବିବାହ କରିବାକୁ ସମ୍ମତି ଦେଇ ଅପମାନିତ ହେଇଥିଲି, ଏ ବିଷୟରେ ଆପଣ ମଧ୍ୟ ନିଃସନ୍ଦେହରେ ରହିପାରନ୍ତି । ସେଇଦିନଠାରୁ ମିଥ୍ୟା ଆଭିଜାତ୍ୟ ଉପରେ ଗଢ଼ା ଯେକୌଣସି ଧନାଢ଼୍ୟ ପରିବାରରୁ ମୁଁ ବିବାହ ନ କରିବାକୁ ପ୍ରତିଜ୍ଞା ମଧ୍ୟ କରିଥିଲି । ଆଉ ସେଇଥିପାଇଁ ଡ: ମିଶ୍ରଙ୍କ କ୍ଳିନିକରେ ରହିଥିବେ ସୁଜାତା ସହିତ ମୋର ସଂପର୍କ ଗଢ଼ା ହେଇଥିଲା । ଆଉ ଆମେ ଦୁହେଁ ବିବାହ କରିବାପାଇଁ ପ୍ରତିଜ୍ଞାବଦ୍ଧ ମଧ୍ୟ ହେଇଥିଲୁଁ । ମୋର ଫରେନ୍‌ ଯିବା ମୂଳରେ ତାହାର ପ୍ରେରଣା ହିଁ ରହିଥିଲା । ଆଉ ଆଜି ଏକଥା ମୁଁ ମୁକ୍ତ ହୃଦୟରେ କହିପାରେ, ତା’ର ସାମୟିକ ଆର୍ଥିକ ସାହାଯ୍ୟ ମୋତେ ଫରେନରେ କୌଣସି ଅସୁବିଧାର ସମ୍ମୁଖୀନ କରାଇବାକୁ ଦେଇ ନ ଥିଲା ।

 

‘ମି: ଶତ୍ରୁଜିତ ! ସ୍ନେହଲତାଠାରୁ ଯୋଉ ଧକ୍‌କା ମୁଁ ଖାଇଥିଲି, ସେଥିରେ ତା ପ୍ରତି ମୋ ମନରେ ପ୍ରତିହିଂସା ସୃଷ୍ଟି ହେବର ସ୍ୱାଭାବିକ । କିନ୍ତୁ ସେହି ପ୍ରତିଶୋଧ ତା’ର ଜୀବନ ପ୍ରବାହରେ କୌଣସି ବାଧା ସୃଷ୍ଟି କରିବା ଭଳି ନ ଥିଲା । ବରଂ ତା’ରି ଭଳି ଯୋଉ ଅଭିଜାତ ବଂଶର କନ୍ୟାମାନେ ଏଭଳି ଛଳନାର ଆଶ୍ରୟ ନେଇ ବିଭୀଷିକା ସୃଷ୍ଟି କରନ୍ତି, ସେଇମାନଙ୍କର ରହସ୍ୟ ସଂଗ୍ରହ କରି ପ୍ରକାଶ କରି ପ୍ରତିଶୋଧ ନେବାପାଇଁ ମୁଁ ସ୍ଥିର କରିଥିଲି ।’

 

‘ଆଉ ସେଇଥିପାଇଁ ଆପଣ ଏଇ ଘଟଣା ପ୍ରତି ଆକୃଷ୍ଟ ହେଇଥିଲେ ?’ ହଠାତ୍‌ ଶତ୍ରୁଜିତ ପ୍ରଶ୍ନ କରିଉଠିଲେ ।

 

‘ନା, ଅନନ୍ତ ଦାସଙ୍କ ମୃତ୍ୟୁ ରହସ୍ୟ ତଦନ୍ତ କରିବାପାଇଁ ମୁଁ ନିଯୁକ୍ତ ହେଇଥିଲି ।’

 

‘ମାନେ ମିସେସ ପାତ୍ରଙ୍କ ଦ୍ୱାରା ?’

 

‘ନା, ମାଳିନୀ ଦେବୀଙ୍କ ତରଫରୁ । ମାଳିନୀଙ୍କର ସ୍ୱାମୀ ମୋର କ୍ଳାସ୍‌ମେଟ୍ । ଆଉ ସେହିହିଁ କେବଳ ମୋର ଶ୍ରୁଭେଚ୍ଛୁ ବନ୍ଧୁ ଯେ ମୋତେ ଫରେନ୍ ଯିବାକୁ ଅନୁରୋଧ କରିଥିଲେ । ଆଉ ଏମିତି ସଂଯୋଗ ମୋର କର୍ମକ୍ଷେତ୍ରରେ ପ୍ରବଶେ କରିବାର ସର୍ବପ୍ରଥମେ ହିଁ ତାଙ୍କର ଅନୁରୋଧ ରକ୍ଷା କରିବାକୁ ପଡ଼ିଥିଲା । କେବଳ ସେ ଅନୁରୋଧ ଯେ କରିଥିଲେ ତାହା ନୁହେଁ, ସେଥିପାଇଁ ପାଞ୍ଚହଜାର ଟଙ୍କା ପାରିଶ୍ରମିକ ମଧ୍ୟ ସେ ଦେଇସାରିଛନ୍ତି ।’ ସୁବ୍ରତବାବୁ କହିଲେ ।

 

‘ତା’ ହେଲେ ପ୍ରଥମରୁ ଏଇ ମୃତ୍ୟୁ ବିଷୟରେ ସେମାନଙ୍କ ମନରେ ସନ୍ଦେହ ଆସିଥିଲା-?’

 

‘ଆଜ୍ଞା ! ମାଳିନୀ ଆଉ ତାଙ୍କର ସ୍ୱାମୀ ଅନନ୍ତ ଦାସଙ୍କର ଚିତ୍କାର ଶୁଣି ଆସିବା ସଙ୍ଗେ ସଙ୍ଗେ ତାଙ୍କ ପୂର୍ବରୁ କ୍ଷିପ୍ର ବେଗରେ ସେଇ କୋଠରି ଭିତରକୁ ଆସିଥିବା ସ୍ନେହ ସେଠାରୁ ଗୋଟାଏ ଗ୍ଳାସ ଉଠାଇ ବାହାରକୁ ଫିଙ୍ଗିଦେଇଥିବାର ସେମାନେ ଦେଖିଥିଲେ । ଆଉ ଚଟାଣରେ ପଡ଼ିଥିବା ପାଣିକୁ ମଧ୍ୟ ସ୍ନେହ ତା’ର ପଣତକାନିରେ ପୋଛିଦେଇଥିଲା । ଜୟନ୍ତୀ ସହ ସ୍ନେହର ସହଯୋଗରେ ଏଭଳି ହତ୍ୟାକାଣ୍ଡ ହେଇପାରିଥାଏ ବୋଲି ସେମାନେ ମୋତେ ଜଣାଇଥିଲେ ।’

 

‘କିନ୍ତୁ ଏ ସମ୍ବାଦ ତ ସେମାନେ ପୋଲିସକୁ ଦେଇପାରିଥାଆନ୍ତେ ?’

 

‘ମୋର ଯେତେଦୂର ଧାରଣା, ମାଳିନୀ ଦେବୀ ସ୍ନେହକୁ ଖୁବ୍ ଭଲ ପାଉଥିଲେ । ଆଉ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ସନ୍ଦେହଟା ସତ୍ୟ ବୋଲି ପ୍ରମାଣିତ ନ ହୋଇଛି, ସେତେବେଳ ପର୍ଯ୍ୟନ୍ତ ସିଧାସଳଖ ଭାବରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ପ୍ରସ୍ତୁତ ନ ଥିଲେ-।’

 

‘ବୁଝିଲି ।’ କିଞ୍ଚିତ୍‌ ଗମ୍ଭୀରତା ସହକାରେ ଶତ୍ରୁଜିତ କହିଲେ । ତା’ପରେ ପୁରି ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ କହିଲେ, ‘ତା’ହେଲେ ଆପଣ ଦୁଇଜଣଙ୍କୁ ଆଖି ଆଗରେ ରଖି ଏଇ ତଦନ୍ତ ଚଳାଉଥିଲେ ?’

 

‘ହଁ, ଏଇ ଜୟନ୍ତୀ ଯେ କିଏ ତାହା ପଚାରି ମଧ୍ୟ ତାଙ୍କ ପାଖରୁ କୌଣସି ଉତ୍ତର ପାଇ ନ ଥିଲି । ବରଂ ସେ ମୋତେ ତା ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଅନୁରୋଧ କରିଥିଲେ ।’

 

‘ଆଉ ସ୍ନେହଲତା ?‘

 

ସୁବ୍ରତଙ୍କ ମୁଖମଣ୍ଡଳରେ ଭାବାନ୍ତର ସୃଷ୍ଟି ହେଲା । ଗମ୍ଭୀର ଭାବରେ ସେ କହିଲେ,‘ମୁଁ ଫରେନରୁ ଫେରିବା ପରେ ସେ ଆପେ ଆପେ ଯାଇ ମୋ ପାଖରେ ପହଞ୍ଚିଥିଲା । ତା’ର କୃତକର୍ମ ପାଇଁ କ୍ଷମା ମାଗିଥିଲା । ଆଉ ସେ ଯେ ସେଇଥିପାଇଁ କୋଉ ଭଳି ଶାସ୍ତି ଭୋଗୁଛି ତାହା ବର୍ଣ୍ଣନା କରିଥିଲା ।’

 

‘ମାନେ ?’

 

‘ସେସବୁ ଛଳନାରେ ଯେ ପରିପୂର୍ଣ୍ଣ ଏଥିରେ ସନ୍ଦେହ ନ ଥିଲା । ମୁଁ ସେତେବେଳକୁ ଖୁବ୍‌ ଗୋପନରେ ଅନନ୍ତ ଦାସଙ୍କ ହତ୍ୟା ବିଷୟରେ ତଦନ୍ତ ଆରମ୍ଭ କରିସାରିଥିଲି । ତେଣୁ ତାର ଅନୁରୋଧକୁ ଉପେକ୍ଷା କରିବା ଅପେକ୍ଷା ସେଇ ସୁଯୋଗରେ ଏ ବିଷୟରେ କିଛି ତଥ୍ୟ ଜାଣିବାଟା ମୋ ନିକଟରେ ପ୍ରୟୋଜନୀୟ ହୋଇପଡ଼ିଥିଲା । ମୋତେ ବିଶ୍ୱାସ କରନ୍ତୁ ମି: ଶତ୍ରୁଜିତ,ତା’ ପ୍ରତି ମୋର ଦୁର୍ବଳତା ସେହି ଦିନ ହିଁ ସମାପ୍ତ ହୋଇଥିଲା ।

 

‘ମୁଁ କିନ୍ତୁ ବୁଝିପାରିଲି ନାହିଁ, ଆପଣଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ କୋଉଭଳି ଶାସ୍ତି ଭୋଗୁଥିଲା ? ଆଉ ଆପଣଙ୍କଠାରୁ ସେ କ’ଣ ସାହାଯ୍ୟ ଚାହୁଁଥିଲା ?’

 

ଚିନ୍ତିତ ଭାବରେ ସିଗାରେଟରୁ ଧୂଆଁ ଛାଡ଼ୁ ଛାଡ଼ୁ ସୁବ୍ରତ କହିଲେ, ‘ହଁ, ଠିକ୍‍ କଥା ମନେ ପକାଇ ଦେଇଛନ୍ତି ମି:ଶତ୍ରୁଜିତ । କିନ୍ତୁ ଏଇ କଥା କହିବା ପୂର୍ବରୁ ମୁଁ ଆପଣଙ୍କୁ ପୁଣି ଥରେ ଅନୁରୋଧ କରିବାକୁ ଚାହେଁ ଯେ ମୁଁ ଏଇ ଘଟଣା ପରେ ତା’ ପ୍ରତି ମୋର ପୂର୍ବର ଦୁର୍ବଳତା ଥିବାର ଯୋଉ ସୂଚନା ଦେଇଥିଲି ତାହା କେବଳ ମୋର କାର୍ଯ୍ୟ ଉଦ୍ଧାର କରିବାପାଇଁ । ସେ କିନ୍ତୁ ମୋର ଏଇ ଛଳନା ସହଜରେ ବୁଝିପାରି ନ ଥିଲା । ମୋର କେତେଗୁଡ଼ିଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲା ଯେ ତାର ସ୍ୱାମୀ ଅର୍ଥାତ୍‌ ମି:ପାତ୍ର ଜୟନ୍ତୀ ପ୍ରତି ଅତିଶୟ ଦୁର୍ବଳ ହୋଇ ପଡ଼ିଛନ୍ତି, ଯୋଉଥିର ପ୍ରତିବାଦ ସିଧାସଳଖ ଭାବରେ ସେ କରିବାକୁ ଅସମର୍ଥ ।’

 

‘ତା’ ମାନେ, ଆପଣ କହିବାକୁ ଚାହାନ୍ତି, ମି:ପାତ୍ର ଜୟନ୍ତୀ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ,ଯୋଉ ଆକର୍ଷଣ ପାଇଁ ତାଙ୍କ ଅନ୍ତରମନ୍ଦିରକୁ ନିଜର ବିବାହିତା ପତ୍ନୀର ଛାୟା ଅପସରି ଯାଉଥିଲା ?’

 

‘ମୁଁ ନୁହେଁ, ମି.ଶତ୍ରୁଜିତ ! ସ୍ନେହ ଏଇ ତଥ୍ୟ ମୋତେ ଯୋଗାଇ ଦେଇଥିଲା । ତା ପାଖରୁ ମୁଁ ଆହୁରି ଜାଣିବାକୁ ପାଇଥିଲି ଯେ କେବଳ ଜୟନ୍ତୀର ସାନ୍ନିଧ୍ୟ ପାଇବାପାଇଁ ମି: ପାତ୍ର ବାରମ୍ବାର ଅନନ୍ତ ଦାସଙ୍କ ଘରକୁ ଯାଉଥିଲେ, ଯୋଉ ସମ୍ବାଦ ସ୍ନେହଲତା ଜାଣି ନ ପାରିବାପାଇଁ ବ୍ୟବସ୍ଥା କରିଥିଲେ ।’

 

‘ତା ମାନେ, ସ୍ନେହଲତାର ଅଗୋଚରରେ ?’

 

‘ହଁ, ମାଇନସ୍‌ ଯିବା ବାହାନା କରି ସେ ସେଠାକୁ ଯାଉଥିଲେ ।’

 

‘ଆଉ ଏ କଥା କ’ଣ ସତ୍ୟ ଯେ ମିସେସ ପାତ୍ର ମିଷ୍ଟର ପାତ୍ରଙ୍କ ଅନୁପସ୍ଥିତ ସମୟରେ ରାତି ଗୋଟାଏ ଦୁଇଟାବେଳେ ଫେରନ୍ତି ?’

 

ସୁବ୍ରତବାବୁ ଏଇ କଥା ଉପରେ ଟିକିଏ ଅନ୍ୟମନସ୍କ ହେଇଉଠିଲେ । ତାପରେ କ’ଣ ଚିନ୍ତା କରି କହିଲେ,‘ଆପଣଙ୍କ ଅନୁମାନ ଠିକ୍‌ । ସ୍ନେହଲତା ପୁଣି ଥରେ ମୋ ମନ ଉପରେ ପୂର୍ବରୁ ତା ପ୍ରତି ଥିବା ସ୍ନେହ ଫେରାଇ ଆଣିବା ପାଇଁ ସଚେଷ୍ଟା ହେଇଉଠୁଥିବାର ମୁଁ ଲକ୍ଷ୍ୟ କରିଥିଲି । ଆଉ ସେଇଥିପାଇଁ ମିଷ୍ଟର ପାତ୍ରଙ୍କ ଅନୁପସ୍ଥିତି ଦିନମାନଙ୍କରେ ସେ ମୋ ପାଖକୁ ଛୁଟିଯାଉଥିଲା ।’

 

‘ତାର ଅନୁରୋଧ ମି:ପାତ୍ର ତଥା ଜୟନ୍ତୀ ଭିତରେ କୌଣସି ଗୋପନୀୟ ସମ୍ପର୍କ ଥିବାର ସଂଧାନ ଆପଣ ପାଇଥିଲେ?

 

‘ନା । ଅବଶ୍ୟ ସମୟରେ ସ୍ନେହଲତାଠାରୁ ସମ୍ବାଦ ପାଇ ମୁଁ ମି: ପାତ୍ରଙ୍କୁ ଫଲୋକରି ଅନନ୍ତ ଦାସଙ୍କ ଘରେ ପହଞ୍ଚିଥିଲେ । ଅବଶ୍ୟ ଅନେକ ଥର ନିଭୃତ କୋଠରି ଭିତରେ ଉଭୟଙ୍କୁ ମୁଁ ଦେଖିଛି । ଆଉ ଉଭୟଙ୍କର ମାନସିକ ପରିସ୍ଥିତି ମୁଁ ଷ୍ଟଡ଼ି କରିଛି । ସେଥିରୁ ମୋର ଯାହା ମନେହୁଏ, ଜୟନ୍ତୀ ମି:ପାତ୍ରଙ୍କୁ କେବଳ ସମ୍ମାନ କରୁଥିଲା । କିନ୍ତୁ ମି: ପାତ୍ର ସ୍ନେହଲତାର ସନ୍ଦେହଠାରୁ ନ ଥିଲେ ।

 

‘‘ମୁଁ କିନ୍ତୁ ବୁଝିପାରିଲି ନାହିଁ, ସୁବ୍ରତବାବୁ, ଅନନ୍ତ ଦାସଙ୍କ ମୃତ୍ୟୁ ପରେ ପରେ ସ୍ନେହଲତାକୁ ଯୋଉ ପରିବେଶରେ ମାଳିନୀ ଦେବୀ ଆଉ ତାଙ୍କର ସ୍ୱାମୀ ଭେଟିଥିଲେ ।’’

 

‘ସେଥିରେ ସ୍ନେହଲତାକୁ ସନ୍ଦେହ କରିବା କଥା । ତଥାପି ଜୟନ୍ତୀ ଉପରେ ମୋର ସନ୍ଦେହ ଦୃଢ଼ ହେଇଥିଲା କାହିଁକି, ସେଇ କଥା ଆପଣ ଜାଣିବାକୁ ଚାହୁଁଛନ୍ତି ?’ ଶତ୍ରୁଜିତଙ୍କ ନିକଟରୁ କଥା ଛଡ଼ାଇ ସୁବ୍ରତ କହିଲେ ।

 

‘ହଁ’

 

‘ଜୟନ୍ତୀ ଯେ କିଏ ତାହା ମୁଁ ପ୍ରାୟ ଜାଣିସାରିଥିଲି । ସ୍ନେହଲତା ଆଉ ତାର ଏ ଭିତରେ ଯେ ଗୋପନ ଷଡ଼ଯନ୍ତ୍ର ଥାଇପାରେ ଏହା ମୁଁ ଅବିଶ୍ୱାସ କରି ପାରି ନ ଥିଲି । କାରଣ ଦୁହିଁଙ୍କ ସହିତ ଅନନ୍ତ ଦାସଙ୍କର କୌଣସି ରକ୍ତଗତ ସଂପର୍କ ନ ଥିଲା । ତା’ପରେ ଜୟନ୍ତୀ ଆବିର୍ଭାବ ସଂପୂର୍ଣ୍ଣ ରହସ୍ୟଜନକ ଭାବରେ ହୋଇଥିଲା । ପରେ ପରେ ସେ ପୁଣି ସ୍ୱୀକାର କରିଥିଲା ଯେ ସେ ନିଜେ ସାଇନାଏଡ଼୍‌ ଟେବଲେଟ ଅନନ୍ତ ଦାସଙ୍କୁ ଦେଇଛି ବୋଲି ।’

 

‘ଆପଣଙ୍କର ସନ୍ଦେହ ଯଥାର୍ଥ । କିନ୍ତୁ ସୁବ୍ରତବାବୁ, ସ୍ନେହଲତା କେବେ କଣ ଆପଣଙ୍କୁ କହିଥିଲା ଯେ ମି:ପାତ୍ରଙ୍କୁ ଦୂରେଇଦେଇ ସେ ଆପଣଙ୍କ ପାଖକୁ ଫେରିଆସିବ ?’

 

‘ନା, ବରଂ ସେ ଏକ ଉଦ୍ଭଟ ପ୍ରସ୍ତାବ ଉପସ୍ଥାପିତ କରିଥିଲା— ତା’ପରି ମୁଁ ଅନ୍ୟ ଜଣେ କାହାରିକୁ ବିବାହ କରେଁ; କିନ୍ତୁ ଭିତରେ ଥିବା ପୂର୍ବର ସଂପର୍କ ଛିନ୍ନ ନ ହେଉ.’

 

‘ବେଶ୍‌, ଏଥର ମନେପକାନ୍ତୁ, ସ୍ନେହଲତା କେବଳ କଣ ଆପଣଙ୍କୁ କହି ନ ଥିଲା ଯେ ଯୋଉ ଚାରି ଏକର ସଂପତ୍ତି ଭବିଷ୍ୟତରେ ଖୁବ୍‌ ମୂଲ୍ୟବାନ ହେଇପାରିବାର ସମ୍ଭାବନା ରହି ସେଇ ଚାରି ଏକର ସଂପତ୍ତି କେମିତି ସେ ହସ୍ତଗତ କରିପାରିବ ବୋଲି ?’

 

ସୁବ୍ରତ ଚିନ୍ତିତ ହୋଇଉଠିଲେ;ହୁଏତ ସେ ଏପରି କଥା କେବେ ସ୍ନେହଠାରୁ ଶୁଣିଛନ୍ତି କି ନାହିଁ ଚିନ୍ତା କରୁଥିଲେ । କିନ୍ତୁ ସେଇ ମୁହୂର୍ତ୍ତରେ କୋଠରି ଭିତରେ ଥିବା ଟେଲିଫୋନଟି ଶବ୍ଦାୟିତ ହୋଇଉଠିବାରୁ ଶତ୍ରୁଜିତ ରିସିଭର ଉଠାଇନେଲେ ।

 

‘ମି: ମହାନ୍ତି କ’ଣ କହିଲେ ? ମି: ପାତ୍ରଙ୍କୁ ମାଇନିଂ ଅଫିସରୁ ଏଠାକୁ ଅଣାଯାଇଛି । ଓକେ ହଁ, ବେଶ୍‌, ଆମେ ଦୁହେଁ ଏବେ ଯାଇଛୁଁ ।’ ରିସିଭର ରଖି ଶତ୍ରୁଜିତି ପୁଣି ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କଲେ । ତା’ପରେ ଚିନ୍ତିତ ଭାବରେ କହିଲେ, ‘ଆପଣ ମି: ପାତ୍ରଙ୍କ ଗାଡ଼ି ଚେକ୍‌ କରିବାକୁ ଯାଇଥିଲେ ?’

 

‘ହଁ’

 

‘କିଛି ପାଇଲେ ?’

 

‘ନା’

 

‘ବେଶ୍‌, ଏଥର ଆସନ୍ତୁ । ମି: ପାତ୍ରଙ୍କ ସହିତ ସାକ୍ଷାତ କରିବା ଆଗରୁ ମୋର କେତେଗୁଡ଼ିଏ ଅତ୍ୟାବଶ୍ୟକୀୟ କାମ ଶେଷ କରିବାର ଅଛି ।’

 

ବନ୍ଦ ଦ୍ୱାରା ଖୋଲି ଉଭୟେ ବାହାରକୁ ବାହାରିଆସିଲେ । ତନ୍ମୟ ବାଇକ୍‌ଟି ଧରି ତାଙ୍କ ଆଗମନ ପ୍ରତୀକ୍ଷାରେ ରହିଥିଲେ । ତାଙ୍କ ଉପରୁ ଦୃଷ୍ଟି ଫେରାଇ ଶତ୍ରୁଜିତ କହିଲେ, ‘‘ଆପଣ ଏଥର ବିଶ୍ରାମ ନିଅନ୍ତୁ, ସୁବ୍ରତ ବାବୁ ! ମୁଁ ଦୁଇଘଣ୍ଟା ଭିତରେ ପୁଣି ଆପଣଙ୍କ ନିକଟକୁ ଆସୁଛି ।’

 

ମି: ପାତ୍ରଙ୍କ ମୁଖମଣ୍ଡଳରୁ ଦୃଷ୍ଟି ଫେରାଇଆଣି ଏସ୍‌.ପି. ସାହେବଙ୍କ ଉପରେ ଦୃଷ୍ଟି ନିବଦ୍ଧ କଲେ ଶତ୍ରୁଜିତ । ତାଙ୍କ ମୁଖମଣ୍ଡଳରୁ ରହସ୍ୟର ପାଖୁଡ଼ା ଯେମିତି ଝରୁଥିଲା ।

 

ମି:ପାତ୍ର ଗମ୍ଭୀର କଣ୍ଠରେ କହିଲେ, ‘ସ୍ନେହର ଯୋଉ ରହସ୍ୟଜନକ ଆଚରଣ କଥା ଆପଣ କହିଲେ ମୁଁ ତାହା ବିଶ୍ୱାସ କରିପାରୁନାହିଁ, ମି:ଶତ୍ରୁଜିତ ! ସର୍ବୋପରି ତା’ର ଯେ କୌଣସି ଶତ୍ରୁ ଥାଇପାରନ୍ତି ସେକଥା ମୋର କଳ୍ପନାର ବାହାରେ । ତଥାପି ତା’ର ମୃତ୍ୟୁକୁ ଅସ୍ୱୀକାର କରିହେବ ନାହିଁ ।’

 

‘ଜୟନ୍ତୀ ମହାପାତ୍ରକୁ ଆପଣ ଜାଣନ୍ତି ?’ ଶତ୍ରୁଜିତ ପଚାରି ଉଠିଲେ ।

 

‘ଜାଣେ ।’

 

‘ତାକୁ ଯଦି ସ୍ନେହର ହତ୍ୟାକାରିଣୀ ବୋଲି ଧରିନିଆଯାଏ, ଆପଣ କ’ଣ ଅବିଶ୍ୱାସ କରିବେ ?

 

‘ମି:ଶତ୍ରୁଜିତ ! !‘ମି:ପାତ୍ରଙ୍କ କଣ୍ଠରୁ ବିସ୍ମୟ ଯେମିତି ଝରିପଡ଼ୁଥିଲା ।

 

‘ଅନନ୍ତ ଦାସଙ୍କ ପରିବାର ଭିତରେ ଅନ୍ୟମାନଙ୍କୁ ବାଦ୍‌ଦେଲେ ସ୍ନେହଲତା ଦେବୀ ତାଙ୍କୁ ଖୁବ୍‌ ଘୃଣା କରୁଥିଲେ । ଏପରିକି ତାର ଛାଇ ସୁଦ୍ଧା ଦେଖିବାକୁ ସେ କୁଣ୍ଠିତ ବୋଧ ମନେ କରୁଥିଲେ । ହୁଏତ ଏଇଥିପାଇଁ.’

 

ମି:ପାତ୍ର କଣ ଭାବିଲେ । ତା’ପରେ ଅନୁଚ୍ଚ କଣ୍ଠରେ କହିଲେ, ‘କେବଳ ଯେ ଏଇ ଘୃଣା ବା ବିଦ୍ୱେଷକୁ କେନ୍ଦ୍ର କରି ନରହତ୍ୟା ପରି ଏକ ଜଘନ୍ୟ ଅପରାଧ କରିବାକୁ କେହି ଯାଇପାରେ, ତା ମୁଁ ବିଶ୍ୱାସକରି ପାରୁନାହିଁ, ମି:ଶତ୍ରୁଜିତ !’

 

‘ଆପଣଙ୍କ ଯୁକ୍ତି ଅସଙ୍ଗତ ନୁହେଁ । କେବଳ ଯେ ଘୃଣା ବା ବିଦ୍ୱେଷକୁ କେନ୍ଦ୍ର କରି ଏଇ ହତ୍ୟାକାଣ୍ଡ ସଂଘଟିତ ହେଇପାରିଥାଏ, ତାହା ଆପଣଙ୍କ ପରି ଆମେମାନେ ମଧ୍ୟ ବିଶ୍ୱାସ କରିପାରୁନାହିଁ ।’

 

‘ତା’ହେଲେ ?’

 

‘ନିଶ୍ଚୟ ଜାଣିଥିବେ, ଅନନ୍ତ ଦାସ ତାଙ୍କର ଜୀବିତାବସ୍ଥାରେ ସମଗ୍ର ସମ୍ପତ୍ତିକୁ ଦୁଇଭାଗ କରିଦେଇଥିଲେ । ଗୋଟିଏ ଭାଗ ନିଜ ନାମରେ ରଖି ଅପର ଭାଗକ ମିସେସ ପାତ୍ର ଆଉ ମାଳିନୀ ଦେବୀଙ୍କୁ ସମାନ ସମାନ ଅଂଶରେ ବାଣ୍ଟିଦେଇଥିଲେ ।’

 

‘ଜାଣେ ।’

 

‘ତାଙ୍କ ନିଜ ନାମରେ ଯୋଉ ଅର୍ଦ୍ଧକ ରହିଲା ତା’ରି ଭିତରୁ ଚାରି ଏକର ଜମି ମାଇନିଂ ଏରିଆ ମଧ୍ୟରେ ରହିଥିଲା, ଯୋଉ ଏରିଆ ଭିତରେ ମୂଲ୍ୟବାନ ଖଣିଜ ଧାତୁ ଥିବାର ଭୂତତ୍ତ୍ୱବିତ୍‌ମାନେ ସୂଚନା ଦେଇଥିଲେ । ମୋର ଯେତେ ଦୂର ବିଶ୍ୱାସ, ଆପଣ ଏ ବିଷୟ ନିଶ୍ଚୟ ଜାଣିଥିବେ ।

 

‘ମି: ପାତ୍ର ଇତସ୍ତତଃ ହୋଇଉଠି କହିଲେ,‘ଜାଣେ । କିନ୍ତୁ ତା ସହିତ ଏ ଘଟଣାରେ ସଂପର୍କ କ’ଣ ?’

 

‘ଅଛି, ମି:ପାତ୍ର ! ଆପଣ ପ୍ରଥମରୁ କହିଥିଲେ, କେବଳ ଘୃଣା ବା ବିଦ୍ୱେଷ ନେଇ ନରହତ୍ୟା ପରି ଏକ ଜଘନ୍ୟ ଅପରାଧ କେହି କରିବା ଉଚିତ ମନେକରନ୍ତି ନାହିଁ । କିନ୍ତୁ ସ୍ୱାର୍ଥସାଧନ ପାଇଁ ହତ୍ୟାକାଣ୍ଡ ପରି ଏକ ଜଘନ୍ୟ ଅପରାଧ କରିବା ପୃଥିବୀ ଇତିହାସରେ ବିରଳ ନୁହେଁ ।’

 

କିନ୍ତୁ ସେଥିରେ ଜୟନ୍ତୀର ସ୍ୱାର୍ଥ କ’ଣ ?’

 

‘ଜୟନ୍ତୀ କିମ୍ବା ସ୍ନେହ କାହାର ସ୍ୱାର୍ଥ ସେଥିରେ ଅଧିକ ଥିଲା ତାହା ଅନୁମାନ କରିବା ସହଜସାଧ୍ୟ ନୁହେଁ । ଆପଣ ଜଣେ ମାଇନିଙ୍ଗ ଇଞ୍ଜିନିଅର । ଅନେକଗୁଡ଼ିଏ ମାଇନସ ଆପଣ ପରିଚାଳନା କରୁଛନ୍ତି । ସ୍ନେହଲତା ଆପଣଙ୍କର ସ୍ତ୍ରୀ ।’ ଶତ୍ରୁଜିତ ଅଟକିଲେ ।

 

ମି:ପାତ୍ର ସନ୍ଦେହ ଭିତରେ ପଡ଼ୁଥିଲେ । ସେ ଦୁର୍ବୋଧ୍ୟ ଭାବରେ ତାଙ୍କୁ ଅନାଇ ରହି କହିଲେ, ‘ମୁଁ ଆପଣଙ୍କ କଥା ବୁଝିପାରିଲି ନାହିଁ ।’

 

‘ବିଶ୍ୱସ୍ତ ସୂତ୍ରରୁ ମୁଁ ସମ୍ବାଦ ପାଇଛି, ସେଇ ଚାରି ଏକର ଜମି ନିଜ ନାମରେ କରାଇନେବାପାଇଁ ମିସେସେ ପାତ୍ର ଅନନ୍ତ ଦାସଙ୍କୁ ବହୁ ଅନୁରୋଧ କରିଥିଲେ । କେବଳ ଅନନ୍ତ ଦାସଙ୍କୁ ଯେ ସେ ଏଥିପାଇଁ ଅନୁରୋଧ କରିଥିଲେ ତାହା ନୁହେଁ, ମାଳିନୀ ଦେବୀଙ୍କ ପାଖକୁ ମଧ୍ୟ ସେ ଏଇଥିପାଇଁ ଯାଇଥିଲେ ।’

 

ମି.ପାତ୍ର ହସିଲେ–‘ମୁଁ ଆପଣଙ୍କ କଥା ବିଶ୍ୱାସ କରିପାରୁନାହିଁ,ମି:ଶତ୍ରୁଜିତ !’

 

‘ମାଳିନୀ ଦେବୀ ! ସ୍ନେହଲତା ଯେ ସେଇଥିପାଇଁ ଆପଣଙ୍କ ନିକଟକୁ ଯାଇଥିଲେ ଆପଣ ଅସ୍ୱୀକାର କରିବେ ?’

 

କୋଠରି ଭିତରେ ଉପସ୍ଥିତ ପ୍ରତ୍ୟେକଙ୍କର ଦୃଷ୍ଟି ମାଲିନୀଙ୍କ ଉପରେ ନିବଦ୍ଧ ହେଲା ।

 

‘ନା, ଥରେ ନୁହେଁ, ଦୁଇ ଥର ସେଇ ଜମି ପାଇଁ ସ୍ନେହ ମୋତେ କହିଥିଲା–’ମାଳିନୀ ଦେବୀ କହିଉଠିଲେ ।

 

‘କିନ୍ତୁ....... କିନ୍ତୁ.....’

 

‘ମୁଁ ବଡ଼ ଆଶ୍ଚର୍ଯ୍ୟ ହେଉଛି ମି:ପାତ୍ର, ଆପଣଙ୍କ ଅଗୋଚରରେ ସେ ଇମିତି ପଦକ୍ଷେପ ନେଉଥିଲେ କାହିଁକି ? ପୁଣି ଏମିତି ବିପଦ୍‌ଜନକ ପରିସ୍ଥିତି ଭିତରେ ?’

 

ମି:ପାତ୍ର ହଠାତ୍‌ କିଛି ଉତ୍ତର ଦେଇପାରିଲେ ନାହିଁ ।

 

‘ହୁଏତ ଏହା ଭିତରେ କୌଣସି କାରଣ ଥାଇପାରେ, ଯେଉଥିପାଇଁ ସେ ଆପଣଙ୍କ ଅନୁମତି ଆବଶ୍ୟକ କରିନାହାନ୍ତି । ତେବେ ସେ ଯାହାହେଉ, ମିସେସ ପାତ୍ର ଯେତେବେଳେ ସେଇ ନିର୍ଦ୍ଦିଷ୍ଟ ଜମି ପାଇବାରେ ବିଫଳ ହେଲେ, ସେତେବେଳେ ତାଙ୍କ ମନରେ ଅନନ୍ତ ଦାସଙ୍କ ପ୍ରତି କ୍ରୋଧ ଆସିବା ସ୍ୱାଭାବିକ ।’

 

‘କିନ୍ତୁ କାହିଁକି ?’

 

‘ବେଶ୍‌, ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି, ତାର କାରଣ ଜଣାଇବାରେ ଆପତ୍ତି ନାହିଁ । ଏହା ଅତି ନିଶ୍ଚିତ ଯେ ଅନନ୍ତ ଦାସ ତାଙ୍କର ନିଜ ଅର୍ଦ୍ଧେକ ସଂପତ୍ତିର ଏକତୃତୀୟାଂଶ ଜୟନ୍ତୀ ମହାପାତ୍ର ନାମରେ ଉଇଲ୍‌ କରିଦେବାକୁ ଆଡ଼୍‌ଭୋକେଟ ଅମ୍ବରୀଶବାବୁଙ୍କ ସହିତ ପରାମର୍ଶ କରିଥିଲେ, ଯୋଉ ଅଂଶ ଭିତରେ ପୂର୍ବୋକ୍ତ କାରଣବଶତଃ ସେ ତାଙ୍କ ନିଷ୍ପତ୍ତି ପୁଣି ସ୍ଥଗିତ ରଖିଥିଲେ । ଆଉ ପରେ ମଧ୍ୟ ତାଙ୍କର ନିଷ୍ପତ୍ତି କାୟମ ରହିବାର ସୂଚନା ଥିଲା । ଏଇ ସମ୍ବାଦ ଯେତେବେଳେ ମିସେସ ପାତ୍ର ଜାଣିଲେ ସେତେବେଳେ ବିବ୍ରତ ହେଇପଡ଼ିଲେ । କାରଣ ଅନନ୍ତ ଦାସ ତାଙ୍କ ଜୀବିତାବସ୍ଥାରେ ଯଦି ସମ୍ପତ୍ତିଗୁଡ଼ିକୁ ଜୟନ୍ତୀ ମହାପାତ୍ରକୁ ଦେଇଯାଆନ୍ତି ତା’ହେଲେ ତା ପାଖରୁ ନିର୍ଦ୍ଦିଷ୍ଟ ସଂପତ୍ତି ମିଳିବାର ଅବକାଶ ନ ଥିଲା । ସେଇଥିପାଇଁ ସ୍ନେହ ହୁଏତ ଭାବିଥିଲେ ଅନନ୍ତ ଦାସ ଉଇଲ ସଂପନ୍ନ କରିଦେବା ଆଗରୁ ଯଦି କୌଣସିପ୍ରକାରେ ତାଙ୍କୁ ଦୂରେଇଦିଆଯାଏ, ତା’ହେଲେ ଭବିଷ୍ୟତରେ ସେତକ ପାଇବାରେ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ତେଣୁ ସେ କିପରି ଭାବରେ ତାଙ୍କର ଉଦ୍ଦେଶ୍ୟ ପୂରଣ କରିବେ, ଆଉ ଅନ୍ୟମାନଙ୍କର ତାଙ୍କ ପ୍ରତି ସନ୍ଦେହ ଆସିବ ନାହିଁ, ଏହା ଚିନ୍ତା କରିବାରେ ଲାଗିଲେ । ଅବଶେଷରେ ଜୟନ୍ତୀ ମହାପାତ୍ରର ଶୟନକକ୍ଷ ଭିତରୁ ସେ ସାୟାନାଇଡ଼୍‌ ଅପହରଣ କରିନେଲେ । ତାହା କିପରି ଓ କାହିଁକି, ମୁଁ ଆପଣମାନଙ୍କୁ ପୂର୍ବରୁ କହିଯାଇଛି । ଆପଣମାନେ ସମସ୍ତେ ସ୍ୱୀକାର କରିଛନ୍ତି ଯେ ମାଳିନୀ ଦେବୀଙ୍କ ସହିତ ପାଣି ଆଣିବାକୁ ଉପରକୁ ଯାଇ ସେ କିଛି ସମୟ ଭିତରେ ରହିଯାଇଥିଲେ । ସେଇ ସମୟ ଭିତରେ ସାଇନାୟଡ଼୍‌ ଟେବଲେଟ ମିଶିର ପାଣିରେ ପକାଇଦେଇଥିଲେ, ଆଉ ନିର୍ବିଘ୍ନରେ ପୁଣି ଆପଣମାନଙ୍କ ସହ ସାମିଲ ହୋଇଯାଇଥିଲେ ।

 

‘କେବଳ ଅନୁମାନକୁ ଭିତ୍ତି କରି ଏହା କୁହାଯାଉନାହିଁ । ପୋଟାସିୟମ ସାଇନାୟଡ଼ର ଅବଶିଷ୍ଟ ଟେବଲେଟ ଥିବା ଯୋଉ କାଚ ବୋତଲଟି ପାଣିରୁ ପୋଲିସ ଉଦ୍ଧାର କରିଥିଲେ, ତା ଭିତରେ ଦୁଇଟି ଟେବଲେଟରୁ ଫିଙ୍ଗର ପ୍ରିଣ୍ଟ ମିଳିଛି । ଆଉ ସେଇ ଟ୍ୟାବଲେଟ ଗୋଟିଏ ତାଙ୍କ ଟ୍ରଙ୍କରୁ ଉଦ୍ଧାର କରାଯାଇଛି । ସେଇ ଟ୍ୟାବଲେଟଟି ସେ ଯେ କାହିଁକି ରଖିଥିଲେ ତାହା ମଧ୍ୟ ଆମ ଜ୍ଞାନର ବାହାରେ ରହିଛି ।

 

‘ଏସବୁ ବ୍ୟତୀତ ଆପଣମାନେ ଯେତେବେଳେ ଅନନ୍ତ ଦାସଙ୍କର ଚିତ୍କାର ଶୁଣିଲେ, ଆପଣମାନଙ୍କ ପୂର୍ବରୁ ମିସେସ ପାତ୍ର କ୍ଷିପ୍ର ବେଗରେ ଉପରକୁ ଯାଇଥିବାର ଆପଣମାନେ ବର୍ଣ୍ଣନା କରିଛନ୍ତି । ଆଉ ମଧ୍ୟ ପୋଲିସ ନିକଟରେ ସାକ୍ଷ୍ୟ ଦେଇଛନ୍ତି ଯେ ଆପଣମାନେ ସେ କୋଠରିରେ ପ୍ରବେଶ କରୁ କରୁ ସ୍ୱୟଂ ସ୍ନେହଲତା ବାହାରକୁ ଏକ ଭଙ୍ଗା କାଚଗ୍ଳାସ ଫିଙ୍ଗିଦେଇଥିବାର ଦେଖିଛନ୍ତି-। କେବଳ ସେତିକି ନୁହେଁ, ତଳେ ପଡ଼ିଥିବା ପାଣିଗୁଡ଼ିକ ମଧ୍ୟ ସେ ନିଜ ପଣତରେ ପୋଛିଥିଲେ ବୋଲି ଆପଣମାନେ ସ୍ୱୀକାର କରିଛନ୍ତି । ତେଣୁ ଆପଣମାନଙ୍କ ପ୍ରମାଣ ଉପରେ ନିର୍ଭର କରି ଯାହା ଜଣାଯାଏ, କାହାରି ମନରେ କୌଣସି ସନ୍ଦେହ ନ ଆସିବା ପାଇଁ ଏସବୁ କାମ କ୍ଷିପ୍ରତାର ସହ ସେ ଶେଷ କରିଥିଲେ । ତା ସଙ୍ଗେ ସଙ୍ଗେ ପୋଟାସିଅମ ସାଇନାଇଡ଼୍‌ଥିବା ସେଇ ବୋତଲଟି ସେ ପାଣିକୁ ଫୋପାଡ଼ିଦେଇଥିଲେ ।

 

‘କେବଳ ସେତିକି ନୁହେଁ, ଜୟନ୍ତୀ ମହାପାତ୍ର କାଳେ ସେଇ ଟେବଲେଟ ଖୋଜିଲେ ତା’ମନରେ ସନ୍ଦେହ ଆସିପାରେ, ସେଥିପାଇଁ ଠିକ ସମାନ ବୋତଲରେ ଥିବା ମିଶ୍ରିଖଣ୍ଡ ପୂର୍ବ ସ୍ଥାନରେ ଅବସ୍ଥାପିତ କରିଥିଲେ । ପରେ ଜୟନ୍ତୀ ତାହା ପାଇ ପୋଖରୀକୁ ଫୋପାଡ଼ିଦେଇଥିଲା ।

 

‘ଆହୁରି ମଧ୍ୟ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜୟନ୍ତୀ ମହାପାତ୍ର ଯେତେବେଳେ ଭାବିଲା ଯେ ସେ ଭୁଲରେ ହୁଏତ ମିଶ୍ରିଖଣ୍ଡ ଭାବି ପୋଟାସିଅମ ସାଇନାୟଡ଼୍‌ ପାଣିରେ ମିଶାଇଦେଇଛନ୍ତି, ଆଉ ତାହାରି ପ୍ରଭାବରେ ଅନନ୍ତ ଦାସ ମୃତ୍ୟୁବରଣ କରିଛନ୍ତି, ସେତେବେଳେ ସେ ଅନୁତାପରେ ଦଗ୍‌ଧ ହେଇଥିଲା । ପୋଲିସ ନିକଟରେ ସମସ୍ତ ତଥ୍ୟ ପ୍ରକାଶ କରି ସେ ଏ ପ୍ରକାର ମାନସିକ ଦୁଶ୍ଚିନ୍ତାରୁ ମୁକ୍ତ ହେବାକୁ ଭାବି ଘଟଣାଟି ଯେତେବେଳେ ଚିନ୍ତା କଲା ସେତେବେଳେ ତାହାରି ସ୍ୱୀକାରୋକ୍ତି ଫଳରେ ଯେ ନିର୍ଦ୍ଦୋଷ ପ୍ରମୋଦ ପୋଲିସ ଜାଲରେ ପଡ଼ିବେ ଏହା ଜାଣିପାରି ବିବ୍ରତ ହେଇପଡ଼ିଲେ । ଏଇ ବିବ୍ରତତା କ୍ରମେ କ୍ରମେ ମାନସିକ ବ୍ୟାଧିରେ ପରିଣତ ହେବାକୁ ପ୍ରମୋଦଙ୍କ ବାଧ୍ୟରେ ସେ ଡକ୍ଟର ମିଶ୍ରଙ୍କ କ୍ଳିନିକକୁ ଯାଇଥିଲା ।

 

‘ତା’ପରର ଘଟଣା ଆପଣମାନେ ଜାଣନ୍ତି । ଏଇ ଘଟଣାଟି ଯେତେବେଳେ ପ୍ରଚାରିତ ହେଲା, ଅର୍ଥାତ୍‌ ଜୟନ୍ତୀ ମହାପାତ୍ର ସାଇନାଏଡ଼୍‌ଟେବଲେଟ ଦେଇ ଅନନ୍ତ ଦାସଙ୍କୁ ହତ୍ୟା କରିଛି, ସେତେବେଳେ ସ୍ନେହଲତା ବିଚଳିତ ହେଇପଡ଼ିଲେ । ଆହୁରି ତାଙ୍କୁ ବିଚଳିତ କରିଦେଲା । ମୁଁ ଏ ଘଟଣାରେ ପଦକ୍ଷେପ ନେଇଥିବା ଜାଣି ହୁଏତ ଭାବିଥିଲେ ଯେ ରୀତିମତ ଅନୁସନ୍ଧାନ ହେଲେ ପ୍ରକୃତ ଘଟଣାଟି ଆଉ ଲୁଚି ରହିପାରିବ ନାହିଁ । ତେଣୁ ଜୟନ୍ତୀ ଯାହା କହିଛି ତାହା ମିଥ୍ୟା ତଥା ଅଭିସନ୍ଧିମୂଳକ ବୋଲି ମୋ ମନରେ ଧାରଣା ସୃଷ୍ଟି କରିବାପାଇଁ ଚେଷ୍ଟା କରିଥିଲେ । ମୁଁ ସେତେବେଳକୁ ଅନନ୍ତ ଦାସଙ୍କ ପରିବାର ବିଷୟରେ କିଛି ଜାଣି ନ ଥିଲି । ଅବଶେଷରେ ତାଙ୍କୁ ଭେଟିବା ପୂର୍ବରୁ ଆତତାୟୀର ଆଘାତରେ ସେ ଇହଲୀଳା ସମ୍ବରଣ କରିଥିଲେ ।’

 

ମାଳିନୀ ଦେବୀ ଉତ୍କଣ୍ଠିତ ହୋଇ କହିଲେ., ‘ତା’ହେଲେ ତାକୁ ହତ୍ୟା କଲା କିଏ ଆଉ କାହିଁକି ?’

 

ଶତ୍ରୁଜିତ ପୁଣି ଥରେ ସମସ୍ତଙ୍କ ଉପରୁ ଦୃଷ୍ଟି ଫେରାଇଆଣି ସିଗାରେଟ କେସ୍‌ ଖୋଲିଲେ । ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ କହିଲେ,‘ଏସବୁ ଘଟଣାରୁ ଯାହା ଜଣାଯାଏ, ସ୍ନେହଲତାଙ୍କର ହତ୍ୟାକାଣ୍ଡ ପୂର୍ବପରିକଳ୍ପିତ ।’

 

–ମାନେ ?

 

–ମି:ପାତ୍ର ! ଏଇ ଘଟଣା ସଂପର୍କରେ ମୁଁ ଆପଣଙ୍କ ନିକଟରୁ ଆଉ କେତେକ ତଥ୍ୟ ଜାଣିବାକୁ ଇଚ୍ଛା କରେ । ମୋର ବିଶ୍ୱାସ, ସେ ବିନର ଘଟଣା ସଂପର୍କରେ ଆପଣ ମୋତେ ପ୍ରତ୍ୟକ୍ଷ ଧାରଣା ଦେଇ ପାରିବେ ।

 

ମି:ପାତ୍ରଙ୍କ ମୁଖମଣ୍ଡଳରେ ଶୁଷ୍କ ହସ ଖେଳିଉଠିଲା । ସେ ଅନୁଚ୍ଚ କଣ୍ଠରେ କହିଲେ, ‘ମୁଁ ଆପଣଙ୍କୁ ଭଲ ଭାବରେ ଜାଣିଛି, ମି: ଶତ୍ରୁଜିତ ! ତଥାପି ବି ମୋର ବହୁତ ଭୁଲ ରହିଗଲା ।’

 

–ମାନେ ?

 

–ମି: ପାତ୍ର ମାନିଲୀ ଦେବୀଙ୍କୁ ଲକ୍ଷ୍ୟ କରି କହିଲେ, ‘କେବଳ ଆପଣ ହିଁ ମୋତେ ଏଇ ପ୍ରବଞ୍ଚନା ଭିତରେ ପକାଇଦେଲେ, ଅପା ! ଆପଣଙ୍କ ଉପରେ ମୋର ବିଶ୍ୱାସ ଥିଲା ଅନେକ । ଆଉ ଦାଦାଙ୍କ ଉପରେ ବି । କିନ୍ତୁ ‘ମି:ପାତ୍ର ଅଟକିଲେ । ‘ସ୍ନେହ ବିବାହ ପୂର୍ବରୁ ସୁବ୍ରତକୁ ଭଲ ପାଉଥିଲା । ଆଉ ସେଇ ଭଲ ପାଇବାର ପରିଣତ ଅତି ନୀଚ ସ୍ତର ପର୍ଯ୍ୟନ୍ତ ଚାଲିଯାଇଥିଲା । କିନ୍ତୁ ଏଇ ଘଟଣା ମୁଁ ଜାଣିଲି ବହୁତ ପରେ । ସେତେବେଳକୁ ଆଉ କିଛି ପ୍ରତିକାର କରିବାର ନ ଥିଲା । ତଥାପି ମୁଁ ପୁଣି ଥରେ ତାକୁ ଭଲବାଟରୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲି । କିନ୍ତୁ ମୋ ଆଖିରେ ଧୂଳି ଦେଇ ସେ ପୁଣି ସୁବ୍ରତ ସହିତ ନିଜର ପୂର୍ବ ସଂପର୍କ ସ୍ଥାପନ କରିଥିଲା । ଅପ୍ରତ୍ୟାଶିତ ଭାବରେ ଦିନେ ମୁଁ ସେମାନଙ୍କୁ ଏପରି ଏକ ପରିବେଶରେ ଦେଖିଲି,ଯୋଉ ପରିବେଶରେ କୌଣସି ସ୍ୱାମୀ ତାର ସ୍ତ୍ରୀକୁ ଦେଖି କେବେ ଧୈର୍ଯ୍ୟ ଧରି ରହିବାର କଥା ନୁହେଁ । ମୁଁ କିନ୍ତୁ ଧୈର୍ଯ୍ୟ ଧରି ତଥାପି ରହିଥିଲି । ନିଜର ମର୍ଯ୍ୟାଦା ଆଭିଜାତ୍ୟ ସବୁ କିଛି ଏଥିର ପ୍ରତିକାର ନ କରିବାକୁ ବାଧ୍ୟ କରିଥିଲା ।’

 

‘ଆପଣମାନଙ୍କର ମୋ ପ୍ରତି ଯାହା ଧାରଣା ଆସୁଥାଉ ନା କାହିଁକି, ଆଜି ଏଇ ଶେଷ ମୁହୂର୍ତ୍ତରେ ସେଥିପ୍ରତି ମୋର କୌଣସି ଅନୁଶୋଚନା ନାହିଁ । କାରଣ ଏ ହଳାହଳପୂର୍ଣ୍ଣ ଦୁନିଆରେ ମିଥ୍ୟା ଅହମିକା ଆଉ ଆଭିଜାତ୍ୟର ମୋହ ଭିତରେ ମଣିଷର ଅନ୍ତର ଏତେ କଳୁଷିତ ବୋଲି ମୁଁ ଭାବି ପାରି ନ ଥିଲି । ମି:ପାତ୍ର ଅଟକିଲେ । ତାଙ୍କର ଚକ୍ଷୁ ଲୋତକପୂର୍ଣ୍ଣ ହେଇଆସୁଥିଲା । ବହୁତ କଷ୍ଟରେ ନିଜକୁ ସଂଯତ କରି ସେ କହିଲେ, ‘ନିଜ ଗୋଡ଼ରେ ଛିଡ଼ା ହୋଇ ମୁଁ ମଣିଷ ହୋଇଥିଲି । ସେଥିପାଇଁ କାହାରି ସାହାଯ୍ୟ ବା କୃପାଭିକ୍ଷା କରିବାକୁ ମୁଁ ଘୃଣା ବୋଧ କରୁଥିଲି । ବହୁ କଷ୍ଟରେ ଯୋଉଜକ ସାମାନ୍ୟ ଅର୍ଥ ମୁଁ ସଞ୍ଚୟ କରିଥିଲି ତାହାରି ବିନିମୟରେ ମୁଁ ଅର୍ଥକ୍ଷେତ୍ରରେ ସୁପ୍ରତିଷ୍ଠିତ ହେଇପାରିଥିଲି ।’

 

‘କିନ୍ତୁ ସ୍ନେହଲତା ମୋର ସବୁ କିଛି ଓଲଟି ପାଲଟ କରିଦେଲା । ସୁବ୍ରତ ସହିତ ତାର ସେଇ ଅବୈଧ ସଂପର୍କ ଦେଖିବା ପରେ ମୁଁ ବହୁତ ଭାଙ୍ଗିପଡ଼ିଥିଲି । ଆତ୍ମହତ୍ୟା କରିବା ଅପେକ୍ଷେ-। ତାକୁ ଡାଇଭୋର୍ସ କରି ପୁଣି ଥରେ ମୋର ଜୀବନପ୍ରବାହରୁ ଧାରାବାହିକ ଭାବରେ ନେବାର ପରିକଳ୍ପନା କରିଥିଲି । ଆପଣ ହୁଏତ ଜାଣିନାହାନ୍ତି, କେବଳ ସେଇଥିପାଇଁ ମୁଁ ଜୟନ୍ତୀ ମହାପାତ୍ରର ମତାମତ ନେବାକୁ ଚେଷ୍ଟା କରୁଥିଲି ।’

 

‘ଆପଣଙ୍କର ଏଇ ଅଭିଳାଷ ଜୟନ୍ତୀ ଜାଣିଥିଲା ?’

 

‘ହୁଏତ ନା—କାରଣ ମୁଁ ତାକୁ ମୋ ତରଫରୁ ଜାଣିବାକୁ ସୁଯୋଗ ଦେଇ ନଥିଲି । ମୋର ଉଦ୍ଦେଶ୍ୟ ଥିଲା, ଯଦି ତା’ ପାଖରୁ ସେମିତି କୌଣସି ଇଙ୍ଗିତ ମିଳେ ତା’ହେଲେ ମୋର ଉଦ୍ଦେଶ୍ୟ ଜଣାଇବି । କିନ୍ତୁ ଏହାରି ଭିତରେ ତା ବିଷୟରେ ଯୋଉ ତଥ୍ୟ ଶୁଣିଲି ସେଥିରେ ମୁଁ ବିବ୍ରତ ହେଇପଡ଼ିଲି । ଆପଣ ପୂର୍ବରୁ ସ୍ନେହଲତାକୁ ଯୋଉଭଳି ସନ୍ଦେହ କରିଥିଲେ, ମୁଁ ଠିକ୍‍ ସେହି ସନ୍ଦେହ କରିଥିଲି । କିନ୍ତୁ ଦୈବାତ୍‌ ତା’ର ଗୋଟିଏ ଚିଠି ମୁଁ ହସ୍ତଗତ କଲି । ସେଇ ଚିଠି କେମିତି ମୁଁ ହସ୍ତଗତ କଲି ତାହା ଆପଣଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରୁଥିବ ଅନ୍ୟାନ୍ୟ ବିଷୟ ପରି ଏହା ମଧ୍ୟ ମୁଁ ଆପଣଙ୍କୁ ଜଣାଉଛି । ଉପରୋକ୍ତ ଦିନଠାରୁ ମୁଁ ଆମର ପୂଜାରୀ ରତନକୁ ସ୍ନେହ ପ୍ରତି ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲି । ଯୋଉ ଦିନ ତାକୁ ହତ୍ୟା କରାଗଲା ସେଦିନ ସକାଳେ ରତନା ଖୁବ୍‌ ଗୋପନରେ ଏଇ ଚିଠିଟି ମୋତେ ଦେଇଥିଲା, ଯୋଉ ଚିଠିଟା କି ଅତି ଗୋପନରେ ସୁବ୍ରତଙ୍କୁ ଦେଇଆସିବାକୁ ସ୍ନେହ ରତନକୁ ଦେଇଥିଲା ।’

 

ପ୍ରତ୍ୟେକଙ୍କର ଦୃଷ୍ଟି ମି:ପାତ୍ରଙ୍କ ଉପରେ ସ୍ଥିର ହୋଇଥିଲା । ମି:ପାତ୍ରଙ୍କ ମୁଖମଣ୍ଡଳରେ ଗଭୀର ଯନ୍ତ୍ରଣାର ଚିହ୍ନ ପରିସ୍ଫୁଟ ହେଉଥିଲା । ନିଜର ଦୃଷ୍ଟି ଅବିଚଳିତ ରଖି ସେ କହିଲେ, ‘ସେଇ ଚିଠିରେ କ’ଣ ଲେଖା ହେଇଥିଲା ଜାଣନ୍ତି ?’

 

‘ଶତ୍ରୁଜିତଙ୍କ ପରି ଅନ୍ୟମାନେ ଉତ୍ସାହିତ ହେଇପଡ଼ିଥିଲେ ।

 

ମି:ପାତ୍ର କହିଲେ, ‘ସେଥିରେ ସେ ଲେଖିଥିଲା—ଆଉ ବେଶୀ ସମୟ ମୋର ପତ୍ନୀ ଭାବରେ ରହିବାର ତାର ଆଉ ଧୈର୍ଯ୍ୟ ନାହିଁ । ଯେତେ ଶୀଘ୍ର ପାରେ ସୁବ୍ରତଙ୍କ ପାଖକୁ ସେ ଫେରିଯିବାକୁ ଚାହେଁ । କିନ୍ତୁ ତା’ ପୂର୍ବରୁ ମୁଁ ଯେମିତି ଏ ଦୁନିଆରୁ ବିଦାୟ ନିଏଁ । ଏତେ ହଠାତ୍‌ ମୁଁ ଯେ କେମିତି ବିଦାୟ ନେବି, ତା’ର ଏକ ଚମତ୍କାର ଯୋଜନା ସେ ମଧ୍ୟ କରିଥିଲା । ମାନେ, ସେ କୌଶଳରେ ଆମ ମାଇନିଂ ପାଖରେ ଥିବା ଘରକୁ ଯାଇ ମୋର ପିଇବା ପାଣିରେ ସମସ୍ତଙ୍କ ଅଲକ୍ଷ୍ୟରେ ପୋଟାସିଅମ ସାଇନାଏଡ଼୍‌ ପକାଇଦେବ । କାରଣ ମୁଁ ଯେ ଖୁବ୍‌ ଗଭୀର ରାତ୍ରରେ ପାଣି ପିଏଁ, ସେ ଜାଣେ । ତେଣୁ ସାୟାନାଇଡ଼୍‌ ମିଶ୍ରିତ ପାଣି ମୁଁ ପିଇବା ପରେ ପରେ ନିଶ୍ଚୟ ମୃତ୍ୟୁ ମୁଖରେ ପଡ଼ିବି । କିନ୍ତୁ ଏଇ ଅପମୃତ୍ୟୁକୁ କେମିତି ହତ୍ୟାକାଣ୍ଡ ବୋଲି କେହି ପ୍ରମାଣିତ କରି ନ ପାରନ୍ତି ସେଥିପାଇଁ ଅନ୍ୟ ଏକ କ୍ଳୁ ଦେଖାଇବାକୁ ସେ ଅନୁରୋଧ କରିଥିଲା ।’

 

‘ମାନେ ?’

 

‘ସୁବ୍ରତ ଅନନ୍ତ ଦାସଙ୍କ ହତ୍ୟାକାଣ୍ଡ ଅନୁସନ୍ଧାନ କରୁଛି ବୋଲି ସମସ୍ତେ ଜାଣିଥିଲେ । ଆଉ ଏଇ ହତ୍ୟାକାଣ୍ଡ କେନ୍ଦ୍ରୀଭୂତ ହେଇଥିଲା ସେଇ ଚାରି ଏକର ଜମି ଉପରେ । ମୁଁ ମାଇନିଂ ଇଞ୍ଜିନିୟର । ସାଧାରଣଙ୍କ ଅପେକ୍ଷା ସେଥିର ଲୁକ୍‌କାୟିତ ଖଣିଜ ଦ୍ରବ୍ୟର ମୂଲ୍ୟ ମୁଁ ଜାଣେ । ଆଉ ସେଇ ଜମିକୁ ହସ୍ତଗତ କରିବାପାଇଁ ସ୍ନେହଲତା ଜରିଆରେ ବାରମ୍ବାର ଚେଷ୍ଟା କରି ବିଫଳ ହେବା ପରେ ଅନନ୍ତ ଦାସଙ୍କୁ କୌଶଳରେ ହତ୍ୟା କରିଛି ବୋଲି ସେ ପ୍ରମାଣ ଉପସ୍ଥାପିତ କରିବେ । କେବଳ ଏତକ ହେଲେ ପ୍ରମାଣ ଦୃଢ଼ୀଭୂତ ହେବ ନାହିଁ । ତେଣୁ ଜୟନ୍ତୀ ମହାପାତ୍ରର ରୂପରେ ମୁଁ ମୁଗ୍‌ଧ ହୋଇ ଏହି ହତ୍ୟାକାଣ୍ଡ କରିଛି । କାରଣ ସେଇ ସମ୍ପତ୍ତି ଯେ ଜୟନ୍ତୀ ମାଆର ତାହା ସୁବ୍ରତ ପାଖରୁ ସ୍ନେହ ଜାଣିଥିଲା । ତେଣୁ ଅନନ୍ତ ଦାସ ଜୟନ୍ତୀ ନାମରେ ସେତକ ଉଇଲ କରି ନ ଥିଲେ ବି କୋର୍ଟର ଆଶ୍ରୟ ନେଇ ସେତକ ମୁଁ କରିପାରିବି । ମି: ପାତ୍ର ଦୀର୍ଘ ନିଶ୍ୱାସ ନେଲେ । ବୋଧହୁଏ ସେ ଦୁର୍ବଳ ହେଇପଡ଼ୁଥିଲେ । ତେଣୁ ଟେବୁଲ ଉପରେ ହାତଭାର ଦେଇ ସେ କହିଲେ,‘ଏଇ ଗ୍ରାଉଣ୍ଡ ଅନନ୍ତ ଦାସଙ୍କୁ ହତ୍ୟା କରିବାପାଇଁ ଯଥେଷ୍ଟ । କିନ୍ତୁ ସେଇ ବିଷୟରେ ଯୋଉ ତଦନ୍ତ ଚାଲିଛି, ଆଉ ସେ ଯୋଉପରି ମୋତେ କେନ୍ଦ୍ର କରୁଛି, ସେଥିରୁ ମୁଁ ନିଶ୍ଚୟ ଧରାପଡ଼ିଯିବି ଏଇ ଭୟରେ ମୁଁ ଆତ୍ମହତ୍ୟା କରିଛି ବୋଲି ଏକ ଯୁକ୍ତିଯୁକ୍ତ ପ୍ରମାଣ ପୋଲିସ ପାଇପାରିବ । ତେଣୁ ମୋର ହତ୍ୟାଟା ଆତ୍ମହତ୍ୟାରେ ପରିଣତ ହେଇଯିବାରୁ କେହି କାହାରିକୁ ସନ୍ଦେହ କରିପାରିବେ ନାହିଁ । ଜଏଣ୍ଟ ପ୍ରପର୍ଟିଯାକ ସ୍ନେହ ପାଇପାରିବ, ଆଉ ଅନନ୍ତ ଦାସଙ୍କର ସମ୍ପତ୍ତି ମଧ୍ୟ । ଏହା ପରେ ଉଭୟେ ବେଶ୍‌ ଶାନ୍ତିରେ ପରବର୍ତ୍ତୀ ଜୀବନ ଅତିବାହିତ କରିପାରିବେ ।

 

‘ମି: ଶତ୍ରୁଜିତ ଆପଣ ଭଗବାନଙ୍କ ଆଶୀର୍ବାଦ ଫଳରେ ଏକ ଅଭୂତ ଶକ୍ତିର ଅଧିକାରୀ ହେଇପାରିଛନ୍ତି, ଯାହା ଫଳରେ ଆପଣଙ୍କର କୌଣସି ଅନୁସନ୍ଧାନ ବ୍ୟର୍ଥ ହେଇନାହିଁ । ମୁଁ କିନ୍ତୁ ମୋର ସ୍ଥାନକୁ ଆପଣଙ୍କୁ ନିମନ୍ତ୍ରଣ କରାଇଆଣି ଯଦି ଛିଡ଼ା କରାଇଦିଏ । ଏଇ କ୍ଷେତ୍ରରେ ଆପଣଙ୍କର କର୍ତ୍ତବ୍ୟଟା କ’ଣ ଆପଣ ଚିନ୍ତା କରନ୍ତୁ । ମୁଁ ସେଥିରୁ ବାଦ୍‌ଯାଇ ନ ଥିଲି । ସେଇ ଚିଠି ପଢ଼ିସାରିବାପରେ ସ୍ନେହ ଯେ ଅନନ୍ତ ଦାସଙ୍କୁ ତା’ର ସ୍ୱାର୍ଥସାଧନ କରିବାପାଇଁ ହତ୍ୟା କରିଛି ମୁଁ ନିଶ୍ଚିତ ହୋଇଥିଲି । ଆଉ ସେଇ ସାର୍ଥ ପାଇଁ ମୋତେ ହତ୍ୟା କରିବାକୁ ଯେ ଏକ ଜଘନ୍ୟ ପରିକଳ୍ପନା କରିଚାଲିଛି ଏହା ମୋ ମନରେ ଏକ ପ୍ରତିହିଂସାର ସ୍ରୋତ ପ୍ରବାହିତ କରିଥିଲା ।

 

‘......କିନ୍ତୁ ହତ୍ୟାକରୀର ଦଣ୍ଡ ମୋ ନିକଟରେ ଅବିଦିତ ନ ଥିଲା । ଗୋଟିଏ ଚରିତ୍ରହୀନା, ଘୃଣ୍ୟା ସ୍ତ୍ରୀ ପାଇଁ ମୁଁ ଏ ଧରାବକ୍ଷରୁ ବିଦାୟ ନେବାକୁ ଇଚ୍ଛା କରୁ ନ ଥିଲି । ମୋ ମନରେ ବି ପୈଶାଚିକତା ସୃଷ୍ଟି ହୋଇଥିଲା । ସେ ଯୋଉଭଳି ଷଡ଼ଯନ୍ତ୍ର କରି ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲା, ସେଇଭଳି ଷଡ଼ଯନ୍ତ୍ର କରି ତାକୁ ହତ୍ୟା କରି ମୁଁ ନିଶ୍ଚତ ହେବି ବୋଲି ଯୋଜନା କଲି ।

 

‘....ହଁ, ମୁଁ ଭୁଲିଯାଇଛି । ସେ ଚିଠିରେ ସେ ମଧ୍ୟ ଲେଖିଥିଲା କେବଳ ଏଇ କାରଣ ପାଇଁ ସେ ଅନ୍ୟ ଚାକରମାନଙ୍କୁ ଘରକୁ ପଠାଇଦେଉଛି । ରତନାକୁ ମଧ୍ୟ ସେକେଣ୍ଡ ସୋ ସିନେମା ଦେଖିବାକୁ ପଠାଇଦେବ । ତେଣୁ ଦଶଟା ଭିତରେ ସୁବ୍ରତ ଆସିଲେ ଉଭୟେ ମୋର ମାଇନିଂ ରେସିଡ଼େନ୍‌ସକୁ ଗୋପନରେ ଆସିବେ ।

 

‘.......ଏଇ ସୁଯୋଗକୁ ମୁଁ ଅପେକ୍ଷା କରିଥିଲି । ସ୍ନେହଲତାର ମର୍ଡରରେ ସୁବ୍ରତକୁ ଅଭିଯୁକ୍ତ କରି ତା’ର ପାପର ପ୍ରାୟଶ୍ଚିତ୍ତ ଭୋଗ କରିବାର ଯୋଜନା ନେଲି । ଆପଣ ଭାବିପାରିବେ ନାହିଁ, ମି:ଶତ୍ରୁଜିତ, ଏଇ କାମ ପାଇଁ ମୋ ମୁଣ୍ଡରେ କେମିତି ଏତେଗୁଡ଼ାଏ ବୁଦ୍ଧି ସୃଷ୍ଟି ହେଇଗଲା । ମୁଁ ଜାଣିଥିଲି, ସୁବ୍ରତ ଚୂରଟ ଖାଏ । ଆଉ ସେ ଯେ କୋଉ ପ୍ରକାର ଚରଟ ଖାଏ ମୁଁ ଜାଣିଥିଲି । ସେଇ ଚୂରଟ ଖୁବ୍‌ ଗୋପନରେ ମୁଁ ସଂଗ୍ରହ କଲି । କେବଳ ସେତିକି ନୁହେଁ, ମି ଶତ୍ରୁଜିତ, ତା ପୂର୍ବରୁ ମୋର ମାଇନିଂ ରେସିଡ଼େନସ୍‌ର ଟେଲିଫୋନ ଖୋଲି ନେଗେଟିଭ୍‌ଟିକୁ ଡିସକନେକ୍ଟ କରିଦେଇଥିଲି । କାରଣ ତା’ର ମୃତ୍ୟୁ ଖବର ମୁ ହଠାତ୍‌ ଯେମିତି ନ ପାଏ । ସେଠାରେ ବି ସୁବ୍ରତକୁ ଅଭିଯୁକ୍ତ କରିବାପାଇଁ ମୁଁ ଅର୍ଦ୍ଧଦଗ୍‌ଧ ଚୁରଟ ଛାଡ଼ିଯାଇଥିଲି । ଏତକ ଚତୁରତାସହ ସମ୍ପନ୍ନ କଲା ପରେ ମୁଁ ଗୋଟାଏ ତୀକ୍ଷ୍‌ଣ ବର୍ଚ୍ଛା ଯୋଗାଡ଼ କରିନେଲି । ରାତି ନଅଟା ପରେ ପରେ ଆମ ଘରଠାରୁ କିଛି ଦୂରରେ ଗାଡ଼ି ରଖି ଖୁବ୍‌ ଗୋପନରେ ଅଟ୍ଟାଳିକା ଭିତରେ ପ୍ରବେଶ କଲି । ଉପର ମହଲାରେ ଆଲୋକ ଜଳୁଥିଲା । ମୁଁ ନିର୍ଦ୍ଦିଷ୍ଟ ଭାବରେ ଜାଣିନେଇଥିଲି ଯେ ସ୍ନେହ ସୁବ୍ରତର ପ୍ରତୀକ୍ଷାରେ ରହିଛି । ତେଣୁ ତା’ର ଅଲକ୍ଷ୍ୟରେ ମୁଁ ତଳ ମହଲାକୁ ଆସିଥିଲି । ମୁଁ ସନ୍ତର୍ପଣରେ ଡ୍ରଇଂରୁମରେ ଅପେକ୍ଷା କରି ରହିଲି । କାରଣ ମୁଁ ରତନାକୁ କହିଥିଲି ସେ ସୁବ୍ରତକୁ ଯାଇ କହିବ ଯେ କୌଣସି ଏକ ଜରୁରୀ କାମରେ ସ୍ନେହ ଠିକ ରାତି ଏଗାରଟା ବେଳେ ସେଠାକୁ ଆସିବାକୁ କହିଛି ବୋଲି । ତେଣୁ ମୁଁ ଭାବିଥିଲି ସୁବ୍ରତ ପ୍ରବେଶ କରିବାର ପାଞ୍ଚମିନିଟ୍‌ ପୂର୍ବରୁ ମୁଁ ସ୍ନେହକୁ ହତ୍ୟା କରି ଚାଲିଯିବି । ତା ପୂର୍ବରୁ ମୁଁ ତା’ର ଉପସ୍ଥିତିର ପ୍ରମାଣ ପାଇଁ ଦୁଇଖଣ୍ଡ ଅର୍ଦ୍ଧଦଗ୍‌ଧ ଚୁରଟ ଛାଡ଼ିଯାଇଥିଲି ।

 

‘ଠିକ୍‌ ଏଗାରଟା ବାଜିବାର ପନ୍ଦର ମିନିଟ୍‌ ପୂର୍ବରୁ ମୁଁ ଯାଇ ସ୍ନେହର ଶୟନକକ୍ଷର ବାହାରେ ଛିଡ଼ା ହେଲି । ବାହାର ପାଖ ଅନ୍ଧକାର ଥିଲା, ଆଉ ତା’ର ସୁଇଚ୍‌ ମୋ ହାତ ପାଖରେ ଥିଲା । ମୁଁ ଜାଣିଥିଲି, ଚୁରଟ ଟାଣିଲେ ସୁବ୍ରତ ବୋଲି ଭାବି ସ୍ନେହ ନିଶ୍ଚୟ ବାହାରକୁ ଆସିବ । ମୋର ଅନୁମାନ ଅବ୍ୟର୍ଥ । ସେ ବାହାରକୁ ଆସିଥିଲା । କିନ୍ତୁ ସିଧା ସୁଇଚ୍‌ ପାଖକୁ ନ ଆସି କିଚିନରୁମ ଆଡ଼େ ଯାଉଥିଲା । ସେଇ ଅବସରରେ ମୋର ସମୁଦାୟ ଶକ୍ତି ଖର୍ଚ୍ଚକରି ତା’ର ବକ୍ଷ ଦେଶରେ ବର୍ଚ୍ଛା ବସାଇଦେଲି । ଆଉ ପର ମୁହୂର୍ତ୍ତରେ ସମସ୍ତ ଶକ୍ତି ସଞ୍ଚୟ କରି ବର୍ଚ୍ଛା ବାହାର କରି ଆଣିଲି ।

 

‘କିନ୍ତୁ ମି: ଶତ୍ରୁଜିତ୍‌, ସ୍ନେହରେ ସେଇ ଆକୁଳ ଚିତ୍କାରରେ ମୁଁ ବିବ୍ରତ ହେଇପଡ଼ିଲି । ପରବର୍ତ୍ତୀ ପଦକ୍ଷେପ ମୋର ଆଉ ମନେପଡ଼ିଲା ନାହିଁ । ମୁଁ ଗାଡ଼ି ନେଇ ଯେତେ ଶୀଘ୍ର ପାରେ ପଳାଇବାରେ ଲାଗିଲି । ବର୍ଚ୍ଛାଟିକୁ ପାହାଡ଼ର ଏକ ଝରଣା ଭିତରକୁ ଫୋପାଡ଼ିଦେଲି । ତା’ପରେ ମୋ ପାଇଁ ଅପେକ୍ଷା କରିଥିବା ମାଇନିଂ ଅଫିସରଙ୍କ ପାଖକୁ ଚାଲିଗଲି । ଅବଶ୍ୟ ଏହା ଭିତରେ ମୋ ଗାଡ଼ି ଯେ ଗତ ରାତିରେ ବ୍ୟବହାର ହେଇ ନଥିଲା ଅଥବା ମୁଁ ବାହାରକୁ ଯାଇ ନ ଥିଲି ଏଥିପାଇଁ ପୋଲିସକୁ ସବୁ ପ୍ରମାଣ ଦେବାର ବନ୍ଦୋବସ୍ତ କରି ଦେଇ ଯାଇଥିଲି ।

 

‘କିନ୍ତୁ ମି: ଶତ୍ରୁଜିତ୍‌, ମୁଁ ପାରିଲି ନାହିଁ । ଏଇ ଦୁଇଦିନ ସ୍ନେହର ସେଇ କରୁଣ ଆର୍ତ୍ତନାଦ ମୋତେ ବିବ୍ରତ କରିଛି । ମୁଁ ହତ୍ୟାକାରୀ । ସ୍ନେହ ଯାହା ହେଲେ ବି ମୋର ସ୍ତ୍ରୀ । ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି । ଏଇ ମାନସିକ ଅଶାନ୍ତି ନେଇ ମୁଁ ମୋ ଭବିଷ୍ୟତ ଜୀବନ ଆନନ୍ଦରେ ଅତିବାହିତ କରିପାରିବି ନାହିଁ । ତେଣୁ ମୋର ସମଗ୍ର ସମ୍ପତ୍ତି ସେଇ ହତଭାଗୀ ଜୟନ୍ତୀ ମହାପାତ୍ର ନାମରେ ମୁଁ ଉଇଲ୍‌ କରିଦେଇଛି । ଏଇ ନିଅନ୍ତୁ, ଆଉ ଏଇ ଚିଠିଟି ବି ।’

 

ଶତ୍ରୁଜିତ ଉଇଲଟି ସହିତ ସେହି ଚିଠିଟି ଗ୍ରହଣ କରି ଚିଠିଟି ଖୋଲିବା ପୂର୍ବରୁ ମି:ପାତ୍ର ଚିତ୍କାର କରିଉଠିଲେ । ମି: ମହାନ୍ତି କ୍ଷିପ୍ରବେଗରେ ଦଉଡ଼ିଆସି ମି:ପାତ୍ରଙ୍କୁ ପଡ଼ିଯାଉଥିବା ଅବସ୍ଥାରେ ଧରିନେଲେ ।

 

କିନ୍ତୁ ସେତେବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ତୀବ୍ର ଆର୍ସେନିକର ସଲ୍ୟୁସନ ତାଙ୍କ ସମଗ୍ର ଶରୀରରେ ପ୍ରବାହିତ ହୋଇସାରିଥିଲା ।

 

ଏସ.ପି, ସାହେବ କିଂକର୍ତ୍ତବ୍ୟ ବିମୁଢ଼ ଭାବରେ ତାଙ୍କୁ ଅନାଇ ରହିଥିଲେ ।

Image